• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦରଦୀ ପ୍ରଶାସକ ପ୍ରଫୁଲ୍ଲ କୁମାର ଦାସ

ଦରଦୀ ପ୍ରଶାସକ ପ୍ରଫୁଲ୍ଲ କୁମାର ଦାସ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୭ ଜାନୁୟାରୀ ୨୦୨୩

୧୯୯୯ ମସିହା ଅକ୍ଟୋବର ୩୦ ଓ ୩୧ ତାରିଖର ମହାବାତ୍ୟା । ଓଡିଶାର ଜନଜୀବନକୁ ତାହା ଏକ ପ୍ରକାର ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା । ସେହି ପ୍ରାକୃତିକ ଦୁର୍ବିପାକ ସେତେବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନଗୁଡିକ କଥା ଦୂରେ ଥାଉ, ଏପରିକି ଖୋଦ୍ ରାଜଧାନୀ ଭୁବନେଶ୍ୱର ମହାନଗରୀର ଜନଜୀବନକୁ ଅନ୍ୟୁନ ପନ୍ଦର ଦିନ ପାଇଁ ସଂପୂର୍ଣ୍ଣ ଠପ୍ କରି ଦେଇଥିଲା । ବିନା ପାଣି, ବିଜୁଳି, ଖାଦ୍ୟପେୟ, ଟେଲି ଯୋଗାଯୋଗ ଓ ଗମନାଗମନରେ ରାଜଧାନୀବାସୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବାସହୀନ ବସ୍ତିବାସିନ୍ଦାମାନଙ୍କୁ ମୁକ୍ତାକାଶ ତଳେ କାଳତିପାତ କରିବାକୁ ହୋଇଥିଲା । ମହାବାତ୍ୟାରେ ୧୦ ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ବାସ୍ତବରେ ମୃତାହତଙ୍କ ସଂଖ୍ୟା ତା’ଠାରୁ ଯଥେଷ୍ଟ ଅଧିକ ଥିଲା । ଓଡିଶାର ଏଭଳି ବିକଳ ଚିତ୍ର ସେତେବେଳେ କେବଳ ଜାତୀୟ ସ୍ତରରେ ନୁହେଁ ପରନ୍ତୁ ଆନ୍ତର୍ଜାତିକ ସମୁଦାୟକୁ ଗଭୀର ଭାବରେ ଆନ୍ଦୋଳିତ କରିଥିଲା । ଫଳରେ ବିଭିନ୍ନ ସ୍ତରରୁ ସହାୟତାର ସୁଅ ଓଡ଼ିଶାକୁ ଛୁଟିବାରେ ଲାଗିଥିଲା । ସେହି ସନ୍ଧିକ୍ଷଣରେ ବିଦେଶୀ ସହାୟତା ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକମଧ୍ୟ ଓଡିଶାର ମହାବାତ୍ୟା ବିପନ୍ନ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । କାରଣ ଓଡ଼ିଶାର ଦୁର୍ଗତି ଅତ୍ୟନ୍ତ ଭୟଙ୍କର ଥିଲା ।

ତେବେ ସେହି ଦାରୁଣ ପରିସ୍ଥିତିରେ ଯେଉଁ ଟ୍ରେନଟି ରିଲିଫ୍ ସାମଗ୍ରୀ ଧରି ପ୍ରଥମେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲା, ତାହା ଥିଲା ଗୁଜରାଟ ରାଜ୍ୟର । ସେହି ରିଲିଫ୍ ଟ୍ରେନରେ ଗୁଜରାଟ ଶିଳ୍ପ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଦୁଇଜଣ ଓଡ଼ିଆ ଆଇଏଏସ୍ ଅଫିସର ମଧ୍ୟ ଭୁବନେଶ୍ୱର ଆସିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରେକ୍ଷାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ କ୍ୟାଡ଼ରର ସେହି ଦୁଇଜଣ ଓଡ଼ିଆ ଆଇଏଏସ ଅଫିସର ଯୋଗ ଦେଇଥିଲେ ଏବଂ ଗୁଜରାଟ ସରକାର ଟ୍ରେନରେ ପଠାଇଥିବା ରିଲିଫ ସାମଗ୍ରୀ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ଗଣମାଧ୍ୟମର ପ୍ରତିନିଧି ଭାବରେ ମୁଁ ସେହି ସାମ୍ବାଦିକ ସମ୍ମିଳନୀର ଟିକିନିଖି ତଥ୍ୟ ପ୍ରସାରଣ କରିଥିଲି । ତେବେ ସେହି ସାମ୍ବାଦିକ ସମ୍ମିଳନୀ ଆନୁଷ୍ଠାନିକ ଭାବରେ ସମାପ୍ତ ହେବାପରେ ମୁଁ ଗୁଜରାଟ କ୍ୟାଡ଼ରର ସେହି ଦୁଇ ଯୁବ ଓଡିଆ ଆଇଏଏସ ଅଫିସରଙ୍କ ନିକଟକୁ ଯାଇ ପ୍ରଫୁଲ୍ଲ କୁମାର ଦାସଙ୍କ ବିଷୟରେ ଜାଣିବାକୁ ଚାହିଁଥିଲି । ମାତ୍ର ଆପଣ ପ୍ରଫୁଲ୍ଲ ସାରଙ୍କୁ କିପରି ଜାଣନ୍ତି ବୋଲି ସେମାନେ ମୋତେ ପଚାରିଥିଲେ । ପ୍ରତ୍ୟୁତ୍ତରରେ ସେ ମୋର ମାମୁଁ ବୋଲି ପରିଚୟ ଦେଇଥିଲି । ଆନନ୍ଦରେ ସେହି ଅଫିସରଦ୍ୱୟ ମୋତେ କୁଣ୍ଢାଇ ପକାଇଥିଲେ । ସେମାନେ କହିଲେ, ପ୍ରଫୁଲ୍ଲ ସାରଙ୍କ ଆନ୍ତରିକତା, ନିଷ୍ଠା ଓ ବ୍ୟକ୍ତିଗତ ପ୍ରଚେଷ୍ଟା ଯେଉଁ ଏତେ ଶୀଘ୍ର ବିପୁଳ ପରିମାଣର ରିଲିଫ ସାମଗ୍ରୀ ଟ୍ରେନ ଯୋଗେ ଭୁବନେଶ୍ୱର ଆସିବା ସମ୍ଭବ ହୋଇଛି । ପ୍ରଫୁଲ୍ଲ ସାର ଏବେ ଗୁଜରାଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀରେ ଅଛନ୍ତି ଏବଂ ତାଙ୍କ ଅଧୀନରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ରହିଛି । ସ୍ୱାସ୍ଥ୍ୟଗତ କାରଣରୁ ସେ ବର୍ତ୍ତମାନ ଛୁଟିରେ ଅଛନ୍ତି । କାରଣ ଆମେରିକାରେ ଅସ୍ତ୍ରୋପଚାର ପରେ ପ୍ରଫୁଲ୍ଲ ସାର ନିକଟରେ ଗାନ୍ଧୀ ନଗର ଫେରିଛନ୍ତି । କିନ୍ତୁ ମହାବାତ୍ୟା ଖବର ପାଇବା ପରେ ସେ ଛୁଟିରେ ଥାଇ ସୁଦ୍ଧା ରିଲିଫ ସାମଗ୍ରୀ ଯୋଗାଡ଼ କରି ଟ୍ରେନକୁ ପତାକା ହଲାଇ ଭୁବନେଶ୍ୱର ପଠାଇଛନ୍ତି । ଏହି କଥା ଶୁଣିବା ପରେ ମୋ ଆଖିରେ ଲୁହ ଜକେଇ ଆସିଥିଲା । ମୁଁ ଭାବୁଥିଲି ନିଜର ଅସୁସ୍ଥତାକୁ ଭ୍ରୁକ୍ଷେପ ନକରି ବିପନ୍ନ ଓଡ଼ିଶାବାସୀଙ୍କ ନିକଟରେ ତୁରନ୍ତ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ମାମୁଁଙ୍କୁ କେତେ କଷ୍ଟ ସ୍ୱୀକାର କରିବାକୁ ପଡିଥିବ । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଗୁଜରାଟରେ ଅବସ୍ଥାନ କରିବା ପରେ ମଧ୍ୟ ମାଯି ପ୍ରତି ତାଙ୍କର ପ୍ରଚଣ୍ଡ ମମତ୍ୱବୋଧ ଓ ବିପନ୍ନ ଲୋକଙ୍କ ପ୍ରତି ତାଙ୍କର ଦରଦ ମୋତେ ସ୍ତବ୍ଧ କରିଥିଲା ।

ପ୍ରଫୁଲ୍ଲ କୁମାର ଦାସ ଥିଲେ ମୋର ବଡ଼ବୋଉ ଅର୍ଥାତ୍ ବଡ଼ବାପା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ପତ୍ନୀ ହରପ୍ରିୟା ମହାପାତ୍ରଙ୍କ ସାନ ଭାଇ । ସେହି ଦୃଷ୍ଟିରୁ ସେ ଥିଲେ ମୋର ମାମୁଁ । ମୋ ବଡ଼ବୋଉ ତାଙ୍କୁ ଶ୍ରଦ୍ଧାରେ ମୁନୁବାବୁ ବୋଲି ଡାକୁଥିଲେ । ତେଣୁ ଆମେ ପିଲାମାନେ ତାଙ୍କୁ ମୁନୁ ମାମୁଁ ବୋଲି ସମ୍ବୋଧନ କରୁଥିଲୁ । ମୁନୁ ମାମୁଁ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ଆହ୍ଲାବାଦରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ବା ଏମ.ଏ. ପାଶ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ବି.ଜେ.ବି. କଲେଜରେ କିଛି ସମୟ ପାଇଁ ଅଧ୍ୟାପକ ଚାକିରୀରେ ଯୋଗ ଦେଇଥିଲେ । ତା’ପରେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଚାକିରୀରେ ଯୋଗ ଦେଇଥିଲେ । ୧୯୬୫ ମସିହାରେ ସେ ଆଇଏଏସ ପାଇବା ବେଳକୁ ମୁଁ ଚତୁର୍ଥ ବା ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲି । ଗୁଜରାଟ କ୍ୟାଡ଼ରର ଆଇଏଏସ ଅଫିସର ହୋଇଥିବା ଯୋଗୁଁ ମୁନୁ ମାମୁଁ ତାଙ୍କ ଚାକିରୀ କାଳରେ ଚାରି/ପାଞ୍ଚ ବର୍ଷ ବ୍ୟବଧାନରେ ଓଡ଼ିଶା ଆସୁୁଥିଲେ । ତେବେ ସେ ଓଡ଼ିଶା ଆସିବା ମାତ୍ରେ ଆଇ (ତାଙ୍କ ବୋଉ)ଙ୍କୁ ଦେଖିବା ପାଇଁ ପ୍ରଥମେ ସେ ନିଜ ଜନ୍ମ ସ୍ଥାନ ସୁନ୍ଦରଗଡ଼ ସହର ଅନ୍ତର୍ଗତ ମହାନ୍ତିପଡ଼ାସ୍ଥିତ ଆବାସସ୍ଥଳକୁ ଯାଉଥିଲେ ଏବଂ ପରବର୍ତ୍ତୀ କାଳରେ ତାଙ୍କର ୧୩ ଭାଇଭଉଣୀଙ୍କୁ ସାକ୍ଷାତ କରୁଥିଲେ । ଅଜା ଡାକ୍ତର ନିରଞ୍ଜନ ଦାସ ସୁନ୍ଦରଗଡ଼ ରାଜାଙ୍କର ମୁଖ୍ୟ ଚିକିତ୍ସକ ଥିଲେ । ରାଜାରାଜୁଡ଼ା ଶାସନର ଅବସାନ ପରେ ସେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସକ ପଦରୁ ଅବସର ନେଇଥିଲେ । ମୁନୁ ମାମୁଁ ଯେତେବେଳେ କିଛି ବର୍ଷର ବ୍ୟବଧାନରେ ସୁଦୂର ଗୁଜରାଟରୁ ମୋର ବଡ଼ବାପା ନିତ୍ୟାନନ୍ଦ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସୁଥିଲେ, ସେତେବେଳେ ଆମ ଘରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହେଉଥିଲା ।

ଭୁବନେଶ୍ୱରରେ ମୁନୁ ମାମୁଁଙ୍କର ସ୍ୱଳ୍ପକାଳୀନ ରହଣୀ ସମୟରେ ତାଙ୍କର ସହପାଠୀ ପୂର୍ବତନ ଆଇଏଏସ୍‌ ଅଫିସର ପ୍ୟାରୀ ମୋହନ ମହାପାତ୍ର, ଆର. କେ. ଭୁଜବଳ, ଅମୂଲ୍ୟ ରତ୍ନ ନନ୍ଦ, ସହଦେବ ସାହୁ ପ୍ରଭୃତିଙ୍କ ସହିତ ତାଙ୍କର ସାକ୍ଷାତ ଆଲୋଚନା ହେଉଥିଲା । ସେତେବେଳେ ସେମାନଙ୍କର ନିଜ ନିଜ ଭିତରେ ଏବଂ କେତେକ ସମୟରେ, ବଡ଼ବାପା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ସହିତ ଗମ୍ଭୀର ପ୍ରସଙ୍ଗ ଗୁଡ଼ିକ ସଂପର୍କରେ କଥାବାର୍ତ୍ତା କରୁଥିଲେ, ମାତ୍ର ଛୋଟ ପିଲା ହିସାବରେ ମୁଁ ସେହି ସବୁ ଆଲୋଚନାକୁ ବୁଝିବା ପାଇଁ ଅସମର୍ଥ ଥିଲି । ତେବେ ମୋର କୋମଳ ମନରେ ଯେଉଁ ଗୋଟିଏ ଦୁଇଟି କଥୋପକଥନ ଗଭୀର ରେଖାପାତ କରିଥିଲା, ମୁନୁ ମାମୁଁଙ୍କ ସ୍ମୃତି ପ୍ରତି ଅର୍ଘ୍ୟ ସୂରୂପ ତାହା ମୁଁ ଏଠାରେ ଅବତାରଣା କରୁଛି ।

ଗୁଜରାଟ ରାଜ୍ୟର ଆଇଏଏସ ଅଫିସରମାନଙ୍କ କର୍ମ ସଂସ୍କୃତି ଓଡ଼ିଶା ଠାରୁ କିଭଳି ଭିନ୍ନ ବୋଲି ବନ୍ଧୁମାନଙ୍କ ପ୍ରଶ୍ନର ଉତ୍ତରରେ ମୁନୁ ମାମୁଁ କହୁଥିଲେ । ଆମେମାନେ (ଗୁଜୁରାଟ କ୍ୟାଡ଼ରର ଆଇଏଏସ ଅଫିସରମାନେ) ଯେତେବେଳେ ବିଭାଗୀୟ କାମରେ ଦିଲ୍ଲୀ ଗସ୍ତକରୁ ସେତେବେଳେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଥାଏ । ଅନ୍ୟ ବିଭାଗର ଯେଉଁ କାମ ଗୁଡ଼ିକ ଦିଲ୍ଲୀ ଦରବାରରେ ଅଟକି ରହିଥାଏ ତାହା ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଥାଆନ୍ତି । ଫଳରେ ଗୋଟିଏ ଖର୍ଚ୍ଚରେ ବହୁବିଧ କାର୍ଯ୍ୟ ସଂପନ୍ନ ହୋଇଥାଏ, ଯାହାକି ଗୁଜରାଟ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକର କ୍ରିୟାନ୍ୱୟନରେ ସାହାଯ୍ୟ କରିଥାଏ । କିନ୍ତୁ ଓଡ଼ିଶାରେ ତା’ର ବିପରୀତ କାର୍ଯ୍ୟ ହୋଇଥାଏ । ଅର୍ଥାତ ସରକାରୀ ଖର୍ଚ୍ଚରେ ଅଫିସର ମାନେ ଦିଲ୍ଲୀ ଗସ୍ତ କରି ସେମାନଙ୍କ ଘରୋଇ କାମ ସମାପନ କରିଥାଆନ୍ତି । ସେଥିପାଇଁ ଓଡ଼ିଶାର ଅନେକ କାମ ଦିଲ୍ଲୀ ଦରବାରରେ ସଂପନ୍ନ ହେବା ପାଇଁ ସ୍ୱଭାବିକ ଭାବେ ଅହେତୁକ ବିଳମ୍ବ ଘଟିଥାଏ ।

ସେହିପରି ଆଉ ଗୋଟିଏ ଉତ୍ସାହପ୍ରଦ ପ୍ରସଂଗ ହେଉଛି, ବିଦ୍ୟୁତ ସଂସ୍କାର ଘଟଣା । ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠିକି ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ରୂପାୟିତ ହୋଇଛି । କିନ୍ତୁ ଏହି ସଂସ୍କାର କାର୍ଯ୍ୟକ୍ରମରୁ ରାଜ୍ୟବାସୀଙ୍କୁ ଆଶାନୁରୂପ ସୁଫଳ ମିଳିନାହିଁ । କିନ୍ତୁ ଗୁଜରାଟ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇଛି । ଏହାର କାରଣ କ’ଣ ବୋଲି ଥରେ ସାଂଗମାନେ ମୁନୁମାମୁଁଙ୍କୁ ପଚାରିଥିଲେ । ଫଳରେ ମୁନୁମାମୁଁ ସେମାନଙ୍କୁ ତାଙ୍କ ସ୍ୱଭାବସୁଲଭ ଗୁଣରେ ସଂକ୍ଷିପ୍ତ ଉତ୍ତରଟିଏ ଦେଇଥିଲେ । ସେ ଦର୍ଶାଇଥିଲେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପ୍ରତି ଅଗ୍ରାଧିକାର ଦେଇ ଗୁଜରାଟରେ ବିଦ୍ୟୁତ ସଂସ୍କାର ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଓଡ଼ିଶାରେ ରୂପାୟନକାରୀ ସଂସ୍ଥାର ସ୍ୱାର୍ଥକୁ ଦୃଷ୍ଟି ଦେଇ ସଂସ୍କାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ତହିଁରୁ ଆବଶ୍ୟକ ସୁଫଳ ମିଳିପାରୁନାହିଁ । ଉପରୋକ୍ତ ଦୁଇଟି ପ୍ରସଂଗରେ ମୁନୁ ମାମୁଁଙ୍କ ଅଭିବ୍ୟକ୍ତି ଆଜି ମଧ୍ୟ ଓଡ଼ିଶା ପାଇଁ ଯଥେଷ୍ଟ ପ୍ରାସଂଗିକ ବୋଲି ମୁଁ ବିଚାର କରୁଛି ।

ମୁନୁ ମାମୁଁ ଓରଫ ପ୍ରଫୁଲ୍ଲ କୁମାର ଦାସ ଜଣେ କର୍ତ୍ତବ୍ୟନିଷ୍ଠ, ଦକ୍ଷ ତଥା ସଚ୍ଚୋଟ ପ୍ରଶାସକ ଥିଲେ । ଅନ୍ୟପକ୍ଷରେ ସେ ମଧ୍ୟ ଜଣେ ବନ୍ଧୁ ବତ୍ସଳ, ସ୍ନେହୀ, ପରୋପକାରୀ, ଦରଦୀ ତଥା ଅହଙ୍କାରଶୂନ୍ୟ ମଣିଷ ଥିଲେ । ସେଥିପାଇଁ ସମ୍ଭବତଃ ସେ ସମସ୍ତଙ୍କର ଅତି ଆଦରଣୀୟ ହୋଇ ପାରିଥିଲେ । ଆଦିବାସୀ ଅଧ୍ୟୁଷିତ ଅନଗ୍ରସର ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରଥମ ଆଇଏଏସ ଅଫିସର ଜଣକ ଚାକିରୀରୁ ଅବସର ନେବା ପରେ ଗୁଜରାଟ ସରକାର ତାଙ୍କୁ କିଛି ବର୍ଷ ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡ଼ର ଉପଦେଷ୍ଟା ଭାବରେ ନିଯୁକ୍ତି ଦେଇଥିଲେ । ତାଙ୍କ ମାର୍ଗଦର୍ଶନରେ ଗୁଜରାଟ ବିଦ୍ୟୁତ ବୋର୍ଡ଼ ବେଶ ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଥିଲା । ଏହା ପରେ ତାଙ୍କର ଉଜ୍ୱଳ ନିରପେକ୍ଷ ଭାବମୂର୍ତ୍ତି ପ୍ରତି ଦୃଷ୍ଟି ଦେଇ ଗୁଜରାଟ ସରକାର ମୁନୁ ମାମୁଁଙ୍କୁ ସେହି ରାଜ୍ୟର ପ୍ରଥମ ମୁଖ୍ୟ ସୂଚନା କମିଶନର ପଦବୀରେ ଅବସ୍ଥାପିତ କରିଥିଲେ । ଏଥିରୁ ଗୁଜରାଟ ପ୍ରଶାସନ ଓ ଗୁଜରାଟ ବାସୀଙ୍କ ନିକଟରେ ସେ କେତେ ଲୋକପ୍ରିୟ ଥିଲେ ତା’ର ସ୍ପଷ୍ଟ ପ୍ରମାଣ ମିଳେ ।

୨୦୨୩ ଜାନୁଆରୀ ୬ ତାରିଖ ଦିନ ୮୨ ବର୍ଷ ବୟସରେ ମୁନୁ ମାମୁଁଙ୍କର ଗାନ୍ଧୀନଗରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.