ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬
ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ଶ୍ରୀକ୍ଷେତ୍ରର ମହିମା ସମ୍ବନ୍ଧରେ ସର୍ବାଧିକ ଓ ବିସ୍ତୃତ ତଥ୍ୟ ‘ସ୍କନ୍ଦ ପୁରାଣ’ ର ‘ଉତ୍କଳ ଖଣ୍ଡ’ ବା ‘ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ବର୍ଣ୍ଣିତ ହୋଇଛି । ଏହା ବ୍ୟତୀତ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ଏବଂ ନାରଦ ପୁରାଣରେ ମଧ୍ୟ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ବିଭିନ୍ନ ଆଖ୍ୟାନ ଉଲ୍ଲେଖ ରହିଛି । ପୁରାଣରେ ବର୍ଣ୍ଣିତ ରଥଯାତ୍ରାର ମୁଖ୍ୟ ତଥ୍ୟ ଗୁଡ଼ିକ ନିମ୍ନ ମତେ ଆଲୋଚନା କରିବା।
ସ୍କନ୍ଦ ପୁରାଣ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନୀଳମାଧବ ରୂପରେ ଦର୍ଶନ କରିବାକୁ ବ୍ୟାକୁଳ ହୋଇଥିଲେ । ପରେ ସମୁଦ୍ରରେ ଭାସି ଆସୁଥିବା ଦାରୁ ରେ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରାଙ୍କ ସହିତ ପ୍ରତିବର୍ଷ ନିଜ ଜନ୍ମବେଦୀ (ଗୁଣ୍ଡିଚା ମନ୍ଦିର)କୁ ଯାତ୍ରା କରିଥାଆନ୍ତି, ଯାହାକୁ ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ମଧ୍ୟ କୁହାଯାଏ । ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ଅନୁଯାୟୀ ଏହାକୁ ‘ଘୋଷ ଯାତ୍ରା’ ଅଥବା ନବଦିନ ବ୍ୟାପି ଏହି ଯାତ୍ରା ମହୋତ୍ସବ ଆୟୋଜନ ହେଉ ଥିବା ଦୃଷ୍ଟିରୁ କେହି କେହି ଏହାକୁ ‘ନବଦିନାତ୍ମକ ଯାତ୍ରା’ ବୋଲି ଅଭିହିତ କରିଥାନ୍ତି।
ପୁଣି ପୁରାଣର ତଥ୍ୟ କୁ ଭିତ୍ତି କରି ବିଶ୍ୱାସ ରହିଛି ଯେ, ରଥଯାତ୍ରା ସମୟରେ ରଥର ଦଉଡ଼ି ଟାଣିବା ଅତ୍ୟନ୍ତ ପୁଣ୍ୟଦାୟକ । ଏହାଦ୍ୱାରା ଭକ୍ତଙ୍କର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଜନ୍ମ-ମୃତ୍ୟୁର ଚକ୍ରରୁ ମଧ୍ୟ ମୁକ୍ତି (ମୋକ୍ଷ) ମିଳିଥାଏ । ପୁନଶ୍ଚ କୁହାଯାଇଛି ଯେ, “ରଥେତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ” । ଅର୍ଥାତ୍ ରଥ ଉପରେ ବାମନ ରୂପୀ ବଡ ଠାକୁରଙ୍କୁ ଦର୍ଶନ କଲେ ପ୍ରାଣୀର ପୁନର୍ଜନ୍ମ ହୁଏ ନାହିଁ । ଆତ୍ମା କୁ ମୋକ୍ଷ ମିଳିଯାଏ । ରଥଯାତ୍ରା ହେଉଛି ଏକମାତ୍ର ଉତ୍ସବ, ଯେଉଁଥିରେ ଦିଅଁ ନିଜେ ଦେଉଳ ରୁ ବାହାରକୁ ଆସି ସମସ୍ତ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାଆନ୍ତି । ଏହା ତତ୍ତ୍ଵଟି ସମାଜରେ ସମାନତା ଓ ଭ୍ରାତୃଭାବର ପ୍ରତୀକ ଭାବେ ସାରା ବିଶ୍ୱରେ ବିଦିତ ହୋଇଛି। ରଥଯାତ୍ରା କେବଳ ଏକ ଧାର୍ମିକ ଶୋଭାଯାତ୍ରା ନୁହେଁ, ବରଂ ଏହା ପରମାତ୍ମାଙ୍କ ନିକଟରେ ମିଳିତ ହେବା ପାଇଁ ଏକ ମହାନ୍ ପୁଣ୍ୟ ପରମ୍ପରା । ଏହା ଈଶ୍ୱରଙ୍କ ଆଡ଼କୁ ଏକ ଆଧ୍ୟାତ୍ମିକ ପବିତ୍ର ତୀର୍ଥ ଯାତ୍ରାର ପ୍ରତୀକ।
ଏହି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାର ଅୟମାରମ୍ଭ ସମୟରେ ଯେଉଁ ପାରମ୍ପରିକ ରୀତି ନୀତି ପାଳନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା, ସେ ସବୁର ସଂପୂର୍ଣ ତଥ୍ୟ ଭିତ୍ତିକ ସୁବିସ୍ତୃତ ବିବରଣୀ ଆମ ଶାସ୍ତ୍ର ପୁରାଣ ପୃଷ୍ଠାରେ ସ୍ଥାନିତ ହୋଇଛି । ପୌରାଣିକ ବିଶ୍ୱାସ ଅନୁଯାୟୀ, ରଥ ନିର୍ମାଣ ଓ ଯାତ୍ରା ପ୍ରଭୁ ଜଗନ୍ନାଥଙ୍କ ଲୀଳା ସହ ଜଡ଼ିତ | ଏହା କାଳକାଳରୁ ଭକ୍ତ ଓ ଭଗବାନଙ୍କ ମିଳନର ଏକ ମହୋତ୍ସବ ରୂପେ ପାଳିତ ହୋଇଆସୁଛି | ପୌରାଣିକ ତଥ୍ୟ ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ | ସ୍କନ୍ଦ ପୁରାଣ ଓ ନୀଳାଦ୍ରି ମହୋତ୍ସବରେ ଶ୍ରୀବିଗ୍ରହମାନଙ୍କ ପାଇଁ ସ୍ୱତନ୍ତ୍ର ରଥ ନିର୍ମାଣ (ଯଥା: ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ) ବିଷୟରେ ବର୍ଣ୍ଣନା କରାଯାଇଛି | ପରମ୍ପରା ଅନୁଯାୟୀ, ଜଙ୍ଗଲରୁ ଆସୁଥିବା ନିର୍ଦ୍ଦିଷ୍ଟ ବାହାଡ଼ା, ଧଉରା ଓ ଅସନ କାଠରେ ରଥ ନିର୍ମାଣ କରାଯାଏ | ବିଶ୍ୱକର୍ମା ନିଜେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସାହାଯ୍ୟ କରିବା ପାଇଁ ରଥ ନିର୍ମାଣ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି | ହିନ୍ଦୁଶାସ୍ତ୍ର / ପାଞ୍ଜି ଅନୁଯାୟୀ, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୁଏ | ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଆରୋହଣ କରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି | ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ |
ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରାଚୀନ କାଳରୁ ଶ୍ରୀଗୁଣ୍ଡିଚା ମହୋତ୍ସବ ଭାବେ ପାଳିତ ହୋଇଆସୁଛି । ଇତିହାସ ଏବଂ ପୁରାଣ ଅନୁଯାୟୀ ଏହାର ସଠିକ୍ ଆରମ୍ଭ କେବେ ଏବଂ କାହା ଦ୍ଵାରା ହୋଇଥିଲା, ତାହା ଯଦିଓ ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର, ତେବେ ଐତିହାସିକ ଏବଂ ପାରମ୍ପରିକ ତଥ୍ୟ ଅନୁସାରେ ପୁରାଣ ମତେ, ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦାରୁ ରୂପରେ ପାଇ ଏହି ରଥଯାତ୍ରା ଆରମ୍ଭ କରିଥିଲେ । ଅନେକ ଐତିହାସିକଙ୍କ ମତରେ, ୧୨ଶ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜା ଅନଙ୍ଗଭୀମ ଦେବ କିମ୍ବା ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କ ସମୟରୁ ଏହି ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପରମ୍ପରାର ସୂତ୍ରପାତ ହୋଇଥିଲା । ପୁଣି କେତେକ ଗବେଷକଙ୍କ ମତରେ, ଏହା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି । ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀରେ ଚୀନ୍ ପରିବ୍ରାଜକ ଫାୟାନ୍ ଙ୍କ ବିବରଣୀ ଅନୁଯାୟୀ ଖୋଟାନ୍ରେ ରଥଯାତ୍ରା ହେଉଥିବାର ବର୍ଣ୍ଣନା କରିଥିଲେ, ଯାହା ଏହି ପ୍ରସିଦ୍ଧ ରଥଯାତ୍ରାର ପ୍ରାଚୀନତାକୁ ଦର୍ଶାଉଛି।
ଆମ ପ୍ରାଚୀନ ଶାସ୍ତ୍ର ମତେ ସ୍ଵୟଂ ମହାପ୍ରଭୁ ଜଗନ୍ନାଥ ନିଜେ ଦାରୁ ଦିଅଁ ହୋଇ ଆବିର୍ଭୁତ ହେବା, ପୂଜିତ ହେବା, ଦୈନନ୍ଦିନ ପାରମ୍ପରିକ ନୀତି ନିର୍ଘଣ୍ଟ ଏବଂ ସ୍ନାନ ଯାତ୍ରା ପରବର୍ତ୍ତୀ ଅନବସର ନୀତି ତଥା ନବଦିନାତ୍ମକ ରଥଯାତ୍ରା ଆଦିର ତିଥି, ରୀତିନୀତି ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି।
ମହର୍ଷି ବେଦବ୍ୟାସଙ୍କ ରଚିତ ସ୍କନ୍ଧ ପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ରେ ସ୍ପଷ୍ଟ ଭାବେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ପୁଷ୍ୟା ନକ୍ଷତ୍ରଯୋଗରେ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା ଙ୍କ ସମେତ ତାଙ୍କ ବିଗ୍ରହ ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କୁ ରଥାରୂଢ଼ କରାଇ ଜନ୍ମବେଦୀ (ସହସ୍ର ଅଶ୍ଵମେଧ ଯଜ୍ଞ ବେଦୀ) ଶ୍ରୀ ଗୁଣ୍ଡିଚା ମଣ୍ଡପକୁ ବାହି ନେବାର ବିଧି ବର୍ଣ୍ଣିତ ହୋଇଛି । ଏଥି ପୂର୍ବରୁ ମଧ୍ୟ ପ୍ରତିବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ବଡ଼ ଦେଉଳ ବେଢାରେ ଥିବା ସ୍ନାନ ମଣ୍ଡପରେ ଦିଅଁ ଙ୍କୁ ମହାସ୍ନାନ କରାଇବା ସହିତ ଶ୍ରୀ ଗୁଣ୍ଡିଚା ଯାତ୍ରା ମହୋତ୍ସବ ର ଆୟୋଜନ କରିବାକୁ ମହାପ୍ରଭୁଙ୍କ ନିର୍ଦ୍ଦେଶ ଉଲ୍ଲିଖିତ ହୋଇଛି ସ୍କନ୍ଧ ପୁରାଣରେ । ସେହିଶ୍ଳୋକ ଟି ନିମ୍ନରେ ପ୍ରଦତ୍ତ ହେଲା “ଜ୍ୟେଷ୍ଠସ୍ନାନମିଦଂ କୃତ୍ୱା ଦୃଷ୍ଟ୍ବା ବାପି ପ୍ରମୁଚ୍ୟେତେ । ଗୁଣ୍ଡିଚାଖ୍ୟାଂ ମହାଯାତ୍ରାଂ ପ୍ରକୁର୍ବୀଥାଃ କ୍ଷିତୀଶ୍ୱର ।।”
ସଂପ୍ରତି ଆମ ସଂସ୍କୃତି ନାଆଁ ରେ ଯେଉଁ ଅପସଂସ୍କୃତି କୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଯେଉଁ ମାନେ ଅପଚେଷ୍ଟା ଚଳାଇଛନ୍ତି, ପୁରାଣ ଶାସ୍ତ୍ର ମତକୁ ଅବଜ୍ଞା କରି ଅ-ତିଥି ରେ ଅଣ ପରମ୍ପରା ସୃଷ୍ଟି କରି ସର୍ବସାଧାରଣଙ୍କ ବିଶ୍ୱାସକୁ ବିଭ୍ରାନ୍ତ କରୁଛନ୍ତି, ତାହା ସେମାନଙ୍କ ଆଧ୍ୟାତ୍ମିକ ଆଚରଣ ନୁହେଁ, ଧାର୍ମିକ / ସାଂସ୍କୃତିକ ଜାଗରଣ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହାକୁ ଏକ ପ୍ରହସନ ର ପରିଚାୟକ ତଥା ସେମାନଙ୍କ ଅହଙ୍କାର ର ଆଖ୍ୟା ଦିଆଯାଇ ପାରେ।






