• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳର ନୌବାଣିଜ୍ୟ : ଏକ ଐତିହାସିକ ଅନୁଶୀଳନ

ଉତ୍କଳର ନୌବାଣିଜ୍ୟ : ଏକ ଐତିହାସିକ ଅନୁଶୀଳନ
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୨୭ ନଭେମ୍ବର ୨୦୨୩

ଆମ ମାଟି ଯେଉଁଠି ରତ୍ନଗର୍ଭା, ସେଠି ତାର ଅନ୍ତଃସତ୍ତ୍ଵ ଭିତରୁ ଅତୀତକୁ ସମୃଦ୍ଧ କରିବା ପାଇଁ ସୁସଭ୍ୟ ସଭ୍ୟତାଟିଏ ନିଶ୍ଚୟ ଆତ୍ମ ପ୍ରକାଶ କରିଥିବ । ଏଥିରେ ସନ୍ଦେହ ନାହିଁ କିମ୍ବା ଦୃଷ୍ଟାନ୍ତର ପଟାନ୍ତର ନାହିଁ । ଉତ୍କଳର ନୌବାଣିଜ୍ୟ ଆଜି ଆମ ଐତିହ୍ୟର ଏକ ସ୍ବର୍ଣ୍ଣାଭ ସ୍ମୃତି । ସମୟ ସିନା ବଦଳିଯାଇଛି ହେଲେ ସ୍ମୃତି ବଦଳି ନାହିଁ । ମାଟିମାଆର ସେଇ ଆତ୍ମାର ଡାକକୁ ସେଇଦିନଠାରୁ ଆଜି ପର୍ଯ୍ୟନ୍ତ ଆମେ ସହୃଦୟତାର ସହ ଶୁଣି ଚାଲିଛେ ଓ ମନରେ ଗ୍ରହଣ କରି ସାରିଛେ । ସେ ଦିନର ବୋଇତ ନେଇ ଉତ୍କଳର ସୌଦାଗର ଆଜି ସିନା ନୌବାଣିଜ୍ୟକୁ ଯାଉନାହିଁ ମାତ୍ର କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷର ଉତ୍କଳର ପ୍ରତି ଅଂଚଳର ଜଳସ୍ରୋତରେ ସୋଲ, ଫୁଲ ଓ କଦଳୀ ପଟୁଆର କୁନି କୁନି ବୋଇତ ଭାସିଉଠେ । ଆ-କା-ମା-ବୈ ର ସ୍ବରରେ ପ୍ରକମ୍ପିତ ହୁଏ ତଟଭୂମି । କାଳର ସ୍ରୋତ ମଧ୍ୟ କମ୍ ନୁହେଁ । ଏହା ମଧ୍ୟରେ ବିତିଗଲାଣି ଅନେକ ଦିନ । ବାଣିଜ୍ୟର ସ୍ଵପ୍ନଦେଖୁ ତାକୁ ପୂରଣ କରିବାକୁ ଗୋଡ କାଢ଼ିଥ‌ିବା ଏ ମାଟିର ମଣିଷ ଆଜି ନିଜକୁ ଛିଡା କରାଇଛି ଏକ ଭିନ୍ନ ଜୀବନରେ । ସେଇଥିରେ ବହୁଳ ଅସ୍ତବ୍ୟସ୍ତ ହେଉଛି ଜୀବନ । ପ୍ରତିଦ୍ବନ୍ଦିତାରେ କୋଳାହଳମୟ ସମୟ ହଟଚମଟ ବସ୍ତୁବାଦ ପଛରେ ବାଜି ଲଗାଇ ଦଉଡୁଛି । ଜୀବନର ଦି’ପଦ ଦୁଃଖସୁଖ ହେବାକୁ କାହାରି ସମୟ ନାହିଁ । ଆଜି ସମସ୍ତେ ଜଣେ ଜଣେ ସ୍ବପ୍ନର ସୌଦାଗର ପାଲଟି ଯାଇଥିଲେ ବି ପ୍ରାଣ ଉଲ୍ଲାସର ଶଙ୍ଖ, ହୁଳହୁଳି କିମ୍ବା ହରିବୋଲ ଧ୍ବନି ଏବେକାର ସାଧବଙ୍କୁ ଆଉ ସ୍ଵାଗତ କରୁନାହିଁ । ସୁସ୍ଥ, ସରଳ ଓ ନିରୀହ ମାନସିକତା ବଦଳରେ ନିଜ ସୌଭାଗ୍ୟ ପାଇଁ ଅହରହ ଅବ୍ୟାହତ ରହିଥ‌ିବା କ୍ରିୟାଶୀଳ ଉଦ୍ୟମ ନିଶ୍ଚୟ ଏକ ବିପନ୍ନ ଚିନ୍ତାଧାରା ନୁହେଁ :- ଏହା ଆଗାମୀ ସମୟ ହିଁ କହିବ ।

ଅତୀତରେ ଭାରତବର୍ଷର ସମୁଦ୍ର ତଟରେ ଅନେକ ବନ୍ଦର ରହିଥିଲା । ଏହି ବନ୍ଦରଗୁଡିକରୁ ଆମ ଦେଶର ବଣିକମାନେ ପୂର୍ବ ଏସୀୟ ଦେଶଗୁଡିକୁ ନୌଯାତ୍ରା କରି ବ୍ୟବସାୟ ବାଣିଜ୍ୟ ଚଳାଇ ରଖୁଥିଲେ । ସେହି ସମୟ ମଧ୍ୟରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ଏକ ଗୌରବ ଉଜ୍ଜ୍ଵଳ ଅଧ୍ୟାୟ, ଆମ ରାଜ୍ୟକୁ ବିଦେଶରେ ସୁପରିଚିତ କରାଇବା ସହିତ ବିପୁଳ ପରିମାଣର ଧନରତ୍ନ ଆଣି ଏ ମାଟିକୁ ଐଶ୍ବର୍ଯ୍ୟଶାଳୀ କରିବାକୁ ଚେଷ୍ଟା ଚଳାଇଥିଲେ । ସେ ସମୟର ସାଧବ ପୁଅର ଏକ ସ୍ଵତନ୍ତ୍ର ପରିଚୟ ଥିଲା । ବାଣିଜ୍ୟ ବ୍ୟବସାୟରେ ଉତ୍କର୍ଷ ସାଧନ କରିଥିବା ଏକ ସାହସୀ ସଂପ୍ରଦାୟକୁ ସାଧବର ଆଖ୍ୟା ଦିଆଯାଇଥିଲା । ସମାଜର ସବୁ ବର୍ଗର ଜନ ସାଧାରଣ ସେମାନଙ୍କୁ ସମ୍ମାନ ଜଣାଉଥିଲେ । ନିଜ ମାଟିରୁ ଉତ୍ପନ୍ନ ଫସଲ ତଥା ସାମଗ୍ରୀକୁ ବିକ୍ରୟ କରି ଅନ୍ୟ ମାଟିର ପଦାର୍ଥକୁ ଏଠାରେ ପରିଚିତ କରିବାର ଏକ ସୁନ୍ଦର ପ୍ରକ୍ରିୟା ଆରମ୍ଭ କରିଥିଲେ ସାଧବ ପୁଅ । ସେଇଥପାଇଁ ଆମ ରାଜ୍ୟର କୁଟୀର ଶିଳ୍ପ ଏବଂ ଭାସ୍କର୍ଯ୍ୟ ତଥା କାରିଗରୀ କଳାର ନିଖୁଣ ପ୍ରକାଶ କୌଶଳ ବିଶ୍ବ ସମୁଦାୟକୁ ଆକୃଷ୍ଟ କରିଥିଲା । ଶିଳ୍ପୀ ଓ କାରିଗରମାନେ ଆହୁରି ଉତ୍ସାହିତ ହୋଇ ସେମାନଙ୍କର ବିକ୍ରୟ ପଦାର୍ଥକୁ ଚିତ୍ତାକର୍ଷକ କରିବା ସଂଗେ ସଂଗେ ଦି’ପଇସା ରୋଜଗାର କରିବାର ସୁଯୋଗ ଲାଭ କରୁଥିଲେ । ଅପର ପକ୍ଷରେ ବାହାର ଦେଶରେ ଏହାର ଚାହିଦା କ୍ରମଶଃ ବଢ଼ିବା ସଂଗେ ସଂଗେ ଏପରି ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳକୁ ସ୍ଵଚକ୍ଷୁରେ ଦେଖୁବା ପାଇଁ ଅନେକ ପରିଦର୍ଶକ ମଧ୍ୟ ଉତ୍କଳକୁ ଆସୁଥିଲେ । ଦ୍ରବ୍ୟଗୁଡିକର କ୍ରୟ ବିକ୍ରୟ ପାଇଁ କେବଳ ଜଳପଥରେ ବିଦେଶ ଯିବାପାଇଁ ସେତେବେଳେ ମୁଖ୍ୟ ପଥ ଥିଲା । ଏବଂ ସେହି ପୃଷ୍ଠଭୂମିରେ ବନ୍ଦରଗୁଡିକର ଆବଶ୍ୟକତା ଖୋଜା ଯାଉଥିଲା । ଉକ୍ତ ପ୍ରବନ୍ଧରେ ସେହି ବନ୍ଦରର ଭିଭିଭୂମିକୁ ଚିହ୍ନଟ କରିବା ଆମର ଲକ୍ଷ୍ୟ । ଚୀନର ପରିବ୍ରାଜକ ହୁଏନ୍‌ସାଂଙ୍କ ବର୍ଣ୍ଣନା ଅନୁଯାୟୀ ଚେଳିତାଳ ଏକ ପ୍ରସିଦ୍ଧ ବାଣିଜ୍ୟ ନଗରୀ ଥିଲା ଏବଂ ଏହି ବନ୍ଦର ଉଡ୍ର ଦେଶରେ ହିଁ ରହିଥିଲା । ଅନେକ ଐତିହାସିକ ଏହାକୁ ଅନୁଶୀଳନ କରିଛନ୍ତି । ‘ଚେଲିତୋଲୋ’ର ପ୍ରକୃତ ଚୀନଭାଷାର ଶବ୍ଦ ହେଉଛି – ‘ଚାରିଦ୍ର୍ୟ । ଯାହାର ସଂସ୍କୃତ ପ୍ରତିଶବ୍ଦ ହେଉଛି ‘ଚରିତ୍ର ପୁର’ । ଜେନେରାଲ୍ କମିଂହାମ୍‌, ଶ୍ରୀ ଆର.ଡି. ବାନାର୍ଜୀ ଏବଂ ଐତିହାସିକ ଡଃ ନବୀନ କୁମାର ସାହୁ ଏହି ମତକୁ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀଠାରେ ଏହି ବନ୍ଦରଥିଲା ବୋଲି ମତ ପୋଷଣ କରିଛନ୍ତି, ମାତ୍ର ଡକ୍ଟର ଡେଲ ‘ଚେଲିତାଲୋ’’କୁ ଚିତ୍ରୋତ୍ପଳା ବୋଲି ମତପୋଷଣ କରିଛନ୍ତି । ଚିତ୍ରୋତ୍ପଳା ମହାନଦୀର ଏକ ଶାଖାନଦୀ । ଏହି ନଦୀର ‘ନନ୍ଦ୍ରା’ ଠାରେ ଏକ ବନ୍ଦର ରହିଥିଲା । ସେହି ନଦୀ ତଟରେ ଏକ ଦୁର୍ଗର ଧ୍ଵଂସାବଶେଷ ମଧ୍ୟ ରହିଛି । ପୁରୀ ଜିଲ୍ଲା ଗେଜେଟିଅରରେ ମଧ୍ୟ ଚିତ୍ରାତ୍ପଳା ତଟରେ ଏକ ସମୃଦ୍ଧ ବନ୍ଦର ଥ‌ିବା କଥା ଲେଖା ହୋଇଛି । ପୁଣି କେତେକ ଐତିହାସିକ ‘ଛତ୍ରପୁର’କୁ ମଧ୍ୟ ‘ଚଲିତାଲୋ’ ବୋଲି ଚିହ୍ନିତ କରିଛନ୍ତି । ସେ ଯାହା ବି ହେଉ ସାଧାରଣ ଜୀବନରେ ବାଣିଜ୍ୟ ବ୍ୟବସାୟର ଯଥେଷ୍ଟ ପ୍ରଭାବ ଥିବାରୁ ଏ ଦେଶରୁ ସେ ଦେଶକୁ ଓ ସେ ଦେଶରୁ ଏ ଦେଶକୁ ପଣ୍ୟ ଦ୍ରବ୍ୟର ଅଦଳବଦଳ କାରବାର ହୋଇ କ୍ରୟ ବିକ୍ରୟ ପାଇଁ ବନ୍ଦରର ଆବଶ୍ୟକତା ଯେ ଯଥେଷ୍ଟ ଥିଲା । ଏଥ‌ିରେ ଦ୍ବିମତ ହେବାର କିଛିନାହିଁ । ଦୂରଦୂରାନ୍ତରୁ ବ୍ୟବସାୟୀ ଏବଂ ପଥିକମାନେ ଆସି ଏଠାରେ କ୍ଷଣସ୍ଥାୟୀ ଭାବରେ ରହୁଥ‌ିବା ହେତୁ ଧୀରେ ଧୀରେ ନଦୀତଟ କିମ୍ବା ସମୁଦ୍ର ତଟ ସ୍ଥଳଗୁଡିକ ବନ୍ଦର ନଗରୀ ବନି ଯାଇଥିଲା । ବ୍ୟବସାୟର ପେଣ୍ଠସ୍ଥଳ ଭାବରେ ଅନେକ ଲୋକଙ୍କ ରହଣିସ୍ଥଳ ହୋଇ ବେଶ୍ କୋଳାହଳମୟ ସମାଗମ ସ୍ଥଳୀ ଭାବରେ ପରିଚିତ ହେଉଥିଲା । ଫଳରେ ସେଠାରେ ପ୍ରାସାଦ, ଅଟ୍ଟାଳିକା, ସୁଉଚ୍ଚ ପ୍ରାଚୀର ଏବଂ ଉଦ୍ୟାନ ଇତ୍ୟାଦି ତୋଳାଯାଇ ତାହା ଏକ ପରିପୂର୍ଣ ମନୋରମ ଦର୍ଶନୀୟ ସ୍ଥଳଟିଏ ପାଲଟିଯାଉଥିଲା । ପୁଣି ଅନେକଙ୍କ ଆତ୍ମାରୁ ଭକ୍ତି ଆହ୍ଲାଦରେ ଏଠାରେ ମଧ୍ୟ ତୋଳା ହେଉଥୁଲା ମନ୍ଦିର ଓ ଉପାସନା ଗୃହ । ଶହଶହ ଲୋକଙ୍କର ସମାଗମରେ ଏହା ଏକ ପବିତ୍ର କ୍ଷେତ୍ରରେ ଶୋଭା ପାଉଥିଲା । ସମାଜର ବିକାଶପାଇଁ ଏହି ବନ୍ଦର ନଗରୀରୁ ହିଁ ପରିବ୍ୟାପ୍ତ ହେଉଥିଲା ନୂତନ ସଭ୍ୟତା । ଆଜି ଆମ ଆଗରେ ସଭ୍ୟତାର ଯେଉଁ କ୍ରମ ବିକାଶ ଘଟିଛି, ତାହା ସେହି ବନ୍ଦର ନଗରୀରୁ ହିଁ ଆରମ୍ଭ ହୋଇଥିଲା । ଏହିସବୁ ଭବ୍ୟ ସୌନ୍ଦର୍ଯ୍ୟକୁ ଭଲ ପାଉଥିଲେ ବିଦେଶୀ ପରିବ୍ରାଜକ । ଏଠିକାର ମନୋରମ ପ୍ରାକୃତିକ ଦୃଶ୍ୟ, ସୁଉଚ୍ଚ ପ୍ରାଚୀର, ନଗରୀର ପରିମଳ ପରିବେଶ, ଶାନ୍ତ ଏବଂ ପରିଷ୍କାର ସହାବସ୍ଥାନ, ନଦୀରୁ ସମୁଦ୍ର ଆଡକୁ ଯାଉଥିବା ପୋତ ସେମାନଙ୍କ ମନକୁ ଆର୍ଷିତ କରୁଥିଲା । ମନ, ହୃଦୟ ଓ ଆତ୍ମାକୁ ଛୁଇଁବା ଭଳି ଭାବ ବିହ୍ବଳତା ମଣିଷର ଅତୀନ୍ଦ୍ରିୟ ଚେତନାକୁ ଜାଗ୍ରତ କରୁଥିଲା ଏଠାରେ । ବଣିକମାନେ ସେମାନଙ୍କର ବ୍ୟବସାୟର ସାଧୁତାରେ ମୁଗ୍ଧ ହେଉଥିଲେ । ସାଧୁ ଓ ସନ୍ୟାସୀମାନେ ଭକ୍ତି ଏବଂ ଉପାସନାର ଉପଯୁକ୍ତ ପରିବେଶ ପାଇ ନିଜକୁ ସମର୍ପିତ କରିଦେଉଥଲେ ସାଧନାରେ । ସାରସ୍ବତ ସାଧକମାନେ ସୃଷ୍ଟିର ସୌନ୍ଦର୍ଯ୍ୟକୁ ନୂତନ ଭାବରେ ଉପଲବ୍ଧି କରିବାର ସୁଯୋଗ ପାଇ ପ୍ରକୃତିର ଐଶ୍ବର୍ଯ୍ୟରୁ ଭାବ ଗ୍ରହଣ କରୁଥିଲେ । ସମାଜସେବୀ ମାନେ ସମାଜର ଦୁଃସ୍ଥ ଅବସ୍ଥାକୁ ଆନ୍ତରିକ ସେବା କରି ଦୂରେଇ ଦେଉଥିଲେ । ବିଜ୍ଞାନୀମାନେ ଗଢ଼ିଚାଲିଥିଲେ ହସିଉଠୁଥିଲେ ସମାଜ କ୍ରାନ୍ତିର ସଫଳ ଯୋଜନା । ସାଧାରଣ ଜୀବନ ନିଶ୍ଚୟ ଏହି ସଭ୍ୟ ଚିନ୍ତାଧାରାରୁ ପୋଷଣ ଗ୍ରହଣ କରୁଥିଲା । ଏହି ବନ୍ଦର ନଗରୀରୁ ହିଁ ଉନ୍ମୋଚିତ ହେଉଥିଲା କ୍ରମବର୍ଦ୍ଧମାନ ସଭ୍ୟତାରେ ନୂତନ ଦିଗନ୍ତର ସତ୍ୟ ଏବଂ ମାନଚିତ୍ର । ଏଠାରେ ସ୍ପଷ୍ଟ ଏବଂ ସ୍ଵଚ୍ଛ କରିବାକୁ ହେବ ଯେ ଉତ୍କଳର ନୌବାଣିଜ୍ୟ ଏକ ସର୍ବ ପୁରାତନ ଜଳ ଯାତ୍ରାର କଥା । ଆମ ପୁରାଣରେ ଏହାର ଉଜ୍ଜ୍ଵଳ ଅଧ୍ୟାୟ ପରିପୂର୍ଣ୍ଣ । ପୁରାଣର ଅନେକ ଅଧ୍ୟାୟରେ ନୌଯାତ୍ରାର କଥା ଉଲ୍ଲେଖ ଅଛି । ଏହା ଆମ ଉତ୍କଳୀୟ ହୃଦୟକୁ ଏପରି ସ୍ପର୍ଶ କରିଛି ଯେ ତାହା ସାରା ଓଡ଼ିଶାକୁ ସେହି ଭାବ ଧାରାରେ ଆଚ୍ଛନ୍ନ କରି ରଖୁଛି । କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଭକ୍ତି ନିବେଦନ କରି ଭବ୍ୟ ଦୀପମାଳାରେ ସଜ୍ଜିତ ହୋଇ ଶହଶହ ପ୍ରତୀକ ବୋଇତ ଏ ରାଜ୍ୟର ଜଳ ସ୍ରୋତରେ ଭାସୁଥାଏ । ଏଇଥିରୁ ପ୍ରମାଣିତ ହୁଏ ଯେ- ସେଦିନର ପରମ୍ପରାରୁ ବହୁମୁଖୀ ବିକାଶଧାରା ସମାଜକୁ ନିଶ୍ଚୟ ଲୋକାର୍ପିତ ହେଉଥିଲା । ଯାହାକୁ ଏ ମାଟିର ଜନଗଣ ଭୁଲି ପାରିନାହାନ୍ତି । ଯାହା ଦିନେ ସାରା ବିଶ୍ୱକୁ ନୂତନ ଆଲୋକ ଦେଖାଇଥିଲା ସେହି ମହାନ ସ୍ମୃତିକୁ ଭୁଲି ହେବ ବା କିପରି ?

ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ନିର୍ମିତ ହେଉଥିବା ମୂର୍ତ୍ତି ଓ ସ୍ତୂପ ଉତ୍କଳୀୟ ଶିଳ୍ପୀ ହାତରେ ଯେପରି ନିଖୁଣ ହେଉଥିଲା ତାହା ସାରା ବୌଦ୍ଧ ସଂସ୍କୃତିକୁ ଉତ୍ସର୍ଗ ହୋଇ ବିଦେଶକୁ ରତ୍ପାନି କରାଯାଉଥିଲା । ଏହି ବନ୍ଦରଗୁଡିକର ଜଳପଥ ଦେଇ ଏହା ଚୀନ୍, ଜାପାନ୍, ସିଂହଳ, ତିବ୍ବତ, ନେପାଳ ଆଦି ଦେଶଗୁଡିକୁ ପଠାଯାଉଥିଲା । ଏହାଦ୍ବାରା ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା ମିଳୁଥିବା ବେଳେ ପ୍ରଚୁର ଅର୍ଥ ମଧ୍ୟ ଆୟ ହେଉଥିଲା । ଏହି ପ୍ରଚେଷ୍ଟାରେ ଏକ ଐଶ୍ବର୍ଯ୍ୟଶାଳୀ ରାଜ୍ୟ ହୋଇଥିଲା ଉତ୍କଳ । ଏହାର ଧନଧାନ୍ୟର ଐଶ୍ବର୍ଯ୍ୟ ମଗଧ ସମ୍ରାଟ ଅଶୋକଙ୍କୁ ପ୍ରଭୁକ୍ତ କରି ତାଙ୍କ ଲୋଲୁପ ଦୃଷ୍ଟିକୁ ଟାଣି ଆଣିଥିଲା ଏ ମାଟିକୁ । ସମୟର ଅନୁକୂଳ ଏବଂ ଶୁଭ ବେଳାରେ ଉତ୍କଳର ସାଧବମାନେ ଶରତ ଋତୁର ଶେଷ ଭାଗ ଏବଂ ହେମନ୍ତ ଋତୁର ଆରମ୍ଭରେ ହିଁ ଏହି ନୌଯାତ୍ରା ଆରମ୍ଭ କରୁଥିଲେ ଏବଂ ପ୍ରତ୍ୟାବର୍ତ୍ତନ କରୁଥିଲେ ବର୍ଷା ଆଗମନ କାଳରେ । ରାଜ୍ୟକୁ ଧନ, ଧାନ୍ୟ, ଯଶ, ଶ୍ରୀରେ ଗୌରବ ମଣ୍ଡିତ କରି ସଭ୍ୟତାକୁ ସମୃଦ୍ଧ କରୁଥିଲେ ସାଧବମାନେ । ଏହି ଶୁଭଯାତ୍ରା ଆରମ୍ଭ ହେଉଥିଲା ଗଭୀର ନଦୀ ଜଳର ପଥରେ । ସେହି ସ୍ରୋତରେ ଯାତ୍ରାକରି ମୁହାଣ ବାଟେ ସମୁଦ୍ରକୁ ପ୍ରବେଶ କରୁଥିଲେ ବଣିକମାନେ । ଏହିପରି ଭାବରେ ନଦୀ ଓ ସମୁଦ୍ରତୀରରେ ହିଁ ଗଢ଼ି ଉଠିଥିଲା ଅନେକ ସଦୃଶ୍ୟ ବନ୍ଦର । ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ମହାନଦୀ, ଚିତ୍ରୋତ୍ପଳା ଏବଂ ବଙ୍ଗୋପସାଗରର ପାରାଦ୍ବୀପ, ଧାମରା, ପୁରୀ, ଚିଲିକା, ଗୋପାଳପୁର ଓ ଛତ୍ରପୁର ଆଦି ସ୍ଥାନରେ ଏହି ଚେଲିତାଲୋ ବା ବନ୍ଦର ସଭ୍ୟତା ରହିଥ‌ିବା କଥା ସ୍ଵୀକାର୍ଯ୍ୟ । ପ୍ରାଚୀନ ଉତ୍କଳର ରାଜଦରବାର ଏହି ପ୍ରଗତିଶୀଳ ନୌବାଣିଜ୍ୟ ବ୍ୟବସ୍ଥାକୁ ପୃଷ୍ଠପୋଷକତା ଯୋଗାଉଥିଲେ । ଭୌମ ସାମ୍ରାଜ୍ୟର ଅଧିକାଂଶ ବାଣିଜ୍ୟ କାରବାର ଏହି ବନ୍ଦର ବାଟ ଦେଇ ହେଉଥିଲା । ଭୌମ ସମୟରେ ବନ୍ଦରର ଅଧିଷ୍ଠାତ୍ରୀ ଦେବୀ ରୂପରେ ଜଙ୍କିଆର ତେନ୍ତୁଳି ଗଛ ପାଖରେ ମାଟିତଳେ ନିର୍ମିତ ଏକ ମନ୍ଦିରରେ ଦେବୀ ଦୁର୍ଗାଙ୍କୁ ପ୍ରତିଷ୍ଠା କରାଯାଇ ପୂଜା ଉପାସନା କରାଯାଉଥିଲା ।

ଉତ୍କଳୀୟ ବନ୍ଦର ସଭ୍ୟତାର ଉତ୍କର୍ଷକୁ ଦେଖି ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ମନ ଖୁସିରେ ବୋଧହୁଏ ଏହି ସଭ୍ୟତାର ନାମ କରଣ କରିଥିଲେ । ‘ଚାରିଦ୍ର୍ୟ’ ବା ଚେଲିତେଲୋ’ ପ୍ରସ୍ତର ଏବଂ ମାଟିଶିଳ୍ପ ପାଇଁ ଉତ୍କଳର ରାଧାନଗର ସାରା ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଥିଲା । ତେଣୁ ଅଧୁନା ଏଠାରେ ଖନନବେଳେ ବହୁଳ ଭାବରେ ବଡ ବଡ ଗୃହର ଅବଶେଷ ଅଂଶ, ଘରକରଣା ସାମଗ୍ରୀ, ଗହଣା, କୂଅ ଏବଂ ମାଟି, ପ୍ରସ୍ତର ଓ ଧାତବ ସାମଗ୍ରୀର ମୂର୍ତ୍ତି ଇତ୍ୟାଦି ମିଳୁଅଛି । ଯାହା ଜଣାଯାଏ ଖ୍ରୀଷ୍ଟ, ୧୧ ଶହ ଶତାବ୍ଦୀ ବେଳକୁ ବନ୍ଦର ସଭ୍ୟତା ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା । ଭୌମବଂଶର ପତନ ପରେ ସୋମବଂଶୀମାନଙ୍କ ପୃଷ୍ଠପୋଷକତା ଅଭାବରୁ ଏହି ବନ୍ଦର ନିଷ୍ପ୍ରଭ ହୋଇଗଲା । କାରବାର ସବୁ ମାନ୍ଦା ପଡିଗଲା । ବିଶେଷକରି ପ୍ରାକୃତିକ ଦୁର୍ଯୋଗ ହେତୁ ବ୍ରାହ୍ମଣୀ ନଦୀର ଶଯ୍ୟା ପରିବର୍ତ୍ତନ, ବର୍ଷାର ଅନିୟମିତତା ବନ୍ଦର ପାଇଁ ଜଳାଭାବ ହେତୁ ଏହା ବନ୍ଦର ହୋଇଯାଇଥିଲା । ପ୍ରାଚୀନ ଉତ୍କଳର ଅତୀତରେ ଘଟିଥିବା ଅନେକ ସତ୍ୟତାର ସଠିକ ପ୍ରମାଣ ମିଳିପାରିବ ନାହିଁ । ଏହା ଏକ ନିଷ୍ଠୁର ସତ୍ୟ । ଆଜି ଯାହାକିଛି ଜନାଦୃତ ହୋଇଛି ତାହା କେବଳ ବହୁ ପଛରେ ଲେଖାଯାଇଥିବା ଆନୁମାନିକ ଇତିହାସରୁ । ହୁଏନ୍‌ସାଂଙ୍କ ବର୍ଣ୍ଣିତ ‘ଚେଲିତାଲୋ’’ ଅର୍ଥାତ୍ ବନ୍ଦର ସଭ୍ୟତାର ଭିତ୍ତିଭୂମି ସାରା ଉତ୍କଳରେ ହିଁ ରହିଥିଲା । ଆମ ଅଚଂଳର ଧର୍ମଶାଳା କିମ୍ବା ଯାଜପୁର ନିକଟସ୍ଥ ଚକ୍ରୋଡା–ରାଧାନଗରଠାରେ ଯେଉଁ ସୁନ୍ଦର ବନ୍ଦରଟିଏ ଗଢ଼ିଉଠିଥିଲା, ତାହା ଆଉ ଆଜି ନାହିଁ । ସେହି ବନ୍ଦର ଉପରେ ଆଧୁନିକ ଗ୍ରାମ ଚମ୍ପୂ ଗଢ଼ିଉଠିଛି ।

ବର୍ତ୍ତମାନ ଉତ୍କଳରେ ବହୁ ବାଣିଜ୍ୟ ଆଜି ଶୀର୍ଷସ୍ଥାନରେ ପହଞ୍ଚିଛି । ଏଠାର ସୁନ୍ଦର ଏବଂ ଭବ୍ୟ ବନ୍ଦର ପାରାଦ୍ବୀପ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏହା ଛଡା ଓଡ଼ିଶାର ଧାମରା ଓ ଗୋପାଳପୁର ମଧ୍ୟ ବିଶ୍ୱମାନଚିତ୍ରରେ ଧୀରେ ଧୀରେ ଆତ୍ମପ୍ରକାଶ କରିବାକୁ ଅଣ୍ଟାଭିଡି ବାହାରିଛି । ଦିନେ ନା ଦିନେ ଏହା ଉନ୍ନତ ବନ୍ଦରରେ ପରିଣତ ହେବ ଏଥ‌ିରେ ସନ୍ଦେହର ଅବକାଶ ନାହିଁ । ଚିଲିକାରେ ନୌସେନାର ତାଲିମ କାର୍ଯ୍ୟକ୍ରମ ଏବଂ ଚାନ୍ଦିପୁରର କ୍ଷେପଣାସ୍ତ୍ରଘାଟି ଆଧୁନିକ ଓଡ଼ିଶାର ସମୃଦ୍ଧ ଅନୁଷ୍ଠାନ । ଆଧୁନିକ ଓଡ଼ିଶାର ସର୍ବାଙ୍ଗୀଣ ବିକାଶପାଇଁ ଏହି ବନ୍ଦର ଗୁଡିକର ଉଜ୍ଜ୍ଵଳ ଭବିଷ୍ୟତ ଦେଖାଯାଉଛି । ଏହି ବନ୍ଦର ସଭ୍ୟତାର ସ୍ମୃତି ଓ ସ୍ମାରକୀ ହୋଇ କଟକ ଓ ପାରାଦ୍ବୀପର ପ୍ରସିଦ୍ଧ ବାଲିଯାତ୍ରା ଆଜି ମଧ୍ୟ ଉତ୍ସବ ମୁଖର ହୋଇଉଠୁଛି । ପ୍ରାଚୀନ ଉତ୍କଳର ସ୍ବର୍ଣ୍ଣାଭ ବନ୍ଦର ସଭ୍ୟତାକୁ ସ୍ମରଣକରି ଆଜି ଓଡ଼ିଶା ପାଇଁ ଏହି ବନ୍ଦର ସଭ୍ୟତାରେ ସମ୍ଭାବ୍ୟ ସୌଭାଗ୍ୟର ପଥ ସମ୍ମୁଜ୍ଜ୍ବଳ କରୁ ପରିଶେଷରେ ଏତିକି ହିଁ କାମନା ।

ବନ୍ଦେ ଉତ୍କଳ ଜନନୀ

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.