• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଜୀବନର ଅପାଶୋରା ଫର୍ଦ୍ଦ

ଜୀବନର ଅପାଶୋରା ଫର୍ଦ୍ଦ
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୧୨ ନଭେମ୍ବର ୨୦୨୨

୧୯୭୬ ମସିହା। ମୋର କବିତାଟିଏ ପ୍ରକାଶ ପାଏ। ଛପା ଅକ୍ଷରରେ ନିଜ ନାଁ ଟିକୁ ଦେଖି ଆନନ୍ଦରେ ଅଧୀର ହୋଇଯାଏ ମନ। ବୋଉ ନିରକ୍ଷରା। ତଥାପି ତାକୁ ନେଇ ଦେଖାଏ ସେଇ ପୃଷ୍ଠାଟିକୁ। ବାପାଙ୍କୁ ଦେଖାଏ । ଭଉଣୀମାନେ ଜାଣନ୍ତି। ଦୁଇଟିଯାକ ଭାଇ ମୋର ସେତେବେଳେ ବହୁତ ଛୋଟ। କବିତା କି ଜିନିଷ ନଜାଣି ବି ଖୁସି ହୁଅନ୍ତି ସମସ୍ତେ ।

ସେତେବେଳେ ମୁଁ କି ଜାଣିଥିଲି କବିତା କ’ଣ?
ଆଉ ଏବେ ବି କେତେ ବୁଝିଲି କବିତାକୁ … !!

ସେଇ ବର୍ଷ। ବୋଧହୁଏ ଡିସେମ୍ବର।ମାନସ ଡାକିଲେ ନୀଳାଚଳ ଯୁବ ସଂସଦର ଏକ କବିତା ଆସରକୁ। ମୁଁ ବି ଆଶ୍ଚର୍ଯ୍ୟ ହେଇଥିଲି ସେ କେମିତି ଜାଣିଲେ ମୁଁ କିଛି ଲେଖୁଛି ବୋଲି। ଉତ୍କଳ ହିନ୍ଦୀ ବିଦ୍ୟାପୀଠ (ବର୍ତ୍ତମାନର ଭୋଳା ନାଥ ବିଦ୍ୟାପୀଠ) ର ଆମେ ମାତ୍ର ଦୁଇ ଜଣ ସାମନ୍ତ ଚନ୍ଦ୍ରଶେଖର କଲେଜର କଳା ବିଭାଗର ଛାତ୍ର ଥିଲୁ ।

ଜୀବନର ପ୍ରଥମ କବିତା ଆସର । ମତେ କିନ୍ତୁ କିଛି ଡର ନଥିଲା। ନିର୍ଭୀକ ଭାବେ ଦୃପ୍ତ କଣ୍ଠରେ “ଶାନ୍ତି ପ୍ରତୀକ୍ଷାରେ “ବୋଲି କବିତାଟିଏ ପଢ଼ିଲି ଓ ବେଶ୍ ପ୍ରଶଂସା ଭାଜନ ହେଲି ।

ମନରେ ପ୍ରବଳ ଆଗ୍ରହ ଆସିଲା। ମୋର ଜଣେ ସମ୍ପର୍କୀୟ କାମ କରୁଥିଲେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ। ତାଙ୍କ କଲେଜ୍ ଲାଇବ୍ରେରୀ ରୁ ବହି ଆଣି ପଢ଼ିଲି । ଗୋଟିଏ ବହି ଆଣେ ।ପଢ଼େ। ଫେରାଏ। ପୁଣି ଗୋଟିଏ ଆଣେ । ଏଇମିତି ପଢ଼ା ଚାଲିଲା… ପରଜା ,ଅମୃତର ସନ୍ତାନ, ଦାନାପାଣି, ଉତ୍କଳ ଭ୍ରମଣ, ଛ ‘ ମାଣ ଆଠ ଗୁଣ୍ଠ , ମାମୁଁ, କନକଲତା, କବିତା – ୧୯୬୨ , ପାଣ୍ଡୁଲିପି, ବାଜି ରାଉତ , ଭାନୁମତୀର ଦେଶ…

ସେଇସବୁ ପଢ଼ିବା ବେଳେ ମନରେ ଏକ ଉଦବେଳନ ଆସେ। ପରଜାର “ଜିଲି” ପାଇଁ।ଅମୃତର ସନ୍ତାନ ର “ପୁୟୁ” ପାଇଁ। ନନ୍ଦକିଶୋର ଙ୍କ କନକଲତା ପାଇଁ ତ ପୁଣି କେବେ ମନ ବିଦ୍ରୋହ କରେ ଚମ୍ପା ବିରୁଦ୍ଧରେ, ରାମଚନ୍ଦ୍ର ମଙ୍ଗରାଜ ବିରୁଦ୍ଧରେ ।ଏଇ ଆବେଦନ ଉଦବେଳନ ବିଦ୍ରୋହୀ ମନ ଚିତ୍ର ଆଙ୍କେ କାଗଜ କାଳିରେ.. କବିତାରେ… ଲଳିତ ନିବନ୍ଧମାନଙ୍କରେ… !!

କେତେ ବା ବୟସ ସେତେବେଳେ । ସାହିତ୍ୟ ସମ୍ପର୍କରେ କ’ଣ ବା ଜାଣିଥିଲି? ତା’ କେବଳ ମନର ଏକ ଆବେଗର ପ୍ରବାହ । ତଥାପି ସେଗୁଡିକ ପ୍ରକାଶ ପାଇଥିଲା ତତ୍କାଳୀନ ଦୈନିକ ଖବରକାଗଜ “ସ୍ଵରାଜ୍ୟ ” ଓ “ଧରିତ୍ରୀ” ର ସାହିତ୍ୟ ପୃଷ୍ଠାରେ । ସେତେବେଳେ ପ୍ରକାଶ ପାଉଥିବା ଅନ୍ୟ ଦୈନିକୀମାନଙ୍କରେ ନିୟମିତ ମୋର କବିତା ଓ କାହାଣୀ ପ୍ରକାଶ ପାଉଥିଲା। ମାତ୍ର ଏଇ ଦୁଇଟି ଖବର କାଗଜର ସାହିତ୍ୟ ପୃଷ୍ଠା ମୋର ଗଳ୍ପ କବିତା ସହ ମୋ କଞ୍ଚା ହାତର ସ୍ଵାକ୍ଷର କିଛି ଲଳିତ ନିବନ୍ଧ ମଧ୍ୟ ନିୟମିତ ପ୍ରକାଶ କରିଥିଲେ। “ସ୍ଵରାଜ୍ୟ” ଓ “ଧରିତ୍ରୀ” ଖବରକାଗଜ ର ସାହିତ୍ୟ ପୃଷ୍ଠା ମୋ ସାହିତ୍ୟିକ ଜୀବନର ଦୁଇଟି ମାଇଲ୍ ଖୁଣ୍ଟ !!

ଗପ କବିତା ତ ଲେଖୁଥିଲି । ପ୍ରକାଶିତ ବି ହେଉଥିଲା। କିନ୍ତୁ ଏତେ କମ୍ ବୟସରେ ଅପରିପକ୍ଵ ଚିନ୍ତନକୁ ନେଇ କେବଳ ଗୋଟେ ଆବେଗର ପ୍ରବାହରେ ଯେଉଁ ନିବନ୍ଧ ଗୁଡ଼ିକ ଲେଖିଥିଲି ; ସେଗୁଡ଼ିକ ଯେଭଳି ଶ୍ରଦ୍ଧା ସହକାରେ ଧରିତ୍ରୀ ଓ ସ୍ଵରାଜ୍ୟର ସମ୍ପାଦକମାନେ ପ୍ରକାଶ କରିଥିଲେ ତାହା ମୋ ପାଇଁ ଚିର ସ୍ମରଣୀୟ। ସେମାନେ ସେଇ ଲେଖା ଗୁଡ଼ିକ ପ୍ରକାଶ ନକରିଥିଲେ ମୋ ଭିତରେ ପଢ଼ିବା, ଲେଖିବା ଓ ବିଶେଷକରି ଗପ କହିବାର ପ୍ରବୃତ୍ତିଟି ପ୍ରେରଣା ପାଇନଥାନ୍ତା।

ଗୋପବନ୍ଧୁ ଆୟୁର୍ବେଦ କଲେଜର ସେଇ ଲାଇବ୍ରେରୀ ଛଡ଼ା ଆଉ ଗୋଟିଏ ଲାଇବ୍ରେରୀ ସହିତ ମଧ୍ୟ ମୋର ଅଳ୍ପ ସଂଯୋଗ ରହିଥିଲା। ତାହା ହେଉଛି ପୁରୀ ବସଷ୍ଟାଣ୍ଡ ପାଖରେ ଥିବା “ଆଚାର୍ଯ୍ୟ ହରିହର ପାଠାଗାର” । ସେତେବେଳେ ଗୋଟେ ଛୋଟିଆ ଆଜବେଷ୍ଟସ ଘରେ ସେ ଲାଇବ୍ରେରୀଟି ଚାଲିଥାଏ। କିଛି ଲୋକ ପେପର ପଢୁଥିବାର ମୁଁ ଦେଖେ । ଦିନେ ସାହସ କରି ଭିତରକୁ ଗଲି। ଦେଖିଲି ହରିଭାଇ ସେଠାରେ ବସିଛନ୍ତି।ସେ ଆମ ସାହି ପାଖ ଲୋକ। ବେଶ୍ ପରିଚିତ। କିନ୍ତୁ ପ୍ରଥମେ ପ୍ରଥମେ ସେ ଟିକେ ଫୁଲେଇ ହେଲେ। ଘରକୁ ବହି ଦେଲେନି।ଆଉ ସେଠି ଘଣ୍ଟା ଘଣ୍ଟା ବସି ପଢ଼ିବାର ସୁଯୋଗ ନଥିଲା। ଏମିତି ବି ସେ ପାଠାଗାର ବହୁତ ସମୟ ବନ୍ଦ ରହୁଥିଲା।ସେ ଯା’ହେଉ ତାଙ୍କୁ କୁହାବୋଲା କରି କିଛି କିଛି ବହି ଘରକୁ ଆଣି ପଢ଼ିଥିଲି। ଅନେକ ଗୁଡ଼ିଏ କାରଣ ବଶତଃ ସେ ଲାଇବ୍ରେରୀ ସହିତ ବେଶି ଦିନ ସମ୍ପର୍କ ରହିପାରିଲାନି ।

ଏବେ ନଭେମ୍ବର ଚଉଦ ତାରିଖଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଜାତୀୟ ପୁସ୍ତକ ପଠନ ସପ୍ତାହ (National Book and Reading Week) ପ୍ରତିବର୍ଷ ପାଳିତ ହୁଏ। ପିଲାଙ୍କର ପଠନ ପ୍ରବୃତ୍ତି ବଢ଼ାଇବା ଦିଗରେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହୁଏ। କେତେକ ଜାଗାରେ ସେହି କାର୍ଯ୍ୟକ୍ରମର ସ୍ରୋତ ବ୍ୟକ୍ତି (resource person) ଭାବରେ କାର୍ଯ୍ୟ କରିବାର ସୌଭାଗ୍ୟ ମଧ୍ୟ ମତେ ମିଳିଥାଏ।

ଉପରୋକ୍ତ ବର୍ଣିତ ଦୁଇ ଲାଇବ୍ରେରୀ, ଦୁଇଟି ଦୈନିକ ସମ୍ବାଦପତ୍ର ଓ ତା’ର ସମ୍ପାଦକଙ୍କ ପାଇଁ ମୁଁ ଜାତୀୟ ସ୍ତରରେ ଜଣେ ଗଳ୍ପ କଥକ ଓ ପାଠାଗାର ସମ୍ପର୍କିତ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମର ଜଣେ ସ୍ରୋତ ବ୍ୟକ୍ତି ଭାବେ ଜଣାଶୁଣା ହୋଇପାରିଲି।

ଜୀବନର ଏଇ ଅପାଶୋରା ଅଂଶର ସ୍ମୃତିରେ ମୋର ଏଇ ଧୂସର ଅପରାହ୍ନ ବି ପୁଲକିତ ହୁଏ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.