• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଶ୍ୱ ଶାନ୍ତି ଓ ଗାନ୍ଧିଜୀ

ବିଶ୍ୱ ଶାନ୍ତି ଓ ଗାନ୍ଧିଜୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧ ଡିସେମ୍ବର ୨୦୨୨

ଗାନ୍ଧିଜୀଙ୍କ କଥା, ଚିନ୍ତା ଓ କାର୍ଯ୍ୟରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ ହେଉ ନଥିଲା । ସ୍ୱଚ୍ଛତା ତାଙ୍କର ଥିଲା ଏକ ବିଶେଷ ଗୁଣ ଓ ମାନବୀୟ ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ ତାଙ୍କର ଥିଲା ଅହର୍ନିସି ଉଦ୍ୟମ । ମଣିଷ ମଣିଷ ଭିତରେ ଛୁଆଁ ଅଛୁଆଁ ଭେଦଭାବର ସେ ତୀବ୍ର ବିରୋଧୀ ଥିଲେ । ଗୋଷ୍ଠି ଜୀବନ ସହଭୋଜନ ଉପରେ ଗୁରୁତ୍ୱ ଦେଉଥିଲେ, ଗାନ୍ଧିଜୀଙ୍କ ଆଦର୍ଶର ଗୋଷ୍ଠି ଜୀବନର ବିଶେଷତ୍ୱ ଥିଲା ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ଓ ସେମାନଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିବା, ପରିଷ୍କାର ପରିଚ୍ଛନ୍ନତା ଓ ସୁସ୍ଥ ପରିବେଶ ଉପରେ ଗୁରୁତ୍ୱ ଦେବା । “ୟଙ୍ଗ ଇଣ୍ଡିଆ” କିମ୍ବା “ହରିଜନ” ପତ୍ରିକାରେ ବିଭିନ୍ନ ସମୟରେ ଗାନ୍ଧିଜୀଙ୍କ ଚିଠି ପଢ଼ିଲେ ଜୀବନର ବିଭିନ୍ନ ସମସ୍ୟା ଓ ତହିଁର ସମାଧାନ ଉପରେ ଦୃଷ୍ଟି ପଡ଼େ। ସତ୍ୟାଗ୍ରହ, ଏକାଦଶ ବ୍ରତ ଓ ଗଠନ ମୂଳକ କାର୍ଯ୍ୟ ଗାନ୍ଧୀଜୀଙ୍କର ମହତ୍ ଅବଦାନ । ଅହିଂସା ହେଉଛି ଗାନ୍ଧୀଜୀଙ୍କର ବିଶ୍ୱାସର ଆଦି ଓ ଅନ୍ତିମ ଆଧାର । ଗାନ୍ଧିଜୀଙ୍କ ପରିକଳ୍ପିତ ଅହିଂସା ନୀତି ହେଉଛି ସମାଜର ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ କାର୍ଯ୍ୟ କରିବ ଓ ସମାଜ ବ୍ୟକ୍ତି ପାଇଁ ଯତ୍ନଶୀଳ ହେବ । ତାଙ୍କ ଦୃଷ୍ଟି କୋଣରେ ବିଭାଜନକାରୀ ଶକ୍ତିଠାରୁ ସଂହତିର ଶକ୍ତି ବହୁତ ପ୍ରଭାବଶାଳୀ । ଗାନ୍ଧିଜୀ କହିଥିଲେ ‘ମୁଁ ବିଶ୍ୱାସ କରେ ଯେ, ମାନବ ଜାତିର ସମ୍ମିଳିତ ଶକ୍ତି ଆମର ଅଧୋପତନ ପାଇଁ ନୁହେଁ ଆମର ସମୁତଥାନ ପାଇଁ ଉଦ୍ଦିଷ୍ଟ’ । ତାଙ୍କୁ ଜଣାଥିଲା ଆଖି ପାଇଁ ଆଖି ନୀତି ସାରା ପୃଥିବୀକୁ ଦିନେ ଅନ୍ଧ କରିଦେବ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଏକମାତ୍ର ଅସ୍ତ୍ର। ହିଂସା ହିଁ ଅଧିକରୁ ଅଧିକ ହିଂସା ଜାତ କରେ । ଗୁଜରାଟ ବିଦ୍ୟାପୀଠରେ ଜଣେ ଛାତ୍ରକୁ ବୁଝାଇବା ଉଦ୍ଦେଶ୍ୟରେ ଗାନ୍ଧିଜୀ କହିଥିଲେ, ଧର୍ମ କହିଲେ ମୁଁ ସତ୍ୟ ଓ ଅହିଂସାକୁ ବୁଝେ; ବରଂ ଅଧକ ଯାଥାର୍ଥ ଭାବେ କହିଲେ କେବଳ ସତ୍ୟକୁ ହିଁ ବୁଝେ, କାରଣ ସତ୍ୟ ଅହିଂସାକୁ ସ୍ଥାନ ଦିଏ । ସତ୍ୟର ଆବିଷ୍କାର ପାଇଁ ଅହିଂସା ଅପରିହାର୍ଯ୍ୟ ସାଧନା । ‘ସତ୍ୟହିଁ ଭଗବାନ’ ବୋଲି ଗାନ୍ଧିଜୀ ଉପଲବଧି କରୁଥିଲେ ।

ଗାନ୍ଧିଜୀଙ୍କ ପରିକଳ୍ପନାର ରାମରାଜ୍ୟ ହିନ୍ଦୁ ରାଜ୍ୟ ନୁହେଁ । ରାମରାଜ୍ୟ କହିଲେ ଇଶ୍ୱରଙ୍କ ରାଜ୍ୟ ବା ସର୍ବୋତ୍ତମ ଶାସନକୁ ବୁଝାଏ । ଗାନ୍ଧିଜୀଙ୍କ ଜୀବନ ହିଁ ଥିଲା ତାଙ୍କ ବାର୍ତ୍ତା ।

ଏପ୍ରିଲ ୪, ୧୯୨୬ ମସିହା ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ, କେବଳ ଭାରତବାସୀଙ୍କ ଭାତୃତ୍ୱ ମୋର କାମ୍ୟ ନୁହେଁ, କେବଳ ଭାରତର ସ୍ୱାଧୀନତା ମୋର ଲକ୍ଷ୍ୟ ନୁହେଁ, ଭାରତର ସ୍ୱାଧୀନତା ହାସଲ ମାଧ୍ୟମରେ ସମଗ୍ର ମାନବ ଜାତିର ଭାତୃତ୍ୱର ଉପଲବଧି ପାଇଁ ମୁଁ ଆଶା ପୋଷଣ କରିଛି । ମୋର ଦେଶ ପ୍ରେମ କାହାକୁ ନ୍ୟୁନ ମନେକରି ଅଗ୍ରାହ୍ୟ କରେନା । ଏହା ସବୁ କିଛିକୁ କୋଳାଗ୍ରତ କରେ । ଯେଉଁ ଦେଶ ପ୍ରେମ ଦେଶବାସୀଙ୍କ ଦୁଃଖ ଓ ଶୋଷଣରେ ଆନନ୍ଦ ଲାଭ କରେ ତାକୁ ମୁଁ ପ୍ରତ୍ୟାଖ୍ୟାନ କରେ । ମୋ ସ୍ୱଦେଶ ପ୍ରେମର ଭାବନା ମୂଲ୍ୟହୀନ ଯଦି ଏହା ସବୁ ପରିସ୍ଥିତିରେ ସବୁ ସମୟରେ ସମଗ୍ର ମାନବ ଜାତିର କଲ୍ୟାଣ ସହ ଏକମତ ନୁହେଁ । ସମଗ୍ର ମାନବ ଜାତିର କଲ୍ୟାଣ ଥିଲା ଗାନ୍ଧିଜୀଙ୍କ ଲକ୍ଷ୍ୟ ।

ଗାନ୍ଧୀଜୀଙ୍କର ବିଶ୍ୱାସ ଥିଲା ଯେ ପର୍ଯ୍ୟନ୍ତ ଶକ୍ତିଶାଳୀ ରାଷ୍ଟ୍ରଗଣ ନିଜକୁ ନିରସ୍ତ୍ରୀକରଣ ନକରିଛନ୍ତି ସେ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା କଦାପି ସମ୍ଭବପର ନୁହେଁ । ୧୯୨୫ମସିହା ନଭେମ୍ବର ୧୯ ତାରିଖ ୟଙ୍ଗ ଇଣ୍ଡିଆ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ – ଅଫିମ ଉତ୍ପାଦନ ପରି ପୃଥିବୀର ଯୁଦ୍ଧାସ୍ତ୍ର ଉତ୍ପାଦନ ସୀମିତ ହେବା ଆବଶ୍ୟକ। ପୃଥିବୀର ଶୋଚନୀୟ ଦାରିଦ୍ର୍ୟ ପାଇଁ ଅଫିମ ଅପେକ୍ଷା ଯୁଦ୍ଧାସ୍ତ୍ର ଅଧିକ ପରିମାଣରେ ଦାୟୀ । ଗାନ୍ଧିଜୀଙ୍କ ମତରେ ଜଣେ ଶାନ୍ତିବାଦୀ ଯୁଦ୍ଧକୁ ବିରୋଧ କରିବ ଯେତେବେଳେ ସେ ହୃଦୟଙ୍ଗମ କରିବ ଗଣତନ୍ତ୍ର ରହୁକି ନରହୁ, ମାତ୍ର ଶକ୍ତି ପ୍ରଦର୍ଶନ ଦ୍ୱାରା କୌଣସି ଯୁଦ୍ଧର ଅବସାନ ଘଟିବ ନାହିଁ । ପୃଥିବୀରେ ସତ୍ୟ ଓ ଅହିଂସା ସବୁଠାରୁ ବଡ଼ ଶକ୍ତି। ଏହି ଶକ୍ତି ଆଗରେ ବୋମାର ପ୍ରଭାବ ନିଷ୍କ୍ରିୟ। ଯୁଦ୍ଧ ଶାରୀରିକ ବଳ ପ୍ରଦର୍ଶନ ବ୍ୟତୀତ ଆଉ କିଛି ନୁହେଁ, ବୋମାର ଜବାବ ବୋମା ନୁହେଁ ଅର୍ଥାତ ବୋମାକୁ ପ୍ରତିବୋମା ଦ୍ୱାରା ଧ୍ବଂସ କରାଯାଇ ପାରିବ ନାହିଁ ଯେପରି ହିଂସାକୁ ପ୍ରତି ହିଂସା ଦ୍ୱାରା ଧ୍ୱଂସ କରିହୁଏ ନାହିଁ । ଘୃଣା ଭାବକୁ କେବଳ ପ୍ରେମଦ୍ୱାରା ଜୟ କରିହେବ। ଗାନ୍ଧିଜୀ ଜାଣିଥିଲେ ବିଶ୍ୱବାସୀ ଅହିଂସା ନୀତି ଅନୁସରଣ ନକଲେ, ଏହା ମାନବ ସମାଜ ପାଇଁ ଆତ୍ମଘାତୀ ହେବ । ଯଦି ମଣିଷକୁ ମଣିଷପରି ବଞ୍ଚିବାକୁ ହେବ, ଦୁଇ ଗୋଡ଼ିଆ ପଶୁପରି ନୁହେଁ, ଶୀଘ୍ର ହେଉ ବା ବିଳମ୍ବରେ ହେଉ ଯୁଦ୍ଧ ବିରୋଧୀ ପ୍ରୟାସ ସମ୍ପନ୍ନ ହେବା ଏକାନ୍ତ ଅପରିହାର୍ଯ୍ୟ। ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଥିଲା ତାଙ୍କ ସ୍ବପ୍ନ। ତାଙ୍କ ଭାଷାରେ ଜଣେ ଶାନ୍ତିବାଦୀର ଜୀବନଚର୍ଯ୍ୟା ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବେସିତ। ଅସତ୍ୟ, ଘୃଣା, ହିଂସା ଓ ଅନ୍ୟକୁ ଶୋଷଣ କରିବାଠାରୁ ସର୍ବଦା ଦୂରେଇ ରହିବା ହେଉଛି ଶାନ୍ତିବାଦୀର କର୍ତ୍ତବ୍ୟ। ସାମ୍ରାଜ୍ୟବାଦର ସୁବିଧା ସୁଯୋଗକୁ ପ୍ରତ୍ୟାଖ୍ୟାନ କରିବା ଶାନ୍ତିବାଦୀ କାର୍ଯ୍ୟ, ଶାନ୍ତିବାଦୀ ମାନେ ସବୁବେଳେ ନିଜ ଉପରେ ବିଶ୍ୱାସ ରଖି ନିଜ କାର୍ଯ୍ୟରେ ଅଗ୍ରସର ହେବା ଆବଶ୍ୟକ।

ୟଙ୍ଗ ଇଣ୍ଡିଆ, ୩ ମାର୍ଚ୍ଚ ୧୯୨୧ ସଂଖ୍ୟାରେ ଗାନ୍ଧିଜୀ ଲେଖିଥିଲେ – “ମୋ ପାଇଁ ଦେଶ ପ୍ରେମ ଓ ମାନବ ପ୍ରେମ ମଧ୍ୟରେ କିଛି ଫରକ ନାହିଁ , ଦୁହେଁ ଏକ ହିଁ ଅଟନ୍ତି । ମୁଁ ଦେଶ ପ୍ରେମୀ ଅଟେ, କାହିଁକି ନାଁ ମୁଁ ମାନବ ପ୍ରେମୀ । ମୋର ଦେଶ ପ୍ରେମ ବର୍ଜନଶୀଳ ନୁହେଁ । ମୁଁ ଭାରତର ହିତ ପାଇଁ ଇଂଲଣ୍ଡ ବା ଜର୍ମାନୀର କ୍ଷତି କରିବି ନାହିଁ । ଜୀବନ ପାଇଁ ମୋ ଯୋଜନାରେ ସାମ୍ରାଜ୍ୟବାଦର କୌଣସି ସ୍ଥାନ ନାହିଁ ।” ଗାନ୍ଧିଜୀଙ୍କ ପ୍ରିୟ ଭଜନ ମାନବବାଦର ମହତ୍ ବାଣୀକୁ ସୂଚାଇ ଥାଏ । ପ୍ରକୃତ ବୈଷ୍ଣବ ସିଏ, ଯିଏ ଅନ୍ୟର ଦୁଃଖକୁ ନିଜର ଦୁଃଖ ବୋଲି ବିଚାର କରେ ଏବଂ ପ୍ରକୃତ ମାନବିକତା ପ୍ରକାଶ ପାଏ ଯେତେବେଳେ ବ୍ୟକ୍ତି ନିଜର ସ୍ୱାର୍ଥକୁ ସମାଜପାଇଁ ଜଳାଞ୍ଜଳି ଦିଏ । ସାରା ବିଶ୍ୱରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ମଣିଷ ଭିତରେ ମଣିଷ ପଣିଆ ଉଦ୍ରେକ ହେବା ବାଞ୍ଚନୀୟ।

ଗାନ୍ଧିଜୀଙ୍କ ବିଶାଳ ବ୍ୟକ୍ତିତ୍ୱ, ଚିନ୍ତା, ଚେତନା ଓ ମାନବ ପ୍ରେମକୁ ଲକ୍ଷ୍ୟ କରି ବିଶିଷ୍ଟ ଲେଖକ ଲୁଇସ ଫିସର ଲେଖିଛନ୍ତି – “His legacy is courage, his lesson truth, his weapon love. His life is his monument. He now belongs to mankind.”

ଏହି ମାନବବାଦର ପ୍ରତୀକ ମହାମାନବଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ସମଗ୍ର ବିଶ୍ୱବାସୀ ତାଙ୍କ ଜନ୍ମ ଦିବସକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରିବା ପ୍ରତ୍ୟେକ ଭାରତୀୟ ତଥା ବିଶ୍ୱବାସୀଙ୍କ ପାଇଁ ଗର୍ବ ଓ ଗୌରବ।

ବୁଦ୍ଧ ଓ ଯୀଶୁଙ୍କ ପରେ ଗାନ୍ଧିଜୀ ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି ନିଜର ମହତ୍ ଗୁଣ ଓ ଅସାଧାରଣ କାର୍ଯ୍ୟ ପାଇଁ । ଦୃଢ଼ତାର ସହ ଏତିକି କୁହାଯାଇପାରେ ଯେ ଗାନ୍ଧୀ ବିଚାର ଛଡ଼ା ଦୁନିଆକୁ ଧ୍ୱଂସ ମୁଖରୁ ରକ୍ଷାକରିବାକୁ ଅଦ୍ୟାବଧି ଅନ୍ୟ କୌଣସି ବିକଳ୍ପ ନାହିଁ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.