ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬
ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ ଥିଲେ । କାରଣ ମଳି ଉଠା (ମଢା ଉଠା) ପର୍ବ ଥିଲା । ଏହି ପର୍ବ ଏକ କୃଷିଭିତ୍ତିକ ପର୍ବ । ଗାଧୋଇ ସାରି ଧାନ ବିହନ ପୁଡା ନେଇ ସବୁ ଘରୁ ମହିଳାମାନେ ଦରବାର ଘରେ ରଖି ଆସିଲୁ । ଦେହୁରୀ ଦାଦା ସେହିସବୁ ବିହନ ପୁଡା ନେଇ ଠାକୁରଙ୍କ ପାଖରେ ପୂଜା କରି ବାଉଁଶରେ ତିଆରି ଗୋଟିଏ କୋକେଇ ଉପରେ ରଖିଲେ । ଗାଁ ର ଗୋଟିଏ ଛୋଟ ପିଲାକୁ ଗାଧୋଇ ଦିଆଯାଇ ନୁଆଲୁଗା ପିନ୍ଧାଇ ଠାକୁରଙ୍କ ନିକଟକୁ ଅଣାଗଲା । ସେଠାରେ ପୂଜାର୍ଚ୍ଚନା ପରେ ଦେହୁରୀ ପିଲାଟିକୁ ସେହି ବିହନ ଥିବା କୋକେଇରେ ଶୋଇ ଦେଇ ଆସିଲେ । ଏହାର କିଛି ସମୟ ପରେ ଗାଁ ର କିଛି ଓଷା ରଖିଥିବା ପୁରୁଷ ଲୋକମାନେ ସେହି କୋକେଇ ନିକଟକୁ ଆସି ପିଲାଟିକୁ ଡାକିଲେ । କିନ୍ତୁ ପିଲାଟି କୌଣସି ଉତ୍ତର ନଦେବା ରୁ ଦେହୁରୀଙ୍କୁ ଡାକିଲେ । ଦେହୁରୀ ଆସି ପିଲାଟିକୁ ଦେଖି ସେ ମରି ଯାଇଥିବା କଥା କହିଲେ । ପିଲାଟିର ବାପା, ମା ଓ ଗାଁ ର ଲୋକମାନେ ଏହି ଘଟଣା ଦେଖି କାନ୍ଦିବାକୁ ଲାଗିଲେ । ଗାଁ ର କିଛି ବୟସ୍କ ଲୋକ ପିଲାଟି ନିକଟକୁ ଆସି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ସେମାନେ ମଧ୍ୟ ପିଲାଟି ଦେହରେ ଜୀବନ ନଥିବା କଥା କହିଲେ । ଏକ ଶୋକାକୁଳ ପରିବେଶ ଭିତରେ ଓଷା ରଖିଥିବା ପୁରୁଷ ଲୋକମାନେ କୋକେଇକୁ କାନ୍ଧରେ ବୋହି ଗାଁ ଚାରିପଟେ ଥିବା ଜମି ଓ ଜଙ୍ଗଲ ମଧ୍ୟରେ ଥିବା ଜମିରେ ବୁଲିବା ପରେ ଠାକୁରାଣୀ ମନ୍ଦିର ନିକଟକୁ ଆଣିଲେ । ସେଠାରେ ଦେହୁରୀ ପୁଣି କିଛି ସମୟ ପୂଜାର୍ଚ୍ଚନା କରିବା ପରେ କିଛି ଅଭିମନ୍ତ୍ରିତ ଜଳକୁ ନେଇ ପିଲାଟି ଉପରେ ସିଞ୍ଚନ କରିବା ପରେ ପିଲାଟି ଆପେଆପେ ଉଠି ବସିଲା । ସମସ୍ତେ ମାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ମୁଁ ଏହିପରି ପୂଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଆମ ଗାଁ ରେ ଏହି ପୂଜା ହୁଏ ନାହିଁ । ମୁଁ ମନ୍ମଥକୁ ପଚାରିଲି, “ଅନ୍ୟ ପାଖାପାଖି ଗାଁ ମାନଙ୍କରେ କଣ ଆଜି ଏହିପରି ପୂଜା ହେଉଛି?” ମନ୍ମଥ ଏହାର ଉତ୍ତରରେ କହିଲା, “ନାହିଁ, ଏହି ପୂଜା କେବଳ ଆମ ତଳବରଡା ଗାଁ ରେ ହୁଏ । ଅନ୍ୟ କୌଣସି ଗାଁ ରେ ହୁଏନାହିଁ । ଆମ ଗାଁ ର ଗୋଟିଏ ଝିଅ ତୁମ ବଣେଇଁ ଅଞ୍ଚଳର ଗୋଟିଏ ଗାଁ ରେ ବାହା ହୋଇଛି । ସେ ସେଠି ଏହି ପୂଜା ଆରମ୍ଭ କରିଥିଲା । କିନ୍ତୁ ଦୁଃଖର କଥା ଯେ ମଢା ହୋଇଥିବା ପିଲାଟି ଆଉ ଅଲୌକିକ ଶକ୍ତିର ପ୍ରଭାବରେ ଜୀବନଦାନ ପାଇଲା ନାହିଁ । ସେ ମୃତ୍ୟୁବରଣ କଲା । ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।” ମୁଁ ମଧ୍ୟ ମନ ଭିତରେ ଭୟବୀତ ହୋଇଗଲି । କାରଣ ମୁଁ ଏହି ପୂଜା ଆମ ଗାଁ ରେ ଆରମ୍ଭ କରିବା ପାଇଁ ଭାବୁଥିଲି।
ଏହି ସମୟରେ ଦେହୁରୀ ଦାଦା ସମସ୍ତଙ୍କୁ ଆସି ପ୍ରସାଦ ସେବନ କରି ନିଜ ନିଜର ଧାନ ବିହନ ନେଇ ଯିବାକୁ କହିଲେ । ଗାଁ ର ସମସ୍ତେ ପ୍ରସାଦ ସେବନ କରି ନିଜ ନିଜର ବିହନ ଘରକୁ ନେଇଗଲେ । ମନ୍ମଥ କହୁଥିଲା ଏହି ପୂଜା କରିବା ଦ୍ୱାରା ଦେବୀ ଗାଁ ଲୋକଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ଆଉ ସେହି ବର୍ଷ ଭଲ ଫସଲ ଅମଳ ହୁଏ । ପାଖ ଗାଁ ବାରକଳା, ଡେରି ରୁ ଲୋକମାନେ ପୂଜା ଦେଖିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାରକଳା ଗାଁ ର ଦେହୁରୀ ଥିଲେ । ସେଦିନ ସେ ପିଢ ବାବଦରେ କଥା ହେବା ପାଇଁ ପୂଜା ପରେ ଆମ ଘରକୁ ଆସିଲେ । ରାତିରେ ସେ ଆମ ଘରେ ରହିଲେ । ରାତିରେ ଖାଇ ସାରିବା ପରେ ମନ୍ମଥ ସହିତ କଥା ହେଉଥିଲେ । କଥା ପ୍ରସଙ୍ଗରେ ସେ ତାଙ୍କ ଗାଁ ର ନାମ କାହିଁକି ବାରକଳା ରଖାଗଲା ସେ କଥା କହୁଥିଲେ । ତାହା ଥିଲା ଏହିପରି।
ବହୁ ବର୍ଷ ତଳର କଥା । ଦୁଦୁପଶି ଗାଁ ର ଦେହୁରୀ ଗାଁ ଠାକୁରାଣୀ ଶାଳରେ ପୂଜା ହେବାକୁ ଥିବାରୁ କିଛି କ୍ଷୀର କିଣି କରି ଆଣି ଘରେ ରଖିଥିଲେ । ଦେହୁରୀଙ୍କ ବୋହୂ ଘର ଲିପାପୋଛା କରୁଥିବା ସମୟରେ ସେହି କ୍ଷୀର ଅସାବଧାନତା ବଶତଃ ଢାଳିଗଲା । ଶଶୁର ଠାକୁରାଣୀ ଶାଳରେ ପୂଜା ପାଇଁ ଏହି କ୍ଷୀର ଆଣିଥିବା କଥା ବୋହୂ ଜାଣିଥାଏ । ଶଶୁର ଆସି ତାକୁ ବହୁତ ଗାଳି କରିବେ ଏହା ଭାବି ବୋହୂ ଟି ଭୟବିତ ହୋଇ କଣ କରିବ ଭାବୁ ଭାବୁ ତା ମନକୁ ଏକ ଉପାୟ ଆସିଲା । ସେ ନିଜର ସ୍ତନରୁ କ୍ଷୀର ବାହାର କରି ଗ୍ଲାସ ରେ ରଖି ଘର କାମରେ ବ୍ୟସ୍ତ ରହିଲା । ଦେହୁରୀ କାମ ସାରି ଆସି ସେହି କ୍ଷୀରକୁ ନେଇ ଠାକୁରାଣୀ ଶାଳରେ ପୂଜା ଦେଲେ । ଯୋଗକୁ ସେହି ବର୍ଷ ପୁର୍ବ ବର୍ଷମାନଙ୍କ ଠାରୁ ଅଧିକ ଶସ୍ୟ ଉତ୍ପାଦନ ହେଲା । ଲୋକମାନେ ଆଶ୍ଚର୍ୟ୍ଯ ହେଲେ।ତାପର ବର୍ଷ ପୁଣି ମାଙ୍କ ଠାକୁରାଣୀ ଶାଳରେ ପୂଜା ହେଲା । ଦେହୁରୀ ମାଙ୍କ ନିକଟରେ ଗାଇ କ୍ଷୀର ଅର୍ପଣ କଲେ । କିନ୍ତୁ ସେହି ବର୍ଷ ପୁର୍ବ ବର୍ଷମାନଙ୍କ ଠାରୁ କମ୍ ଫସଲ ଅମଳ ହେଲା । ଗାଁ ଲୋକମାନେ ଦରବାର ଘରେ ବସି ଏହି ବିଷୟରେ ଆଲୋଚନା କଲେ । ଦେହୁରୀଙ୍କ ବୋହୂ ସେହି ବୈଠକରେ ସମସ୍ତ କଥା କହିଲା ପରେ ଗାଁ ର ଲୋକମାନେ ଉତ୍ୟକ୍ତ ହୋଇ ଦେହୁରୀ ଓ ତାଙ୍କ ପରିବାର ଙ୍କୁ ଗାଁ ରୁ ତଡି ଦେଲେ । ଦେହୁରୀ ନିଜ ପରିବାରକୁ ନେଇ ଗାଁ କୁ ଗାଁ ବୁଲି ତାଙ୍କ ଗାଁ ରେ ତାଙ୍କ ପରିବାର କୁ ରହିବା ପାଇଁ ଜାଗା ଦେବାକୁ ଅନୁରୋଧ କଲେ । କିନ୍ତୁ କୌଣସି ଗାଁ ର ଲୋକେ ସେମାନଙ୍କୁ ଆଶ୍ରୟ ଦେଲେ ନାହିଁ । ଶେଷରେ ସେମାନେ ସିଂପୁର ଗାଁ ରେ ପହଞ୍ଚିଲେ।
ସିଂପୁର ଗାଁ ର ଲୋକମାନେ ଦୟାପରବଶ ହୋଇ ଗାଁ ସୀମାରେ ଥିବା ଜଙ୍ଗଲରେ ରହିବା ପାଇଁ ଅନୁମତି ଦେଲେ । ଦେହୁରୀ ପରିବାର ଜଙ୍ଗଲ ସଫା କରି ସେଠାରେ ବସବାସ ଆରମ୍ଭ କଲେ । ସେମାନେ ବାର କଳା ବା ବାର ଗାଁ ବୁଲି ଶେଷରେ ଏହିଠାରେ ରହିଥିବା ରୁ ଗାଁ ର ନାମ ବାରକଳା ରଖିଲେ । ଏଠାରେ କହି ରଖିବି ଯେ ଭୂୟାଁ ମାନଙ୍କ ଭାଷାରେ ଗାଁ କୁ କଳା କୁହାଯାଏ । ରାତି ଅଧିକ ହୋଇ ଥିବାରୁ କଥା ଶେଷ କରି ବିଶ୍ରାମ ନେଲୁ।






