• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଓଡ଼ିଆ ଆନ୍ଦୋଳନ ଓ ପ୍ରଥମ ଓଡ଼ିଆ

ଓଡ଼ିଆ ଆନ୍ଦୋଳନ ଓ ପ୍ରଥମ ଓଡ଼ିଆ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୪ ଫେବୃଆରୀ ୨୦୨୩

ସହସ୍ରାଧିକ ବର୍ଷର ପରାଧିନତା ଓ ଅନ୍ଧକାର ଶୃଙ୍ଖଳାରୁ ଓଡ଼ିଆ ଜାତିକୁ ସ୍ୱାଧିନତା ପଥର ସନ୍ଧାନ ଦେବା ନିମନ୍ତେ ମୁକ୍ତି ମଶାଲର ବର୍ତ୍ତୀକା ଧରାଇ ଯେଉଁ କେତେଜଣ ଯୋଗଜନ୍ମା ମହିୟସୀ ମହାପୁରୁଷଗଣ ଅସୀମ ତ୍ୟାଗବରଣ କରି ନିଜର ବିରାଟ ବ୍ୟକ୍ତିତ୍ୱ, ପ୍ରଗାଢ ନିଷ୍ଠା, ନିର୍ଭୀକତା, ବିଚକ୍ଷଣତା, ମହନୀୟ ଦେଶପ୍ରୀତି ଓ ଶିକ୍ଷାନୁରାଗୀ ଭାବରେ ଯୁଗାନ୍ତକାରୀ ଇତିହାସ ସୃଷ୍ଟି କରିଛନ୍ତି ତନ୍ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଅନ୍ୟତମ । ଯେତେବେଳେ ବ୍ରିଟିଶ ଶାସନ ଅଧିନରେ ରହି ଓଡିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ସଂକଟମୟ ଅବସ୍ଥାରେ ଗତି କରୁଥିଲା ସେତେବେଳେ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମ ହୋଇଥିଲା ୧୯୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ। ଗାଁ ଚାଟଶାଳିରୁ ପାଠପଢା ଆରମ୍ଭ ଓ ପରେ ରେଭେନ୍ସା କଲେଜିଏଟ ସ୍କୁଲ ଏବଂ ଉଚ୍ଚଶିକ୍ଷା ପାଇଁ କଷ୍ଟସାଧ୍ୟ ଅଭିଯାନରେ କଲିକତା ଯାଇ ଅକ୍ଲାନ୍ତ ଉଦ୍ୟମ କରି ସେଠାରୁ ଏମ.ଏ. ପାଶ୍, ବି.ଏଲ. ଡିଗ୍ରୀ ହାସଲ କରିବା ଭିତରେ ଅଧ୍ୟାପନା, କଲିକତା ହାଇକୋର୍ଟରୁ ଓକିଲାତି କରି ଜଣେ ସୁନାମଧନ୍ୟ ଓକିଲଭାବେ ନିଜକୁ ପ୍ରତିଷ୍ଠିତ କରି ନିଜ କର୍ମଭୂମି କଟକକୁ ଫେରିଥିଲେ।

ସେତେବେଳେ ସ୍ୱାଭିମାନୀ ଓଡିଆ ଜାତିର ଜାତୀୟତାକୁ ସଂପୁର୍ଣ୍ଣ ଭାବେ ଲୋପକରି ଏକ ଗୋଡ଼ାଣିଆ, ଖୋସାମତିଆ ସଂସ୍କୃତି ସୃଷ୍ଟି କରିବା ପାଇଁ ଇଂରେଜମାନେ ଓଡିଶାର କିଛି ଅଂଶ ମାନ୍ଦ୍ରାଜ ପ୍ରଦେଶରେ, କିଛି ଅଂଶ ବେଙ୍ଗଲ, କିଛି ଅଂଶ ବିହାରରେ ଓଡିଶା ପ୍ରଦେଶର ବିଛୁରିତ ଅବସ୍ଥାରେ ରହିଥିଲା ଏବଂ ଇଂରେଜମାନଙ୍କର ପ୍ରଭାବରେ ଓଡ଼ିଆ ଭାଷାର ଚଳଣି ଉପରେ ବିପଦ ଦେଖାଦେଇଥିଲା। ଏହି ସମସ୍ୟା ମଧୁବାବୁଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ସେ ଉତ୍କଳ ଜନନୀ ସୀମା ସରହଦକୁ ଲକ୍ଷ୍ୟ କରି ପ୍ରକାଶ କରିଥିଲେ :-

*“ମା ମା ବୋଲି ଯେତେ ମୁଁ ଖୋଜିଲି
ମାକୁ ପାଇଲି ନାହିଁ
ଭାଇ ଭାଇ ବୋଲି ଯେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି”।*

ଗୋଟିଏ ଜାତିକୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଓଡିଶାର ଅତୀତ ଗୌରବମୟ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ କିପରି କର୍ମବୀର ହେବାକୁ ପଡ଼ିବ ତାହା ସେ କବିତା ମାଧ୍ୟମରେ ବୁଝାଇଥିଲେ। ଉତ୍କଳର ହୃତ ଗୌରବକୁ ଫେରାଇ ଆଣିବାକୁ ହେଲେ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ଦୂରେଇ ରହିବାକୁ ପଡିବ। ଏହି ପ୍ରରିପ୍ରେକ୍ଷୀରେ ସେ କହିଥିଲେ:-

*“ଜାତି ନନ୍ଦିଘୋଷ ଚଳିବକି ଭାଇ
ସ୍ୱାର୍ଥକୁ ସାରଥୀ କଲେ
ଟାଣେ କିରେ ଗାଡ଼ି ଦାନାର ତୋବଡା
ଘୋଡ଼ା ମୁହେଁ ବନ୍ଧା ଥିଲେ”।*

*”ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତି ପ୍ରାଣଧାର
ସେ ଧାରରୁ ନୀର ପିଉଛି ଯେ ନର
ନିଶ୍ଚୟ ହେବ ସେ ଜାତି କର୍ମବୀର”।*

ତାଙ୍କ ମତରେ ସ୍ୱଦେଶ ପ୍ରେମ ମନୁଷ୍ୟର ପ୍ରକୃତ ଧର୍ମ, ଏହା ହିଁ ମନୁଷ୍ୟତା। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡିଆମାନଙ୍କ ପ୍ରାଣରେ ଜାତୀୟତାଭାବ ଉଦ୍ରେକ କରିବା ପାଇଁ ମଧୁସୂଦନ ଆପ୍ରାଣ ଉଦ୍ୟମ କରିଥିଲେ। ଜାତୀୟ ଜୀବନର ମର୍ଯ୍ୟାଦା ବୃଦ୍ଧି କରିବା ସକାଶେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ ଉତ୍କଳ ସମ୍ମିଳନୀରେ ଆହ୍ୱାନ ଦେଇଥିଲେ ।

*”ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ
କୋଟିପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡ଼ି ସିନ୍ଧୁନୀରେ”।*

ଜାତୀୟ ଚେତନାର ଜାଗରଣ ପାଇଁ ସେ କବିତାର ନିର୍ଝର ବୁହାଇ ଦେଇଛନ୍ତି। ବହୁମୁଖୀ ପ୍ରତିଭାର ଅଧିକାରୀ ମଧୁସୂଦନଙ୍କ ଏହି ଅବଦାନ ପରବର୍ତ୍ତୀ ମୂହୁର୍ତ୍ତରେ ନବ ଉତ୍କଳ ନିର୍ମାଣରେ ସହାୟକ ହୋଇଥିଲା।

ଓଡ଼ିଆ ଜାତିକୁ ଆଗେଇ ନେବାରେ ସେ ଯେଉଁ ଆଶା ପୋଷଣ କରିଥିଲେ ସେଥିପାଇଁ ସେ ବ୍ୟକ୍ତିଗତ ସ୍ୱାର୍ଥକୁ ଗୌଣ କରି ଜାତିଗତ ସ୍ୱାର୍ଥକୁ ମୁଖ୍ୟ ସ୍ଥାନ ଦେଇ ଓଡ଼ିଆ ମାନଙ୍କ ପ୍ରାଣରେ ଜାତିପ୍ରେମର ବହ୍ନି ଜଳାଇ ଦେଇଥିଲେ। କହିଥିଲେ:-

*ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି
ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି*

ଏହି ମୂଲ୍ୟବାନ ପଂକ୍ତିଗୁଡ଼ିକ ଉତ୍କଳର କୋଣ ଅନୁକୋଣରେ ଜାତୀୟ ଜୀବନର ବିକାଶ ପାଇଁ ଜନଗଣଙ୍କ ହୃଦୟରେ ଜାଗରଣ ସୃଷ୍ଟି କରି ଇଂରେଜମାନଙ୍କ ବିରୁଦ୍ଧରେ ଏକ ଜନଆନ୍ଦୋଳନ ସୃଷ୍ଟି କରିଥିଲା।

ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ଏମ୍.ଏ., ପ୍ରଥମ ଓଡ଼ିଆ ଭାବେ ବିଲାତ ଯାତ୍ରା କରିଥିଲେ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ତ୍ୟାଗ କରିବାରେ ପ୍ରଥମ ଭାରତୀୟ। ଉତ୍କଳ ଜନନୀର ସୁରକ୍ଷା ପାଇଁ ଏବଂ ଉତ୍କଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାମୋଚନ ପାଇଁ ସଦା ଚିନ୍ତିତ ଥିଲେ। ଖ୍ରୀଷ୍ଟ୍ରିୟାନ ଧର୍ମ ଗ୍ରହଣ କରି ମଧ୍ୟ ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ନିଜର ପ୍ରିୟ ଠାକୁରଭାବରେ ଅଭିହିତ କରି ନିଜେ ହୃଦୟ କନ୍ଦରରେ ଗ୍ରହଣ କରିଥିଲେ। ଶ୍ରୀମନ୍ଦିର ଓ ଗଜପତି ବଂଶର ସ୍ୱାଭିମାନ ସହିତ ଓଡ଼ିଆ ଜାତିର ସମ୍ମାନ ରକ୍ଷା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ବିଟ୍ରିଶ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ହାତକୁ ନେବା ପାଇଁ ଯେଉଁ କୁଚକ୍ରାନ୍ତ ଚଳାଇଥିଲେ, ସରକାରଙ୍କ ବିରୁଦ୍ଧରେ ଗଜପତିଙ୍କ ତରଫରୁ ମକଦ୍ଦମା ଲଢ଼ି ବ୍ରିଟିଶ ସରକାରଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ତାଙ୍କର ଇଶ୍ୱର ବିଶ୍ୱାସରେ ଜାତୀୟତାଭାବ ପ୍ରତିଫଳିତ ହୋଇଥିଲା ଯଥା:-

*”କୋଟିଏ ଓଡ଼ିଆଗୋଟିଏ ସ୍ୱରରେ
ଡାକ ତ୍ରାହି ଜଗନ୍ନାଥ
ଅନ୍ଧାର ଘୁଂଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତିପଥ”।*

*”ସୂଦର୍ଶନ ଚକ୍ର ଗରଜି ଉଠିବ
ବଳିଆର ବାହୁ କରେ
ମା’ର ଶ୍ରୀଅଙ୍ଗ ପୂର୍ବବତ ହେବ
ଶତ୍ରୁ ପଳାଇବା ଡରି”।*

ମଧୁସୂଦନଙ୍କ ଇଶ୍ୱର ବିଶ୍ୱାସ ଧର୍ମର ସଂକୀର୍ଣ୍ଣତାର ଗଣ୍ଡିଭିତରେ ଆବଦ୍ଧ ହୋଇନଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜାତୀୟତାଭାବ ସୃଷ୍ଟି କରିବା ହିଁ ତାଙ୍କର ମୂଳଲକ୍ଷ୍ୟ ଥିଲା । ଓଡ଼ିଆ ଭାଷା, ସାହିତ୍ୟ, ସମାଜସେବା ମାଧ୍ୟମରେ ଓଡ଼ିଶାବାସୀଙ୍କ ଜାତୀୟତା ତଥା ଦେଶାତ୍ମକବୋଧର ଉନ୍ନତି ପାଇଁ ସେ ଯେଉଁ କର୍ମ କରିଯାଇଛନ୍ତି ତାହା ଚିର ସ୍ମରଣୀୟ। ମଧୁବାରିଷ୍ଟର ନାମରେ ପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ବିରଳ ବ୍ୟକ୍ତିତ୍ୱ। ପ୍ରତ୍ୟେକ ଓଡ଼ିଆ, ଛାତ୍ରଛାତ୍ରୀ ତାଙ୍କର ଆଦର୍ଶକୁ ଅନୁସରଣ କରିବା ପରିପ୍ରେକ୍ଷୀରେ ତାଙ୍କ କଣ୍ଠରୁ ଭାସିଆସେ:-
*”ପାଠ ପଢ଼ିବି ମୁଁ ପାଠ ପଢ଼ିବି
କାଳିଆ ଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି”।*

ଉପରୋକ୍ତ ପଦ୍ୟାଂଶଟି ଜଣାଇଦିଏ ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ ଘରେ ଘରେ କେତେ ପରିଚିତ ନାଁ। ଏହି ମହାପୁରୁଷଙ୍କର ଦେହାନ୍ତ ହୋଇଥିଲା ତା. ୦୪.୦୨.୧୯୩୪ ମସିହାରେ। ଆଜିର ଏହି ପୁଣ୍ୟ ଶ୍ରାଦ୍ଧ ଦିବସରେ, ତାଙ୍କର କୃତି ଓ କୀର୍ତ୍ତୀ ପାଇଁ ସମଗ୍ର ଓଡ଼ିଆ ଜାତି ବିନମ୍ର ଶ୍ରଦ୍ଧାଜ୍ଞଳୀ ଜଣାଉଅଛି।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.