• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସାମ୍ବାଦିକ ପେନସନ୍ ଓ ପ୍ରେସ୍ ଏକାଡେମୀ

ସାମ୍ବାଦିକ ପେନସନ୍ ଓ ପ୍ରେସ୍ ଏକାଡେମୀ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଫେବୃଆରୀ ୨୦୨୫

ସାମ୍ବାଦିକତା ହେଉଛି ଏକ ମହାନ୍ ବୃତ୍ତି, ଯେଉଁଥିରେ ସମାଜ ସେବା କରିବାର ବିପୁଳ ସୁଯୋଗ ଓ ସମ୍ଭାବନା ରହିଛି। ଏହି ବୃତ୍ତିର ସଠିକ୍ ଉପଯୋଗ ଦ୍ୱାରା ସମାଜର ଅଶେଷ କଲ୍ୟାଣ ସାଧନ ସମ୍ଭବ ହୋଇଥାଏ। ତେଣୁ ଏହି ବୃତ୍ତିଧାରୀ ବ୍ୟକ୍ତିବିଶେଷ ବା ସାମ୍ବାଦିକମାନଙ୍କୁ ସମାଜ ମଧ୍ୟ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥାଏ।

ସାମ୍ବାଦିକ ଓ ରାଜନେତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। କାରଣ ଜନସେବା ହେଉଛି ଏହି ଦୁଇଟି ବୃତ୍ତିର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଦୁଇ ବୃତ୍ତିର ବ୍ୟକ୍ତିବିଶେଷ ମଧ୍ୟ ସମାଜରେ ସମ୍ମାନସ୍ପଦ। ତେବେ ରାଜନେତାମାନଙ୍କ ଆତ୍ମକୈନ୍ଦ୍ରିକ ମନୋଭାବ ଯୋଗୁଁ ସାଂସଦ ଓ ବିଧାୟକଙ୍କ ଭଳି ଜନ ପ୍ରତିନିଧିମାନେ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ସ୍ୱଚ୍ଛଳ ସ୍ଥିତିରେ କାଳାତିପାତ କରୁଛନ୍ତି। ମାତ୍ର ରାଜନେତାମାନଙ୍କ ଆଚରଣ ଓ ଆଭିମୁଖ୍ୟରେ ସଂକୀର୍ଣ୍ଣତା ରହିବା ଯୋଗୁଁ ଓଡ଼ିଶାରେ ସାମ୍ବାଦିକମାନେ ଆର୍ଥିକ ଦୁର୍ଗତିର ଶୀକାର ହୋଇ ଅତ୍ୟନ୍ତ ଦୁର୍ଦ୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଜଣେ ରାଜନେତା ଅବସରପ୍ରାପ୍ତ ସରକାରୀ ଅଧିକାରୀ, ପୂର୍ବତନ ବିଧାୟକ ଏବଂ ପ୍ରାକ୍ତନ ସାଂସଦ ହୋଇଥିଲେ, ସେ ଏକକାଳୀନ ତିନୋଟିଯାକ ପଦବୀର ପେନସନ୍ ହାତେଇ ପାରିବେ। ତେଣୁ ଅଭିଯୋଗ ହୁଏ ଯେ, ନିଜେ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିବା ଯୋଗୁଁ ରାଜନେତାମାନେ ନିଜ ସପକ୍ଷରେ ଏଭଳି ସୁବିଧା କରାଇ ନେଇଛନ୍ତି। କେବଳ ସେତିକି ନୁହେଁ, ବିଧାୟକ ଓ ସାଂସଦମାନେ ନିଜ ଦରମା, ଭତ୍ତା ଏବଂ ପେନସନ୍ ସଂଶୋଧନର କ୍ଷମତା ମଧ୍ୟ ନିଜ ହାତରେ ରଖିଛନ୍ତି। ରାଜନେତାମାନଙ୍କ ଏଭଳି ଆତ୍ମସ୍ୱାର୍ଥକୈନ୍ଦ୍ରିକ ଆଚରଣକୁ ବଭିନ୍ନ ମହଲ ଘୋର ନାପସନ୍ଦ କରିବା ସହିତ ଦୃଢ଼ ବିରୋଧ ମଧ୍ୟ କରୁଛନ୍ତି।

ଏହି ପୃଷ୍ଠଭୂମିରେ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ଯଥାର୍ଥ ମନେହୁଏ। ସମାଜ ପ୍ରତି ସାମ୍ବାଦିକମାନଙ୍କ ଅବଦାନକୁ ସ୍ୱୀକୃକ୍ତି ପ୍ରଦାନ, ସେମାନଙ୍କ ଆର୍ଥିକ ଅସ୍ୱଚ୍ଛଳ ସ୍ଥିତିକୁ ଉପଲବ୍ଧି କରିବା ସହିତ ସାମ୍ବାଦିକତା ଭଳି ଅନିଶ୍ଚିତ ତଥା ବିପଦଜନକ ବୃତ୍ତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ପ୍ରଦେଶର ରାଜ୍ୟ ସରକାର ପତ୍ରକାର ପେନସନ୍ ବ୍ୟବସ୍ଥା ଲାଗୁ କରିଛନ୍ତି। କେତେକ ରାଜ୍ୟ ସରକାର ଅନ୍ୟୁନ ୨୦ ବର୍ଷର ସାମ୍ବାଦିକତା ଅଭିଜ୍ଞତା ଥିବା ପତ୍ରକାରମାନଙ୍କୁ ୫୮ ବୟସ ପରେ ମାସିକ ପେନସନ୍ ସହିତ ସ୍ୱାସ୍ଥ୍ୟ ବୀମା, ନଗଦ ଅର୍ଥରାଶିର ପୁରସ୍କାର ପ୍ରଭୃତି ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ସାମ୍ବାଦିକମାନଙ୍କ ଲାଗି ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଚାରି ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ଓଡ଼ିଶାରେ ଦାବି ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଦଳର ସରକାର ତାକୁ ଅଣଦେଖା କରି ଆସୁଛନ୍ତି।

ଅଶୀ ଦଶକରେ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହୋଇଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ସେହି ସମୟରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଥିଲେ। ଜାନକୀବାବୁ କେବଳ ଜଣେ ବିଚକ୍ଷଣ ରାଜନେତା ନଥିଲେ। ସେ ମଧ୍ୟ ଥିଲେ ଜଣେ ପ୍ରଥିତଯଶା ସାହିତ୍ୟିକ ଏବଂ ବିଶିଷ୍ଟ ସାମ୍ବାଦିକ। ସେତେବେଳେ ସାମ୍ବାଦିକମାନଙ୍କୁ ପେନସନ୍ ଦେବାଲାଗି ରାଜ୍ୟରେ ସ୍ୱର ଉତ୍ତୋଳନ ହୋଇଥିଲା। ସାମ୍ବାଦିକରୁ ରାଜନେତା ବନିଥିବା ଜାନକୀବାବୁ ନିଶ୍ଚିତ ଭାବରେ ‘ପତ୍ରକାର ପେନସନ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ବୋଲି ରାଜ୍ୟର ସାମ୍ବାଦିକମାନେ ସ୍ୱାଭାବିକ ଭାବରେ ଆଶା କରିଥିଲେ। କିନ୍ତୁ ଜାନକୀ-ସରକାର ଉପରେ ଉପଯୁକ୍ତ ଚାପ ସୃଷ୍ଟି ଅଭାବରୁ ତାହା ରୂପାୟିତ ହୋଇ ପାରିଲା ନାହିଁ।

ଦୁଇ ହଜାର ମସିହାରେ ଓଡ଼ିଶାରେ ନବୀନ-ସରକାର ପ୍ରତିଷ୍ଠା ହେଲା। ଏହି ସମୟରେ ମଧ୍ୟ ସାମ୍ବାଦିକମାନଙ୍କୁ ପେନସନ୍ ଦେବାଲାଗି ଦୃଢ଼ ଦାବି ଉପସ୍ଥାପନ କରାଗଲା। ଫଳରେ ନୀବନ ସରକାର ବିଧାନସଭା ଭିତରେ ଓ ବାହାରେ ଏକାଧିକ ଥର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ, ଏହି ପେନସନ୍ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯିବ। ଦେବାଶୀଷ ନାୟକ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଥିବାବେଳେ ଗୋଟିଏ କମିଟି ଗଠନ କରିଥିଲେ। ଉକ୍ତ କମିଟି କେତେକ ରାଜ୍ୟକୁ ଗସ୍ତକରି ସାମ୍ବାଦିକ ପେନସନ୍ ଯୋଜନାର କାର୍ଯ୍ୟକାରିତାକୁ ମଧ୍ୟ ଅନୁଧ୍ୟାନ କରିଥିଲା। ଏପରିକି ୨୦୧୪ ମସିହା ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଘୋଷଣା କରିଥିଲା ଯେ, ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଓ ସ୍ୱାସ୍ଥ୍ୟ ବୀମା ଯୋଜନା ତୁରନ୍ତ ଲାଗୁ କରାଯିବ। ଏହାପରେ ନବୀନ ପଟ୍ଟନାୟକ ଅଧିକ ଦଶବର୍ଷ ଧରି ରାଜ୍ୟକୁ ଶାସନ କରିଥିଲେ ସୁଦ୍ଧା ନିର୍ବାଚନ ସମୟର ପେନସନ୍ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପାସୋରି ଦେଇଥିଲା।

ନବୀନ ସରକାର କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ହିସାବରେ ବି.ଜେ.ପି. ବା ଭାରତୀୟ ଜନତାପାର୍ଟିର ବିଧାୟକମାନେ ମଧ୍ୟ ସାମ୍ବାଦିକ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବଳିଷ୍ଠ ଦାବି ଉପସ୍ଥାପନ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ବି.ଜେ.ପି. ଗତ ଆଠ ମାସ ଧରି ରାଜ୍ୟରେ କ୍ଷମତାସୀନ ଅଛି। ନିକଟରେ ବିଜେପିର ମୋହନ ସରକାର ଜରୁରୀ ପରିସ୍ଥିତି ସମୟରେ କାରାବରଣ କରିଥିବା ରାଜନେତା ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଂକ ପାଇଁ ପେନସନ୍ ଘୋଷଣା କରିଛି। ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ଏବଂ ପ୍ରଶଂସନୀୟ ପଦକ୍ଷେପ। ମାତ୍ର ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ଦାବି ହୋଇ ଆସୁଥିବା ପେନସନ୍ ଭଳି ମୌଳିକ ଦାବି ସମ୍ପର୍କରେ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ନିରବ ରହିବା ଘଟଣା ରାଜ୍ୟର ସାମ୍ବାଦିକମାନଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି।

ମାତ୍ର ଚବିଶ ବର୍ଷ ତଳେ ଅର୍ଥାତ୍ ୨୦୦୦ ମସିହାରେ ଛତିଶଗଡ଼, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ଭଳି ଛୋଟିଆ ରାଜ୍ୟର ପ୍ରାଦେଶିକ ସରକାର ସାମ୍ବାଦିକମାନଙ୍କ ଲାଗି ପେନସନ୍ ବ୍ୟବସ୍ଥା ଲାଗୁ କରି ସାରିଛନ୍ତି। ଏପରିକି ପୁଡ଼ୁଚେରୀ ଭଳି କ୍ଷୁଦ୍ର କେନ୍ଦ୍ର ଶାସିତ ଅଞ୍ଚଳ ୨୦୦୩ ମସିହାରୁ ସାମ୍ଭାଦିକମାନଙ୍କୁ ପେନସନ୍ ପ୍ରଦାନ କରୁଛି। ହରିଆନା ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ୧୫ ହଜାର ଟଙ୍କା ପେନସନ୍ ସହିତ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ଦେଉଛନ୍ତି। ଛତିଶଗଡ଼ ସରକାର ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କା ପେନସନ୍ ଆକାରରେ ପ୍ରଦାନ କରୁଥିବା ବେଳେ ଉତ୍ତରାଖଣ୍ଡ ଓ ଆସାମ ୮ ହଜାର ଟଙ୍କା, ଝାଡ଼ଖଣ୍ଡ ୭,୫୦୦ ଟଙ୍କା ପେନସନ୍ ଦେଉଛନ୍ତି। ଅନ୍ୟପକ୍ଷରେ ତାମିଲନାଡ଼ୁ, କେରଳ, ପଶ୍ଚିମବଂଗ, ବିହାର, ଉତ୍ତରପ୍ରଦେଶ, ତ୍ରିପୁରା ଆଦି ରାଜ୍ୟ ମଧ୍ୟ ସାମ୍ବାଦିକମାନଙ୍କୁ ପେନସନ୍, ସ୍ୱାସ୍ଥ୍ୟବୀମା ଆଦି ସୁବିଧା ଯୋଗାଇ ଦେଉଛନ୍ତି। ଏତଦଭିନ୍ନ କେତେକ ରାଜ୍ୟ ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ନଗଦ ଅର୍ଥରାଶିର ପୁରସ୍କାର ମଧ୍ୟ ଦେଉଛନ୍ତି। ତେବେ ବିଡ଼ମ୍ବନାର ବିଷୟ ହେଉଛି, ରାଜ୍ୟର ତିନୋଟିଯାକ ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳର ରାଜନେତାମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ୮୮ ବର୍ଷ ତଳେ ଭାଷାଭିତ୍ତିରେ ସୃଷ୍ଟ ପ୍ରଥମ ପ୍ରଦେଶ ଓଡ଼ିଶାରେ ଅଦ୍ୟାବଧି ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନାହିଁ। କିନ୍ତୁ ଏହି ଗରିବ ରାଜ୍ୟର କୋଟିପତି ବିଧାୟମାନଙ୍କ ପାଇଁ ବ୍ୟବସ୍ଥିତ ଲକ୍ଷାଧିକ ଟଙ୍କାର ଦରମା ଓ ଭତ୍ତା ନିଅଣ୍ଟ ହେଉଥିବାରୁ ସେମାନେ ତାହା ତୁରନ୍ତ ବୃଦ୍ଧି କରିବା ପାଇଁ ଦ୍ରୁଢ ଦାବି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦରିଦ୍ର ଓଡ଼ିଶା ରାଜ୍ୟରେ ବର୍ତ୍ତମାନ ୭୩ ପ୍ରତିଶତ ଅର୍ଥାତ୍ ୧୦୭ ଜଣ କୋଟିପତି ବିଧାୟକ ଅଛନ୍ତି। ସେହି କୋଟିପତି ବିଧାୟକମାନେ ତାଙ୍କର ଦରମା ଓ ଭତ୍ତା ସ୍ୱେଚ୍ଛାକୃତ ଭାବେ ପରିହାର କରିବା ପରିବର୍ତ୍ତେ ତାହା ଅଗତ୍ୟା ପରିବର୍ଦ୍ଧନ କରାଯାଉ ବୋଲି ଆବାଜ ଉଠାଉଛନ୍ତି।

ଅନ୍ୟପକ୍ଷରେ ଓଡିଶା ପ୍ରେସ୍ ଏକାଡେମୀ ପ୍ରତିଷ୍ଠା ଲାଗି ମଧ୍ୟ ରାଜ୍ୟ ସରକାର ସମାନ୍ୟତମ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ଏହି ଏକାଡେମୀ ଗଠନ କରାଗଲେ ରାଜ୍ୟରେ ସାମ୍ବାଦିକତାର ବିଭିନ୍ନ ଦିଗ ପରିପୁଷ୍ଟ ହୋଇପାରିବ। ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏବେ ଗଳ୍ପ, କବିତା, ଉପନ୍ୟାସ, ଜୀବନୀ, ଅନୁବାଦ, ଆତ୍ମଜୀବନୀ, ରମ୍ୟରଚନା ଆଦି କ୍ଷେତ୍ରର ଯଶସ୍ୱୀ ଲେଖକମାନଙ୍କୁ ପ୍ରତିବର୍ଷ ସମ୍ବର୍ନ୍ଧିତ ଓ ପୁରସ୍କୃତ କରାଯାଉଛି। ତଦ୍ୱାରା ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଋଦ୍ଧିମନ୍ତ ହୋଇପାରୁଛି। ଅନୁରୂପ ଭାବେ ପ୍ରେସ୍ ଏକାଡେମୀ ଗଠିତ ହେଲେ ଫିଚର, ଗୁରିତ୍ଵପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ବିଶ୍ଳେଷଣ, ଅନୁସନ୍ଧାନମୂଳକ ରିପୋର୍ଟିଂ, ଲୋକଲୋଚନର ଅନ୍ତରାଳରେ ଥିବା ବିସ୍ମୃତ ତଥ୍ୟଗୁଡିକର ପୁନରୁଦ୍ଧାର, ମୌଳିକ ଜନସମସ୍ୟାଗୁଡ଼ିକର ବଳିଷ୍ଠ ଉପସ୍ଥାପନା, ସାମାଜିକ କୁସଂସ୍କାର ବିରୁଦ୍ଧରେ ଶାଣିତ ଲେଖନୀ ଚାଳନା, ଆମର ସମୃଦ୍ଧ ଆଦିବାସୀ ସଂସ୍କୃତିର ଲୁକ୍କାୟିତ ବିଷୟବସ୍ତୁ ଉଜାଗର, ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକର ଆଲୋଚନା ବେଶ୍ ପରିପୁଷ୍ଟ ହୋଇପାରିବ। ସାମ୍ବାଦିକମାନେ ମଧ୍ୟ ଏହି ସବୁ ମହତ୍ୱପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ନିକ୍ଷେପ କରି ବଳିଷ୍ଠ ଲେଖନୀ ଚାଳନା କରିପାରିବେ। ପ୍ରେସ୍ ଏକାଡେମୀ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପ୍ରଦାନ ସହିତ ସାମ୍ବାଦିକତାର ବିଭିନ୍ନ ବିଭାଗରେ ଶାଣିତ ଲେଖନୀ ଚାଳନା କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇପାରିବ। ଫଳରେ ସମ୍ବାଦିକତା କ୍ଷେତ୍ର ପରିପୁଷ୍ଟ ହେବା ସାଙ୍ଗକୁ ଓଡ଼ିଶା ଏବଂ ଓଡ଼ିଶାବାସୀ ବିଶେଷ ଭାବରେ ଉପକୃତ ହୋଇପାରିବେ।

ତେବେ କେତେକ ମହଲରେ ସାମ୍ବାଦିକମାନଙ୍କୁ କେବଳ “ଖବରଦାତା” ବୋଲି ସମ୍ବୋଧନ କରାଯାଉଛି। ଯେଉଁମାନେ ସାମ୍ବାଦିକମାନଙ୍କୁ କେବଳ “ଖବରଦାତା” ହିସାବରେ ଚିତ୍ରଣ କରୁଛନ୍ତି, ସେମାନେ ନିଜ ଅଜ୍ଞାନତାର ହିଁ ପରିଚୟ ଦେଉଛନ୍ତି। ସାମ୍ବାଦିକତାର ବିଶାଳ ଦିଗନ୍ତକୁ ବୁଝିବା ପାଇଁ ସେମାନେ ଅକ୍ଷମ ବୋଲି ଵିଚାରିବାକୁ ହେବ। ସାମ୍ବାଦିକ ବା ପତ୍ରକାରମାନଙ୍କ କଲମ ମୁନରେ ଅନେକ ଦେଶର ସରକାର ଓ ଶାସନ ମୁଖ୍ୟ ଟଳି ପଡ଼ିଛନ୍ତି। ତେଣୁ ସେମାନଙ୍କ ଶକ୍ତି ବା ପରାକ୍ରମକୁ ଯେଉଁମାନେ ଉପହାସ କରୁଛନ୍ତି, ସେମାନେ ନିଜର ସୀମିତ ଜ୍ଞାନକୁ ହିଁ ପ୍ରତିପାଦିତ କରୁଛନ୍ତି। ତେବେ ଓଡ଼ିଶାରେ ସାମ୍ବାଦିକମାନଙ୍କ ମଧ୍ୟରେ ଦୃଢ଼ ଏକତାର ଜରୁରୀ ଆବଶ୍ୟକତା ରହିଛି। ପେନସନ୍ ଓ ପ୍ରେସ୍ ଏକାଡେମୀ ଭଳି ମୌଳିକ ଦାବିଗୁଡ଼ିକ ସେମାନେ ସରକାରଙ୍କ ସମ୍ମୁଖରେ ବଳିଷ୍ଠ ଭାବରେ ଉପସ୍ଥାପନ କରି ପାରିଲେ, ତାହା ପୂରଣ ହେବା ପାଇଁ ଆଦୌ ବେଶୀ ସମୟ ଲାଗିବ ନାହିଁ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା
More

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

by ଡ଼ଃ. ଗିରିଜା ଶଙ୍କର ମିଶ୍ର
July 16, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୧୬ ଜୁଲାଇ ୨୦୨୬ ଓଡ଼ିଶା ର ସର୍ବ ବୃହତ ଧାର୍ମିକ ଉତ୍ସବ ହେଉଛି ରଥଯାତ୍ରା। ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା...

Read more
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
Vipul’s Voice:Burden of the Known

Vipul’s Voice:
Burden of the Known

June 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.