• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳର ପର୍ଯ୍ୟଟନ ଭିତ୍ତି ଭୂମିରେ ସାଂସ୍କୃତିକ ସମନ୍ୱୟ ବାଦର ପ୍ରତୀକ “ସିଦ୍ଧ ସାଧକ ବ୍ରହ୍ମଦର୍ଶୀ ସନ୍ଥ ଅରକ୍ଷୀତ”: ଏକ ତାତ୍ତ୍ୱିକ ଅନୁଶୀଳନ

ଉତ୍କଳର ପର୍ଯ୍ୟଟନ ଭିତ୍ତି ଭୂମିରେ ସାଂସ୍କୃତିକ ସମନ୍ୱୟ ବାଦର ପ୍ରତୀକ “ସିଦ୍ଧ ସାଧକ ବ୍ରହ୍ମଦର୍ଶୀ ସନ୍ଥ ଅରକ୍ଷୀତ”: ଏକ ତାତ୍ତ୍ୱିକ ଅନୁଶୀଳନ
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୧୮ ଜାନୁଆରୀ ୨୦୨୩

ପଞ୍ଚଭୂତରେ ଗଢ଼ା ଏଇ ବିଶ୍ଵଜୀବନ ପାଇଁ ପ୍ରକୃତି ହେଉଛି ମୂଳଉତ୍ସ । ଅନ୍ୟଜୀବମାନଙ୍କ ଠାରୁ ପ୍ରକୃତିକୁ ଚିହ୍ନି ପାରିଥିବା ମଣିଷ ଏକ ଚେତନଶୀଳ ପ୍ରାଣି । ରାଜସ, ତାମସ ଓ ସାତ୍ଵିକ ଗୁଣରେ ପରିପୂର୍ଣ୍ଣ ଏଇ ପ୍ରକୃତି ସାରା ପୃଥିବୀର ପ୍ରାଣୀ ଦେହକୁ ଆବୋରି ବସିଛି । ଏହାର ଅଧୀନ ହୋଇ ଜୀବଟିଏ ଯେଉଁ ପ୍ରକୃତିର ଅଧିକାରୀ କର୍ମସଂପାଦାନରେ ଠିକ ସେହି ପ୍ରକାରର କର୍ମ କରୁଛି । ପୁଣି ମାୟା ନାମକ ମହାଶକ୍ତିଟିଏ ତମାମ ବିଶ୍ଵପ୍ରାଣକୁ ଜାବୁଡ଼ି ଧରିଛି । ଏହି ମାୟାର କ୍ରୀତଦାସ ହୋଇ ମଣିଷ ସବୁ ପ୍ରାଣୀଙ୍କ ଠାରୁ ଶିଖିବାର, ବୁଝିବାରେ ଅଲଗା ହୋଇଥିଲେ ବି ସେଥିରେ ଆଚ୍ଛନ୍ନ । ତେବେ ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ସଚେତନ ମଣିଷ ଏହି ମାୟା ଓ ତ୍ରାଗୁଣର ବନ୍ଧନକୁ ସଂପୂର୍ଣ୍ଣ ରୂପେ ବୁଝେ । ଏଇ ସଚେତନତା ଗୁଣ ପାଇଁ ସାରା ବିଶ୍ଵ ପରିଚାଳନାର ଦାୟିତ୍ଵ ଏବେ ମଣିଷର ହାତରେ |

ଓଳାଶୁଣୀର ସନ୍ଥ ଅରକ୍ଷିତ ଦାସ ସେଇ ମାୟାନ ଅନ୍ଧକାରକୁ ହଟାଇ ଦେଇ ସେଠାରେ ଏକ ଦିବ୍ୟ ଆଲୋକକୁ ଜଳାଇ ଦେଇଛନ୍ତି । ଶହଶହ ବର୍ଷ ଧରି ଏଠାରେ ସେହି ଦିବ୍ୟ ଆଲୋକ ଜଳୁଛି । ସନ୍ଥ ଅରକ୍ଷୀତ ଆଜି ନାହାନ୍ତି । ମାତ୍ର ଭକ୍ତି ଓ ଧର୍ମ ଧାରାର ବିପ୍ଳବ ଭୂମି ଏଇ ଓଳାଶୁଣୀ ଗୁମ୍ଫା ପାହାଡ଼ ସେଇ ଆଲୋକକୁ ଜଳାଇ ଚାଲିଛି ଦୀର୍ଘ ସମୟ ଧରି । ପ୍ରତିବର୍ଷ ମାଘ କୃଷ୍ଣ ଏକାଦଶୀ ତିଥିରେ ସହ ସହ ମଣିଷ ଏଠାକୁ ଆସି ସେହି ଆଲୋକରେ ଆଲୋକିତ ହୋଇ ଓ ପୂତପବିତ୍ର ହୋଇ ଫେରିଯାଆନ୍ତି ।

ଭକ୍ତି ଓ ଧର୍ମର ଉନ୍ମେଷ ପାଇଁ ସନ୍ଥ ଅରକ୍ଷୀତ ଦର୍ଶନ ଏକ ବୈପ୍ଲବିକ ସଂସ୍କାର । ସେତେବେଳେ ସମାଜରେ ଉଗ୍ର ରକ୍ଷଣଶୀଳତାର ପ୍ରଭାବ ଓ ପ୍ରଭାବଶାଳୀ ବ୍ରାହ୍ମଣମାନଙ୍କ ଆଧିପତ୍ୟ ସମାଜକୁ ଜାତି, ବର୍ଣ୍ଣ ଓ ଧର୍ମର ବିଭେଦରେ ବିବାଦ ପୂର୍ଣ କରିଥିଲା । ପୁଣି କୃର ସାଧନାରେ ସିଦ୍ଧିଲାଭ କରିଥିବା ମନ୍ତ୍ରଯନ୍ତ୍ର ଓ ତନ୍ତ୍ରର ଚମତ୍କାରିତାରେ ଉତ୍ତୀର୍ଣ ମଣିଷ ସାଧାରଣ ମଣିଷର ସରଳ ମନକୁ ଏକ ଭୌତିକ ପ୍ରଭାବ ପଛରେ ଧାବିତ କରିବା ପାଇଁ ଅପଚେଷ୍ଟା ଚଳାଇଥିଲା । ଯାହା ଫଳରେ ସମାଜର ମଣିଷଟିଏ ସାମାଜିକ ସ୍ନେହ ଓ ସଦ୍ ଭାବର ବନ୍ଧନରୁ ବିଚ୍ୟୁତହୋଇ ବିପଥ ଗାମୀ ହୋଇ ପଡ଼ୁଥିଲା । ନାନା କୁ ପ୍ରଭାବ ଉପରେ ବିଶ୍ଵାସ କରି ଅପସଂସ୍କାର ପଛରେ ଯାତ୍ରା ଆରମ୍ଭ କରିଥିବା ମଣିଷ ଧୀରେ ଧୀରେ ସମାଜର ଧର୍ମକୁ ଭୁଲିକି ପ୍ରଭାବର ପରାମର୍ଶକୁ ଶ୍ରେୟ ମଣୁଥିଲା ଓ ସେହି ପଥରେ ଚାଲିଥିଲା । ଏହା ସମାଜ ପାଇଁ ଏକ ଦୁଃଖ ଓ ଦୂର୍ଘଟଣା ବୋଳି ହିଁ କହିବାକୁ ହେବ । ଏହି ଦୁଃସମୟରୁ ସଂସାରକୁ ରକ୍ଷା କରିବାକୁ ଈଶ୍ୱରଙ୍କ ଇଚ୍ଛାରେ ଏକ ପୁଣ୍ୟଆତ୍ମା ଅବତରଣ କରେ । ସେହି ଶୂନ୍ୟ ପୁରୁଷ ଶୂନ୍ୟ ଦେହୀରୁ ରୂପ ପରିଗ୍ରହ କରି ଏମିତି ଅପରିଚ୍ଛନ୍ନ ସମୟକୁ ପରିଚ୍ଛନ୍ନ କରିବାକୁ ସନ୍ଥ ଅରକ୍ଷୀତ ଜନ୍ମ ଲାଭ କରିଥିଲେ । ତତ୍‌କାଳୀନ ବଡ଼ଖେମୁଣ୍ଡିର ରାଜା ପଦ୍ମନାଭ ମଣୀ ଦେବ ଓ ରାଣୀ ମୁକୁତା ଦେବୀଙ୍କର ଔରଷରୁ ଜନ୍ମ ଲାଭ କରିଥିବା ସନ୍ତାନ ପରବର୍ତ୍ତୀ କାଳରେ “ଉତ୍କଳର ବୁଦ୍ଧ” ନାମରେ ପରିଚିତ ହୋଇ ସମଗ୍ର ମାନବ ସମାଜର ତ୍ରାଣ କର୍ତା ରୂପେ ଅଭିହିତ ହେଲେ ।

ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ରାଜଦରବାର ର ରାଜପୁତ୍ର ବଳପ୍ରଦ ଦେବ ରୂପେ ବ୍ରହ୍ମଦର୍ଶୀ “ସନ୍ଥ ଅରକ୍ଷୀତ ଦାସ” ୧୭୭୨ ଖ୍ରୀଷ୍ଟାବ୍ଦରେ ଜନ୍ମଲାଭ କରି ୧୮ ବର୍ଷ ବୟସରେ ସଂସାର ତ୍ୟାଗ କରି ଚାଲିଆସିଥିଲେ । ଏ ସଂପର୍କରେ ଡ଼କ୍ଟର ମାୟାଧର ମାନସିଂହଙ୍କର ଅଭିମତ ପ୍ରଣିଧ୍ୟାନ ଯୋଗ୍ୟ ବୋଲି ବିବେଚନା କରାଯାଇପାରେ “ମହୀମଣ୍ଡଳ ଗୀତା”ର ପ୍ରଥମ ମୁଦ୍ରଣ ପୃଷ୍ଠା ୮/୯କୁ ଦୁଷ୍ଟବ୍ୟ ଭାବରେ ଗ୍ରହଣ କରାଯାଇପାରେ । କିନ୍ତୁ ମହନ୍ତ ଲଚ୍ଛମନ ଦାସଙ୍କ ମତକୁ ଯଦି ଗ୍ରହଣ କରାଯାଏ ତେବେ ମହାପୁରୁଷ ସନ୍ଥ ଅରକ୍ଷୀତ ଦାସ ୧୭ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ ବୋଲି ଅନୁମାନ କରାଯାଏ ଏବଂ ଏକ ବର୍ଷ କାଳ ବଣଜଙ୍ଗଲରେ ବୁଲି ସତ୍ୟ ଉପଲବ୍ଧି ସହିତ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରାଇ ପରମବ୍ରହ୍ମ ସଂପର୍କରେ ଅବଗତ ହୋଇଥିଲେ । “ମହାମଣ୍ଡଳ ଗୀତା” ର ପୃଷ୍ଠା ୧୮କୁ ଗ୍ରହଣ ଯୋଗ୍ୟକୁ ନିଆଯାଇପାରେ । କାମିନା – କାଞ୍ଚନ କିମ୍ବା ରାଜ କ୍ଷମତାର ମୋହ ତାଙ୍କୁ ପରିବାର ମଧ୍ୟରେ ବାନ୍ଧି ରଖି ପାରିଲା ନାହିଁ । ସଂସାରର ମାୟାକୁ ଭାଙ୍ଗି ସେ ଅରଣ୍ୟ ପଥରେ ଅଦୃଶ୍ୟ ହୋଇଗଲେ । ଓଡ଼ିଶାର ପ୍ରମୁଖ ଜଙ୍ଗଲ ପାହାଡ଼ରେ ବୁଲିବୁଲି ସେ ସରଳ, ନିରୀହ ଓ ନିକାଞ୍ଚନ ପରିବେଶରେ ସେହି ନିରାମୟ ଶୂନ୍ୟ ପୁରୁଷକୁ ଖୋଜିଲେ । ଏହି ସମୟ ମଧ୍ୟରେ ସେ କେବଳ ଜଳ ପବନକୁ ଗ୍ରହଣ କରି ବଞ୍ଚୁଥିଲେ । ମନର ଆଶା ଓ ଆବେଗ ବ୍ରହ୍ମଙ୍କ ସ୍ଵରୂପକୁ ଅନ୍ଵେଷଣ ପାଇଁ ତନ୍ନତନ୍ନ କରି ଖୋଜୁଥିଲା ବେଳେ ଜୀବନ ସହ ଜଳ ଓ ପବନର ସମ୍ବନ୍ଧକୁ ସେ ବୁଝିପାରିଲେ । ସେଥିପାଇଁ ଭାଗବତରେ ଲେଖାଅଛି “ଜଳ ପବନ ଲାଗି ଦେହ, ଏଣୁ ଅଧିକ ଥିଲେ କହ”, ଜୀବନର ଭିତରକୁ ଓ ବାହାରକୁ ଗତାଗତ କରୁଥିବା ଏହି ଜଳ ପବନ ଯେ ଜୀବନ ଧାରଣ ମୂଖ୍ୟ ଉପାଦାନ ତାହା ସେ ଉପଲବ୍ଧି କରିପାରିଲେ । ତେଣୁ ଯୋଗ ସାଧନା କରି ସେ ଜଳ ଓ ପବନ ସହିତ ପଞ୍ଚଭୂତକୁ ଆୟତ କରି ପାରିଥିଲେ । ପଞ୍ଚଭୂତ ଏହି ବିଶ୍ଵ ପ୍ରକୃତିର ଜନ୍ମଦାତା ଓ କର୍ମ ନିୟନ୍ତା । ଏହାକୁ ସାଧନାରେ ଆୟତ କରି ପାରିବାର ସାମର୍ଥ୍ୟକୁ ହିଁ ସର୍ବ ଶକ୍ତିମାନ କୁହାଯାଏ । ସାଧନା ବଳରେ ସର୍ବ ଶକ୍ତିମାନ ହେଲାପରେ ଜୀବ ଜଗତର କାହାରି ପାଖରେ ସଂଜମତା ଓ ଧୈର୍ଯ୍ୟରେ ହାରିଯିବାରପାତ୍ର ହୋଇ ସେ ଆଉ ରହିଲେ ନାହିଁ । ଦୀର୍ଘସାଧନା ପଥରେ ଉପୁଜୁଥିବା ବାଧା, ବନ୍ଧନ, ଯନ୍ତ୍ରଣା ଓ କେଶକୁ ସେ ଶରୀରରେ ଶୂନ୍ୟ ସାଧନା କରି ଅତିକ୍ରମ କରି ଯାଉଥିଲେ । ଜଣେ ସାତ୍ଵିକ ପ୍ରାଣର ସଂଜମି ମଣିଷପାଇଁ ଦିବ୍ୟ ବୋଧ ଓ ଦିବ୍ୟ ଲାଭ ଧିରେ ଧୂରେ ପ୍ରାପ୍ତହୁଏ | ତାହା ହିଁ ତାଙ୍କ ସାଧନାରେ ତାଙ୍କୁ ମିଳିଥିଲା । ଖଣ୍ଡଗିରି ଗୁମ୍ଫାରେ ବସି ସାଧନା କରିବା କାଳରେ ସେ ସର୍ବଶକ୍ତିମାନ ହୋଇସାରିଥିଲେ ଓ ସାରା ବିଶ୍ୱର ଗତିବିଧିକୁ ସେ ତାଙ୍କ ନଖ ଦର୍ପଣରେ ଦେଖୁଥିଲେ । ସେଇଠାରେ ସେ ନିଜ ସାଧନା ଲବ୍ଧ ଜ୍ଞାନରୁ ଆରମ୍ଭ କଲେ “ମହୀମଣ୍ଡଳ ଗୀତା” ର ବିଷୟବସ୍ତୁ |

ତା’ପରେ ସେ ନାନା ତୀର୍ଥ ବୁଲି ଦେବତାମାନଙ୍କ ଭିତରୁ ସେମାନଙ୍କର ଅନ୍ତର୍ନିହୀତ ଦେବତ୍ୱକୁ ଖୋଜିବାକୁ ଲାଗିଲେ, କିନ୍ତୁ ତାହା ତାଙ୍କୁ ମିଳିଲା ନାହିଁ । କାଷ୍ଠ, ପାଷାଣ ଅବା ଧାତୁରେ ନିର୍ମିତ ପ୍ରତୀମା କେବଳ ଦେବ ଲୀଳାର ଆଧ୍ୟାତ୍ମିକ ପ୍ରତୀକ ପ୍ରବାହ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେ ଉପଲବ୍ଧି କଲେ । ଶୂନ୍ୟ ସାଧନାର ଶୂନ୍ୟସାଧକ ସନ୍ଥ ଅରକ୍ଷିତ ସେହି ଶୂନ୍ୟ ଦେହୀର ନିର୍ଦେଶରେ ଓଳାଶୁଣିକୁ ଚାଲି ଆସିଲେ । ଓଳାଶୁଣୀ ପାହାଡ଼ ସେତେବେଳେ ଅବିଭକ୍ତ କଟକ ଜିଲ୍ଲାର ବୌଦ୍ଧ ବିହାର, ଲଳିତ ଗିରି, ଉଦୟଗିରି ଓ ରତ୍ନଗିରିର ବୌଦ୍ଧ ପ୍ରଭାବରେ ପ୍ରଭାବିତ ହୋଇଥିଲା । ପବିତ୍ର ଅହିଂସାର ବୌଦ୍ଧ ଧର୍ମ ସେତେବେଳେ ବିଭକ୍ତ ହୋଇ ମହାବଜ୍ରଯାନ ହୋଇ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ର ସାଧନାର ପୀଠ ପାଲଟିଥିଲା ଓ ହିଂସାକୁ ଗ୍ରହଣକରି ସାରିଥିଲା । ଏହି ପାହାଡ଼ର ଅଧିଷ୍ଟାତ୍ରୀ ଦେବୀ ଓଳାଶୁଣୀ ସେତେବେଳେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ର ପ୍ରଭାବରେ ପ୍ରଭାବିତ ଉଗ୍ର ଚଣ୍ଡି ରୂପରେ ପ୍ରଭାବଶାଳୀ । ସନ୍ଥ ଅରକ୍ଷୀତଙ୍କୁ ଏହି ପାହାଡ଼ରେ ଦେବୀ ଆଶ୍ରୟ ଦେବାକୁ ଅନିଚ୍ଛା ପ୍ରକାଶ କରନ୍ତେ ସେ ଏହି ପାହାଡ଼ର ସତ୍ଵାଧିକାରୀ କେନ୍ଦ୍ରାପଡ଼ାର ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କଠାରୁ ଦାନ ସୂତ୍ରରେ ଏହି ସ୍ଥାନର ଅଧିକାର ହାସଲ କଲେ । ଫଳରେ ଉକ୍ତ ପାହାଡ଼ର କର୍ତ୍ତା ଭାବରେ ସେ ସେଠାରେ ନିରାମୟ ଶୂନ୍ୟ ସାଧନା ଆରମ୍ଭ କଲେ । ଏକ ସାତ୍ଵିକ ସାଧକର ଅପ୍ରତିହତ ଶକ୍ତି ପାଖରେ ଦେବୀ ଓଳାଶୁଣୀ ନିଷ୍ପ୍ରଭ ହେବାରୁ ଅରକ୍ଷୀତଙ୍କ ନିର୍ଦ୍ଦେଶରେ ତାଙ୍କୁ ପାହାଡ଼ର ପାଦ ଦେଶରେ ଅବସ୍ଥାନ କରିବାକୁ ସେ ସ୍ଥାନ ନିରୁପଣ କରିଦେଲେ । ସେଇ ଦିନ ଠୁଁ ଆମିଷ ଆହାର ସେମାନଙ୍କ କିଛି କ୍ଷତି କରି ପାରିବ ନାହିଁ । ତେଣୁ ସେ ଆମିଷକୁ ନିଜର ଆହାର ଭାବେ ଗ୍ରହଣ କରୁଥିଲେ ଓ ତାଙ୍କ ଶିଷ୍ୟମାନଙ୍କୁ ଆହାର ମଧ୍ୟରେ ପାର୍ଥକ୍ୟ ରଖିବା ଉଚିତ ନୁହେଁ ବୋଲି ଶିକ୍ଷା ଦେଇଥିଲେ । ଏହା ଶୁଣି ଲଳିତଗିରି ନିକଟସ୍ଥ ଅକରପଡ଼ାର ମିର୍ଜା ମୁସଲମାନର ମନ ବଳିଲା । ସେ ଅରକ୍ଷୀତଙ୍କୁ ଆମନ୍ତ୍ରଣ ଜଣାଇଲେ ଓ ଗୋମାଂସ ଭକ୍ଷଣ କରେଇବାକୁ ମନସ୍ଥ କଲେ । ଅରକ୍ଷୀତ ମଧ୍ୟ ନିମନ୍ତ୍ରଣ ରକ୍ଷାକରି ମିର୍ଜା ସାହେବଙ୍କର ଆତିଥ୍ୟକୁ ସ୍ବୀକାର କରିଥିଲେ । ମିର୍ଜା ସାହେବଙ୍କ ଘରେ ପ୍ରବେଶ କରନ୍ତେ ମିର୍ଜାସାହେବ ମୂଷିଦାବାଦୀ ଆଦବ୍ କାଇଦାରେ ଖାଦ୍ୟ ପାତ୍ରରେ ଘୋଡ଼ଣୀ ଘୋଡ଼ାକ ଅରକ୍ଷୀତଙ୍କୁ ଗୋମାଂସ ସମ୍ମିଳିତ ଖାଦ୍ୟ ଅର୍ପଣ କଲେ । ସନୁ ଅରକ୍ଷୀତ ଚଳୁବୁଲାଇ ଘୋଡ଼ଣୀ ଖୋଲିବା ପରେ ଦେଖାଗଲା ଖାଦ୍ୟ ପାତ୍ରରେ ସାତ୍ଵିକ ଭୋଗ ମହାପ୍ରସାଦ ଓ କିଛି ଫଳମୂଳ ହିଁ ରହିଥିଲା । ଦାସେ ଆନନ୍ଦରେ ସେହି ଖାଦ୍ୟ ଖାଇ ବସିଲେ । ଏତାଦୃଶ ଖାଦ୍ୟ ପରିବର୍ତ୍ତନର ଦୃଶ୍ୟଦେଖୁ ମିର୍ଜା ସାହେବ ଓ ଅପେକ୍ଷାରତ ଅନ୍ୟମାନେ ଆଚମ୍ବିତ ହୋଇଗଲେ । ମହାପୁରୁଷ ଅରକ୍ଷୀତ ଦାସଙ୍କ ଅଲୌକିକ କାର୍ଯ୍ୟ ପାଖରେ ମଥାନତ କରି ସେଇ ଦିନଠୁଁ ତାଙ୍କର ଶିଷ୍ୟ ହୋଇଗଲେ ସେଇ ଦିନଠାରୁ ସେମାନେ ଲୁଙ୍ଗି ପିନ୍ଧିବା ଛାଡ଼ି ଦେଇ ଧୋତି ପରିଧାନ କରିବା ସହିତ ସନ୍ଥ ଅରକ୍ଷୀତଙ୍କ ସମାଧି ପୀଠକୁ ପ୍ରତିବର୍ଷ ପୋଡ଼ପିଠା ଭୋଗ ଆଣି ପୂଜା କରୁଛନ୍ତି । ସନ୍ଥ ଅରକ୍ଷୀତଙ୍କ ଏହି ପରି ଅଲୌକିକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଓଳାଶୁଣୀ ପାହାଡ଼ ଭକ୍ତି ଧର୍ମର ଏକ ନୂତନ ବୈପ୍ଳବିକ ସଂସ୍କାରରେ ଲୀଳାଭୂମି ପାଲଟିଗଲା । ଶହଶହ ଦିଗଭ୍ରଷ୍ଟ ମଣିଷ ନିଜର ଭକ୍ତ ଅର୍ଘ୍ୟ ଅର୍ପଣ କରିବାକୁ ଧର୍ମରେ ସତ୍ୟର ସନ୍ଧାନ ପାଇଗଲେ ଏବଂ ଅରକ୍ଷୀତ ଦାସଙ୍କୁ ଜଣେ ସନ୍ଥ ନୁହେଁ ମହାପୁରୁଷ ବୋଲି ଆଖ୍ୟା ଦେଲେ ।

୧୮୦୩ ଖ୍ରୀଷ୍ଟାବ୍ଦ ର ମାଘ କୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷ ଅରକ୍ଷୀତ ଇହଲୀଳାରୁ ନିର୍ବାଣ ନେବାକୁ ମନସ୍ଥ କରି ଶହ ଶହ ଭକ୍ତଙ୍କ ଚକ୍ଷୁ ସାମ୍ନାରେ ଓଳାଶୁଣୀ ପୀଠରେ ଜୀବନ୍ତ ମୋକ୍ଷ ସମାଧୁସ୍ଥ ହୋଇଗଲେ । ଏହି ମତ ଡ଼କ୍ଟର ମାୟାଧରମାନ ସିଂହ “ମହୀମଣ୍ଡଳ ଗୀତା” ର ପୃଷ୍ଠା ୮ରେ ସ୍ପଷ୍ଟ ଭାବରେ ଉଲେଖ୍ୟ କରିଥିବା କଥା ଦୃଷ୍ଟି ପଥାରୂଢ଼ ହୁଏ । ହରିବୋଲ, ହୁଳହୁଳି ଶବ୍ଦରେ ଗଗନ ସବନ ନିନାଦିତ ହେଲା । ଜ୍ଞାନ ଗମ୍ୟର ସଦ୍ ଗୁରୁଙ୍କର ତିରୋଧାନ ଜନିତ ଦୁଃଖରେ ଭକ୍ତମାନଙ୍କ ଚକ୍ଷୁରୁ ଅଶ୍ରୁ ତର୍ପଣ ମଧ୍ୟ ହୋଇଥିଲା । ନାମ ବ୍ରହ୍ମର ପ୍ରବର୍ତ୍ତକ ମହାନ ସନ୍ଥ ମହାପୁରୁଷ ଅରକ୍ଷୀତ ସେଦିନ ସ୍ଵଦେହରେ ସମସ୍ତଙ୍କ ଠାରୁ ବିଦାୟ ନେଲେ । ତା’ପର ଦିନ ସକାଳେ ଦୂରରୁ ଶଗଡ଼ଗାଡ଼ି ଚଳାଇ ଲଳିତଗିରି ଗ୍ରାମକୁ ଫେରୁଥିବା ଶଗଡ଼ିଆଙ୍କୁ ବର୍ତ୍ତମାନ ଯାଜୁପର ଜିଲ୍ଲାର ଅରେଇକଣା ଘାଟରେ ଦେଖୁ ଅରକ୍ଷିତ ଦାସ କହିଲେ – ରୁହରୁହ । ସମସ୍ତେ କଥା ରକ୍ଷାକରି ରହନ୍ତେ ଦାସେ କହିଲେ ଭୁଲ ବସତ ମଠର ଚାବି ମୁଁ ଅଣ୍ଟାରେ ମାରିଚାଲି ଆସିଛି । ଏ ଚାବି କାଠି ନେଇ ଯା’ ମଠରେ ଦେଇଦେବ । ଗାଡ଼ିଆଳ ତାଙ୍କ ମହାନିର୍ବାଣ ବିଷୟରେ ଅବଗତ ନଥିଲେ । କାରଣ ନିର୍ବାଣ ଦିବସ ପୂର୍ବରୁ ସୋମାନେ ଗାଡ଼ି ଚଳାଇ ଗାଁରୁ ଚାଲି ଆସିଥିଲେ । ଫେରୁଥିବା ବାଟରେ ଅରକ୍ଷୀତଙ୍କ ଠାରୁ ଚାବିକାଠି ଆଣି ମଠରେ ଦିଅନ୍ତେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ସମସ୍ତଙ୍କ କଣ୍ଠରୁ ପୁଣି ଥରେ ଝଙ୍କୃତ ହେଲା ପୂର୍ଣ୍ଣଚନ୍ଦ୍ର ଅରକ୍ଷୀତଙ୍କର ଜୟ ଜୟ କାର ।

ଏହି ହେଲା ଅଲୌକିକ ଶକ୍ତିଧାରୀ ସନ୍ଥ ଅରକ୍ଷାତଙ୍କ ଧର୍ମ । ସନ୍ଥ ଆଜି ନାହାନ୍ତି । ସେହି ଧର୍ମ ଧାରଣର କ୍ଷେତ୍ର ଓଳାଶୁଣି ପାହାଡ଼ ଅଛି । ରହିଯାଇଛି ସେହି ମହାନିର୍ବାଣ ଦିବସର ସ୍ମୃତି । ଉତ୍କଳର ପଞ୍ଜିକାରେ ଓଳାଶୁଣୀ ଗୁମ୍ଫାଯାତ୍ରା ନାମରେ ସ୍ବୀକୃତି ଏକ ମହାନ ସନ୍ଥଙ୍କ ପାର୍ବଣ ଦିବସର ପାଳନ ବିଧି । ଶହ ଶହ ଜନସାଧାରଣ ଓ ଭକ୍ତମାନଙ୍କର ସମ୍ମେଳନର ସ୍ଥଳ । ଦୂରରୁ ଦେଖିଲେ ଋଷି ପ୍ରତିମା ପରି ନୀରବରେ ଦଣ୍ଡାୟମାନ । ସରକାର ଓ ଜଣ ସାଧାରଣଙ୍କ ପ୍ରଚେଷ୍ଟାରେ ଏହାକୁ ଆଧୁନିକ କଳା କୁଶଳତାରେ ପରିପୂର୍ଣ୍ଣ କରାଯାଉଛି । ମାତ୍ର ଏହାକୁ ଆହୁରି ଦୃଶ୍ୟମୟ କରି ପରିବ୍ରାଜକଙ୍କ ଦୃଷ୍ଟି ଆକର୍ଷଣ କଲାଭଳି ସୌନ୍ଦର୍ଯ୍ୟ ପୂର୍ଣ୍ଣ କରାଗଲେ ଏହାର ସାର୍ଥକତା ପ୍ରମାଣିତ ହେବ ।

– ଜୟ ଜଗନ୍ନାଥ –

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.