ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୯ ଅଗଷ୍ଟ ୨୦୨୫
ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ପାରମ୍ପରିକ ପର୍ବ । ସାମାଜିକ ଚଳନିରେ ଭାଇ ଭଉଣୀ ର ଦୃଢ଼ ସଂପର୍କ ର ମହିମା ମୟ ଗାଥା ବହନ କରୁଥିବା ଏହି ପର୍ବ ଆମ ଦେଶର ବିଭିନ୍ନ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଛି । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବାର ପରମ୍ପରା ରେ ସମୃଦ୍ଧ ଏହି ପର୍ବର ଇତିହାସ । ପ୍ରତିବଦଳରେ ଭଉଣୀ କୁ ଯେକୌଣସି ପରିସ୍ଥିତିରେ ଭାଇର ପ୍ରତିବଦ୍ଧତା ସ୍ଵୀକାର କରିବାର ବିଧି ଏହି ପର୍ବର ମହାନ୍ ଦୃଷ୍ଟାନ୍ତ ବୋଲି କୁହାଯାଏ ।
ଆମ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନର ପରଂପର ରହିଛି । ତନ୍ମଧ୍ୟରୁ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଓଡ଼ିଶାରେ ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ଅଥବା ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । କିନ୍ତୁ ଭାରତର ଅନ୍ୟ କେତେକ ରାଜ୍ୟ (ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ) ପ୍ରଭୃତି ଅଞ୍ଚଳରେ ଏହାକୁ ନାରିକେଳ ପୂର୍ଣ୍ଣିମା ବୋଲି କୁହାଯାଏ । ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନ ମାନଙ୍କରେ ଜୀବନ ଜୀବିକା ପାଇଁ ସମୁଦ୍ର ଉପରେ ନିର୍ଭରଶୀଳ ଲୋକେ ଏହି ଦିନ ସମୁଦ୍ର ଦେବତା ବରୁଣ ଙ୍କ ଉଦ୍ଦେଶ୍ୟରେ ନାରିକେଳ ଅର୍ପଣ କରି ଉତ୍ସବ ପାଳନ କରିଥାନ୍ତି । ପୁଣି ଦକ୍ଷିଣ ଭାରତର କେତେକ ଅଞ୍ଚଳ ରେ ଏହି ଶ୍ରାବଣ ପୂର୍ଣ୍ଣିମା ତିଥିକୁ “ଅବନୀ ଅୱିଟ୍ଟମ୍” ନାମରେ ଏକ ସ୍ବତନ୍ତ୍ର ପର୍ବ ପାଳିତ ହେଉଥିବା ଜଣାଯାଏ । ଅନୁରୂପେ ଉତ୍ତର ଭାରତରେ (ଉତ୍ତର ପ୍ରଦେଶ, ଛତିଶଗଡ଼, ମଧ୍ୟ ପ୍ରଦେଶ ଆଦି) କେତେକ ଅଞ୍ଚଳରେ ଏହା କାଜରି ପୂର୍ଣ୍ଣିମା ଭାବେ ପରିବ୍ୟାପ୍ତ ହୋଇଛି ।
ମୋଟ୍ ଉପରେ କହିବାକୁ ଗଲେ ଏହା ଏକ କୃଷି ଭିତ୍ତିକ ପର୍ବ ବୋଲି ସ୍ଵୀକୃତି ଲାଭ କରିଛି । କାରଣ : କୃଷି ର ଦେବତା ଶ୍ରୀ ବଳଭଦ୍ର ଙ୍କ ଜନ୍ମଦିନ ବୋଲି ବିଶ୍ୱାସ ରହିଛି । ପୂର୍ବେ କୃଷି କର୍ମ ପାଇଁ ହଳ ଲଙ୍ଗଳ ଓ ବଳଦ ବ୍ୟବହୃତ ହେଉଥିଲେ । ତେଣୁ, ଆମ ସଂସ୍କୃତିରେ ହଳ ମୁଷଳଧାରୀ ବଳରାମଙ୍କ ଜୟନ୍ତୀକୁ କୃଷିଭିତ୍ତିକ ପର୍ବର ମାନ୍ୟତା ଦିଆଯିବା ସ୍ଵାଭାବିକ । ଏହି ପର୍ବରେ ଶ୍ରୀ ବଳଦେବଙ୍କ ଆୟୁଧ ଲଙ୍ଗଳ ସହିତ ବଳଦକୁ ଫୁଲ, ଚନ୍ଦନ ସିନ୍ଦୂର ଅର୍ପଣ କରାଯାଇ ପୂଜା ଅର୍ଚ୍ଚନା କରାଯିବା ବିଧି ବ୍ୟବସ୍ଥିତ ହୋଇ ଆସିଛି । ଏଥି ସହିତ ବଳଦ ମାନଙ୍କୁ ନବ ବସ୍ତ୍ର, ଘାଗୁଡ଼ି ମାଳା, ରକ୍ଷା ସୂତ୍ର ରେ ସଜ୍ଜିତ କରାଯିବା ସହିତ କୃଷିଜାତ ସାମଗ୍ରୀରେ ପ୍ରସ୍ତୁତ ପିଠା ପଣା ସ୍ଵାଦିଷ୍ଟ ବ୍ୟଞ୍ଜନ ଅର୍ପଣ କରାଯାଇଥାଏ । ଉତ୍କୃଷ୍ଟ କୃଷି ଉତ୍ପାଦନ କରି ମାନବ ସମାଜକୁ ବର୍ଷସାରା ଆହାର ଯୋଗାଇବା ପାଇଁ, କର୍ମଠ ଓ ବଳଶାଳୀ ହେବା ପାଇଁ କୃଷି ଓ କୃଷ୍ଟିର ଦେବତା ତଥା ପରାକ୍ରମୀ ପ୍ରଭୁଙ୍କ ପ୍ରତୀକ ସ୍ବରୂପ ଏପରି ଶ୍ରୀ ବଳଦେବଙ୍କ ଉପାସନା ପରମ୍ପରା କ୍ରମେ ଆମ ସଂସ୍କୃତିରେ ପ୍ରଚଳିତ ହୋଇ ଆସିଛି କେଉଁ ଯୁଗରୁ । ଓଡ଼ିଶାରେ ଆଉ ଏକ ପ୍ରଥା ରହିଛି – ଏହି ଦିନ ଶାସନୀ ବ୍ରାହ୍ମଣ ମାନେ ବୈଦିକ ଉପକର୍ମ କରିଥାନ୍ତି, ପବିତ୍ର ଯଜ୍ଞ ଉପଵୀତ ଧାରଣ କରିବା ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରନ୍ତି ।
ଏହି ରାକ୍ଷୀ ପୂର୍ଣ୍ଣିମା ପର୍ବର ମହତ୍ତ୍ଵ ସମ୍ପର୍କରେ ଅନେକ ପୌରାଣିକ ଉପାଖ୍ୟାନ ବିଦ୍ୟମାନ । ତନ୍ମଧ୍ୟରୁ ଗୋଟିଏ / ଦୁଇଟି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ । ଶ୍ରୀ ବିଷ୍ଣୁଙ୍କ ପରମ ଭକ୍ତ ମହାରାଜା ବଳି ଙ୍କୁ ସଦ ବିପଦ ମୁକ୍ତ ରଖିବା ପାଇଁ ସ୍ଵୟଂ ବିଷ୍ଣୁ ବୈକୁଣ୍ଠ ପରିତ୍ୟାଗ କରି ବଳିଙ୍କ ରାଜ ପ୍ରାସାଦ ରେ ଅବସ୍ଥାନ କରିବାକୁ ଲାଗିଲେ । ଏହାଦେଖି ମହାଲକ୍ଷ୍ମୀ ଚିନ୍ତିତ ହୋଇ ପଡିଲେ । ଛଦ୍ମ ବେଶରେ ଏକ ବ୍ରାହ୍ମଣୀ ରୂପ ଧାରଣ କରି ବଳି ଙ୍କ ରାଜପ୍ରାସାଦରେ ଉପସ୍ଥିତ ହେଲେ । ସେଦିନ ଥିଲା ଏହି ଶ୍ରାବଣ ମାସର ପୂର୍ଣ୍ଣିମା ତିଥି । ମହାରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ନିଜର ଅଭିପ୍ରାୟ ବ୍ୟକ୍ତ କରିଥିଲେ । ଫଳରେ ବ୍ରାହ୍ମଣୀ ରୂପୀ ଭଉଣୀର ଇଚ୍ଛା ପୂରଣ ପାଇଁ ମହାରାଜ ବଳି ସଂକଳ୍ପ କରି ବିଷ୍ଣୁଙ୍କୁ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ ପାଇଁ ବିବଶ କରିଥିଲେ । ସେହିଦିନ ଟି ରାକ୍ଷୀ ପୂର୍ଣ୍ଣିମାର ମର୍ଯ୍ୟାଦା ଲାଭ କଲା ।
ଆଉ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ଦ୍ଵାପର ଯୁଗର ଶ୍ରୀକୃଷ୍ଣ ଓ ଦ୍ରୌପଦୀ ଙ୍କୁ ନେଇ ଏହି ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ଵ ପ୍ରତିପାଦନ କରୁଛି। ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଶିଶୁପାଳକୁ ନିଧନ କରି ଥିଲେ । ସୁଦର୍ଶନ କୃଷ୍ଣ ହସ୍ତ ମଣ୍ଡନ କାଳରେ ଏକ ଅଙ୍ଗୁଳି କ୍ଷେତାକ୍ତ ହେବାରୁ ସେଠାରେ ଉପସ୍ଥିତ ଥିବା ଦ୍ରୌପଦୀ ନିଜ ପଣତ ଛିନ୍ନ କରି କୃଷ୍ଣଙ୍କ ହାତରେ ବାନ୍ଧି ଥିଲେ । ରକ୍ତସ୍ରାବ ରୁ ରକ୍ଷା ମିଳିଥିଲା । ଏହି ରକ୍ଷା ବନ୍ଧନ ର ପ୍ରତିଦାନ ସ୍ବରୂପ ଭଗବାନ ଶ୍ରୀକୃଷ୍ଣ କୁରୁସଭା ରେ ଦୁଃଶାସନ ଦ୍ଵାରା ବିବସନା ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ପ୍ରଦାନ କରି ସୁରକ୍ଷା ଦେଇଥିଲେ । ଏଥିରେ ଶ୍ରୀକୃଷ୍ଣ ଓ ଦ୍ରୌପଦୀ (ଭାଇ ଭଉଣୀ) ଙ୍କ ପବିତ୍ର ଅତୁଟ ସ୍ନେହ ବନ୍ଧନ ଯୁଗ ଯୁଗ ପାଇଁ ପରମ୍ପରା ପାଲଟି ଯାଇଛି ।
ଏମିତି ଅନେକ ପୌରାଣିକ ତଥା ଐତିହାସିକ ଉପାଖ୍ୟାନ ମାନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆମ ସାମାଜିକ ଚଳନି ଅବା ସଂସ୍କୃତିରେ ପାରମ୍ପରିକ ପର୍ବ ପର୍ବାଣୀ ମାଧ୍ୟମରେ ପ୍ରଖ୍ୟାପନ କରି ଆସୁଛି । ଭଉଣୀ ଭାଇର ଶୁଭ ମନାସି ରାକ୍ଷୀ ବାନ୍ଧିବା ଏବଂ ଭାଇ ନିଜର ସମସ୍ତ ବାଧା ବନ୍ଧନ ଅତିକ୍ରମ କରି ସୁଖ ସୁବିଧା କୁ ଜଳାଞ୍ଜଳି ଦେଇ ଭଉଣୀକୁ ସବୁ କ୍ଷେତ୍ରରେ ସୁରକ୍ଷା ଦେବା ହିଁ ଆମ ସଂସ୍କୃତି ର ପ୍ରଚଳିତ ପରମ୍ପରା । ଏଥିପାଇଁ ସାମାଜିକ କ୍ଷେତ୍ରରେ ସାଂସ୍କୃତିକ ବାର୍ତ୍ତା ବହନ କରୁଥିବା ବହୁ ନାଟକ ଚଳଚ୍ଚିତ୍ର ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ ଆମ ସଂସ୍କୃତିରେ ଅବକ୍ଷୟ ଦେଖାଯାଉଛି । ଏହା ବିଲକ୍ଷଣ ନିଶ୍ଚୟ । ଭାଇ ଭଉଣୀ ର ପବିତ୍ର ସମ୍ପର୍କର ସୂତ୍ର ଏହି ରାକ୍ଷୀ ପୂର୍ଣ୍ଣିମାର ରକ୍ଷା ବନ୍ଧନ । ସମ୍ପ୍ରସାରିତ ହୋଇଛି ଏହାର ପରିଧି । ଭାଇ ଭଉଣୀ ଭିତରେ ସୀମିତ ନାହିଁ ଆଉ ରାକ୍ଷୀ ବାନ୍ଧିବା । ପତ୍ନୀ ନିଜ ପତି ହାତରେ, ମାଆ ନିଜ ପୁଅ ହାତରେ ରାକ୍ଷୀ ବନ୍ଧୁଛି । ଶାଳୀକା ଭଗ୍ନିପତି ହାତରେ କିମ୍ବା ବାନ୍ଧବୀ ପ୍ରେମିକ ବନ୍ଧୁ ହାତରେ ରାକ୍ଷୀ ବାନ୍ଧିବାର ନଜିର ଦେଖିବାକୁ ବାକି ନାହିଁ ଅଧୁନା । କେଉଁଠି ଅବା ଯୁବତୀ / ମହିଳା ମାନେ ଦପ୍ତର ଅଧିକାରୀ, ପୁରୁଷ କର୍ମଚାରୀ, ସାହି ପଡିଶାରେ ଧର୍ମ ସମ୍ପର୍କୀୟ ତଥାକଥିତ ପରପୁରୁଷଙ୍କୁ ମଧ୍ୟ ରାକ୍ଷୀ ବାନ୍ଧୁଥିବା ପରିଲକ୍ଷିତ ହେଉଛି । ଶିକ୍ଷକ, ଚିକିତ୍ସକ, ପ୍ରଶାସନିକ ଅଧିକାରୀ, କ୍ଷମତାସୀନ ରାଜନେତା ମାନଙ୍କୁ ରାକ୍ଷୀ ପିନ୍ଧାଇବା ଏକ ଲୋକ ଦେଖାଣିଆ ଫ୍ୟାସନ ରେ ପରିଣତ ହୋଇଗଲାଣି । କ୍ରମ ବର୍ଦ୍ଧିଷ୍ଣୁ ଅପସଂସ୍କୃତି ର ପ୍ରଭାବରେ କେତେ ସଂଗଠନ ମଧ୍ୟ ମୁଣ୍ଡ ଟେକିଛି । ନିଜ ମହାନ୍ ସଂସ୍କୃତି କୁ ଉପେକ୍ଷା କରି ତଥାକଥିତ ପରମ୍ପରାର ଦ୍ୱାହିଦେଇ ଯେଉଁ ସବୁ ଘଟଣା ର ସୂତ୍ରପାତ କରାଯାଉଛି, ତାହା କେବେ ଅବାଞ୍ଛିତ ଅଘଟଣ ର କାରଣ ହୋଇଯାଉଛି ।
କେଉଁଠି ଭାଲେଣ୍ଟାଇନ୍ ଦିବସ ର ପ୍ରତୀକ ଉପହାର ପରି ରାକ୍ଷୀ କୁ ବ୍ୟବହାର କରାଯାଉଛି ତ ‘ କେଉଁଠି ରାକ୍ଷୀ ବାନ୍ଧି ମୋଟା ଅଙ୍କର ଅର୍ଥରାଶି ଅବା ଦାମୀ ପରିଧାନ ଅଳଙ୍କାର ଆଦି ଉପହାର / ଉପଢୌକନ ଆଶା ରହୁଛି । ରାକ୍ଷୀ ବଦଳରେ କେବେ କେଉଁଠି ଦୈହିକ ପ୍ରେମ ପ୍ରତ୍ୟାଶା ଅଥବା କେଉଁ ଉପଭୋଗ୍ୟ ଜାନ୍ତବ ଲାଳସା ଜାଗି ଉଠୁଛି ମନରେ … ରାକ୍ଷୀ ର ଅସଲ ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଛି । ଏଣୁ, ରାକ୍ଷୀ ପୂର୍ଣ୍ଣିମା ରେ ରାକ୍ଷୀ ବାନ୍ଧିବା ଲୋକ ଦେଖାଣିଆ ପ୍ରହସନରେ ପରିଣତ ନହେଉ। ଆମ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ର ମହତ୍ତ୍ଵ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେଉ ।