• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପଦ୍ମଶ୍ରୀ ଡଃ. ରଜତ କୁମାର କରଙ୍କ ସ୍ମୃତିରେ

ପଦ୍ମଶ୍ରୀ ଡଃ. ରଜତ କୁମାର କରଙ୍କ ସ୍ମୃତିରେ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୭ ଅପ୍ରେଲ ୨୦୨୩

ଚାହୁଁଚାହୁଁ ବିଶିଷ୍ଟ ଶିକ୍ଷାବିତ୍, ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟ, ଦୀନକୃଷ୍ଣ ଓ ଗଣକବି ସାହିତ୍ୟର ଗବେଷକ ପଦ୍ମଶ୍ରୀ ଡଃ. ରଜତ କୁମାର କରଙ୍କ ଦେହାନ୍ତ ଏକ ବର୍ଷ ହୋଇଗଲା ଏହା ବିଶ୍ୱାସ କରିହେଉନାହିଁ। ରାଜ୍ୟ, ଦେଶ ତଥା ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ପ୍ରଶଂସକ, ଗୁଣମୁଗ୍ଧ ଶ୍ରୋତା ତଥା ଓଡିଆ ସାହିତ୍ୟ ବାଣୀଭଣ୍ଡାରକୁ ଛାଡ଼ି ସେ ଆରପାରିକୁ ଚାଲିଯାଇଛନ୍ତି । ଗତ ବର୍ଷ ଠାରୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଓ କଟକର ଭଂଜମଣ୍ଡପରେ ଆଉ ଶୁଣିବାକୁ ମିଳୁନାହିଁ ତାଙ୍କର ପାଣ୍ଡିତ୍ୟ, ତଥ୍ୟଭିତ୍ତିକ ଓ ଲାଳିତ୍ୱପୂର୍ଣ୍ଣ ତଥା ଗୁରୁଗମ୍ଭୀର ଧାରା ବିବରଣୀ ।

ବାଣୀ ଆରାଧନାର ପବିତ୍ର ପୀଠ କଟକ ଜିଲ୍ଲାର ମାହାଙ୍ଗା ଅଂଚଳ ଯେଉଁଠି କର୍ମବୀର ଗୌରୀଶଙ୍କର, ଗଣକବି ବୈଷ୍ଣବ ପାଣି, ଆଦ୍ୟନାଟ୍ୟକାର ଜଗମୋହନ ଲାଲା, ପଲ୍ଲୀକବି ନନ୍ଦକିଶୋର ବଳ, ଶିଳ୍ପୀଗୁରୁ ବିମ୍ବାଧର, ଆଚାର୍ଯ୍ୟ ପ୍ୟାରିମୋହନ, ସମାଜସେବୀ ବୈରାଗୀ ମିଶ୍ର ପ୍ରମୁଖଙ୍କ ସହ ବାଗ୍ମୀ ବିଶ୍ୱନାଥ କରଙ୍କ ପରିବାରର କୁଳମଣୀ କରଙ୍କ ଜ୍ୟେଷ୍ଠପୁତ୍ରଭାବେ ପଦ୍ମଶ୍ରୀ ରଜତ କୁମାର କର ଜନ୍ମଲାଭ କରି ଜଗନ୍ନାଥ ସଂସ୍କୃତି, ସାହିତ୍ୟ, ଆଧ୍ୟାତ୍ମିକ ଚେତନା ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଯେଉଁ ଅବଦାନ ରହିଛି ଏହି ଓଡିଆ ଜାତି କେବେହେଲେ ଭୁଲିପାରିବ ନାହିଁ ।

ବାଲ୍ୟକାଳରୁ କଟକ ସହରରେ ରହିଆସିଥିବା ମାହାଙ୍ଗା ମୁଲକର ଏହି କୃତି ସନ୍ତାନ ଜଣେ ମେଧାବୀ ଛାତ୍ର ଭାବରେ ପ୍ରଥମେ ରେଭେନ୍ସା କଲିଜିଏଟ, ରେଭେନ୍ସା କଲେଜ (ଉତ୍କଳ ବିଶ୍ୱବିଦ୍ୟାଳୟ), ପରେ ନୂଆ ଦିଲ୍ଲୀରେ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇଥିଲେ । ପ୍ରଥମେ ଅଧ୍ୟାପକଭାବେ ତାଙ୍କର ଚାକିରୀ ଜୀବନ ଆରମ୍ଭ କରି ଓଡିଶା ସରକାରଙ୍କ ଶିକ୍ଷାବିଭାଗର ଏସିସିଆଇଟି ର ନିର୍ଦ୍ଦେଶକଭାବେ ଅବସର ନେଇଥିଲେ ଓ ପରେ ସମଗ୍ର ଜୀବନ ସାହିତ୍ୟ ଓ ସଂସ୍କୃତି ପାଇଁ ଉତ୍ସର୍ଗ କରିଥିଲେ । ଶିକ୍ଷା ବିଭାଗରେ ସ୍କୁଲ ଇନସପେକ୍ଟର ଥିଲାବେଳେ ଉପାନ୍ତ ଅଂଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ କେତେକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନେଇଥିଲେ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ଭାଷା ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଦ୍ୟମ ଜାରି ରଖିଥିଲେ । ସୂଚନାଏହି କି ଯେ ଉନ୍ନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ତତ୍କାଳୀନ ବାଚସ୍ପତି ଡଃ. ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା କମିଟିରେ ତତ୍କାଳୀନ ମନ୍ତ୍ରୀ ବିଶ୍ୱଭୁଷଣ ହରିଚନ୍ଦନ ଓ ବର୍ତ୍ତମାନର ମହାମହିମ ରାଜ୍ୟପାଳ (ଛତିଶଗଡ଼), ତତ୍କାଳୀନ ମନ୍ତ୍ରୀ ଡଃ. ସୂର୍ଯ୍ୟନାରାୟଣ ପାତ୍ର ଓ ଶ୍ରୀ ପଞ୍ଚାନନ କାନନୁଗୋଙ୍କ ସହିତ ଜଣେ ଶିକ୍ଷାବିତ୍ ଭାବେ ଷଢେଇକଳା ଓ ଖରସୁଁଆ ଆଦି ଗସ୍ତକରି ଓଡିଆ ଭାଷା ସାହିତ୍ୟ ପ୍ରସାର ଓ ପ୍ରଚାର ପାଇଁ ଦେଇଥିବା ଓଜସ୍ୱିନୀ ଭାଷଣକୁ ସେଠାକାର ଓଡ଼ିଆମାନେ ଏବେ ବି ମନେ ରଖିଛନ୍ତି ।

ଛାତ୍ର ଜୀବନରୁ ପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଭାବେ ପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ଡଃ କର ଜଣେ ସ୍ୱାଭିମାନୀ ଓ ନିରହଙ୍କାରୀ ଓ ନିସ୍ୱାର୍ଥପର ବ୍ୟକ୍ତି ଥିଲେ । ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି । ତାଙ୍କ ପ୍ରକାଶିତ ପୁସ୍ତକମାନଙ୍କ ଭିତରେ ଜଣାଣ ବାଇଶିପାବଛ, ଭକତ ଭଜଇ ଭଗବାନ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ଜନମାନସରେ ଭଞ୍ଜ, ଅନନ୍ୟ ଜଗନ୍ନାଥ ଅନୁଭୂତିରେ, ମଧୁମଙ୍ଗଳ, ସହିତ ନାଟକ ଚାଖିଖୁଣ୍ଟିଆ, ସୁରେନ୍ଦ୍ର ସାଏ, କବି ସମ୍ରାଟ ଆଦି ଓଡିଆ ଜନଜୀବନରେ ଆଦୃତ ଲାଭ କରିଥିଲା । ଗୁରୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ଭଂଜସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ନିଷ୍ଠାପରଭାବେ ନିରନ୍ତର କାର୍ଯ୍ୟ କରି ଓଡ଼ିଆ ସାହିତ୍ୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଛାତ୍ର ଅବସ୍ଥାରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଯୁବ ଅବସ୍ଥାରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଭି.ଭି.ଗିରିଙ୍କଠାରୁ ସାହିତ୍ୟ କ୍ଷେତ୍ରରେ ପୁରସ୍କୃତ ହୋଇଥିବାବେଳେ ଗତ ଦୁଇବର୍ଷ ତଳେ ତାଙ୍କର ଜୀବନବ୍ୟାପି ଆଧ୍ୟାତ୍ମିକ ଚେତନା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ ହୋଇଥିଲେ ।

୧୯୫୯ ମସିହାରୁ ଦୀର୍ଘ ୬୩ ବର୍ଷ ଧରି ସେ ଆକାଶବାଣୀ ଓ ଦୂରଦର୍ଶନରେ ଜଣେ ଭାଷ୍ୟକାରଭାବେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଦର୍ଶକଙ୍କ ମନ ମୋହିଥିଲେ । ମୁଁ ଛାତ୍ର ଅବସ୍ଥାରୁ ଗତ ଦୁଇ ବର୍ଷ ପର୍ଯ୍ୟନ୍ତ ରଥଯାତ୍ରାର ଧାରାବିବରଣୀ ପ୍ରଥମେ ଆକାଶବାଣୀ ଓ ପରେ ଦୂରଦର୍ଶନରେ ତାଙ୍କର ଭୂମିକା ଅନୁଭବ କରି ଆନନ୍ଦ ପାଇଛି ଏବଂ ବିଭିନ୍ନ ଅଗ୍ରଣୀ ସଭାସମିତିରେ ତାଙ୍କର ସାରଗର୍ଭକ ଓଜସ୍ୱୀନି ଭାଷଣ ଶୁଣିବାକୁ ପାଇଛି । କର୍ତ୍ତବ୍ୟପଥରେ ସାଧନା, ଏକାଗ୍ରତା ଓ ଅନୁଭୂତିର ବ୍ୟାପକତା, ଆତ୍ମଚିନ୍ତନର ନିମଗ୍ନତା, ଧୈର୍ଯ୍ୟ, ପ୍ରଗାଢ ଅଧ୍ୟବସାୟ ଡଃ. କରଙ୍କ ଜୀବନର ଧ୍ୟେୟ ଥିଲା। ଯାହାଫଳରେ ଭାଷା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାକୁ ଭିତ୍ତିକରି ୨୫ ରୁ ଅଧିକ ପୁସ୍ତକ ଲେଖିବା ସହ ୭୦୦ରୁ ଅଧିକ ବେତାର ନାଟକ ସହିତ ଓଡିଆ ସିନେମାରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ ।

ଭଂଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିଜସ୍ୱ ଅନୁଷ୍ଠାନ କଳିଙ୍ଗଭାରତୀ ମାଧ୍ୟମରେ ପ୍ରୟାସ କରିଥିଲେ । ତାଙ୍କର ଅନନ୍ୟ କୃତିତ୍ୱ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଗୋଦାବରୀଶ ସମ୍ମାନ, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଆଦିକବି ସାରଳା ପୁରସ୍କାର, କବି ଜୟକୃଷ୍ଣ ସମ୍ମାନ, ବାଗଦେବୀ ସମ୍ମାନ ଓ ଜୀବନବ୍ୟାପି ସାଧନା ପାଇଁ ଜଗନ୍ନାଥ ସମ୍ମାନ ଆଦି ଲାଭ କରିଥିଲେ । ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଆଧ୍ୟାତ୍ମିକ ଆଲୋଚନା ଏବଂ ସ୍ୱତନ୍ତ୍ର ବାଦିପାଲା କାର୍ଯ୍ୟକ୍ରମର ଉତ୍ତମ ସଂଚାଳନ, ଭାରତୀୟ ସାହିତ୍ୟ ସଂସ୍କୃତି ଇତିହାସ ଓ ଲୋକକଳା ପ୍ରତି ଥିବା ତାଙ୍କର ଗଭୀର ଅନୁଶୀଳନରେ ଘରେ ଘରେ (ପାଲା ସଂସ୍କୃତି) ପଂହଚାଇବାରେ ତାଙ୍କର ପ୍ରଚେଷ୍ଠା ଅତ୍ୟନ୍ତ ପ୍ରଂଶସନୀୟ ।

ଡଃ. ରଜତ କୁମାର କର ତାଙ୍କର ଚାରି ଭାଇ ଭିତରେ ଜ୍ୟେଷ୍ଠ ଥିଲେ । ଅନ୍ୟଭାଇମାନେ ମଧ୍ୟ ଓଡ଼ିଆ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଦ୍ୱିତୀୟ ଭାଇ ଶ୍ରୀ ପ୍ରଭାତ କୁମାର କର ଜଣେ ଶିକ୍ଷାବିତ, ଶିଶୁ ସାହିତ୍ୟିକ ଏବଂ ଖ୍ରୀଷ୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଥିଲେ । ତୃତୀୟ ଭାଇ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ଡଃ. ଶରତ କୁମାର କର ଜଣେ ପ୍ରଚଣ୍ଡ ବାଗ୍ମୀ ତଥା ସାହିତ୍ୟ, ସଂସ୍କୃତିର ଉପାସକ ଓ ଭଂଜସାହିତ୍ୟ, ଜଗନ୍ନାଥ ସଂସ୍କୃତିର ପ୍ରବଚକ ଥିଲେ । ସାନଭାଇ ପ୍ରଫେସର ଅଜିତ କୁମାର କର ଜଣେ ବିଖ୍ୟାତ ଶିଶୁରୋଗ ବିଶେଷଜ୍ଞ ତଥା ଭଂଜସାହିତ୍ୟ ଉପାସକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର କରିବା ସହ ସମଗ୍ର ଓଡ଼ିଆ ଜାତିକୁ ଶ୍ରୀ ଜଗନ୍ନାଥୀୟ ଚେତନାରେ ଉଦବୁଦ୍ଧ କରିବା ଲାଗି ପଦ୍ମଶ୍ରୀ ରଜତ କରଙ୍କ ଅବଦାନ ଅପୂର୍ବ ଓ ଅନନ୍ୟ । ଭଗବାନ ତାଙ୍କ କର୍ମମୟ ଜୀବନର ଅବସାନ ଘଟାଇ ପବିତ୍ର ଆତ୍ମାକୁ ଶାନ୍ତି ଦେଇଛନ୍ତି ।

ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି:-
“ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ୱତଃ
ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଅର୍ଜୁନ”।
ଗୀତା ୪ ଅ/୯ ଶ୍ଲୋକ

ମୋର ଜନ୍ମ ଏବଂ କର୍ମ ଦିବ୍ୟ (ନିର୍ମଳ) ଏବଂ ଅଲୌକିକ ଅଟେ।ଏହିପରି ମୋର ଜନ୍ମ ଏବଂ କର୍ମକୁ ଯେଉଁ ମନୁଷ୍ୟ ତତ୍ତ୍ୱରେ ଜାଣିନିଏ ଅର୍ଥାତ୍ ଦୃଢତାପୂର୍ବକ ମାନିନିଏ ସେ ଶରୀର ତ୍ୟାଗ କରି ପୂନର୍ଜନ୍ମକୁ ପ୍ରାପ୍ତ ହୁଏ ନାହିଁ ବରଂ ମୋତେ ପ୍ରାପ୍ତି ହୁଏ । ଓଁ ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.