• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୨୩ ଏପ୍ରିଲ, ୨୦୨୬

ଓଡ଼ିଶା ହେଉଛି ଏକ ମାନବ ସମ୍ୱଳ ବିକାଶ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ରାଜ୍ୟ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏହି ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଭାବେ ସେବିକା (ନର୍ସ) ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ ପରେ ରୋଗୀ ସେବା, ସହାନୁଭୂତି, ଯତ୍ନ ଏବଂ ଚିକିତ୍ସା ବ୍ୟବସ୍ଥାର ମୁଖ୍ୟ ଭାର ନର୍ସମାନେ ହିଁ ବହନ କରିଥାନ୍ତି। କୋଭିଡ୍-୧୯ ମହାମାରୀ ସମୟରେ ଏହି କଥା ସମଗ୍ର ବିଶ୍ୱ ଅନୁଭବ କରିଛି । ଓଡ଼ିଶାରେ ନୂତନ ଭାବେ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ସରକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ହାସଲ କରିବା ଜରୁରୀ । କିନ୍ତୁ ଏହି ଆପତ୍ତି ବିହୀନ ପ୍ରମାଣ ପତ୍ର (ଏନ୍.ଓ.ସି.) ପାଇବାରେ ସମ୍ପ୍ରତି ମାତ୍ରାଧିକ ବିଳମ୍ବ ତଥା ଅନିଶ୍ଚିତତା ଦେଖାଯିବା ବିଡମ୍ବନାର ବିଷୟ। ଏହା କେବଳ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ଅସୁବିଧା ନୁହେଁ, ବରଂ ରାଜ୍ୟର ସ୍ୱାସ୍ଥ୍ୟ ସେବା ଓ ମହତ୍ ନର୍ସିଂ ବୃତ୍ତି ଆଶାୟୀ ନିର୍ଦ୍ଦିଷ୍ଟ ଯୁବ ସମାଜର ଭବିଷ୍ୟତ ପାଇଁ ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆବେଦନ କରିଥିବା ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ୪୦୬ ଅନୁଷ୍ଠାନମାନଙ୍କୁ ଏନ୍.ଓ.ସି. ପ୍ରାପ୍ତ ହେବାକୁ ସୁପାରିଶ କରାଯାଇ ନଥିବା ତାଲିକାରେ ଅଧିକାଂଶ ଙ୍କର କାରଣ ଅତ୍ୟନ୍ତ ନଗଣ୍ୟ । ଯାହାକୁ ପାଠ୍ୟକ୍ରମ ଆରମ୍ଭ ହେବାର ଅବଧି ପୂର୍ବରୁ ପରିଚାଳନା କର୍ତ୍ତୃପକ୍ଷ ଅଚିରେ ସମାଧାନ କରିପାରିବେ ।

ଆଜିର ଦିନରେ ସମଗ୍ର ବିଶ୍ୱରେ ପ୍ରଶିକ୍ଷିତ ନର୍ସମାନଙ୍କର ବ୍ୟାପକ ଚାହିଦା ରହିଛି। ଭାରତ ଯେଉଁଠାରୁ ଦୁନିଆର ବିଭିନ୍ନ ଦେଶକୁ ଡାକ୍ତର, ଇଞ୍ଜିନିୟର ଓ ନର୍ସ ପଠାଉଛି, ସେଥିରେ କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଅଗ୍ରଣୀ ଭୂମିକା ନେଉଛନ୍ତି। ଏହି ରାଜ୍ୟମାନଙ୍କରେ ଶହ ଶହ ନର୍ସିଂ କଲେଜ ଓ ଇନଷ୍ଟିଚ୍ୟୁଟ ରହିଛି, ଯାହା ପ୍ରତି ବର୍ଷ ହଜାର ହଜାର ପ୍ରଶିକ୍ଷିତ ନର୍ସ ସୃଷ୍ଟି କରୁଛନ୍ତି। ସେହି ତୁଳନାରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଏପରି ଏକ ପରିସ୍ଥିତିରେ ଯଦି ନୂତନ ନର୍ସିଂ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କୁ ସରକାରୀ ସହଯୋଗ ନମିଳେ, ତେବେ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କିପରି ସମୃଦ୍ଧ ହେବ ?

ଏକ ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ପରିଚାଳନା ସମିତି ଅଥବା ଟ୍ରଷ୍ଟ ଗୁଡିକୁ ଓଡିଶା ନର୍ସ ଏବଂ ଧାତ୍ରୀ ପଞ୍ଜିକରଣ ପରିଷଦ (ଓ.ଏନ୍.ଏମ୍.ଆର୍.ସି) ତଥା ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (ଡିଏମ୍ଇଟି,ଓଡିଶା) ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କଠୋର ମାନଦଣ୍ଡ (ସର୍ତ୍ତାବଳୀ) ପୂରଣ କରିବାକୁ ହୁଏ। ଏହି ସମସ୍ତ ପ୍ରସ୍ତୁତି ପରେ, ସର୍ବଶେଷରେ ଆବଶ୍ୟକ ହୋଇଥାଏ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା
ଏନ୍. ଓ. ସି. ଅଥବା “ଆପତ୍ତି ବିହୀନ ପ୍ରମାଣପତ୍ର”। କିନ୍ତୁ ଏହା ପାଇବା ପାଇଁ ନର୍ସିଂ ଶିକ୍ଷାନୁଷ୍ଠାନ ପରିଚାଳନା ସମିତି କିମ୍ବା ଟ୍ରଷ୍ଟ ମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡେ। ଏହି ବିଳମ୍ବର ପରିଣାମ ସ୍ୱରୂପ ଏଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ନିରୁତ୍ସାହିତ ହେବାକୁ ପଡ଼େ।

ଗତବର୍ଷ ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଘରୋଇ /ବେସରକାରୀ ସଂସ୍ଥା ମାନେ ନୂତନ ଭାବେ ନର୍ସିଂ ଇନଷ୍ଟିଚ୍ୟୁଟ ଖୋଲିବାକୁ ଆବଶ୍ୟକୀୟ ଏନ୍.ଓ.ସି ପାଇବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏହି ଆବେଦନଗୁଡ଼ିକ ସରକାରୀ ଫାଇଲର ନାଲି ଫିତା ତଳେ ଆବଦ୍ଧ ହୋଇ ରହିଥିବା ପରି ପ୍ରତୀତ ହେଉଛି। ସ୍ୱାସ୍ଥ୍ୟ ବିଭାଗ, ଓଡ଼ିଶା ନର୍ସିଂ କାଉନ୍ସିଲ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଓ କଠୋର ମନୋଭାବ ପାଇଁ ଏହି ସମସ୍ୟା ଆହୁରି ଜଟିଳ ହେଉଛି। ଏହି ପରିପ୍ରେକ୍ଷୀରେ ସରକାରୀ ଉଦାସୀନତାର ଶିକାର ହୋଇ ରାଜ୍ୟର ଅନେକ ନର୍ସିଂ ଶିକ୍ଷାନୁଷ୍ଠାନର ପରିଚାଳନା କର୍ତ୍ତୃପକ୍ଷ ନ୍ୟାୟ ପାଇଁ ଓଡିଶା ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିବାର ଖବର ମିଳୁଛି । କିନ୍ତୁ, ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ମାନ୍ୟବର ଉଚ୍ଚ ଅଦାଲତରେ କେବଳ ତାରିଖ ପରେ ତାରିଖ ଘୁଞ୍ଚାଇବାକୁ ପ୍ରାର୍ଥନା କରିବା ଛଡା କୌଣସି ଯଥାର୍ଥ ପ୍ରାସଙ୍ଗିକ ଉତ୍ତର ରଖି ପାରୁନାହାନ୍ତି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କ ଉପରେ ପଡ଼ୁଛି, ଯେଉଁମାନେ ନର୍ସିଂ ଶିକ୍ଷା ଗ୍ରହଣ କରି ଏକ ମହନୀୟ ସେବା ବୃତ୍ତିକୁ ଆପଣେଇ ଜୀବିକା ନିର୍ବାହ ପାଇଁ ସ୍ୱପ୍ନ ଦେଖୁଛନ୍ତି।

ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଙ୍କି ମାରୁଛି — କାହିଁକି ଏହି ବିଳମ୍ବ ଆଉ ଟାଳଟୁଳ ନୀତି ? ଓଡ଼ିଶାରେ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଅତି ନଗଣ୍ୟ ସର୍ତ୍ତ ପୂରଣ କରି ପାରି ନଥିବା ଅନୁଷ୍ଠାନ ଗୁଡିକୁ ଆଉ ଏକ ସୁଯୋଗ ଦେବା ନିମିତ୍ତ ପୁନଃ ଯାଞ୍ଚ/ ସମୀକ୍ଷା ଆବଶ୍ୟକ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର “ଇଜ ଅଫ ଡୁଇଙ୍ଗ୍ ବିଜନେସ୍” ଉପରେ ଗୁରୁତ୍ୱ ଦେଉଛନ୍ତି, ଶିକ୍ଷା ପ୍ରତିଷ୍ଠା ସହଜ କରିବା ପାଇଁ ପ୍ରୟାସ କରୁଛନ୍ତି, ସେତେବେଳେ ଓଡ଼ିଶାର ନୂତନ ସରକାର ମଧ୍ୟ ଏହି ଦିଗରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଏକ ସ୍ୱଚ୍ଛ, ସମୟବଦ୍ଧ ଓ ଅନଲାଇନ ପ୍ରକ୍ରିୟା ପ୍ରଚଳନ କରିବା ଅତ୍ୟନ୍ତ ଜରୁରୀ।

ଏଠାରେ ଉଲ୍ଲେଖନୀୟ ଯେ, ଘରୋଇ /ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା କେବଳ ଶିକ୍ଷା ପ୍ରଦାନରେ ସୀମିତ ନୁହେଁ। ଏହା ରାଜ୍ୟରେ ରୋଜଗାର ସୃଷ୍ଟି, ଗ୍ରାମୀଣ ଅର୍ଥନୀତିର ଉନ୍ନତି ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶରେ ମଧ୍ୟ ବିଶେଷ ଭୂମିକା ନିର୍ବାହ କରିଥାଏ। ଗୋଟିଏ ନର୍ସିଂ ଇନଷ୍ଟିଚ୍ୟୁଟ କେବଳ ଶହ ଶହ ଛାତ୍ରୀ-ଛାତ୍ରଙ୍କୁ ବୃତ୍ତିଗତ ଶିକ୍ଷା ଦିଏନାହିଁ, ବରଂ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ, ସୁରକ୍ଷା କର୍ମୀ, ଛାତ୍ରାବାସ କର୍ମଚାରୀ, ଗାଡ଼ି ଚାଳକ, ସଫେଇ କର୍ମୀଙ୍କ ଭଳି ଅନେକ ମାନବ ସମ୍ବଳର ସୁବିନିଯୋଗ ପୂର୍ବକ ସେମାନଙ୍କୁ ସିଧାସଳଖ ରୋଜଗାର ପନ୍ଥା ଯୋଗାଇଥାଏ। ଏହା ବ୍ୟତୀତ, ସ୍ଥାନୀୟ ବ୍ୟବସାୟୀ, ଘର ଭଡ଼ା, ଟ୍ରାନ୍ସପୋର୍ଟ ବ୍ୟବସାୟ ଆଦି ପରୋକ୍ଷ ଭାବରେ ଉପକୃତ ହୋଇଥାନ୍ତି। ଅର୍ଥାତ, ଗୋଟିଏ ନର୍ସିଂ ଇନଷ୍ଟିଚ୍ୟୁଟ ଏକ ଛୋଟ ଅର୍ଥନୈତିକ ଇକୋସିଷ୍ଟମ୍ ସୃଷ୍ଟି କରିଥାଏ, ଏକଥା ସମସ୍ତେ ସ୍ଵୀକାର କରିବେ ।

“ଆୟୁଷ୍ମାନ ଭାରତ ଯୋଜନା” ଭଳି ଏବେ ନୂତନ ଭାବେ ପ୍ରଣୀତ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବ୍ୟାପ୍ତି ଓ ଗଭୀରତା ବୃଦ୍ଧି ପାଇଛି। କିନ୍ତୁ, ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ଦକ୍ଷ ଓ ଯୋଗ୍ୟତାଧାରୀ ନର୍ସିଂ ଷ୍ଟାଫ୍ (ମାନବସମ୍ବଳ) ଆଦୌ ପର୍ଯ୍ୟାପ୍ତ ନୁହେଁ । ଏହି ସର୍ତ୍ତ ପୂରଣ କରିବା ପାଇଁ ବେସରକାରୀ /ଘରୋଇ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକ ଏକମାତ୍ର ଭରସା ଯୋଗ୍ୟ ବୋଲି କୁହାଯାଇ ପାରେ। କିନ୍ତୁ, ସରକାରୀ ସ୍ତରରେ ଆପତ୍ତି ବିହୀନ ପ୍ରମାଣପତ୍ର (ଏନ୍ଓସି) ନ ମିଳିଲେ ଏହି ଶୂନ୍ୟସ୍ଥାନ କିପରି ପୂରଣ ହେବ?

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି “ମହିଳା ସଶକ୍ତିକରଣ”। ନର୍ସିଂ ଏକ ଏପରି ବୃତ୍ତି, ଯେଉଁଥିରେ ମହିଳା ମାନଙ୍କ ଅଂଶଗ୍ରହଣ ସର୍ବାଧିକ ବୋଲି ଅନୁଭୂତ ହୁଏ। ଗ୍ରାମାଞ୍ଚଳର ଗରିବ ପରିବାରର ଝିଅମାନେ ନର୍ସିଂ ଶିକ୍ଷା ଗ୍ରହଣ କରି ସେବା ମାଧ୍ୟମରେ ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି। ଏହା କେବଳ ଆର୍ଥିକ ସ୍ୱାଧୀନତା ନୁହେଁ, ବରଂ ସାମାଜିକ ମର୍ଯ୍ୟାଦା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ବିଶେଷ ସହାୟକ ମଧ୍ୟ। କିନ୍ତୁ ଯଦି ନିକଟସ୍ଥ ଅଞ୍ଚଳରେ ନର୍ସିଂ ଶିକ୍ଷାନୁଷ୍ଠାନ ନଥିବ, ତେବେ ଅନେକ ଗରିବ ପରିବାରର ଝିଅମାନେ ଦୂର ସ୍ଥାନକୁ ଯାଇ ଏହି ବୃତ୍ତିର ଶିକ୍ଷା ଗ୍ରହଣ କରିପାରିବେ ନାହିଁ। ଫଳତଃ, ସେମାନଙ୍କର ପ୍ରତିଭା ଓ ସ୍ୱପ୍ନ ସାକାର ହେବ କିପରି ? ବାସ୍ତବରେ ସରକାରଙ୍କ ପକ୍ଷେ ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପ୍ରକ୍ରିୟାକୁ ସରଳ – ସ୍ୱଚ୍ଛନ୍ଦ କରିବା ଏକ ଅପରିହାର୍ଯ୍ୟ ପଦକ୍ଷେପ।

ଯେଉଁମାନେ ସମସ୍ତ ମାନଦଣ୍ଡ ପୂରଣ କରୁଛନ୍ତି, ସେମାନଙ୍କୁ ଅବିଳମ୍ବେ ଏନ୍ଓସି ପ୍ରଦାନ କରି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦିଆଯିବା ଉଚିତ। ଏକ ପାରଦର୍ଶୀ ପ୍ରକ୍ରିୟା ଦ୍ୱାରା ଯୋଗ୍ୟ ଏବଂ ଅଯୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ କରାଯାଇପାରିବ। ଓଡ଼ିଶାର ନୂତନ ସରକାର କ୍ଷମତାସୀନ ହେବା ପରେ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି। ଏହି ପୃଷ୍ଠଭୂମିରେ, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ନୂତନ ମାର୍ଗ ଦର୍ଶନର ଆବଶ୍ୟକତା ରହିଛି। ଏଥି ନେଇ ଓଡ଼ିଶା ରାଜ୍ୟ ସରକାର ଏକ ସ୍ପଷ୍ଟ ନୀତି ଘୋଷଣା କରିବା ଆବଶ୍ୟକ। ସମୟସୀମା ଭିତରେ ନିଷ୍ପତ୍ତି ନହୋଇ ପାରିଲେ, “ଡିମ୍ଡ ଆପ୍ରୁଭାଲ” ବ୍ୟବସ୍ଥା ପ୍ରଚଳନ କରାଯାଉ। ଏହାଦ୍ୱାରା ବିଳମ୍ୱିତ ପ୍ରକ୍ରିୟାର ଯନ୍ତ୍ରଣା କମିବ ଓ ସ୍ୱଚ୍ଛତା ପ୍ରକଟିତ ହେବ।

ଭାରତର ଅନ୍ୟ ରାଜ୍ୟମାନଙ୍କର ଉଦାହରଣ ମଧ୍ୟ ନିଆଯାଇପାରେ। କେରଳରେ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏକାଧିକ ନର୍ସିଂ କଲେଜ ଓ ସ୍କୁଲ ରହିଛି। କର୍ଣ୍ଣାଟକର ବାଙ୍ଗାଲୋର, ମାଙ୍ଗାଲୋର, ମହୀଶୁର ଭଳି ରାଜ୍ୟର ଏକାଧିକ ସହରରେ ଅନ୍ତର୍ଜାତୀୟ ମାନର ନର୍ସିଂ ଇନଷ୍ଟିଚ୍ୟୁଟମାନ ରହିଛି। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ମଧ୍ୟ ବେସରକାରୀ କ୍ଷେତ୍ରର ସହଯୋଗରେ ଶହ ଶହ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିଛନ୍ତି। ଏହି ରାଜ୍ୟଗୁଡ଼ିକର ଅଭିଜ୍ଞତାରୁ ଆମେ ଆହରଣ କରି ଶିଖିବା ଆବଶ୍ୟକ। ସେଠାରେ ନର୍ସିଂ ଶିକ୍ଷାକୁ ଏକ ଆୟର ଉତ୍ସ ଭାବରେ ବିବେଚନା କରାଯାଏ — ବିଦେଶକୁ ପ୍ରଶିକ୍ଷିତ ନର୍ସ (ନର୍ସିଂ ମାନବ ସମ୍ବଳ) ପ୍ରେରଣ କରାଯାଇ ବିନିମୟରେ ମୂଲ୍ୟବାନ ବୈଦେଶିକ ମୁଦ୍ରା ଅର୍ଜନ କରାଯାଏ। ଏଭଳି ବ୍ୟାପାରରେ ଆମ ରାଜ୍ୟ ଓଡ଼ିଶା କାହିଁକି ସମାନ ସୁଯୋଗରୁ ବଞ୍ଚିତ ହେବ ?

ଆନ୍ତର୍ଜାତୀୟ ଶ୍ରମ ବଜାରରେ ନର୍ସମାନଙ୍କର ବ୍ୟାପକ ଚାହିଦା ରହିଛି। ଆମେରିକା, କାନାଡା, ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଜାପାନ, ସିଙ୍ଗାପୁର, ଓମାନ, ଦୁବାଇ, ସାଉଦି ଆରବ ଆଦି ଦେଶରେ ହଜାର ହଜାର ଭାରତୀୟ ନର୍ସ ଉଚ୍ଚ ବେତନରେ କାର୍ଯ୍ୟ କରୁଛନ୍ତି। ଗଲଫ୍ ଦେଶ ମାନଙ୍କରେ ଭାରତୀୟ ନର୍ସମାନେ ପ୍ରତି ମାସରେ ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଏଥିମଧ୍ୟରୁ ଅଧିକାଂଶ କେରଳ ଓ ଦକ୍ଷିଣ ଭାରତର ବୋଲି ଜଣା ପଡ଼େ। ଯଦି ଓଡ଼ିଶାର ନର୍ସିଂ ଯୋଗ୍ୟତାଧାରୀ ଯୁବକ-ଯୁବତୀଙ୍କୁ ମଧ୍ୟ ସେହି ସୁଯୋଗ ଦିଆଯାଏ, ତେବେ ଯେ କେବଳ ସେମାନଙ୍କ ପରିବାର ସ୍ୱଚ୍ଛଳ, ସମୃଦ୍ଧ ହେବ ତାହା ନୁହେଁ, ବରଂ ଆମ ରାଜ୍ୟ ବୈଦେଶିକ ମୁଦ୍ରା ଆୟକାରୀ ଏକ ସ୍ଥିର ଉତ୍ସ ପାଇପାରିବ। ଏହା ରାଜ୍ୟର ଜିଡିପି ବୃଦ୍ଧିରେ ମଧ୍ୟ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ ।

ଏଠାରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠିଥାଏ — ସରକାରୀ ସ୍ତରରେ ଦୀର୍ଘ ବିଳମ୍ବ ଜନିତ ପ୍ରକ୍ରିୟା ବେଳେବେଳେ ଦୁର୍ନୀତିର ଦ୍ୱାର ଖୋଲିଦିଏ। ଯେଉଁଠାରେ ପ୍ରକ୍ରିୟା ସ୍ୱଚ୍ଛ ନୁହେଁ, ସେଠାରେ ମଧ୍ୟସ୍ଥି ଓ ଦଲାଲ୍ ମାନଙ୍କ ପ୍ରାଦୁର୍ଭାବ / କର୍ତ୍ତୃତ୍ଵ ଦେଖାଦିଏ। କେତେକ ଅସାଧୁ / ମୁନାଫାଖୋର୍ ବ୍ୟକ୍ତିବିଶେଷଙ୍କ ମେଣ୍ଟ ଏନ୍ଓସି ଉପଲବ୍ଧ କରାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରୁଥିବାର ଅଭିଯୋଗ ମଧ୍ୟ ସାଧାରଣରେ ଶୁଣିବାକୁ ମିଳୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ଯେଉଁଠାରେ ଶୂନ୍ୟସ୍ଥାନ ପୂରଣ ପାଇଁ ନୂତନ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି, ସେଠାରେ ଦୁର୍ନୀତିର ଅନ୍ଧକାର ଆହୁରି କ୍ଷତି ପହଞ୍ଚାଉଛି। ଏହି ହୀନଚକ୍ରକୁ ଖଣ୍ଡିତ କରିବା ପାଇଁ ସରକାରୀ ସ୍ତରରେ କଠୋର ପଦକ୍ଷେପ ନେବା ଆବଶ୍ୟକ।

ଯଦି ଆମେ ଓଡ଼ିଶାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ପରି ସ୍ଥିତିକୁ ଦେଖିବା, ତେବେ ଜଣାପଡ଼ିବ ଯେ, କେଉଁଠାରେ ମହିଳା ନର୍ସ ଅଭାବରୁ ଶିଶୁ ଓ ପ୍ରସୂତି ମୃତ୍ୟୁ ହାର ବଢ଼ିଛି, କେଉଁଠାରେ ସିଏଚ୍ ସି – ପିଏଚ୍ ସି ରେ ଦିନ ରାତି ଡ୍ୟୁଟି ଚକ୍ର ଚଲାଇବା ପାଇଁ ପର୍ଯ୍ୟାପ୍ତ ନର୍ସ ନାହାନ୍ତି। ଏହି ସମସ୍ୟାର ସମାଧାନ ଏକ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ହେବା ଉଚିତ। ଏବେ ନର୍ସିଂ ଇନଷ୍ଟିଚ୍ୟୁଟ ଖୋଲିଲେ, ତିନି-ଚାରି ବର୍ଷ ପରେ ପ୍ରଥମ ବ୍ୟାଚ ଉତ୍ତୀର୍ଣ୍ଣ ହେବେ। ସେଥିପାଇଁ, ଯେତେ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହୋଇପାରିବ, ସେତେ ଶୀଘ୍ର ରାଜ୍ୟ ସେହି ସୁଫଳ ଭୋଗ କରିପାରିବ।

ଓଡ଼ିଶାର ବର୍ତ୍ତମାନ ଶୈକ୍ଷିକ ପରିସଂଖ୍ୟାନ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ବା ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରବେଶ ନପାଇ ହତୋତ୍ସାହିତ ହୋଇ ଯାଉଛନ୍ତି। ଏମାନଙ୍କ ମଧ୍ୟରୁ ଯଦି ଅଧିକାଂଶ ନର୍ସିଂ ଶିକ୍ଷା ପାଇଁ ସୁଯୋଗ ପାଆନ୍ତେ, ତେବେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୁଅନ୍ତା ଏବଂ ରାଜ୍ୟ ମଧ୍ୟ ଏକ ସମୃଦ୍ଧ ମାନବ ସମ୍ବଳ ପାଇପାରନ୍ତା।

ଏହି ସମୁଦାୟ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟ ଓ ଦୃଢ଼ ସଙ୍କଳ୍ପ ନିଆଯିବା ଆବଶ୍ୟକ। ଯେଉଁ ଘରୋଇ / ବେସରକାରୀ ସଂସ୍ଥା ନର୍ସିଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଏନ୍ଓସି ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ଆବେଦନର ତ୍ୱରିତ ଓ ଯଥାର୍ଥ ସମୀକ୍ଷା କରାଯାଉ ଏବଂ ଯଥାଶୀଘ୍ର ଯୋଗ୍ୟଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଆପତ୍ତି ବିହୀନ ପ୍ରମାଣପତ୍ର (ଏନ୍ଓସି) ପ୍ରଦାନ କରାଯାଉ। ଏକ ସ୍ୱାଧୀନ ଓ ବିଶେଷଜ୍ଞ କମିଟି ଗଠନ କରାଯାଉ ଯିଏ ଏହି ପ୍ରକ୍ରିୟାକୁ ତଦାରଖ କରିବ। ଉଚ୍ଚ ସ୍ତରରେ ଏକ ସମୀକ୍ଷା ବୈଠକ ନିୟମିତ ଭାବେ ଆୟୋଜନ କରାଯାଉ। ରାଜ୍ୟର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଏହି ବିଷୟକୁ ପ୍ରାଥମିକତା ଦେଇ କାର୍ଯ୍ୟ କଲେ, ନିଶ୍ଚୟ ଏହି ଅଚଳାବସ୍ଥା ଦୂର ହୋଇପାରିବ।

ଓଡ଼ିଶା ଉତ୍ଥିତ ହେଉ, ନର୍ସିଂ ଶିକ୍ଷା ଆଗକୁ ସମ୍ପ୍ରସାରିତ ହେଉ, ରାଜ୍ୟର ସ୍ୱାସ୍ଥ୍ୟ ସେବା ସୁଦୃଢ଼ ହେଉ — ଏହା ହିଁ ଆଜିର ଆବଶ୍ୟକତା ଆଉ ମଧ୍ୟ ଆଗାମୀ କାଲିର ଆଶାର କିରଣ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.