ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬
କୁଳୁକୁଳୁ ଝରଣାମାନଙ୍କୁ
‘ନଈ ହେଇ ଯା’ ବୋଲି
ଆଜିକାଲି କହନ୍ତିନି କେହି
ସବୁ ଝର୍କାରେ ଭୟ
କାଳେ ନଈର ଗୀତରେ ନଇଁ ଆସିବ ଆକାଶ
କେହି ଯଦି ଝାଂପ ମାରିବ ନଈକୁ
ମାଡ଼ି ଆସିବ ବତାସ
ଜନ୍ମନେବ ବାସୁଦେବ
ଫିଟିବ ପାଦର ଶିକୁଳି,ବାଟ କଢ଼େଇବ ବିଜୁଳି
ସୀମାନ୍ତରେ ଥିବ ଫୁଲର ବଗିଚା
ଲୁଚି ଯାଇଥିବେ ବନ୍ଧୁକ ଓ ଗୁଳି
ହେଲେ ଯୁଦ୍ଧ ସରୁ ବୋଲି
କହନ୍ତିନି କେହି
ଚାହାନ୍ତିନି, କାହା ବଗିଚାରେ ଫୁଟୁ ଫୁଲ
ସବୁରି ଚେହେରା ଦିଶୁ ମୁଗ୍ଧ ଓ ସତେଜ
ସକଳ ଧରିତ୍ରୀ ହେଉ ପ୍ରେମର ସାମ୍ରାଜ୍ଯ
କିଛି ବଦଳେ ନାହିଁ
ଏତେକାଳ ପରେ ବି ଆଗଭଳି ଅନ୍ଧାର ଓ ଛାଇ
କୁଳୁକୁଳୁ ଝରଣାଟି ଚୁପଚାପ ବହିଚାଲିଥାଏ
ପାଲଟି ପାରେନି ନଈ !






