• About
  • Contact
Monday, June 8, 2026
Monday, June 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଭିଡ଼ ଭିତରେ ଭିନ୍ନ ମଣିଷ ଦୁଇ ଓଡିଆ

ଭିଡ଼ ଭିତରେ ଭିନ୍ନ ମଣିଷ ଦୁଇ ଓଡିଆ
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ନଏଡା, ୧୫ ଅକ୍ଟୋବର ୨୦୨୩

୧୯୧୦ ମସିହା। ଓଡ଼ିଶାରୁ କଲିକତା (କୋଲକାତା) ଯାଇ ବସବାସ ଆରମ୍ଭ କରିଥିଲେ ଦୁଇ ଭାଇ – ମାନଗୋବିନ୍ଦ ପଣ୍ଡା ଓ ପ୍ରହ୍ଲାଦ ଚନ୍ଦ୍ର ପଣ୍ଡା। ଉଦ୍ଦେଶ୍ୟ ଥିଲା: ନିଜେ ଉପାର୍ଜନକ୍ଷମ ହେବା ସହିତ ଖୁବ୍ ସାମାନ୍ୟ ଦାମ୍‌ରେ ସାଧାରଣ ଲୋକଙ୍କୁ ଖାଇବା ଯୋଗାଇବେ। ଖୋଲିଲେ ଗୋଟିଏ ମିଲ୍-ହୋଟେଲ; ବର୍ତ୍ତମାନର ‘କଲେଜ୍-ସ୍କୋୟାର’ ନିକଟରେ। ପ୍ରେସିଡେନ୍ସି କଲେଜ, କୋଲକାତା ବିଶ୍ବବିଦ୍ୟାଳୟର ପଛପାଖରେ ‘ଭବାନୀ ଦତ୍ତ ଲେନ୍’। ଗୋଟିଏ ମୁସଲମାନ ପରିବାର ଜମି ଯୋଗାଇ ଦେଇଥିଲେ। ୧୯୧୦ ମସିହାରେ ହିଁ ୮/୨ ଭବାନୀ ଦତ୍ତ ଲେନ୍‌ରେ ଆରମ୍ଭ ହୋଇଥିଲା ମାନଗୋବିନ୍ଦ ପଣ୍ଡା ଓ ପ୍ରହ୍ଲାଦ ଚନ୍ଦ୍ର ପଣ୍ଡାଙ୍କର ‘ହିନ୍ଦୁ ହୋଟେଲ୍’, ଦୁଇ ଭାଇଙ୍କର ଅକ୍ଳାନ୍ତ ପରିଶ୍ରମ, ସୁସ୍ବାଦୁ ଖାଦ୍ୟ ଏବଂ କର୍ମଚାରୀ ମାନଙ୍କର ସହୃଦୟ ବ୍ୟବହାର ଯୋଗୁ ଅଳ୍ପ ଦିନରେ ହିନ୍ଦୁ ହୋଟେଲ ସୁନାମ ଅର୍ଜନ କରି ପାରିଥିଲା।

କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରମାନଙ୍କର ଭିଡ଼ ତ ଜମୁଥିଲା। ତେବେ କେବଳ ତାହା ଏହି ହୋଟେଲକୁ ବିଖ୍ୟାତ କରିନଥିଲା କିମ୍ବା ଅନ୍ୟ ଅଜସ୍ର ହୋଟେଲ ଭଳି ଏହା ଏକ ସାଧାରଣ ହୋଟେଲ ହୋଇ ରହିନଥିଲା। ଲମ୍ବା,ସୁଦର୍ଶନ ଏବଂ ଆକର୍ଷଣୀୟ ଚେହେରାର ଜଣେ ବିଶିଷ୍ଟ ଛାତ୍ରଙ୍କର ଏହି ହୋଟେଲରେ ଉପସ୍ଥିତି ପରବର୍ତ୍ତୀ କାଳରେ ଏହି ହୋଟେଲର ଖ୍ୟାତିର କାରଣ ହୋଇପଡ଼ିଥିଲା।

୧୯୧୩ ମସିହା କଥା। ଯୁବକ ଜଣକ ସେତେବେଳେ ପ୍ରେସିଡେନ୍ସି କଲେଜର ଛାତ୍ର। ମଝିରେ ମଝିରେ ସହପାଠୀଙ୍କ ସହିତ ଯୁବକ ଜଣକ ହିନ୍ଦୁ ହୋଟେଲରେ ହାଜର ହୋଇ ‘ପୋଇଶାଗ’ ସହିତ ମିଲ୍ ଅର୍ଡର୍ କରୁଥିଲେ। ସେତେବେଳେ ହିନ୍ଦୁ ହୋଟେଲରେ ଟେବୁଲ୍ ଚେୟାରରେ ବସି ଖାଇବାର ବ୍ୟବସ୍ଥା ନ ଥିଲା। ଫଳରେ ଚଟାଣରେ ସତରଞ୍ଜି ପକାଇ ସେହି ଯୁବକ ଏବଂ ତାଙ୍କର ସାଥୀମାନେ ଗୋଲହୋଇ ବସି ପଡ଼ୁଥିଲେ ଖାଇବା ପାଇଁ। ଖାଇବା ସହ ସେମାନଙ୍କର ଆଡ୍ଡା ଜମି ଉଠୁଥିଲା। ସେହି ଯୁବକଙ୍କର ଜ୍ବାଳାମୟୀ ଭାଷଣରେ ଅନ୍ୟ ସହପାଠୀ ବନ୍ଧୁମାନଙ୍କ ଅନ୍ତରରେ ଜଳି ଉଠୁଥିଲା ବ୍ରିଟିଶ ବିରୋଧୀ ନିଆଁ।

କିନ୍ତୁ ପ୍ରତିଦିନ ସେହି ଯୁବକଙ୍କର ‘ପୋଇଶାଗ’ ନିହାତି ଦରକାର। ପଣ୍ଡା ଭ୍ରାତା ଦ୍ବୟ ମଧ୍ୟ ଖୁବ୍ ଯତ୍ନର ସହିତ ‘ପୋଇଶାଗ’ ସହ ଅନ୍ୟାନ୍ୟ ଖାଇବା ଜିନିଷ ପରସି ଦେଉଥିଲେ ସେମାନଙ୍କୁ। ସେହି ଯୁବକଙ୍କର ନାମ ଥିଲା ସୁଭାଷ ଚନ୍ଦ୍ର ବୋଷ।

ଜାଣି ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ତତ୍କାଳୀନ ହିନ୍ଦୁ ହୋଟେଲ ଏବଂ ବର୍ତ୍ତମାନର ‘ସ୍ବାଧୀନ ଭାରତର ହିନ୍ଦୁ ହୋଟେଲ’ ହିଁ ତରୁଣ ସୁଭାଷଙ୍କର ନେତାଜୀ ଭାବରେ ରୂପାନ୍ତରିତ ହେବା ପଥର ଅନ୍ୟତମ ସୋପାନ ଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏକ ସାଧାରଣ ହୋଟେଲ ଭାବରେ ଆରମ୍ଭ ହୋଇଥିବା ଏହି ହୋଟେଲ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇ ଉଠିଥିଲା ବିପ୍ଳବୀ ମାନଙ୍କର ଗୋପନ ଆଲୋଚନାର ଆଖଡ଼ା। ଏହାର ପଶ୍ଚାତରେ ମାନଗୋବିନ୍ଦ ପଣ୍ଡାଙ୍କର ଦେଶପ୍ରେମୀ ହୃଦୟର ପ୍ରଚ୍ଛନ୍ନ ପ୍ରଶ୍ରୟ ଥିଲା। ଅଗ୍ନିଯୁଗର ଅନେକ ବିପ୍ଳବୀ ସେହି ହୋଟେଲରେ ଆସି ଆଡ୍ଡା ଜମାଉଥିଲେ। ଖାଉ ଖାଉ ଆଗାମୀ ପରିକଳ୍ପନାର ପ୍ରସ୍ତୁତି ହେଉଥିଲା। ଛାତ୍ରାବସ୍ଥା ପରେ ମଧ୍ୟ ସୁଭାଷ ଏହି ହୋଟେଲକୁ ଆସିବା ବନ୍ଦ କରିନଥିଲେ। ସୁଭାଷ ବୋଷ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ରାଜନୀତି ସହିତ ସମ୍ପୃକ୍ତ, ସେତେବେଳେ ମଧ୍ୟ ତାଙ୍କର ଗୁରୁ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଏହି ହୋଟେଲକୁ ଆସିଛନ୍ତି। ତା’ପରେ ସୁଭାଷ ଯେତେବେଳେ କୋଲକାତା କର୍ପୋରେସନର ମେୟର, ସେତେବେଳେ ୧୯୩୦ ମସିହାରେ ଧୀରେନ୍ଦ୍ର ଚନ୍ଦ୍ର ରାୟ, ଅମୂଲ୍ୟ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଯତୀଶ ଜୋୟାରାଦାରଙ୍କ ସହ ଏକାଧିକ ଅନୁଗାମୀଙ୍କୁ ନେଇ ଦିନେ ହାଜର ହୋଇଥିଲେ ହିନ୍ଦୁ ହୋଟେଲରେ। ଖାଉ ଖାଉ ହଠାତ୍ ସୁଭାଷ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ ବନ୍ଦେ ମାତରମ୍। ଅନୁଗାମୀମାନେ ଏବଂ ମାନଗୋବିନ୍ଦ ପଣ୍ଡା ଓ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ମଧ୍ୟ ସୁଭାଷଙ୍କ ସହ ସ୍ବର ମିଳାଇ ସ୍ଲୋଗାନ ଦେଇଥିଲେ “ବନ୍ଦେ ମାତରମ୍ ।”

ମାନଗୋବିନ୍ଦ ପଣ୍ଡା ବାରମ୍ବାର ରକ୍ଷା କରିଛନ୍ତି ଏହି ବିପ୍ଳବୀ ମାନଙ୍କୁ। ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଗିରଫ କରିବା ପାଇଁ ଯେତେବେଳେ ବ୍ରିଟିଶ ପୋଲିସ ହୋଟେଲ ଉପରେ ଚଢ଼ାଉ କରୁଥିଲେ, ମୁଖ୍ୟ ଦ୍ଵାରରେ ଛିଡ଼ା ହୋଇ ମାନଗୋବିନ୍ଦ ପୋଲିସ ବାହିନୀକୁ ଅଟକାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲେ। ପ୍ରଚୁର ମାଡ଼ ଖାଇଛନ୍ତି, କିନ୍ତୁ କେବେହେଲେ ପାଟି ଖୋଲିନାହାନ୍ତି।

୧୯୪୩ ମସିହାର ଭୟାବହ ଅକାଳ ସମୟରେ ଏହି ପଣ୍ଡା ଭାଇ ଦ୍ବୟ ନିଜ ଅର୍ଥରେ କ୍ଷୁଧାର୍ତ୍ତ ଲୋକଙ୍କୁ ଖେଚୁଡ଼ି ରାନ୍ଧି ଖୁଆଇ ଆତ୍ମ ପ୍ରଶାନ୍ତି ଲାଭ କରୁଥିଲେ। ହୋଟେଲର ନାମ ଯଦିଓ ହିନ୍ଦୁ ହୋଟେଲ ଥିଲା, ତାରି ଭିତରେ କୌଣସି ଧର୍ମୀୟ ସଂକୀର୍ଣ୍ଣତା ନ ଥିଲା।

ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଜଣେ ମୁସଲମାନ ଦାନ କରିଥିବା ଜମି ଉପରେ ଗଢ଼ି ଉଠିଥିବା ଏହି ହୋଟେଲର ଅଧିକାଂଶ କର୍ମଚାରୀ ଥିଲେ ମୁସଲମାନ। ସେମାନେ ହିଁ ଏହି ହୋଟେଲକୁ ସଦା ସର୍ବଦା ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ହିନ୍ଦୁ ମୁସଲମାନ ଦଙ୍ଗା ସମୟରେ ମଧ୍ୟ ଏହି ହୋଟେଲ ଅଜସ୍ର ମୁସଲମାନ ଏବଂ ହିନ୍ଦୁ ମାନଙ୍କୁ ଆଶ୍ରୟ ଦେଇ ଭୟାବହ ଦଙ୍ଗାରୁ ସେମାନଙ୍କର ପ୍ରାଣ ରକ୍ଷା କରିଥିଲା।

୧୫ ଅଗଷ୍ଟ,୧୯୪୭। ଭାରତ ସ୍ବାଧୀନ ହେଲା। ହୋଟେଲ ସମ୍ମୁଖରେ ଦୁଇଭାଇ ମାନଗୋବିନ୍ଦ ଏବଂ ପ୍ରହ୍ଲାଦ ପତାକା ଉତ୍ତୋଳନ କରିଥିଲେ। ଶୋଭାଯାତ୍ରା ପରେ ଆହାର କରିବା ପାଇଁ ଆସିଥିବା ସ୍ବେଚ୍ଛାସେବୀ ମାନଙ୍କ ପ୍ରସ୍ତାବ ଅନୁଯାୟୀ, ହିନ୍ଦୁ ହୋଟେଲର ନାମ ପରିବର୍ତ୍ତନ କରି ସ୍ବାଧୀନ ଭାରତ ହିନ୍ଦୁ ହୋଟେଲ ରଖାଯାଇଥିଲା। ଭାରତବର୍ଷର ସ୍ବାଧୀନତା ସଂଗ୍ରାମର ଏକ ଜୀବନ୍ତ ସାକ୍ଷୀ ଶତବର୍ଷ ପ୍ରାଚୀନ ଏହି ହୋଟେଲ। ବହୁ ବିପ୍ଳବୀଙ୍କର ଗଢି ଉଠିଥିବା ଏବଂ ସେମାନଙ୍କର ବିପ୍ଳବ ଆନ୍ଦୋଳନରେ ଏହି ହୋଟେଲର ପରୋକ୍ଷ ଅବଦାନ ଅନସ୍ବୀକାର୍ଯ୍ୟ। ସ୍ବୟଂ ସୁଭାଷ ଚନ୍ଦ୍ର ବୋଷଙ୍କ ବିକାଶର ସାକ୍ଷୀ ମଧ୍ୟ ଏହି ହୋଟେଲ।

ଜଣେ ପ୍ରାଣବନ୍ତ ତରୁଣଙ୍କର ମହାମାନବ ହୋଇ ଉଠିବା ପଛରେ ଏହି ହୋଟେଲର ଯେଉଁ ପ୍ରଚ୍ଛନ୍ନ ସହଯୋଗ ରହିଛି, ଆଜି ଦୁଇ ପୁରୁଷ ପରେ ତଥାପି ଏହି ହୋଟେଲ କୋଲକାତା ନଗରୀରେ ମାନଗୋବିନ୍ଦ ପଣ୍ଡାଙ୍କ ନାତି ଅରୁଣ ପଣ୍ଡାଙ୍କ ପାଇଁ ସଦର୍ପେ ମୁଣ୍ଡଟେକି ଛିଡ଼ା ହୋଇ ରହିଛି। ତେବେ ଏହି ହୋଟେଲର ଗୌରବମୟ ଐତିହ୍ୟରେ ଆଜି ମଧ୍ୟ ଭଟ୍ଟା ପଡ଼ିନାହିଁ। ଏବେ ମଧ୍ୟ ସ୍ବାଧୀନତା ଦିବସରେ ସଜେଇ ହୁଏ ସ୍ବାଧୀନ ଭାରତର ହିନ୍ଦୁ ହୋଟେଲ। ହୋଟେଲର କାନ୍ଥରେ ଅଗଣିତ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଫଟୋ। ସେହି ମହାନ ସଂଗ୍ରାମୀ ମାନଙ୍କର ଫଟୋଚିତ୍ର ସାମ୍ନାରେ ହୁଏ ପତାକା ଉତ୍ତୋଳନ। ସେଦିନର ମେନୁରେ ଅବଶ୍ୟ ହିଁ ଥାଏ ନେତାଜୀଙ୍କର ଅତି ପ୍ରିୟ ‘ପୋଇଶାଗ’। ଆଜି ମଧ୍ୟ ସ୍ବାଧୀନତା ଦିବସରେ ଏହି ହୋଟେଲକୁ ଖାଇବା ପାଇଁ ଆସୁଥିବା ଗ୍ରାହକମାନଙ୍କ ଠାରୁ ପଇସା ନିଆଯାଏ ନାହିଁ।

ଭାରତବର୍ଷର ଅଗ୍ନି ଯୁଗର ଗୌରବକୁ ଛାତିରେ ଧରି, ଆଜି ମଧ୍ୟ ଏହି ହୋଟେଲର ଯାତ୍ରା ଅବ୍ୟାହତ ରହିଛି। ଏହି ହୋଟେଲର ପ୍ରତିଷ୍ଠାତା ଏବଂ ସ୍ବାଧିନତା ସଂଗ୍ରାମୀମାନଙ୍କର ପ୍ରିୟ ଗୋପନ ଆଡ୍ଡାର ମାଲିକ ମାନଗୋବିନ୍ଦ ପଣ୍ଡା ଏବଂ ପ୍ରହ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ସମ୍ପର୍କରେ ହୁଏତ ଇତିହାସ ନିରବ, କିନ୍ତୁ ଏମାନଙ୍କର ଉତ୍ସର୍ଗୀକୃତ ଜୀବନ ହିଁ ଏମାନଙ୍କୁ ଭିଡ଼ ଭିତରେ ଭିନ୍ନ ମଣିଷ ଭାବରେ ପ୍ରତିଷ୍ଠିତ କରିଛି। ଭିଡ଼ ଭିତରେ ଭିନ୍ନ ପଣ୍ଡା ଭ୍ରାତା ଦ୍ବୟଙ୍କ ପ୍ରତି ଆଜି ମଧ୍ୟ କୋଲକାତାବାସୀ ଶ୍ରଦ୍ଧା ଓ ସମ୍ମାନ ଜଣାଇଥାନ୍ତି।

ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲି ଆସିଥିବା ଦୀର୍ଘ ସଂଘର୍ଷ ପଛର ମୂଳ କାରଣ ହେଲା ଧର୍ମ । ମଣିଷକୁ ମାରି ଏ ସୁନ୍ଦର ପୃଥିବୀକୁ ନଷ୍ଟ କରିବା ଛଡ଼ା ଆନୁଷ୍ଠାନିକ ଧର୍ମଗୁଡ଼ିକ ଆଉ ଅଧିକ କ’ଣ କରିଛନ୍ତି ? ଧର୍ମ ହିଁ ହିଂସାର ମୂଳ କାରଣ l

‘ଗୀତା’ ହେଉଛି ଉପନିଷଦ ମାନଙ୍କର ସାରାଂଶ। କାହାରିକୁ ହିଂସା ନକରିବାକୁ କାରଣ ସହିତ ଈଶ ଉପନିଷଦର ଷଷ୍ଠ ମନ୍ତ୍ରରେ ଭଗବାନ ନିର୍ଦ୍ଦେଶ ଦେଇଛନ୍ତି। ଗାନ୍ଧିଜୀ ସବୁଦିନ ‘ରାମଧୂନ୍’ ପ୍ରାର୍ଥନା କରିଐଶ୍ଵରିକ ବାଣୀକୁ ଅକ୍ଷରେ ଅକ୍ଷରେ ପାଳୁଥିଲେ।

ଯୁଦ୍ଧ ଏଠି ହେଉ ବା ସେଠି, ଇଏ ଲଢ଼ୁ ବା ସିଏ, କ୍ଷତି ହୁଏ ମଣିଷର, ପୃଥିବୀର, ପ୍ରାଣର, ପ୍ରକୃତିର। ସମସ୍ତେ ଚାହାଁନ୍ତି ପୃଥିବୀ ବଦଳୁ, ନିଜକୁ ବଦଳାଇବାକୁ କେହି ରାଜି ନୁହଁନ୍ତି l କାହାଣୀ ଯେତେ ମନମୁଗ୍ଧକର ହେଉନା କାହିଁକି ଇତିହାସ ନୁହେଁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର...

Read more
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.