• About
  • Contact
Saturday, May 2, 2026
Saturday, May 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଡ଼ଃ ମହେନ୍ଦ୍ର କୁମାର ରାଉତ : ଏକ ବିରଳ ବ୍ୟକ୍ତିତ୍ୱ

ଡ଼ଃ ମହେନ୍ଦ୍ର କୁମାର ରାଉତ : ଏକ ବିରଳ ବ୍ୟକ୍ତିତ୍ୱ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଜାନୁଆରୀ ୨୦୨୪

ଜୀବନରେ ଖୁବ୍ କମ ବ୍ୟକ୍ତି ଏକକାଳୀନ ଉତ୍ତମ ଶିକ୍ଷକ, ଦକ୍ଷ ପ୍ରଶାସକ ଓ ଉଚ୍ଚକୋଟିର ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ କରି ଥାଆନ୍ତି । ତେବେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଡ଼ଃ ମହେନ୍ଦ୍ର କୁମାର ରାଉତଙ୍କ ବ୍ୟକ୍ତିତ୍ୱରେ ଏ ସମସ୍ତ ମହନୀୟ ଗୁଣର ଅଦ୍ଭୂତ ସଂଗମ ପରିଲକ୍ଷିତ ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ସବୁ ସୁଗୁଣର ଅଧିକାରୀ ହୋଇ ସୁଦ୍ଧା ସେଥିନେଇ ତାଙ୍କ ମନରେ ସାମାନ୍ୟତମ ଅହଙ୍କାର ନଥିଲା । ଏତଦ୍‌ଭିନ୍ନ କଠୋର ଶୃଙ୍ଖଳା, ସାଧୁତା, ଦୟା, କ୍ଷମା, ନୈତିକତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା, ପରୋପକାର ଭଳି ଗୁଣାବଳୀ ଗୁଡିକ ଡ଼ଃ ରାଉତଙ୍କୁ ଜୀବନରେ ସଫଳତାର ଉଚ୍ଚତମ ସୋପାନରେ ଉପନୀତ କରିପାରିଥିଲା।

ସ୍ୱଳ୍ପ ସମୟର ଜୀବଦଶାରେ ପ୍ରଫେସର ଡ଼ଃ ମହେନ୍ଦ୍ର କୁମାର ରାଉତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ, ଯେଉଥି ପାଇଁ କେବଳ ଓଡିଶା କାହିଁକି ସମଗ୍ର ଭାରତବର୍ଷ ଗୌରବାନ୍ୱିତ ହୋଇଛି । ଆନ୍ତର୍ଜାତିକ ବିନିମୟ କାର୍ଯ୍ୟକ୍ରମରେ ସେ ପରିଦର୍ଶକ ବୈଜ୍ଞାନିକ ଭାବରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଥିଲେ । ସେଠାରେ ପ୍ରଖ୍ୟାତ ଜୈବିକ ରସାୟନ ବିଜ୍ଞାନୀ ତଥା ନୋବେଲ ପୁରସ୍କାର ବିଜେତା ପ୍ରଫେସର ଆର.ବି. ଉଡୱାର୍ଡଙ୍କ ତତ୍ୱାବଧାନରେ ଗବେଷଣା କାର୍ଯ୍ୟ ଜାରି ରଖିଥିଲେ । ଭାରତର ପ୍ରଥମ ବ୍ୟକ୍ତି ହିସାବରେ ସେ ଷ୍ଟ୍ରକ୍‌ଚର ଡିଟରମିନେସନ (ଢାଞ୍ଚା ନିରୂପଣ) କ୍ଷେତ୍ରରେ ଏନ. ଏମ. ଆର. ଆଣ୍ଡ ରେଡିଓ ଏକଟିଭ ଟେକନିକ ବ୍ୟବହାର କରିଥିଲେ । ଆମେରିକାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ଦେଶରେ ପ୍ରଥମ କରି ସ୍ନାତକୋତ୍ତର ବିଜ୍ଞାନ ପାଠ୍ୟକ୍ରମରେ ଉକ୍ତ ବିଷୟ ସାମିଲ କରିଥିଲେ । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଡ଼ଃ ରାଉତ ଭାରତ ସରକାରଙ୍କ ପକ୍ଷରୁ ମନୋନୀତ ମୁଷ୍ଟିମେୟ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇ ଋଷିଆ ଗସ୍ତ କରିଥିଲେ । ସେଠାରେ ସେ ସଂଭ୍ରାନ୍ତ ମସ୍କୋ ବିଶ୍ୱ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭାଗ ନେଇ ନିଜର ସାର ଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ୟୁଜିସି ପକ୍ଷରୁ ଆମେରିକା ଗସ୍ତ କାଳରେ ପ୍ରଫେସର ଡ଼ଃ ରାଉତ ପ୍ରାୟ ଶହେଟି ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା ପ୍ରଶାସକ ଭାବେ ରିପୋର୍ଟ ପ୍ରଦାନ କରିଥିଲେ, ଯାହାକି ଉଭୟ ଭାରତ ଓ ଆମେରିକା ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

ପ୍ରଫେସର ଡ଼ଃ ମହେନ୍ଦ୍ର କୁମାର ରାଉତଙ୍କ ଜ୍ଞାନ ଆହରଣ ଓ ଗବେଷଣା ପିପାସା ଏତେ ଅଧିକ ଥିଲାଯେ, ସେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀରେ ଅଧିଷ୍ଠିତ ହୋଇ ସୁଦ୍ଧା ତାଙ୍କର ଗବେଷଣା କାର୍ଯ୍ୟ ବଳବତ୍ତର ରଖିଥିଲେ । ସେଥିପାଇଁ ସେ ରେଭେନ୍ସା କଲେଜର ଲେବରେଟୋରୀ ବା ପରୀକ୍ଷାଗାର ଉପଯୋଗ କରୁଥିଲେ ଏବଂ ସଂଧ୍ୟା ପରେ ସେଠାକୁ ଯାଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗବେଷଣା କାର୍ଯ୍ୟରେ ବ୍ୟାପୃତ୍ତ ରହୁଥିଲେ । ରେଭେନ୍ସା କଲେଜର ପରୀକ୍ଷାଗାର ବ୍ୟବହାର ଲାଗି ସେ ରାଜ୍ୟ ସରକାରଙ୍କ ନିକଟରୁ ସ୍ୱତନ୍ତ୍ର ଅନୁମତି ହାସଲ କରିଥିଲେ ।

ଶିକ୍ଷାଦାନ ପ୍ରତି ଡ଼ଃ ରାଉତଙ୍କର ଅହେତୁକ ଆକର୍ଷଣ ଥିଲା ଏବଂ ତତୋଧିକ ମମତ୍ୱବୋଧ ଥିଲା ଶିକ୍ଷାର୍ଥୀ ବା ଛାତ୍ରଛାତ୍ରୀ ମାନଙ୍କ ପାଇଁ । ସେ ରେଭେନ୍ସା କଲେଜର ପ୍ରିନ୍ସିପାଲ ଥିବା ବେଳେ ଆଇ.ଏସ.ସି. କ୍ଲାସର ବିଦ୍ୟାର୍ଥୀ ମାନଙ୍କୁ ପଢାଉଥିଲେ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଥାଇ ମଧ୍ୟ ବି.ଏସ.ସି. ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ । ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭଳି ବ୍ୟସ୍ତ ବହୁଳ ପ୍ରଶାସନିକ ପଦବୀରେ ଅବସ୍ଥାପିତ ହୋଇ ମଧ୍ୟ ସେ ଏମ.ଏସ.ସି. ବା ବିଜ୍ଞାନର ସ୍ନାତକୋତ୍ତର ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢାଉଥିଲେ ।

ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପଦରୁ ଅବସର ନେବା ପରେ ପ୍ରଫେସର ରାଉତ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ । ଏହି ବୋର୍ଡ ଥିଲା ତାଙ୍କର ମାନସ ସନ୍ତାନ । ଏହାକୁ ଦେଶର ଅନ୍ୟତମ ଅଗ୍ରଣୀ ସଂସ୍ଥାରେ ପରିଣତ କରିବା ଲାଗି ସେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସେତେବେଳେ ପ୍ରଦୂଷଣ ବିଶେଷ କରି ଶିଳ୍ପାୟନ ଜନିତ ପ୍ରଦୂଷଣ ଗୁରୁତର ସମସ୍ୟା ରୂପେ ଉଭା ହୋଇଥିଲା । ସେହି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତ୍ୱରାନ୍ୱିତ ଭାବେ କୌଶଳ ବିକଶିତ କରି ସେ ନିଜକୁ ଦେଶର ପ୍ରତିଷ୍ଠିତ ପାରିବେଶିକ ବୈଜ୍ଞାନିକ ହିସାବରେ ପ୍ରତିପାଦିତ କରି ପାରିଥିଲେ । ଅନ୍ୟପକ୍ଷରେ ତାଙ୍କର ବିପୁଳ ଗବେଷଣା ଲବ୍ଧ ଜ୍ଞାନର ଉପଯୋଗ କରି ବୋର୍ଡକୁ ଦେଶର ଅଗ୍ରଣୀ ସଂସ୍ଥାରେ ମଧ୍ୟ ରୂପାନ୍ତରିତ କରିଥିଲେ । ଲେବରେଟୋରୀ ବା ପରୀକ୍ଷାଗାର ହେଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୂଳ ଭିତ୍ତି ଏବଂ ତାହା ଭଡା ଘରେ କାର୍ଯ୍ୟକାରୀ କରିବା ଆଦୌ ସମ୍ଭବ ନୁହେଁ ବୋଲି ସେ ବିଚାର କରିଥିଲେ । ତେଣୁ ବୋର୍ଡର ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବା ପରେ ସରକାରଙ୍କ ନିକଟରୁ ଜାଗା ଆହରଣ କରି ବୋର୍ଡର ନିଜସ୍ୱ ଅଟ୍ଟାଳିକା ନିର୍ମାଣ କରିଥିଲେ । ଏପରିକି କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ବୋର୍ଡ ନିଜସ୍ୱ ଗୃହ ନିର୍ମାଣ କରିବା ପୂର୍ବରୁ ଦେଶର ପ୍ରଥମ ରାଜ୍ୟ ଭାବରେ ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତା’ର ନିଜର ଅଟ୍ଟାଳିକା ତିଆରି କରିଥିଲା । ଡ଼ଃ ରାଉତ ସେଠାରେ ଏଭଳି ଉନ୍ନତ ମାନର ପରୀକ୍ଷାଗାର ପ୍ରତିଷ୍ଠା କରିଥିଲେଯେ, ତାହା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା “ଏକଟିଭ ସେଣ୍ଟର ଅଫ ରିସର୍ଚ୍ଚ” ରୂପେ ୧୯୮୬ ମସିହାରୁ ସ୍ୱୀକୃତ ହୋଇଛି ।

ଡ଼ଃ ରାଉତଙ୍କ ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡିଆନ କେମିକାଲ ସୋସାଇଟି ସଂସ୍ଥା ତାର ମୁଖପତ୍ରର ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା । ସେଥିପାଇଁ ସୋସାଇଟିକୁ ନିଜ ନିୟମର ସଂଶୋଧନ କରିବାକୁ ପଡିଥିଲା । କାରଣ ପଞ୍ଚଷଠି ବର୍ଷ ବୟସ ହୋଇନଥିଲେ କୌଣସି ବୈଜ୍ଞାନିକଙ୍କ ଉପରେ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶିତ ହୋଇ ପାରିବ ନାହିଁ ବୋଲି ସୋସାଇଟିର ସ୍ପଷ୍ଟ ନିୟମ ଥିଲା । କିନ୍ତୁ ଡ଼ଃ ରାଉତଙ୍କର ବିଜ୍ଞାନ କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ନିୟମର ପରିବର୍ତ୍ତନ କରି ସୋସାଇଟି ପକ୍ଷରୁ ତାଙ୍କୁ ବିରଳ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ନୋବେଲ ପୁରସ୍କାର ବିଜେତା ପ୍ରଫେସର ଉଡୱାର୍ଡଙ୍କ ତତ୍ୱାବଧାନରେ ଆମେରିକାରେ ଗବେଷାଣା ଚଳାଇଥିବା ବେଳେ ଡ଼ଃ ରାଉତଙ୍କ ଗବେଷଣାତ୍ମକ କାର୍ଯ୍ୟ ଏଭଳି ଉଚ୍ଚକୋଟିର ହୋଇଥିଲାଯେ, ତାଙ୍କର ମୌଖିକ ପରୀକ୍ଷାକୁ ବାତିଲ କରି ଦିଆ ଯାଇଥିଲା ।

ପ୍ରଫେସର ରାଉତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଜାରି ରଖି ସେଥିରେ ସଫଳତା ପ୍ରାପ୍ତି କରିଥିଲେ । ତାଙ୍କର ଗବେଷଣାର କ୍ଷେତ୍ରଗୁଡିକ ମଧ୍ୟରେ ଅର୍ଗାନିକ ସିନ୍‌ଥେସିସ, ଷ୍ଟଡିଜ ଅନ୍ ଅଏଲ୍‌, ରିଏକସନ ମେକାନିଜମ, କ୍ୱାଣ୍ଟମ କେମିଷ୍ଟ୍ରି, ପଲିମର କେମିଷ୍ଟ୍ରି, ଏନଭାଇରୋନମେଣ୍ଟାଲ କେମିଷ୍ଟ୍ରି, ସାଏନିଇନ ଡାଇସ ପ୍ରଭୃତି ଅନ୍ତର୍ଭୂକ୍ତ ।

ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ହିସାବରେ ମଧ୍ୟ ଡ଼ଃ ରାଉତ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ରାଜ୍ୟର ସଂଭ୍ରାନ୍ତ ରେଭେନ୍ସା କଲେଜ ବ୍ୟତୀତ ସମ୍ବଲପୁରର ଗଂଗାଧର ମେହେର କଲେଜ ଓ ବ୍ରହ୍ମପୁରର ଖଲିକୋଟ କଲେଜର ଅଧ୍ୟକ୍ଷ ଭାବରେ ଅତ୍ୟନ୍ତ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରି ସେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଉଲ୍ଲେଖନୀୟ ଉନ୍ନତି ସାଧନ କରିବା ସଂଗେସଂଗେ ଶିକ୍ଷକ, ଶିକ୍ଷାର୍ଥୀ ଏବଂ କର୍ମଚାରୀ ମହଲରେ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଥିଲେ । ଅନ୍ୟପକ୍ଷରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ରୂପେ ପାରଦର୍ଶିତା ପ୍ରଦର୍ଶନ କରି ସମସ୍ତ ମହଲରେ ପ୍ରଶଂସା ସାଉଁଟି ଥିଲେ ।

୧୯୨୪ ଜାନୁଆରୀ ୪ ତାରିଖରେ ଭଦ୍ରକ ସହରରେ ଜନ୍ମିତ ପ୍ରଫେସର ରାଉତ ସ୍ୱଳ୍ପ କାଳର ଜୀବନ ଭିତରେ ଉଚ୍ଚ କୋଟିର ଗବେଷଣା ଚଳାଇ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ନିଜର ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି । ୧୯୯୦ ମସିହା ଫେବୃଆରୀ ୭ ତାରିଖରେ ମାତ୍ର ୬୬ ବର୍ଷ ବୟସରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶା କେମିକାଲ ସୋସାଇଟି ଏବଂ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଡ଼ଃ ରାଉତଙ୍କ ସ୍ମୃତି ଉଦଜୀବିତ ରଖିବା ଲାଗି ପ୍ରତିବର୍ଷ ସ୍ମାରକୀ ବକୃତାମାଳାର ଆୟୋଜନ କରୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତାର ପ୍ରତିଷ୍ଠା ଦିବସରେ ସ୍ମାରକୀ ବକୃତାମାଳା କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ କେମିକାଲ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ଜୀବନବ୍ୟାପୀ ସାଧନା ଲାଗି ରାଜ୍ୟର କୃତୀ ବୈଜ୍ଞାନିକମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଉଛି । ତାଙ୍କର ପ୍ରିୟ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗତ ୨୦୨୩ ମସିହା ଜାନୁଆରୀ ୮ ତାରିଖରେ ପ୍ରଫେସର ଡ଼ଃ ରାଉତଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ତେବେ ସବୁଠାରୁ ପରିତାପର ବିଷୟଯେ, ଆନ୍ତଜାର୍ତିକ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଡ଼ଃ ମହେନ୍ଦ୍ର କୁମାର ରାଉତ ଏବେ ସୁଦ୍ଧା ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ସମ୍ମାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଜନ୍ମ ଶତ ବାର୍ଷିକୀ ଅବସରରେ ସେହି ପ୍ରଣମ୍ୟ ବୈଜ୍ଞାନିକଙ୍କ ପ୍ରତି ଅନ୍ତରର ଗଭୀରତମ ପ୍ରଦେଶରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.