ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୧ ଫେବୃଆରୀ ୨୦୨୫
ହାଇଦ୍ରାବାଦରୁ ଫେରୁଥାଏ ଥରେ
ଟ୍ରେନ୍ ରେ ଅଛି ବସି।
ପାଖ ସିଟ୍ ରେ ଓଡ଼ିଶା ପିଲାଙ୍କୁ
ଦେଖି ମନେ ହେଲି ଖୁସି।
ପଚାରିଲି ବାବୁ କେଉଁ ଯାଏ ଯିବ
ହିନ୍ଦୀରେ ଦେଲେ ଉତ୍ତର।
ଆଉ ଜଣେ କେହି ତେଲୁଗୁରେ କୁହେ
ଆମେ ଯିବୁ ବାଲେଶ୍ଵର।।
ଭାବିଲି ମନରେ ଓଡ଼ିଶାର ପିଲା
ଓଡ଼ିଆ କୁହନ୍ତି ନାହିଁ।
ନିଜ ଭାଷା ପ୍ରତି ନାହିଁ ଟିକେ ପ୍ରୀତି
ବଡ଼ ଆଚମ୍ବିତ ଏହି।।
ୱାରଙ୍ଗଲ୍ ଠାରେ କିନ୍ନର ଦଳଟି
ଟ୍ରେନ୍ରେ ଗଲେ ପଶି।
ଅଙ୍ଗ ଭଙ୍ଗି କରି ତାଳି ମାରୁଥାନ୍ତି
ସବୁ ତେଲୁଗୁ କୁହନ୍ତି।।
ମାଗି ମାଗି ଆସି ପହଞ୍ଚିଲେ ସେଠି
ଓଡ଼ିଶା ପିଲାଙ୍କ ପାସ।
ଅଶ୍ଲୀଳ ଇଙ୍ଗିତ କରୁଥାନ୍ତି ସବୁ
ଏମାନେ ଦେଖି ହତାଶ।।
ଦଶ ଦଶ ଟଙ୍କା ଦିଅନ୍ତି ଏମାନେ
ସେମାନେ କୁହନ୍ତି ଶହେ।
ହିନ୍ଦୀ କହିଲେ କି ବୁଝନ୍ତି ସେମାନେ
ଏମାନେ ଥରନ୍ତି ଭୟେ।।
ପରିସ୍ଥିତି ସେଠି ହୋଇଲା ଏପରି
କିନ୍ନର ଛାଡୁ ନାହାନ୍ତି।
ବସି ରହି ସବୁ ଦେଖୁଥାଏ ମୁହିଁ
ହେଲା ବିକଟାଳ ସ୍ଥିତି।।
ତେଲୁଗୁରେ କହି ବୁଝାଇ ସୁଝାଇ
ପରିସ୍ଥିତି ହେଲା ଶାନ୍ତ।
କିନ୍ନର ଦଳଟି ଚାଲିଯିବା ପରେ
ସେମାନେ ଯୋଡିଲେ ହସ୍ତ।।
ରାଗି ଯାଇଥିଲି ଓଡ଼ିଆରେ ଆଉ
କଥା ହେଲିନାହି ମୁହିଁ।
ହିନ୍ଦୀରେ କହିଲି ତାହା ବି ସେମାନେ
ଭଲରେ ବୁଝନ୍ତି ନାହିଁ।।
କହିଲି ବୁଝାଇ ଶୁଣ ଆରେ ଭାଇ
ତୁମେ ସବୁ ଓଡ଼ିଶାର।
ଓଡ଼ିଆ ମାଟିରେ ଜନମି ସଭିଏଁ
ଭାଷା କର ହତାଦର।।
ଆମ ମାତୃଭାଷା ଆମ ପରିଚୟ
ଆମ ପାଇଁ ତାହା ବଡ଼।
ଓଡ଼ିଆ ଅସ୍ମିତା କହିଲେ ହେବନି
ତାହା ପାଇଁ ଥରେ ଲଢ଼।।
ଆଜିର ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଓଡ଼ିଶା ର ଭାଇ ଭଉଣୀ ମାନଙ୍କୁ ଅନେକ ଶୁଭ କାମନା ଓ ଶୁଭେଚ୍ଛା।
“ଗରବେ କୁହନ୍ତୁ ଆମେ ଓଡ଼ିଆ, ଆମ ମାତୃଭାଷା ବଡ଼ ବଢିଆ!”






