• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଇତିହାସରେ ଦିନେ … …

ନିଃଶବ୍ଦ ଅତୀତ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୨

ଗୋଟିଏ ସମୟରେ ବିଭିନ୍ନ ପତ୍ରିକା ଓ ଖବରକାଗଜର ପୂଜା ବିଶେଷାଙ୍କରେ ପ୍ରକାଶନ ପାଇଁ ମୁଁ ଆତୁର ହୋଇ ମୋ କବିତା ସବୁକୁ ପଠାଉଥିଲି। ସେତେବେଳେ ପ୍ରକାଶନର ସଂଖ୍ୟା ବେଶ କମ୍ ଥିଲା। ସେମାନେ ନୂଆ ଲେଖକ, ଲେଖିକାଙ୍କୁ ସହଜରେ ସ୍ଥାନ ଦେଉ ନଥିଲେ। ମୋର ମନେ ପଡୁଛନ୍ତି, ଧରିତ୍ରୀ ସାପ୍ତାହିକର ଭଗବାନ ନାୟକ ବର୍ମା। ଆଜିଠୁଁ ଅର୍ଦ୍ଧ ଶତାବ୍ଦୀ ତଳେ … ସେ ନୂଆ ଲେଖକ, ଲେଖିକାଙ୍କୁ ସ୍ଥାନ ଦେଉଥିଲେ।

ଏବେ ମୁଁ ଏପରି ଏକ ପାହାଚରେ ପହଞ୍ଚିଛି, ଯେ କୌଣସି ଖବରକାଗଜ ଓ ପତ୍ରିକା ମୋର ଲେଖାକୁ ଆଗ୍ରହର ସହ ପ୍ରକାଶ କରୁଛନ୍ତି। କିନ୍ତୁ ଚାରି ଦଶକ ତଳର ମୋର ସେହି ଝୁଙ୍କ ଏବେ ଆଉ ନାହିଁ ସାହିତ୍ୟ ଦରବାରରେ ମାତିଥିବା ରକମ ଖେଳାଳିଙ୍କ କୂଟନୀତି ସବୁକୁ ଦେଖି। ମୁଁ ଏବେ ଓଡିଆ ସାହିତ୍ୟ ପତ୍ରିକା ସମ୍ପାଦକଙ୍କ ମଧ୍ୟରେ ଭଗବାନ ନାୟକ ବର୍ମାଙ୍କ ପରି ଜଣେ ବି ପ୍ରକାଶକଙ୍କୁ ଦେଖିବାକୁ ପାଉନାହିଁ ଯିଏ ପଦବୀ ବଦଳରେ ଲେଖକ ଲେଖିକାଙ୍କ ପ୍ରତିଭାର ଆଦର କରୁଛନ୍ତି। ମତେ ଏହା ଭଲ ଲାଗୁନାହିଁ ଓ ମୁଁ ପତ୍ରିକାଗୁଡିକୁ କବିତା ପଠାଇବା ପ୍ରାୟ ବନ୍ଦ କରିଦେଲିଣି।

ପତ୍ରିକା ଓ ଖବରକାଗଜରେ ନିୟମିତ ଲେଖୁଥିଲାବେଳେ ମୁଁ ଅନେକ ମନଛୁଆଁ ଖବର ସଂସ୍ପର୍ଶରେ ଆସୁଥିଲି। ଏହି ଧାରାରେ ମୁଁ ଥରେ ଫୁଲବାଣୀର ବିପ୍ରଚରଣ ପଟ୍ଟନାୟକଙ୍କ ବିଷୟରେ ଜାଣିବାକୁ ପାଇଲି। ସମସ୍ତେ ତାଙ୍କୁ ଡାକନ୍ତି, ବିପ୍ରସାର୍।

ବିଭିନ୍ନ କାରଣରୁ ମୁଁ ବିପ୍ରସାରଙ୍କୁ ଭେଟିବାକୁ ଚାହିଁଲି। ସେ ସ୍କୁଲ୍ ଇନ୍ସପେକ୍ଟର ହେବା ବଦଳରେ ସ୍କୁଲ୍ ହେଡମାଷ୍ଟର ହେବାକୁ ଚାହିଁଥିଲେ। ରିଚାର୍ଡ୍ ବ୍ୟାକଙ୍କର ବିଖ୍ୟାତ ‘ଜୋନାଥନ୍ ଲିଭିଙ୍ଗଷ୍ଟୋନ୍ ସିଗଲ୍’ ବହିଟିର ସେ ଚମତ୍କାର ଓଡିଆ ଅନୁବାଦ କରିଥିଲେ।

ମୋ ଖୁସି ଦୁଇଗୁଣ ବଢ଼ିଗଲା ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୋର ପ୍ରିୟ ଯୁବ ବନ୍ଧୁ, ସୃଜନିକାର ବିନୟ, ବିପ୍ରସାରଙ୍କ ପୁଅ। ବିନୟ ଏନବିଟି ପାଇଁ ତେତସୁକୋ କୁରୋୟାନାଗିଙ୍କର ଶିକ୍ଷା କ୍ଲାସିକ ‘ତୋତ୍ତୋ-ଚାନ’କୁ ଓଡିଆରେ ଅନୁବାଦ କରିଥିଲେ।

ଆମେ ସେତେବେଳେ ଏନବିଟି ତରଫରୁ ପୃଥିବୀର ସବୁଠାରୁ ଲମ୍ବା ଖବରକାଗଜ ବନାଉଥାଉ। ପର ସମୟରେ ଲିମକା ବୁକ୍ ଅଫ୍ ରେକର୍ଡସ୍ ଏହାକୁ ସମ୍ମାନ ଓ ସ୍ବୀକୃତି ଦେଲା। ଏଥିପାଇଁ ଆମେ ଭାରତର ବିଭିନ୍ନ ରାଜ୍ୟରେ କର୍ମଶାଳାମାନ ଆୟୋଜନ କରିଥିଲୁ। ବିନୟ ପ୍ରସ୍ତାବ ଦେଲେ, ଓଡିଶାର ଏହି କର୍ମଶାଳାଟିକୁ ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ମାଳରେ ଆୟୋଜନ କରାଯାଉ। ଏନବିଟିର ଓଡିଆ ଭାଷା ସଂପାଦକ ରୂପେ ମତେ ଏହି ଦାୟିତ୍ବ ଦିଆଗଲା। ବିନୟଙ୍କ ସାନ ଭାଇ ବିଜୟ ‘ମାନବିକ’ ନାମକ ମଞ୍ଚଟିଏ ଗଢ଼ିଥାଆନ୍ତି। ଆମେ ମାନବିକ ସମୂହ ସହଯୋଗରେ ଏହି କର୍ମଶାଳାଟିର ଆୟୋଜନ କରିଥିଲୁ।

ମୁଁ ଫୁଲବାଣୀରେ ପହଞ୍ଚିଲି।

ଫୁଲବାଣୀ ମାଳ କନ୍ଧମାଳ ଜିଲ୍ଲାର ମୁଖ୍ୟାଳୟ। ରାଜ୍ୟର ସବୁଠାରୁ ପଛୁଆ ଜିଲ୍ଲା ରୂପେ ଏହା ଗଣା ହେଉଥିଲା। ଜିଲ୍ଲାର ଅଧାରୁ ଅଧିକ ଲୋକ (୨୦୧୧ ଜନଗଣନା ଅନୁସାରେ ପ୍ରାୟ ଚଉବନ ପ୍ରତିଶତ) ଥିଲେ କନ୍ଧ ଆଦିବାସୀ ସଂପ୍ରଦାୟରୁ। ଓଡିଶାର ମଝିରେ ଥିବା ଏହି ମାଳଭୂମିଟି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଜୈବ ବିବିଧତା, ଆଦିବାସୀ ସଂସ୍କୃତି ଓ ରକମ ରକମର ଜଙ୍ଗଲଜାତ ଉତ୍ପାଦନ, ଯଥା, ହଳଦୀ (ଜିଆଇ ସ୍ବୀକୃତିପ୍ରାପ୍ତ), ଅଦା, ପାଳୁଅ, ମହୁ, ଝୁଣା, ଛତୁ, ଆଦି ପାଇଁ ସବୁଠାରେ ଜଣା। ଏହି ଜିଲ୍ଲାଟିର ଆଉ ଏକ ପରିଚୟ ହେଉଛି, ଏଠାରେ ୨୦୦୭ ମସିହାରେ ଚକାପାଦ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ପରେ ଘଟିଥିବା କନ୍ଧମାଳର ଦଙ୍ଗା ପୃଥିବୀର ସବୁଠାରୁ ଲମ୍ବା ଦଙ୍ଗା ରୂପେ ଗଣା।

୧୯୯୯ ମସିହା ଏପ୍ରିଲ ମାସର ଏକ ଉଜ୍ୱଳ ସକାଳ। ବିଜୟ ମତେ ତାଙ୍କ ଘରଠିକଣା ପଠାଇଥାଆନ୍ତି। ଆଗରୁ ମୁଁ ଦୁଇଥର ଫୁଲବାଣୀ ଯାଇଥିଲି। ୧୯୯୫ ମସିହାରେ ମୋ ଶିକ୍ଷକ, ଅଧ୍ୟାପକ ବିଶ୍ବରଞ୍ଜନଙ୍କ ଦ୍ବାରା ଆୟୋଜିତ ଫୁଲବାଣୀ ପୁସ୍ତକ ମେଳାର ଅତିଥି ରୂପେ ଓ ୧୯୯୬ରେ ଏନବିଟିର ଏକ ପୁସ୍ତକ ମେଳାର ଆୟୋଜନ ପାଇଁ।

ଏଥରର ଗସ୍ତଟି ବେଶ୍ ଅଲଗା ପ୍ରକାରର ଥିଲା। ଗତ ଦୁଇ ଗସ୍ତ ବେଳେ ମୁଁ ବିପ୍ରସାରଙ୍କ ବିଷୟରେ ଶୁଣିଥିଲି। ଏଥର ମୁଁ ତାଙ୍କୁ ଭେଟିବାର ଏକ ସୁଯୋଗ ପାଇଲି ଓ ତାଙ୍କ ପରିବାର ସହ ଦିନଟିଏ ବିତାଇଲି।

ମୁଁ ତାଙ୍କ ଦୁଆରରେ ଖଟଖଟ କଲି। ଝିଅଟିଏ କବାଟ ଖୋଲିଲା।

‘ମାନସ ଭାଇ, ନମସ୍କାର। ଆପଣଙ୍କୁ ସ୍ବାଗତ ଜଣାଉଛି। ଆପଣଙ୍କୁ ଘର ଖୋଜିବାରେ କିଛି ଅସୁବିଧା ହେଲାନି ତ?’ ସେ ପଚାରିଲା।

ସେ ଥିଲା, ସୁରଭି। ବିନୟର ସାନ ଭଉଣୀ। ସେମାନେ ମୋ ଗସ୍ତ ବିଷୟ ବିନୟଠାରୁ ଜାଣିଥିଲେ। ଘରେ ସମସ୍ତେ ଖୁସିରେ ଏକାଠି ହୋଇଗଲେ। ଗରମ ଚାହା ସହିତ ମୋର ଏକ ଭବ୍ୟ ସ୍ବାଗତ ହୋଇଗଲା।

ବିନୟ ଓ ନିଖିଳ ମୋହନ ପଟ୍ଟନାୟକଙ୍କର ଥିଲା ଏକ ନୈସର୍ଗିକ ସଂପର୍କ। ବିନୟଙ୍କ ଭାଷାରେ, ‘ନିଖିଳ ଭାଇ ୧୯୮୭ ମସିହାରେ ଦୁଇଥର ଫୁଲବାଣୀ ଆସି ବାପା ଓ ତାଙ୍କ ବିଜ୍ଞାନପ୍ରେମୀ ସହଯୋଗୀଙ୍କ ସହ ଭାରତ ଜନ ବିଜ୍ଞାନ ଯାତ୍ରାର ଆୟୋଜନ ସଂପର୍କରେ ଆଲୋଚନା କରିଥିଲେ। ଏହି ଐତିହାସିକ ବିଜ୍ଞାନ ପ୍ରସାର ଯାତ୍ରାଟି କେରଳରୁ ଆରମ୍ଭ ହୋଇଥିଲା। ପୂର୍ବ ପ୍ରାନ୍ତର ଏହି ଯାତ୍ରାଟି ଓଡିଶାର ଦକ୍ଷିଣ ଭାଗରୁ ଫୁଲବାଣୀ ଦେଇ ଉତ୍ତର ଆଡକୁ ଗତି କରିଥିଲା ଓ ମଧ୍ୟ ପ୍ରଦେଶର ଭୋପାଳରେ ପହଞ୍ଚିଥିଲା। ବାପାଙ୍କର ବିଜ୍ଞାନରେ ଗଭୀର ରୁଚି ଥିଲା। ମାଳରେ ନିଜର ଅନ୍ତରଙ୍ଗ ସହଯୋଗୀଙ୍କ ସହ ମିଶି ସେ ଫୁଲବାଣୀରେ ଭାରତ ଜନ ବିଜ୍ଞାନ ଯାତ୍ରାକୁ ଆଡମ୍ବରର ସହ ଆୟୋଜନ କରିଥିଲେ। ଆମେମାନେ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହର ସହ ସ୍ବେଚ୍ଛାସେବୀ ରୂପେ ଏଥିରେ ସହଯୋଗ କରିଥିଲୁ। ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା ଓ ବିଜ୍ଞାନର ଅସଲ ମର୍ମକୁ ବିବିଧ ବିଜ୍ଞାନ ସମ୍ମତ ଅନୁଭବ ମାଧ୍ୟମରେ ଶିଖିବାର ଏହା ଥିଲା ଆମ ପାଇଁ ଏକ ବିରଳ ଅବସର।’

‘ଆମ ଘରେ ଆଲୋଚନା ସମୟରେ ନିଖିଳ ଭାଇ (ବୈଜ୍ଞାନିକ ଡକ୍ଟର ନିଖିଳ ମୋହନ ପଟ୍ଟନାୟକ) ବାପାଙ୍କ ଠାରୁ ମୋର ବିଜ୍ଞାନ ରୁଚି, ଆଞ୍ଚଳିକ ବିଜ୍ଞାନମାଳାରେ ଅଂଶଗ୍ରହଣ ଓ ଗବେଷଣାରେ ଆଗ୍ରହକୁ ପସନ୍ଦ କଲେ। ସେ ବାପାଙ୍କୁ କହିଲେ, ମୁଁ ଚାହିଁଲେ ତାଙ୍କ ସହ ବିଜ୍ଞାନରେ ଗବେଷଣା କରିପାରିବି। ବାପା ନିଖିଳ ଭାଇଙ୍କୁ ବହୁତ ଭଲ ପାଉଥିଲେ। ରାଜି ହେଲେ ଓ ମତେ ପଚାରିଲେ। ମୁଁ ସେତେବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ର. ସୁଶୀଳ କୁମାର ପଟ୍ଟନାୟକଙ୍କ ସହ ଗବେଷଣା ଓ ଉଦୟଗିରି କଲେଜରେ ପଢ଼ାଇବା ଆରମ୍ଭ କରିଥାଏ। ଏହା ବଦଳରେ ମୁଁ ଭୁବନେଶ୍ବରରେ ପ୍ରିୟ ନିଖିଳ ଭାଇଙ୍କ ସହ ଖୁସିରେ ବିଜ୍ଞାନ ଗବେଷଣା ଆରମ୍ଭ କଲି। ୧୯୮୭ ମସିହାର ଐତିହାସିକ ଭାରତ ଜନ ବିଜ୍ଞାନ ଯାତ୍ରା ମୋ ଜୀବନରେ ବିଜ୍ଞାନର ଏକ ଉଜ୍ୱଳ ନୂଆ ଆଶା ଉଦୟ କରିଦେଲା।’

ଆମେ ଫୁଲବାଣୀର ସବୁଠୁ ପୁରୁଣା ଓ ପ୍ରତିଷ୍ଠା ସଂପନ୍ନ ଏଜେଓ ହାଇସ୍କୁଲରେ ଆମର ଖବରକାଗଜ ତିଆରି କର୍ମଶାଳାଟିର ଆୟୋଜନ କଲୁ। ଏଜେଓର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପ୍ର ସାର ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପଚାଶରୁ ଅଧିକ ପିଲା ଏହି ରଚନାତ୍ମକ କର୍ମଶାଳାରେ ସକ୍ରିୟ ଭାବରେ ଭାଗ ନେଲେ। ସେମାନଙ୍କ ମଧ୍ୟରୁ ଅନେକେ ଥିଲେ ଆଦିବାସୀ ପିଲା। ବିଜ୍ଞାନ, ସାହିତ୍ୟ ଓ ସଂସ୍କୃତିକୁ ଆଧାର କରି ପିଲାଏ ଅତି ସୁନ୍ଦର ଭାବରେ କନା ଖବରକାଗଜଟିର ୩୦-୪୦ ପୃଷ୍ଠାକୁ ସଜାଇଲେ। ଏହାଥିଲା ଜାତୀୟ ଖବରକାଗଜଟିରେ ଓଡିଶାର ଆଦିବାସୀ ଇଲାକାରୁ ଏକ ବିଶେଷ ପ୍ରତିବେଦନ। ସମସ୍ତଙ୍କ ସହଯୋଗରେ ଏହି କର୍ମଶାଳାଟିକୁ ପରିଚାଳନା କରିବା ବି ମତେ ବେଶ୍ ଖୁସି ଆଣିଦେଲା। ସନ୍ଧ୍ୟାରେ ଆମେ ଗୀତାଞ୍ଜଳୀ ବୁକ୍ ଷ୍ଟୋର ନାମକ ଏକ ସ୍ଥାନୀୟ ବହି ଦୋକାନକୁ ଗଲୁ। ଏନବିଟିର ଓଡିଆ ଭାଷା ସଂପାଦକ ଥିଲାବେଳେ ମୁଁ ଏହି ବହି ଦୋକାନଟିକୁ ଆମର ତାଲିକାଭୁକ୍ତ କରିଥିଲି। ଏହି ବହି ଦୋକାନଟିର ମାଲିକ ଥିଲେ ସ୍ଥାନୀୟ ସରକାରୀ କଲେଜରେ ଜଣେ ଲାବୋରେଟରୀ ସହାୟକ। ସେ ଥିଲେ ବିପ୍ରସାରଙ୍କ ଛାତ୍ର।

ରାତିରେ ମୋର ଭୁବନେଶ୍ବର ଫେରିଯିବାର ଥିଲା। ସନ୍ଧ୍ୟାରେ ଦେଖିଲି, ବିପ୍ରସାର୍ ନିଜ ବାରଣ୍ଡାରେ ବସି ନିଜ ଚିରାଚରିତ ରୀତିରେ ସ୍ଥାନୀୟ ଗରିବ ଲୋକଙ୍କୁ ହୋମିଓପାଥି ଔଷଧ ଦେଉଥାଆନ୍ତି। ମୁଁ ପଚାରିଲି, ‘ସାର୍, ଆପଣ ହୋମିଓପାଥି ଚିକିତ୍ସା କରନ୍ତି?’

ବିପ୍ର ସାର୍ ହସିଦେଇ କହିଲେ, ‘ଏହି ବାଟରେ ମୁଁ ମୋ ଋଣ ସୁଝୁଛି।’

‘ଋଣ ସୁଝୁଛନ୍ତି’ ମୁଁ ଆଶ୍ଚର୍ଯ୍ୟ ହୋଇ ଅନେଇଲି।

‘ହଁ’, ସେ ହସିଦେଇ କହିଲେ। ‘ମୁଁ ଆହୁରି ଦୁଇଟି ଋଣ ବି ନିୟମିତ ସୁଝେ। ଚଉଠକରେ ଘର ଚଳାଏ।’

ପୁଣି ସେ କହିଲେ, ‘ହିନ୍ଦୁ ଜୀବନ ରୀତି ଅନୁଯାୟୀ ମୁଁ ଋଣ ସୁଝେ। ପ୍ରଥମଟି ‘ପିତୃ ଋଣ’, ମୋ ପୂର୍ବ ପୁରୁଷଙ୍କ ପ୍ରତି ମୋର ଦାୟିତ୍ୱ। ଦ୍ବିତୀୟଟି ‘ଭୂମି ଋଣ’, ମତେ ଜନ୍ମ ଦେଇଥିବା ମାଟି ପ୍ରତି ମୋର ଦାୟିତ୍ୱ। ତୃତୀୟଟି ‘ଦେବ ଋଣ’, ଯାହା ମାଗଣା ହୋମିଓପାଥି ଚିକିତ୍ସା ଆଦି ମାଧ୍ୟମରେ ମୁଁ ସୁଝେ।’

ସାର୍ ପୁଣି କହିଲେ,’ପିତୃ ଋଣ ମୁଁ ମୋ ଠାରୁ ବୟସ୍କ ଓ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ସମର୍ପଣ କରେ। ପିଲାଙ୍କୁ ହୃଦୟରୁ ଶିକ୍ଷା ଦେଇ ମୁଁ ଭୂମି ଋଣ ସୁଝାଏ।’

ବିପ୍ର ସାର୍ ନିଜର ସାରା ଜୀବନ ନୀରବ ଭାବରେ କନ୍ଧମାଳର ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ପିଲା ଓ ଲୋକଙ୍କ ସେବାରେ ହିଁ ଲଗାଇଥିଲେ। ସେ ଜୀବନରେ କେବେ ବି ଅର୍ଥ ଓ ପଦବୀ ପଛରେ ଗୋଡାଇ ନଥିଲେ। ସବୁବେଳେ ନିଜର ସହକର୍ମୀମାନଙ୍କୁ ବିଭିନ୍ନ ପଦପଦବୀରେ ବସାଇ ସେମାନଙ୍କ ସହିତ ଠିଆ ହେଉଥିଲେ। ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇ ସେ ମାଳର ସର୍ବାଙ୍ଗୀନ ବିକାଶ ଦିଗରେ ସବୁବେଳେ ସମର୍ପିତ ରହୁଥିଲେ। ଜୀବନରେ ସେ କେବେ ବି କୌଣସି ପୁରସ୍କାର ବା ସମ୍ମାନ ପାଇଁ ଆବେଦନ କରି ନଥିଲେ। ଏ ବର୍ଷ ଜାନୁଆରୀ ମାସ ୧୭ ତାରିଖ ବଡି ସକାଳେ ବିପ୍ର ସାର୍ ଆଖି ମୁଜିଲେ। କନ୍ଧମାଳର ମାଟିରେ ତାଙ୍କର ଷାଠିଏ ବର୍ଷର ସକ୍ରିୟ ରଚନାତ୍ମକ ଯାତ୍ରା ପୂର୍ଣ୍ଣ ହେଲା।

ବିପ୍ର ସାରଙ୍କର ନିଜର ଗାଡିଖଣ୍ଡେ ନଥିଲା। ରାତିରେ ଏକାଠି ଭୋଜନ କରିବା ପରେ ତାଙ୍କ ପୁଅ ବିଜୟ ନିଜ ସ୍କୁଟରରେ ମତେ ଆଣି ବସଷ୍ଟାଣ୍ଡରେ ଛାଡ଼ି ଦେଇଗଲେ।

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.