• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ – ୧୦)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମଇ ୨୦୨୩

ସେଦିନ ଚିନାମାଳୀ ଘର କାମ ସାରି ଜଙ୍ଗଲ ଯିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଜଙ୍ଗଲ ରେ ସେ ମନ୍ମଥ କୁ ପାଇଲା। ତା ଉପରେ ସାମାନ୍ୟ ରାଗି ମନ୍ମଥ କହିଲା ତୋର ସବୁ କାମରେ ଡେରି। ମୁଁ ତ ଏବେ ଘରକୁ ବାହାରୁଥିଲି। ତାକୁ ବୁଝାଇବାକୁ ଯାଇ ସେ କହିଲା କିରା କରିବି। ଘରକାମ ସାରି ଆସୁଆସୁ ଡେରି ହୋଇଗଲା। ମନ୍ମଥ ଆହୁରି ରାଗିଯାଇ କହିଲା କଣମ କି ଘରକାମ ମୋତେ ଦେଖାଉଛୁ। କେତେ ସମୟ ଲାଗିବକି ସରିବାକୁ। ମନ୍ମଥ କାନ୍ଧରେ ହାତ ରଖି ଚିନାମାଳୀ କହିଲା ମୋତେ ତୋ ଘରକୁ ନେଇସାରେ ଜାଣିବୁ ଘରକାମ କଣ। ହଉହଉ ତୁ ଏତେ ଭାଷଣ ଦେନି। ଚାଲ୍ ଆଜି ତୋ ପାଇଁ ଗୋଟିଏ ଭଲ ଜିନିଷ ଆଣିଛି କହି ସେ ଚିନାମାଳୀର ହାତଧରି ଭିଡି ନେଇଗଲା ଝରଣା କୂଳକୁ। ଝରଣା କୂଳରେ ପହଞ୍ଚିଲା ପରେ ମନ୍ମଥ ତା ଗାମୁଛା ଖୋଲି ମାଣ୍ଡିଆ ପିଠା ଓ ଗୋଟିଏ ବଡ଼ ପତ୍ରରେ କିଛି ଗଙ୍ଗେଇ କ୍ଷୀରି। ସେ ଜାଣିଥିଲା ଏ ଖାଦ୍ୟ ଚିନାମାଳୀର ବହୁତ ପ୍ରିୟ। ଖାଇସାରି ଉଭୟ ବିଭିନ୍ନ କଥାରେ ମାତିଗଲେ। ବେଳ ରତରତ ବେଳକୁ ଉଭୟ ଘରମୁହାଁ ହେଲେ। ଘରେ ପହଞ୍ଚି ବୋଉକୁ ଘର କାମରେ ଟିକେ ସାହାର୍ଯ୍ୟ କରି ରୋଷେଇ ସରିବା ପରେ କାମିନୀ ଆଈ ଘରକୁ ବାହାରି ପଡ଼ିଲା।

ସେଠି ସେ ପହଞ୍ଚିବାବେଳକୁ ବେଳକୁ ତା ସାଙ୍ଗ ଝିଅମାନେ ସବୁ ଆସି ଯାଇଥିଲେ। ଆଇ କାମସାରି ଝିଅମାନଙ୍କ ନିକଟରେ ବସି କଥା ପେଡ଼ି ଖୋଲି କହିବାକୁ ଆରମ୍ଭ କଲା। ଭୂୟାଁମାନେ ପାଳନ କରୁଥିବା କିଛି ପର୍ବପର୍ବାଣୀ ବିଷୟରେ ତୁମମାନଙ୍କୁ କହିବି । ଆଗରୁ କହିରଖିଛି ଯେ ପ୍ରକୃତିକୁଏକାନ୍ତ ନିଜର ଭାବି ତାହାର ଆରାଧନାପୂର୍ବକ ଜଙ୍ଗଲରେ ବସବାସ କରୁଥିବା ଏହି ଆଦିମ ଅଧିବାସୀମାନେ ନିଜର ପର୍ବପର୍ବାଣିରେ ମଧ୍ୟ ଜଙ୍ଗଲକୁ ଦେବତା ବୋଲି ପୂଜାକରିଆସୁଛନ୍ତି । ଆଜି ସେହିଭଳି କିଛି ପର୍ବ ଯଥା ଢିଅବନ୍ଦାଣ, ବଡାମପୂଜା, ଓଢଣୀପକା (ବଣେଁଇ ଅଞ୍ଚଳରେ ଯାହାକୁ ବସଣା ବୋଲି କହନ୍ତି) ଓ ଜଟାଳପୂଜା ଉପରେ ତୁମ୍ଭମାନଙ୍କୁ ଶୁଣାଇଵି ।

ବୋରାମ ପୂଜା
ପ୍ରତ୍ୟେକ ଭୂୟାଁ ପୀଢରେ ଗ୍ରାମଦେବତା ପୂଜା ପାଆନ୍ତି । ଧରମ ଦେବତାଙ୍କୁ ବୋରାମ ବୋଲି ମାନନ୍ତି । ବୋରାମଙ୍କୁ ସେମାନେ ମଙ୍ଗଳା ଭାବେ ମଧ୍ୟ ସେମାନେ ପୂଜା କରନ୍ତି । ବଡାମ ପୂଜା ଫଗୁଣ ମାସରେ କରାଯାଇଥାଏ ।

ଢିଅବନ୍ଦାଣ
ମାଘ ପୂର୍ଣମୀପରେ ଦେହୁରୀ ଙ୍କ ଉପସ୍ଥିତିରେ ଗାଁଲୋକମାନେ ଏକଦିନ ସ୍ଥିର କରନ୍ତି । ଏହିଦିନ ଦେହୁରୀ ଓ ଗାଁର ବୟସ୍କ ଲୋକମାନେ ପାରମ୍ପରିକ ଜଙ୍ଗଲ ସୀମା ଚାରିପଟ ବୁଲନ୍ତି ଓ ସୀମାରେ ପୂଜା ଦିଅନ୍ତି । ବାଂଶପାଳ, ଫୁଲଝର ଓ ପାଳଲହଡା ଅଞ୍ଚଳର ଭୂୟାଁମାନେ ଏହି ଢିଅବନ୍ଦାଣ ପର୍ବ ପାଳନ କରୁଥିବା ସମୟରେ ମୋର କିଛି ବନ୍ଧୁ ଘର ଗାଁ କୁ ପିଲାଦିନେ ଯାଇଥିବା ସମୟରେ ସେଠାରେ ଏହି ପୂଜାରେ ଯୋଗ ଦେବାର ସୁଯୋଗ ପାଇଛି । ବୟସ୍କ ଲୋକଙ୍କର ମତରେ ଜଙ୍ଗଲସୀମାକୁ ସମ୍ମାନ ଦେବା ଓ ପଡୋଶୀ ଗାଁର ଲୋକମାନଙ୍କ ସହ ସଂମ୍ପର୍କ ବୃଦ୍ଧିକରାଇବା ଏହି ପର୍ବର ମୂଳ ଉଦ୍ଦେଶ୍ୟ ।

ଓଢଣିପକା ବା ବସଣା
ଜ୍ୟେଷ୍ଠ ଓ ପୁଷମାସରେ ପାଳନ କରାଯାଉଥିବା ଏହି ପର୍ବ ମୁଖ୍ୟତଃ ଜଙ୍ଗଲକୁ ସୁରକ୍ଷା ଦେବା ଓ ଏହାଉପରେ ଖରାପ ନଜର ନଲଗାଇବା ପାଇଁ ପରାମର୍ଶ ଦେଉଥିବା ଏକ ପର୍ବ ।

ସରଣୀମେଢ (ମେଳ)
ଏହା ଭୂୟାଁମାନଙ୍କ ଦ୍ବାରା ପାଳନ କରାଯାଉଥିବା ଏକ ଗୁପ୍ତପୂଜା । ଶସ୍ୟଅମଳ ପରେ ବାଘିଆକୁ ସମର୍ପଣ କରାଯାଉଥିବା ଏହି ପୂଜା ଜଙ୍ଗଲରେ ଥିବା ଦେବତାଙ୍କ ନିକଟରେ ହୋଇଥାଏ । ପୂଜା ସମୟରେ କେହି କଥାବାର୍ତ୍ତା କରିନଥାନ୍ତି । ସେହିଦିନ ଗାଁକୁ ଆସିଥିବା ଅତିଥିଙ୍କୁ ମଧ୍ୟ ସେହି ଗାଁରେ ରହିବାକୁ ପଡିଥାଏ । ଏହି ଗୁପ୍ତ ପୂଜାର ବିଧି ପରେ ତୁମମାନଙ୍କୁ କହିବି ।

ଏହାପରେ ଆମ ଭୂୟାଁମାନେ ପାଳନ କରୁଥିବା ବିଭିନ୍ନ କୃଷିଭିତ୍ତିକ ପର୍ବ ଉପରେ କହୁଛି ଶୁଣ। ପୂର୍ବରୁ ମୁଁ କହିଛି ଯେ ଅନ୍ୟ ଆଦିବାସୀ ସଂପ୍ରଦାୟମାନଙ୍କ ଭଳି ଭୂୟାଁମାନେ ମଧ୍ୟ ଜଳ, ଜମି, ପାହାଡ,ଜଙ୍ଗଲ ପରି ପ୍ରାକୃତିକ ସଂମ୍ପଦର ଉପାସକ ଅଟନ୍ତି ବୋଲି। ସେମାନେ ମଧ୍ୟ ନିଜର ଖରାପ ପରିସ୍ଥିତି ପାଇଁ ଅଦୃଶ୍ୟ ଶକ୍ତିମାନଙ୍କୁ ଦାୟୀ କରିଥାନ୍ତି । ପ୍ରକୃତିର ପ୍ରାକୃତିକ ପରିବର୍ତ୍ତନ ଭୂୟାଁ ଜନଜୀବନର ଏକ ପ୍ରୟୋଗାତ୍ମକ କର୍ମଶାଳା କହିଲେ ଅତ୍ୟୁକ୍ତି ହେବନି । ପ୍ରକୃତି ଉପାସନା ଓ ଏହାକୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ, ସଂଗୀତ, ନୃତ୍ୟ, ଧର୍ମିୟ ଭାବନାର ପ୍ରତିଫଳନ ଭୂୟାଁମାନଙ୍କ କୃଷିପଦ୍ଧତିରେ ଦେଖିବାକୁ ମିଳେ । ଏହି କୃଷିଭିତ୍ତିକ ପର୍ବଗୁଡିକ ହେଲା ୧. ଆଷାଢୀ ପୂଜା, ୨. ଅକ୍ଷୟ ତୃତୀୟା, ୩. ଧାନ ନୂଆଖିଆ ପର୍, ୪. ମକର ୫. କରମା ପର୍ବ ।

ଆଷାଢୀ ପର୍ବ
କୃଷି ବର୍ଷରେ ଭଲ ବର୍ଷା ଓ ଅଧିକ ଅମଳପାଇଁ ସାଧାରଣତଃ ଜୁନରୁ ଜୁଲାଇ ମାସ ମଧ୍ୟରେ ଭୂୟାଁମାନେ ଆଷାଢୀ ପର୍ବ ପାଳନ କରିଥାନ୍ତି । ଆଷାଢ ମାସରେ ଗାଁ ର ଲୋକମାନେ ଦରବାର ଘରେ ଏକତ୍ରିତହୋଇ ଦେହୁରୀଙ୍କ ଉପସ୍ଥିତିରେ ଦିନ ଠିକ କରି ପ୍ରତ୍ୟେକ ଲୋକ ନିଜ ଘରୁ କିଛି କିଛି ଧାନ ସଂଗ୍ରହ କରି ଦେହୁରୀଙ୍କୁ ଦେଇଥାନ୍ତି । ନିଦ୍ଧାରିତ ଦିନ ଗାଁର ଦେହୁରୀ ସ୍ନାନକରି ସାରି ସେହି ଧାନକୁ ନେଇ ଗାଁଶିରୀ ଠାକୁରାଣୀଙ୍କ ନିକଟରେ ପହଞ୍ଚି ଭଲ ବର୍ଷା ଓ ଅଧିକ ଅମଳ ପାଇଁ ମାଙ୍କ ନିକଟରେ ପୂଜା କରିଥାନ୍ତି । ଗୋଟିଏ ବର୍ଷ ଛାଡି ଗାଁଶିରୀଙ୍କ ନିକଟରେ ବୋଦା କିମ୍ବା କୁକୁଡା ବଳି ଦିଅନ୍ତି ଓ ଗାଁ ବାହାରେ ବଳିମାଂସକୁ ରାନ୍ଧି ସାମୁହିକ ଭୋଜନ ବା ପନ୍ତି ଭୋଜନ କରିଥାନ୍ତି ।

ଅକ୍ଷୟ ତୃତୀୟା
ବୈଶାଖ ମାସ ତୃତୀୟା ଦିନ ଭୂୟାଁମାନେ ହିନ୍ଦୁମାନଙ୍କ ପରି ଅକ୍ଷିମୁଠି ବୁଣି ଚାଷ କାମ ଆରମ୍ଭ କରନ୍ତି। ଏହିଦିନ ଭୂୟାଁମାନେ ଧାନ, ମାଣ୍ଡିଆ, ରୁମା, ଗଙ୍ଗେଇ, ବାଜରା, କ୍ଷିରା ଓ ଅନ୍ୟକିଛି ଡାଲି ଜାତୀୟ ଶସ୍ୟ ନେଇ ଗୁଡା ଜମି ବା କମାଣ କାଟିଥିବା ଜମିରେ ବୁଣନ୍ତି। ଯାହାର ଜମି ନ ଥାଏ ସେ ନିଜ ବାଡ଼ିରେ କିମ୍ବା କିଛି ଲୋକ ଜମି ଭାଗ ନେଇ ବୁଣିଥାନ୍ତି। ଦରବାର ଘର ନିକଟରେ ଅରୁଆ ଭାତ ରନ୍ଧା ଯାଇ ବଡାମ ମହାପୁରୁ ଙ୍କ ନିକଟରେ ଭୋଗ ଲଗାଯାଏ।

ଗହ୍ମା ପରବ
ଶ୍ରାବଣ ମାସରେ ପାଳନ କରାଯାଉଥିବା ଏହି ପର୍ବରେ ଭୂୟାଁମାନେ ନିଜନିଜର ଗାଈଗୋରୁଙ୍କ ଶିଂଘରେ ହଳଦୀ,ଜଡାତେଲ ମାରିବା ସହ ହଳଦୀ ପାଣିରେ ଗାଈଗୋରୁଙ୍କ ଗୋଡ଼ ଧୋଇ ଦେଇଥାଆନ୍ତି। ଏହି ପର୍ବ ରେ ଗାଁ ର ସମସ୍ତେ ହାଣ୍ଡିଆ ବା ଲସି ପିଇ ଦରବାରରେ ଚାଙ୍ଗୁନାଚ କରିଥାନ୍ତି।

ଧାନ ନୁଆଖାଈ ପର୍ବ
ଧାନକଟା ପରେ ଧାନ ଅମଳ ଓ ନୁଆଧାନ ଖାଇବା ପାଇଁ ଭାଦ୍ରବ ମାସରେ ଧାନ ନୁଆଖିଆ ପର୍ବ ଭୂୟାଁମାନେ ପାଳିଥାନ୍ତି । ଗାଁର ସମସ୍ତ ଲୋକମାନେ ଦେହୁରୀଙ୍କ ପରାମର୍ଶକ୍ରମେ ଏକ ଦିନ ନୁଆଖାଇବା ପାଇଁ ସ୍ଥିର କରିଥାନ୍ତି । ଏହି ପର୍ବରେ ନୁଆକରି କଟାଯାଇଥିବା ଧାନର ଚାଉଳକୁ ଗୁଡସହ ଗାଁ ଶିରୀ ଓ ଧର୍ମ ଦେବତାଙ୍କୁ ଅର୍ପଣ କରିଥାନ୍ତି । କେତେକ ଗାଁରେ ପୂର୍ବପୁରୁଷଙ୍କୁ ମଧ୍ୟ ଅର୍ପଣ କରାଯାଏ । ଏହାପରେ ପ୍ରତ୍ୟକ ଭୂୟାଁ ଘର ନୁଆ ଧାନର ଚାଉଳ ଖାଇଥାନ୍ତି । ଧାନ ନୁଆଖାଇପରି ଆମ୍ବନୁଆଖାଇ ପର୍ବ ମଧ୍ୟ ଭୂୟାଁମାନେ ପାଳନ କରିଥାନ୍ତି । ଭୂୟାଁ ଗାଁରେ ଏହା ଉପରେ ଲୋକମାନେ କହନ୍ତି ଯେ ଯେକୌଣସି ନୁଆ ଶସ୍ୟ, ଫଳକୁ ପ୍ରଥମେ ଗାଁ ଶିରୀ, ବଡାମ ବା ଧର୍ମ ଦେବତାଙ୍କୁ ଅର୍ପଣ କରିବା ପରେ ସେମାନେ ସେହି ଶସ୍ୟ ବା ଫଳକୁ ବ୍ୟବହାର କରିଥାନ୍ତି । ଏହାନକଲେ ଗାଁକୁ ଅଶୁଭ ଫଳରୁ ରକ୍ଷା କରୁଥିବା ଦେବତାମାନେ କୋପ କରନ୍ତି ବୋଲି ସେମାନେ ଭାବନ୍ତି। ଧାନ ନୁଆଖାଇ ପର୍ବ ଗୋଟିଏ ଦିନରେ ପାଳନ ନକରି ବିଭିନ୍ନ ଦିନ ବିଭିନ୍ନ ଗ୍ରାମରେ ପାଳନ କରାଯାଏ ।

ଖଳାପୂଜା
ଧାନ କଟା ସରିବାପରେ ଭୂୟାଁମାନେ ନିଜ ବାଡିରେ ଏକ ଜାଗା ସଫାକରି ଗୋବରରେ ଲିପି ଖଳା ପ୍ରସ୍ତୁତ କରିଥାନ୍ତି । ମହିଳାମାନେ ଅରୁଆ ଚାଉଳ ବାଟି ଝୋଟି ଦେଇ ଖଳାପୂଜା କରନ୍ତି ଓ ଏହାପରେ ଅମଳ ଧାନ କଳେଇ ଖଳାକୁ ଅଣାଯାଇଥାଏ ।

ଆଈ ଏହି କଥାସବୁ କହୁଥିଲା ସମୟରେ ଏକ ପୁରୁଷ କଣ୍ଠସ୍ୱର ଶୁଣି ବୁଢ଼ୀ ପଚାରିଲା କିଏ କିରେ। କବାଟ ପାଖରେ ଠିଆ ହୋଇଥିବା ଲୋକଟି କହିଲା ମୁଁ ବାରିକ ବେହେରା, ଜମରଡିହୀ ଗାଁ ର। ଝିଆରୀ ଘରକୁ ଆସିଥିଲି। ବୁଢ଼ୀ ଠୋଠୋ ହସି କହିଲା ତୁ ଏତେ ତୋ ପରିଚୟ ଦେନି। ତୁ ପା ମୋ ଭାଇର ପୁଅ। ଆ ପୁଅ ଘରକୁ ଆସ୍ । ବାରିକ ଭାଇ ଭିତରକୁ ଆସି ବସିଲା ପରେ ବୁଢ଼ୀ ଝିଅମାନଙ୍କୁ କହିଲା ପିଲେ ଜାଣିଛ ବାରିକ ଆମ ଭୂୟାଁମାନଙ୍କୁ ଏକାଠି କରିବା ଓ ଆମ ଜାତି କିପରି ନିଜର ସଂସ୍କୃତି ଓ ପରମ୍ପରା କୁ ବୁଝିବା ସହ ପୀଢର ନେତାମାନେ କିପରି ଏକାଠି କାମ କରି ପାରିବେ ତାହା ଉପରେ ସେ କାମ କରୁଛି। ସେ ତୁମମାନଙ୍କୁ କରମା ପର୍ବ ଉପରେ କହିବ। ଏତିକି କହି ସେ ବାରିକ ବେହେରା ଙ୍କୁ ଚାହିଁ କହିଲା ଆରେ ପୁଅ ପିଲାମାନଙ୍କୁ ଟିକେ କରମା ପର୍ବ ଉପରେ କହିଦେ ତ। ବାରିକ ଭାଇ କଥା ଆରମ୍ଭ କରି କହିଲେ ହଉ ପିଲାମାନେ ଶୁଣ ତାହେଲେ।

କରମା ପର୍ବ
ଏହା ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବ ମାର୍ଗଶିର ମାସ ଗୁରୁବାର କିମ୍ବା ରବିବାର ଠାରୁ ଆରମ୍ଭ ହୋଇ ଆଠ ଦିନ ପାଳନ କରାଯାଇଥାଏ । ମୂଳ ସଂସ୍କୃତ ଶବ୍ଦ କର୍ମରୁ କରମା ଶବ୍ଦଟି ଆନୀତ । କର୍ମକୁ ମାନବ ଜୀବନର ଶ୍ରେଷ୍ଟ ଧର୍ମଭାବେ ବେଦ, ଉପନିଷଦରେ ବର୍ଣନା କରାଯାଅଛି । ଯୁଦ୍ଧପ୍ରତି ବିମୁଖ ଅର୍ଜୁନଙ୍କୁ ନିଜର ବିଶ୍ବରୂପ ସଂଦର୍ଶନ କରାଇବା ପରେ ତାଙ୍କୁ ସଂସାରଧର୍ମ ସଂମ୍ପର୍କରେ ୧୮ ଅଧ୍ୟାୟ ଗୀତା ମାଧ୍ୟମରେ ହୁଝାଇବା ଅବସରରେ କର୍ମ ଯୋଗର ମହତ୍ତ୍ବ ସଂମ୍ପର୍କରେ ବୁଝାଇବାକୁ ଯାଇ ଭଗବାନ ଶ୍ରୀକୃଷ୍ଟ୍ନ କହିଛନ୍ତି “କର୍ମଣେବାଧିକାରସ୍ଥୁ ମା ଫଳେଷୁ କଦାଚନ” କର୍ମର ଦେବତା କରମା ରାଜା ଓ କରମା ରାଣୀ ଏହି ପୂଜାର ଆରାଧ୍ୟ ଦେବତା । ଗାଁର ଅବିବାହିତ ଯୁବକଯୁବତୀମାନେ ଏହି ଓଷା କରିଥାନ୍ତି । ଓଷାର ପ୍ରଥମଦିନ ଓଷା ରଖିଥିବା ଯୁବକଯୁବତୀମାନେ ନଦୀକୂଳରୁ ବଡ ପାଚିଆ ବା ଟୋକେଇରେ ବାଲି ସଂଗ୍ରହ କରି ସେଥିରେ ଧାନ, ମାଣ୍ଡିଆ, ବିରି, ମୁଗ, ମେଥି, ରାଶି ଇତ୍ୟାଦିର ବୀହନ ପକାଇ ପାଣିଦେଇ ନଦୀକୂଳରେ ରଖିଥାନ୍ତି । ଓଷାର ୮ଦିନ ପର୍ଯ୍ୟନ୍ତ ଓଷାରଖିଥିବା ଦୁଇଜଣ ଯୁବକ କିମ୍ବା ଯୁବତୀ ସେଥିରେ ପାଣି ଦେଇଥାନ୍ତି । ଓଷାର ଆଠଦିନ ପୂର୍ବରୁ ଅବିବାହିତ ଯୁବକଯୁବତୀମାନେ କରମା ରାଜା ଓ କରମା ରାଣୀଙ୍କୁ ଖୋଜିବାପାଇଁ ଜଙ୍ଗଲକୁ ଯାଆନ୍ତି । ଜଙ୍ଗଲରେ ପାଖାପାଖିଥିବା କଳମଗଛକୁ ଫୁଲମାଳ ପିନ୍ଧାଇ କହନ୍ତି ତୁମେ ଆମର ରାଜା ଓ ରାଣୀ ଓ ତାପରେ ଗଛମୂଳେ ପଣା ଦିଅନ୍ତି । ଏହାର ଆଠଦିନ ପରେ ଅର୍ଥାତ ପୂଜାଦିନ ଗୋଟିଏ ବେଦୀ କରାଯାଏ ଓ ବେଦୀକଡରେ ଦୁଇଟି ବାଉଁଶ ପୋତାଯାଏ । ସେଥିମଧ୍ୟରୁ ଗୋଟିଏ କରମାରାଜା ଓ ଅନ୍ୟଟି କରମାରାଣୀ । କରମାରାଜା ବାଉଁଶରେ ଠେକା ବନ୍ଧାଯାଏ ଓ କରମାରାଣୀ ବାଉଁଶରେ ଶାଢି ବନ୍ଧାଯାଏ । ବେଦୀ ଚାରିପଟେ ନାଲି ଶାଢି ବେଢଣ ଦିଆଯାଏ । ପୂର୍ବେ ତନ୍ତବୁଣା ଶାଢି ବେଢଣ ଦିଆଯାଉଥିଲା ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ନାଲି କପଡା ବେଢଣ ଆକାରରେ ଦିଆଯାଉଛି । ଏହାପରେ ପୁଅଝିଅମାନେ ଜଙ୍ଗଲକୁ କରମାରାଜା ଓ କରମାରାଣୀଙ୍କୁ ଆଣିବାପାଇଁ ଯାଆନ୍ତି । ଗାଁର ପତିଆର (ପତିଆର ପଦଧାରୀ ଏହି ବ୍ୟକ୍ତି ଜଣକ ଏହି ଯୁବକ ଯୁବତୀମାନଙ୍କଦ୍ବାରା ୭ ବର୍ଷପାଇଁ ମନୋନୀତ ହୋଇଥାନ୍ତି) ଆଠଦିନ ପୂର୍ବରୁ ପୂଜାକରାଯାଇଥିବା କଳମ ଗଛଦ୍ବୟକୁ ଗୋଟିଏ ଚୋଟରେ ହାଣିଥାନ୍ତି । ହାଣିବାପରେ ଓଷା ରଖିଥିବା କୁଆଁର ଯୁବକଯୁବତୀମାନେ ମାର୍ଦ୍ଦଳ ବଜାଇ କରମାରାଜା ଓ କରମାରାଣୀଙ୍କୁ ବେଦୀକୁ ଆଣିଥାନ୍ତି । ଯେଉଁବାଟେ କରମାଡାଳଯାଏ ସେହି ବାଟରେ ପଡୁଥିବା ଘରମାନଙ୍କରେ ବାଟବରଣୀ ବା ବନ୍ଦାପନା କରିଥାନ୍ତି । ଏହାକୁ ନେଇ ବେଦୀରେ ପୋତାଯାଇଥାଏ ଓ ପୂଜା କରାଯାଇଥାଏ । ଅଷ୍ଟମ ଦିନ ନଦୀରେ ରଖାଯାଇଥିବା ଜୁଆଡାଲା (ଯେଉଁଥିରେ ବିଭିନ୍ନ ପ୍ରକାରର ଶସ୍ୟ ବୁଣାଯାଇଥାଏ, ତାହା ଗଜା ହୋଇଯାଇଥାଏ) କୁ ଅଣାଯାଇ ବେଦୀ ନିକଟରେ ରଖାଯାଇଥାଏ। ଏହି ଓଷାରେ ଗାଁର ଦେହୁରୀ ପୂଜା କରିନଥାନ୍ତି । ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକ ୭ ବର୍ଷପାଇଁ ଦେହୁରୀ କାମ କରିଥାନ୍ତି । ଦେହୁରୀଙ୍କ ପୂଜାପରେ ନଡିଆ, କଦଳୀ, ମୁଆଁ ଇତ୍ୟାଦି ଭୋଗଦିଆଯାଏ । ପୂଜାପରେ କଥାଣି ପଢାଯାଏ । ଓଷା ରଖିଥିବା ଅବିବାହିତ ଯୁବକଯୁବତୀମାନେ ପିଠା, କନ୍ଦମୂଳ ସିଝା ଖାଇଥାନ୍ତି । ଏହି ପୂଜା ପଦ୍ଧତିରେ ଭୂୟାଁମାନେ କରୁଥିବା ମିଶ୍ରିତ ଚାଷ ବା ଗୋଟିଏ ବିଲରେ ୨୫ ପ୍ରକାରର ଶସ୍ୟ ଚାଷକରିବାର ପରମ୍ପରାର ସଂମ୍ପର୍କ ରହିଛି ।

ଏହି ସମୟରେ କେହି ଜଣେ ଦାଦା ଦାଦା ବୋଲି ଡାକିବାରୁ କାମିନୀ ଆଈ କହିଲା ପିଲେ ଆଜି ଏହି ଠାରେ କଥାକୁ ରଖିବା। ରାତି ବହୁତ ହେଲାଣି। ତୁମେ ସବୁ ଯାଅ ଶୋଇବ ଆଉ ବାରିକ ତୁ ଘରକୁ ଯାଆ। ତୋ ଝିଆରୀ ଡାକିଲାଣି। ଆଉ କାଲି ଯଦି ରହୁ ତେବେ ଆସିବୁ। ପିଲାମାନଙ୍କୁ ଆମ ଦେବାଦେବୀ ଙ୍କ ଉପରେ କିଛି ଶୁଣାଇବୁ। ବୁଢ଼ୀ କଥାରେ ସମ୍ମତି ଜଣାଇଁ ବାରିକ୍ ଭାଇ ଉଠି ଝିଆରୀ ଘର ମୁହାଁ ହେଲେ ଓ ଝିଅମାନେ ଆଈ ବୁଢୀ ସହ ଶୋଇବା ପାଇଁ ଭିତର ଘରକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.