• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅମର ଶହୀଦ କମଳାକାନ୍ତ

ଅମର ଶହୀଦ କମଳାକାନ୍ତ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ନଭେମ୍ବର ୨୦୨୩

ସେ ଏଭଳି ଜଣେ ଆଗ୍ନେୟ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କୁ ତୁରନ୍ତ ଗିରଫ ନକରିବା ପର୍ଯ୍ୟନ୍ତ ବ୍ରିଟିଶ ସରକାରର ନିଦ ହଜି ଯାଇଥିଲା । ଉପନିବେଶବାଦ ବିରୁଦ୍ଧରେ ତାଙ୍କର ଏପରି ଅଗ୍ନିବର୍ଷୀ ଭାଷଣ ଥିଲା, ଯାହା ଜନସାଧାରଣଙ୍କ ମନରେ ଉଗ୍ର ଦେଶପ୍ରେମ ଭାବନା ଜାଗ୍ରତ କରୁଥିଲା । ଯାହାଙ୍କର ଜ୍ୱାଳାମୟୀ ଆଲେଖ୍ୟ ଇଂରେଜ ଶାସନର ଦମନମୂଳକ କାର୍ଯ୍ୟକଳାପକୁ ଫଳପ୍ରଦ ଭାବେ ପ୍ରତିହତ କରିବାରେ ବିଶେଷ ସହାୟକ ହୋଇଥିଲା । ସେହି ଦେଶପ୍ରେମୀ ବ୍ୟକ୍ତିଙ୍କ ଅଗ୍ନିବର୍ଷୀ ଭାଷଣ ଓ ଜ୍ୱାଳାମୟୀ ଲେଖନୀ ଚାଳନା ଫିରିଙ୍ଗି ଶାସକଙ୍କୁ ଏଭଳି ଥରହର କରିଥିଲା ଯେ, ତାଙ୍କୁ ଅଗତ୍ୟା ଗିରଫ କରି ନିଃଶେଷ ନକରିବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଅଥୟ ହୋଇ ପଡିଥିଲା । ଜାତୀୟ ଆନ୍ଦୋଳନ ସମୟରେ ଇଂରେଜ ଶାସକଙ୍କ କୋପ ଦୃଷ୍ଟିର ଶୀକାର ହୋଇଥିବା ସେହି ଅସାମାନ୍ୟ ସଂଗ୍ରାମୀ ଜଣକ ହେଉଛନ୍ତି କମଳାକାନ୍ତ ମହାପାତ୍ର । ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ରହିଥିଲେ ସୁଦ୍ଧା ମାତୃଭୂମି ପାଇଁ ପ୍ରାଣତ୍ସୋର୍ଗ କରିଥିବା ଅନେକ ସଂଗ୍ରାମୀଙ୍କ ଭଳି ଆମ ଜାତୀୟ ଆନ୍ଦୋଳନ ଇତିହାସରେ କମଳାକାନ୍ତଙ୍କ ମହନୀୟ ବ୍ୟକ୍ତିତ୍ୱ କିମ୍ବା ତାଙ୍କର ଉଲ୍ଲେଖନୀୟ ଅବଦାନ ସଂପର୍କରେ ସାମାନ୍ୟତମ ଉଲ୍ଲେଖ ନାହିଁ ।

କମଳାକାନ୍ତ ଥିଲେ ଜଣେ ପ୍ରତିଭାଦୀପ୍ତ ଉଚ୍ଚ ଶିକ୍ଷିତ ଯୁବକ । ଆଭିଜାତ୍ୟ ଭୂମ୍ୟାଧିକାରୀ ପରିବାରରେ ଜନ୍ମିତ ଏହି ଉଦୀୟମାନ ଯୁବକ ଜଣକ କଟକର ସଂଭ୍ରାନ୍ତ ରେଭେନ୍ସା କଲେଜରୁ ବି.ଏ. ପାଶ କରିବା ପରେ ପାଟନା ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ଅର୍ଥନୀତିରେ ସ୍ନାତକତ୍ତୋର(ଏମ.ଏ.) କରିଥିଲେ । ସେତେବେଳେ ଅର୍ଥାତ୍ ପ୍ରାକ-ସ୍ୱାଧୀନତା କାଳରେ ଓଡିଶାରେ ହାତଗଣତି ଛାତ୍ର ବି.ଏ. କିମ୍ବା ଏମ.ଏ. ପାଶ୍ କରିଥିଲେ । ଯେଉଁମାନେ ବି.ଏ. ପାଶ କରୁଥିଲେ ସେମାନଙ୍କୁ ବ୍ରିଟିଶ ଭାରତରେ ଆକର୍ଷଣୀୟ ଡେପୁଟି (ଭାରତୀୟ ମାନଙ୍କ ଲାଗି ସର୍ବୋଚ୍ଚ ଡେପୁଟି ମାଜିଷ୍ଟ୍ରେଟ ପଦବୀର) ଚାକିରି ମିଳୁଥିଲା । କିନ୍ତୁ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ କମଳାକାନ୍ତ ଇଂରେଜ ଶାସକଙ୍କ ଲୋଭନୀୟ ଡେପୁଟି ଚାକିରି ପ୍ରତି ବୀତସ୍ପୃହ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ସେହି ସମୟରେ ହରେକୃଷ୍ଣ ମହତାବ ବାଲେଶ୍ୱରରୁ ‘ପ୍ରଜାତନ୍ତ୍ର’ ଖବରକାଗଜ ପ୍ରକାଶ କରି ତା’ର ସଂପାଦନା କରୁଥିଲେ । ‘ପ୍ରଜାତନ୍ତ୍ର’ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସର ବାର୍ତ୍ତା ପ୍ରଚାର କରିବା ସହିତ ବ୍ରିଟିଶ ସରକାରଙ୍କ ଅନ୍ୟାୟ, ଅନୀତି ତଥା ଦମନ ମୂଳକ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରୁଥିଲା । ଜାତୀୟ ଆନ୍ଦୋଳନ ବା ସ୍ୱାଧୀନତା ସଂଗ୍ରାମରେ ଡ଼ଃ ମହତାବଙ୍କ ସଂପୃକ୍ତି ଯୋଗୁ ଇଂରେଜ ସରକାର ତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଦେଲେ । ତେଣୁ ‘ପ୍ରଜାତନ୍ତ୍ର’ ପରିଚାଳନା ଓ ସଂପାଦନାରେ ସଂକଟ ଉପୁଜିଥିଲା । ତେବେ ଡ଼ଃ ମହତାବଙ୍କ ଅନୁରୋଧକ୍ରମେ କମଳାକାନ୍ତ ତାଙ୍କ ଅନୁପସ୍ଥିତିରେ ‘ପ୍ରଜାତନ୍ତ୍ର’ର ସଂପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ମାତ୍ର ‘ପ୍ରଜାତନ୍ତ୍ର’ରେ ବ୍ରିଟିଶ ସରକାର ବିରୋଧୀ ତାଙ୍କର ଶାଶିତ ଲେଖନୀ ଚାଳନା ସହିତ ସଭାସମିତିରେ ଉଗ୍ର ଦେଶପ୍ରେମ ଉଦ୍ରେକକାରୀ ଅଭିଭାଷଣ ପାଇଁ ସେ ଅଚିରେ ବ୍ରିଟିଶ ଶାସକଙ୍କ କୋପ ଦୃଷ୍ଟିର ଶୀକାର ହୋଇଥିଲେ । ଏଭଳି ସଂଗ୍ରାମୀଙ୍କ ମୁକ୍ତ ବିଚରଣ ଫିରିଙ୍ଗି ଶାସନ ପାଇଁ ଅତ୍ୟନ୍ତ ବିପଦ ମନେକରି ବ୍ରିଟିଶ ପୋଲିସ ତାଙ୍କୁ ଅଗତ୍ୟା ମିଥ୍ୟା ରାଜଦ୍ରୋହ ମାମଲାରେ ଗିରଫ କରି ହଜାରିବାଗ ଜେଲରେ ରଖି ଦେଇଥିଲେ । କମଳାକାନ୍ତଙ୍କୁ କାରାରୁଦ୍ଧ କରି ଇଂରେଜ ସରକାର ସମାଜରେ ତାଙ୍କର ଅବାଧ ତଥା ମୁକ୍ତ ଚଳପ୍ରଚଳକୁ ସୀମିତ କରି ଦେଇଥିଲେ ମଧ୍ୟ ତାଙ୍କ ବିଚାରଧାରାକୁ ସୀମାବଦ୍ଧ କରି ପରିନଥିଲା । କାରଣ ଜେଲରେ ରହି କମଳାକାନ୍ତ ଜାତୀୟ ଆନ୍ଦୋଳନକୁ ଅଧିକ ତେଜୀୟାନ କରିବା ଲାଗି ଗୋପନରେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ନିକଟକୁ ପତ୍ରାଳାପ କରିବାକୁ ଲାଗିଥିଲେ । ଅନ୍ୟପକ୍ଷରେ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ଯଥା ବିଦେଶୀ ସାମଗ୍ରୀ ବର୍ଜନ, ମୌଳିକ ବୃତ୍ତିଗତ ଶିକ୍ଷା, ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର, ନିଶା ନିବାରଣ, ଅସୃଶ୍ୟତା ଦୂରୀକରଣ ଭଳି କାର୍ଯ୍ୟକ୍ରମକୁ ଚାଲୁ ରଖିବା ଉପରେ ସେ ତାଙ୍କ ଚିଠିରେ ଗୁରୁତ୍ୱ ଦେଇଥିଲେ । ଥରେ ସେ ତାଙ୍କ ପୁରୁତାଙ୍କ ନିକଟରୁ ଲେଖିଥିବା ଗୋଟିଏ ଚିଠିରେ ଉଲ୍ଲେଖ କରିଥିଲେ ଭାରତରେ ଜାତି ବିହୀନ ଓ ଶ୍ରେଣୀ ବିହୀନ ସମାଜ ଗଠନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପଡିବ । ତା’ନହେଲେ ବହୁ ଆକାଂକ୍ଷିତ ଆମର ସ୍ୱାଧୀନତାପ୍ରାପ୍ତିରେ ନିଶ୍ଚିତ ବିଳମ୍ବ ଘଟିବ । କମଳାକାନ୍ତଙ୍କ ଅଦମନୀୟ ଦେଶପ୍ରେମ ଏବଂ ଇଂରେଜ ଶାସନ ବିରୋଧୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତଦାନିନ୍ତନ ବ୍ରିଟିଶ ସରକାର ସେହି ହଜାରିବାଗ ଜେଲରେ ହିଁ ତାଙ୍କୁ ଇଞ୍ଜେକସନ ଜରିଆରେ ରାଜଯକ୍ଷ୍ମା ଜୀବାଣୁ ପ୍ରୟୋଗ କରିଥିଲେ । ଫଳରେ ସେ ଅଚିରେ ରାଜଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ବାଲଟି ବାଲଟି ରକ୍ତ ବାନ୍ତି କରିବାକୁ ଲାଗିଥିଲେ । ବର୍ତ୍ତମାନର କର୍କଟ ବା କ୍ୟାନସର ଭଳି ସେତେବେଳେ ରାଜଯକ୍ଷ୍ମା ଏକ ଦୁରାରୋଗ୍ୟ ବ୍ୟାଧି ଥିଲା । କାରଣ ସେହି ରୋଗର ଉପଶମ ପାଇଁ କୌଣସି ଔଷଧ କିମ୍ବା ଚିକିତ୍ସା ବ୍ୟବସ୍ଥା ସେତେବେଳେ ଉଦ୍ଭାବନ ହୋଇନଥିଲା । ତେଣୁ ରାଜଯକ୍ଷ୍ମା ରୋଗରେ ପୀଡିତ ବ୍ୟକ୍ତିଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ବିବେଚନା କରାଯାଉଥିଲା । ତଥାପି କମଳାକାନ୍ତ ଜଣେ ଆଭିଜାତ୍ୟ ସଂପନ୍ନ ଧନାଢ୍ୟ ବଂଶର ଦାୟଦ ହୋଇଥିବାରୁ ତାଙ୍କର ଜୀବନ ରକ୍ଷା ପାଇଁ ପରିବାରବର୍ଗଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା ।

କମଳାକାନ୍ତଙ୍କର ପିତା ଥିଲେ ଓଡିଶାର ବିଶିଷ୍ଟ ଆଇନଜୀଵୀ ତଥା ବିହାର-ଓଡିଶା ବିଧାନ ପରିଷଦର ପ୍ରଥମ ଓଡିଆ ଉପ-ବାଚସ୍ପତି ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର । ସେତେବେଳେ ବିଧାନ ପରିଷଦର ଅଧିବେଶନ ବିହାରର ପାଟନା ଓ ରାଞ୍ଚି ଦୁଇଟି ସ୍ଥାନରେ ଅନୁଷ୍ଠିତ ହେଉଥିଲା । ରାଞ୍ଚିରେ ଭାଗବତ ପ୍ରସାଦଙ୍କ ବାସଭବନ ଥିବାରୁ ପରିବାରବର୍ଗ କମଳାକାନ୍ତଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ହଜାରିବାଗରୁ ରାଞ୍ଚି ଜେଲକୁ ସ୍ଥାନାନ୍ତର କରିଥିଲେ । ଅପରପକ୍ଷେ ତାଙ୍କର ଅନ୍ୟତମ ବଡଭାଇ ସୀତାକାନ୍ତ ଏବଂ ବଡ ଭଉଣୀ କୋକିଳା ଦେବୀ କମଳାକାନ୍ତଙ୍କ ଚିକିତ୍ସା ସମେତ ସେବା ଶୁଶ୍ରୁଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ । ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ରାଜଯକ୍ଷ୍ମା ରୋଗରେ ଆକ୍ରାନ୍ତ କମଳାକାନ୍ତଙ୍କ ଜୀବନ ରକ୍ଷା ସମ୍ଭବ ହୋଇ ପାରିନଥିଲା । ଆଦ୍ୟ ଯୌବନରେ ଅର୍ଥାତ ମାତ୍ର ୨୪ ବର୍ଷ ବୟସରେ କମଳାକାନ୍ତଙ୍କର ରାଞ୍ଚି ଜେଲରେ ହିଁ ଜୀବନ ଦ୍ୱୀପ ଲିଭି ଯାଇଥିଲା । ଦେହାନ୍ତ ପରେ ତାଙ୍କ ମରଶରୀରକୁ ନିଜ ଗ୍ରାମ ବର୍ତ୍ତମାନର ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତାଳପଦାକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିବା କମଳାକାନ୍ତ ୧୯୩୨ ମସିହା ଅକ୍ଟୋବର ମାସ ଦୁର୍ଗା ସପ୍ତମୀ ଦିନ ପରଲୋକ ଗମନ କରିଥିଲେ ।

ତେବେ ବିଡମ୍ବନାର ବିଷୟ ହେଉଛି, କମଳାକାନ୍ତଙ୍କ ସେବାଯତ୍ନରେ ନିୟୋଜିତ ତାଙ୍କ ବଡଭାଇ ସୀତାକାନ୍ତ ଓ ବଡ ଭଉଣୀ କୋକିଳା ଦେବୀ ମଧ୍ୟ ପରବର୍ତ୍ତୀ କାଳରେ ସେହି ଦୁରାରୋଗ୍ୟ ରାଜଯକ୍ଷ୍ମା ବ୍ୟାଧିରେ ସଂକ୍ରମିତ ହୋଇଥିଲେ । ସେହି ଦୁଇଜଣ ମଧ୍ୟ ଅସମୟରେ ଯଥାକ୍ରମେ ୪୧ ଏବଂ ୪୦ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ସୀତାକାନ୍ତ ୪୧ ବର୍ଷ ବୟସରେ ଶିମଲା ଠାରେ ମୃତ୍ୟୁବରଣ କରିବା ବେଳକୁ “କାଉନସିଲ ଅଫ ଷ୍ଟେଟସ” (ବର୍ତ୍ତମାନର ରାଜ୍ୟସଭା)ର ସଭ୍ୟ ଥିଲେ । ତା’ ପୂର୍ବରୁ ସେ ବିହାର-ଓଡିଶା ବିଧାନ ପରିଷଦ ଓ ସେଣ୍ଟାଲ ଲେଜିସଲେଟିଭ ଆସେମ୍ଲିର ମଧ୍ୟ ସଦସ୍ୟ ହୋଇ ସାରିଥିଲେ । ସେହିପରି ବଡ ଭଉଣୀ କୋକିଳା ଦେବୀଙ୍କର ୪୦ବର୍ଷ ବୟସରେ ଦେହାନ୍ତ ଘଟିବା ସମୟରେ ସେ ଓଡିଶାର ଅନ୍ୟତମ ଅଗ୍ରଣୀ ମହିଳା ସ୍ୱାଧୀନତା ସଂଗ୍ରାମୀ ହିସାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ । ଅନ୍ୟପକ୍ଷରେ ରାଜ୍ୟର ଜଣେ ପ୍ରଥିତଯଶା କବୟିତ୍ରୀ ରୂପେ ମଧ୍ୟ ସେ ପ୍ରତିପାଦିତ ହୋଇ ସାରିଥିଲେ ।

ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି, ବ୍ରିଟିଶ ସରକରଙ୍କ ଅମାନବୀୟ ବର୍ବରୋଚିତ ଆଚରଣ ଯୋଗୁଁ ଆଦ୍ୟ ଯୌବନରେ ମୃତ୍ୟୁବରଣ କରିଥିବା କମଳାକାନ୍ତଙ୍କ ଜ୍ୟେଷ୍ଠଭ୍ରାତା ହେଉଛନ୍ତି ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜଜନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଚଳତଶକ୍ତିହୀନ କାନ୍ତକବି ସଶରୀରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ପାରିନଥିଲେ ମଧ୍ୟ କାଳଜୟୀ ଦେଶାତ୍ମବୋଧକ ସାହିତ୍ୟ ସୃଷ୍ଟି ଜରିଆରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଏବଂ ଜାତୀୟ ଆନ୍ଦୋଳନକୁ ଯେଭଳି ତେଜୀୟାନ କରିଥିଲେ, ସେଥିପାଇଁ ସେ ଓଡିଆ ଜାତିର ଚିରସ୍ମରଣୀୟ ହୋଇ ରହିଛନ୍ତି । କିନ୍ତୁ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବିଙ୍କ ପରିବାରର ଯେଉଁ ଅତୁଳନୀୟ ଅବଦାନ ରହିଛି ବିଭିନ୍ନ କାରଣରୁ ତାହା ଅଦ୍ୟାବଧି ଲୋକଲୋଚନକୁ ଆସି ପାରିନାହିଁ । କେବଳ ଏତିକି କହିଲେ ଯଥେଷ୍ଟ ହେବ – କାନ୍ତକବିଙ୍କ ପରିବାରର ନିରବଚ୍ଛିନ୍ନ ତିନି ପିଢିର ବିପୁଳ ସଂଖ୍ୟକ ସଦସ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଯେଭଳି ପ୍ରାଣବଳୀ ଓ କାରାବରଣ କରିଛନ୍ତି, କେବଳ ଓଡିଶା ନୁହେଁ ପରନ୍ତୁ ସମଗ୍ର ଭାରତବର୍ଷରେ ତା’ର ପଟାନ୍ତର ନାହିଁ । ସଂଗ୍ରାମ କାଳରେ ଭୂମ୍ୟାଧିକାରୀ ବା ଜମିଦାରମାନେ ସେମାନଙ୍କ ସଂପତ୍ତିର ସୁରକ୍ଷା ପାଇଁ ଇଂରେଜ ମାନଙ୍କ ଦୃଢ ସମର୍ଥକ ହୋଇଥିବା ବେଳେ କାନ୍ତକବିଙ୍କ ସମଗ୍ର ପରିବାର ଉଗ୍ର ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ଜାତୀୟ ଆନ୍ଦୋଳନରେ ସାରଥୀ ସାଜିଥିଲେ ।

ଇଂରେଜ ଶାସକଙ୍କ ଅନ୍ୟାୟର ପ୍ରତିବାଦ କରି କାନ୍ତକବିଙ୍କ ପିତା ଭାଗବତ ପ୍ରସାଦ ବିହାର-ଓଡିଶା ବିଧାନ ପରିଷଦର ସଭ୍ୟ ପଦରୁ ଇସ୍ତଫା ଦେଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ବ୍ରିଟିଶ ସରକାରଙ୍କ ଅମାନନୁଷିକ ବର୍ବର ଆଚରଣର ଶୀକାର ହୋଇ କାନ୍ତକବି ତାଙ୍କର ଦୁଇ ସାନଭାଇ କମଳାକାନ୍ତ, ସୀତାକାନ୍ତଙ୍କ ସହିତ ସାନଭଉଣୀ କୋକିଳା ଦେବୀଙ୍କୁ ଅସମୟରେ ହରାଇଥିଲେ । ଆଜୀବନ ଶଯ୍ୟାଶାୟୀ କାନ୍ତକବିଙ୍କ ଦୁଇପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ ସମିଲ ହୋଇ ବାରମ୍ବାର କାରାବରଣ କରିଥିଲେ । ଏତଦ୍‌ଭିନ୍ନ କାନ୍ତକବିଙ୍କ ଭଗ୍ନୀ ଜାହ୍ନବୀ ଦେବୀ, ଭଗ୍ନୀପତି ମୁକୁନ୍ଦ ପ୍ରସାଦ ଦାସ (ଜାହ୍ନବୀ ଦେବୀଙ୍କ ସ୍ୱାମୀ ତଥା ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି), ଜାହ୍ନବୀ ଦେବୀଙ୍କ ପୁତ୍ର ଗୌର ଗୋପାଳ ଦାସ ଏବଂ କାନ୍ତକବିଙ୍କ ମାମୁଁ ପୁଅ ଭାଇ ଜଗନ୍ନାଥ ଦାସ ଓ ଦ୍ୱାରିକା ଦାସଙ୍କ ଭଳି ପରିବାରର ଅନେକ ସଦସ୍ୟ ଜାତୀୟ ଆନ୍ଦୋଳନରେ ଅଂଶଗ୍ରହଣ କରି ବାରମ୍ବାର ଜେଲ ଯାଇଥିଲେ । ସର୍ବୋପରି କୁହାଯାଇପାରେଯେ, କାନ୍ତକବିଙ୍କ ସମଗ୍ର ପରିବାର ସ୍ୱାଧୀନତା ସଂଗ୍ରାମରେ ସମର୍ପିତ ହୋଇଥିଲେ , ଯାହାକି ସାରା ଭାରତବର୍ଷରେ ଅନ୍ୟତ୍ର ପରିଲକ୍ଷିତ ହୁଏନାହିଁ ।

ଦେଶରେ ଏକ ବର୍ଷବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ନିକଟରେ ଉଦଯାପିତ ହୋଇ ଯାଇଛି । ଆଜାଦି ବା ସ୍ୱାଧୀନତା ଯଜ୍ଞରେ ଅନନ୍ୟ ଅବଦାନ ରଖିଥିବା ସଂଗ୍ରାମୀମାନଙ୍କ ସ୍ମୃତି ଉଜାଗର କରିବା ଏବଂ ସେମାନଙ୍କ ମହନୀୟ ବ୍ୟକ୍ତିତ୍ୱ ସଂପର୍କରେ ଉତ୍ତରଦାୟଦ ମାନଙ୍କୁ ଅବଗତ କରିବା ହେଉଛି ଏହି ମହୋତ୍ସବର ଅନ୍ୟତମ ପ୍ରମୁଖ ଉଦେଶ୍ୟ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି, ଅମୃତ ମହୋତ୍ସବ ପାଳନ ସମୟରେ ଲୋକଲୋଚନର ଅନ୍ତରାଳରେ ରହିଯାଇଥିବା ଆମର ଅମର ଶହୀଦମାନଙ୍କ କୀର୍ତ୍ତି ଓ କୃତି ସଂପର୍କିତ ତଥ୍ୟ ଉନ୍ମୋଚନ ଲାଗି ପ୍ରଶାସନ ପକ୍ଷରୁ ସାମାନ୍ୟତମ ଉଦ୍ୟମ କରାଯାଇ ନାହିଁ । ଫଳରେ ଦେଶ ମାତୃକା ପାଇଁ ପ୍ରାଣତ୍ସୋର୍ଗ କରିଥିବା କମଳାକାନ୍ତ ଓ ତାଙ୍କ ଭଳି ଅନେକ ଅମର ଶହୀଦ ଆଜି ବିସ୍ତୁୃତିର ଅତଳ ଗର୍ଭରେ ବିଲୀନ ହୋଇ ଯାଇଛନ୍ତି ।

ବିଡମ୍ବନାର ବିଷୟଯେ, ‘ପ୍ରଜାତନ୍ତ୍ର’ର ସଂପାଦକ ଥିବାବେଳେ ଯେଉଁ ମିଥ୍ୟା ରାଜଦ୍ରୋହ ମାମଲାରେ ବ୍ରିଟିଶ ପୋଲିସ କମଳାକାନ୍ତଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଇଲେ ତତ୍‌ସଂପର୍କିତ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସ ଏସ.ପିଙ୍କ ଗୋପନୀୟ (କନଫିଡେନସିଆଲ) ରିପୋର୍ଟ, ହଜାରିବାଗ ଓ ରାଞ୍ଚି ଜେଲରେ ଥିବା କମଳାକାନ୍ତଙ୍କ ସଂପର୍କିତ ରେକର୍ଡ ଆଦି ସବିଶେଷ ତଥ୍ୟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସାର୍ବଜନୀନ କରିବା ନିହାତି ଆବଶ୍ୟକ । ଅନ୍ୟପକ୍ଷରେ ‘ପ୍ରଜାତନ୍ତ୍ର’ର ସଂପାଦକ ଥିବାବେଳେ କମଳାକାନ୍ତଙ୍କ ସଂପାଦକୀୟ, ଅଗ୍ରଲେଖ ଓ ଅନ୍ୟାନ୍ୟ ଆଲେଖ୍ୟ ଗୁଡିକ ଆର.ଏନ. ଆଇ. (ରେଜିଷ୍ଟ୍ରାର ନ୍ୟୁଜପେପର ସୋସାଇଟି ଅଫ ଇଣ୍ଡିଆ) ସଂସ୍ଥା ନିକଟରୁ ପୁନରୁଦ୍ଧାର କରିବା ଅତ୍ୟନ୍ତ ଜରୁରୀ । କାରଣ କଟକସ୍ଥିତ ‘ପ୍ରଜାତନ୍ତ୍ର’ କାର୍ଯ୍ୟାଳୟରେ ତାହା ମହଜୁଦ ନାହିଁ ବୋଲି କତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ଏହି ତଥ୍ୟ ଗୁଡିକର ପର୍ଦ୍ଦାଫାଶ ହୋଇ ପାରିଲେ, ଅମର ସଂଗ୍ରାମୀ କମଳାକାନ୍ତଙ୍କ ସ୍ମୃତି ପ୍ରତି ତାହା ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ବିବେଚନା କରାଯାଇ ପାରିବ । ଅନ୍ୟପକ୍ଷରେ ତଦ୍ୱାରା ଆଜାଦି କା ଅମୃତ ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ କିଛି ପରିମାଣରେ ସଫଳ ହୋଇପାରିଲା ବୋଲି ମନେ କରାଯିବ ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.