ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୮ ଅକ୍ଟୋବର ୨୦୨୨
ରାଜ୍ୟର ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ବେଶ୍ ଖୁସି । ସେମାନଙ୍କ ଠିକା ଚାକିରୀ ଶେଷ ହେଲା ଓ ଦୀପାବଳି ପୂର୍ବରୁ ରାଜ୍ୟ ସରକାର ସେମାନଙ୍କୁ ସ୍ଥାୟୀ ଘୋଷଣା କରିବା ସହ ୧୩୦୦ କୋଟି ଟଙ୍କାର ବ୍ୟବସ୍ଥା କରିଦେଲେ । ଅନ୍ୟପକ୍ଷରେ ଚାଷୀମାନେ ଏବେ ସରକାରଙ୍କୁ ଘେରିବାପାଇଁ ରାଜଧାନୀ ଆସିଲେଣି । ବାରମ୍ବାର ନିଜର ଦାବୀ ପୂରଣ ନେଇ ଅସଫଳ ହେଉଥିବା ଚାଷୀ ମାନେ ସରକାରଙ୍କ ଠାରୁ ହକ୍ ପାଇବା ଆଶା ମଧ୍ୟ ହରାଇ ନାହାନ୍ତି । ରାଜ୍ୟର ସମସ୍ତଙ୍କୁ ଖୁସି କରିବା ଯେଉଁ ସରକାରର “ମିଶନ”, ସେହି ସରକାରଙ୍କ ଠାରୁ ଚାଷୀମାନେ କାହିଁକି ଟିକିଏ ଖୁସି ପାଇପାରୁ ନାହାଁନ୍ତି ? ବାରମ୍ବାର ରାଜ୍ୟର କୃଷକ ସଂଗଠନ ଗୁଡ଼ିକ ରାଜଧାନୀରେ ଆନ୍ଦୋଳନ କରି ବିଫଳ ହେଉଛନ୍ତି କାହିଁକି ? ସେମାନଙ୍କ ପ୍ରତିନିଧି ମାନେ ସରକାରଙ୍କୁ ବୁଝାଇବାରେ ଅସମର୍ଥ କାହିଁକି ?
ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜି ପାଉନାହାନ୍ତି ଆମ ରାଜ୍ୟର ଚାଷୀ ମାନେ । ଓଡ଼ିଶାରେ ୬୧ ପ୍ରତିଶତରୁ ଅଧିକ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି । କୃଷିକ୍ଷେତ୍ର ରାଜ୍ୟର ଜି.ଡି.ପି. କୁ ୨୭ ପ୍ରତିଶତ ଅବଦାନ ରଖିଥାଏ । ୨୦୧୨-୧୩ ମସିହାରୁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର କୃଷି ବଜେଟ୍ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ୨୦୧୨-୧୩ ରେ ୫,୬୨୭ କୋଟି କୃଷି ବଜେଟ୍ ର ପରିମାଣ ଥିବାବେଳେ ୨୦୨୧-୨୨ ରେ ଏହା ପହଂଚିଛି ୧୭,୪୬୯ କୋଟି ଟଙ୍କାରେ । ଏପରିକି ୨୦୧୯ ମସିହାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଓଡ଼ିଶା ସରକାର “କାଳିଆ” ଯୋଜନା ଆରମ୍ଭ କରି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟର ଚାଷୀମାନଙ୍କୁ । ଏତେସବୁ କାର୍ଯ୍ୟ କରିବା ପରେ ବୋଧହୁଏ ସରକାର ଧରି ନେଇଛନ୍ତି ଚାଷୀଙ୍କର ଆଉ କିଛି ସମସ୍ୟା ନାହିଁ ବୋଲି । ଏହା ସତ୍ତ୍ୱେ ମଧ୍ୟ କାହିଁକି ଓଡ଼ିଶାର ଚାଷୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି ?
ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ କୁ ଚାଷୀ ମାନଙ୍କର ମୁଖ୍ୟ ଦାବୀ ଭାବେ ଓଡ଼ିଶାର ଏକ ପ୍ରମୁଖ କୃଷକ ସଂଗଠନ ରାଜ୍ୟ ସରକାରଙ୍କ ସାମ୍ନାରେ ରଖିବାର ପ୍ରୟାସ କରିଆସୁଛି । ଚାଷୀ ମାନଙ୍କ ସହ ଏହି ଆନ୍ଦୋଳନ ରେ ବହୁ ନେତା, ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ସାମିଲ ହୋଇଛନ୍ତି । ଚାଷୀଙ୍କ ସ୍ୱରକୁ ଶାଣିତ କରିବାପାଇଁ ବର୍ତ୍ତମାନର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସମେତ ଅନେକ ବ୍ୟକ୍ତି ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ମାତ୍ର ସମୟକ୍ରମେ ଏମାନେ ଏହି ଆନ୍ଦୋଳନରୁ ଓହରିଗଲେ। ଏହି ଆନ୍ଦୋଳନ ସଫଳ ସାବ୍ୟସ୍ତ ହୋଇପାରିଲା ନାହିଁ । ଏହି ଆନ୍ଦୋଳନକୁ ଆୟୁଧ କରି ନିଜର ରାଜନୈତିକ ଅଭିଳାଷ କୁ ଚରିତାର୍ଥ କଲେ କିଛି ରାଜନେତା । ଯାହାକୁ ଏହି ଆନ୍ଦୋଳନ ଆରମ୍ଭ କରିଥିବା କୃଷକ ସଂଗଠନ ଗୁଡ଼ିକ ମଧ୍ୟ ବୁଝିପାରିଲେ ନାହିଁ ।
ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ଏକ ସ୍ଥିର ସରକାର ରହିଛି ତା ସାଙ୍ଗକୁ ସ୍ଥିର ବିରୋଧୀ ଦଳ ବି ରହିଛି । ରାଜ୍ୟର ମେରୁଦଣ୍ଡ କୁହାଯାଉଥିବା ଚାଷୀର ବିକାଶ ବି ସ୍ଥିର ହୋଇଯାଇଛି । କୃଷି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ସରକାର ବହୁବାର କୃଷି କର୍ମଣ ପୁରସ୍କାର ବି ପାଇଚାଲିଛନ୍ତି । ତେଣୁ ସରକାରଙ୍କୁ କିଏ ବା କଣ କହିବ । ତା ସାଙ୍ଗକୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବଜେଟ୍ ଓ “କାଳିଆ” ଭଳି ଯୋଜନା ତିଆରି କରି ଆମ ରାଜ୍ୟ ସରକାର ବେଶ୍ ପ୍ରଶଂସା ବି ସାଉଁଟିଛନ୍ତି । ପ୍ରାୟୋଜିତ ପ୍ରଶଂସା ଆଗରେ ସତେ ଯେମିତି ଫିକା ପଡ଼ି ଯାଇଛି ଚାଷୀଙ୍କ ସମସ୍ୟା । ତେବେ ବାରମ୍ବାର ରାଜଧାନୀ ମୁହାଁ ହେଉଥିବା ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ଭାବ କାହିଁକି ? କୃଷକଙ୍କ ନେତୃତ୍ୱ ନେବାପାଇଁ ଓଡ଼ିଶାରେ ନେତାଙ୍କର ଅଭାବ ରହିଛି କି ? ବିଭିନ୍ନ କୃଷକ ସଂଗଠନ ଗୁଡ଼ିକ ମଧ୍ୟରେ ସମନ୍ୱୟ ରହୁନାହିଁ କି ? ବିରୋଧୀ ଦଳ ଗୁଡ଼ିକ ଚାଷୀଙ୍କ ସମସ୍ୟା ନେଇ ସରକାର ସହ ଲଢ଼ିବାକୁ ସାହାସ କରୁନାହାନ୍ତି କାହିଁକି ? ଚାଷୀମାନଙ୍କ ଆନ୍ଦୋଳନରୁ ବିରୋଧୀ ଦଳ ଗୁଡ଼ିକ ବିଶେଷ ରାଜନୈତିକ ଫାଇଦା ପାଉନାହାଁନ୍ତି କି ? ଚାଷୀମାନଙ୍କ ସାଙ୍ଗଠନିକ ଦକ୍ଷତା ନଥିବାରୁ ସରକାର ସେମାନଙ୍କୁ ହେୟ ମନେ କରୁ ନାହାଁନ୍ତି ତ ? ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷ ଚାଷୀଙ୍କୁ ବ୍ୟବହାର କରି ନିଜର ସ୍ୱାର୍ଥ ହାସଲ କରିବା ଦ୍ୱାରା ଚାଷୀ ଆନ୍ଦୋଳନ ଦୁର୍ବଳ ହୋଇଯାଇନି ତ ?
୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ନିଜର ଟିକସ ଆୟର ଶତ ପ୍ରତିଶତ ଅର୍ଥାତ୍ ପାଖାପାଖି ୪୬,୦୦୦କୋଟି ଟଙ୍କା ଖର୍ଚ୍ଚ କରି ୫ ଲକ୍ଷ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ୨ ଲକ୍ଷ ସେବା ନିବୃତ୍ତ କର୍ମଚାରୀଙ୍କୁ ଖୁସି ରଖି ପାରୁଛନ୍ତି ତେବେ ଚାଷ ଉପରେ ନିର୍ଭରଶୀଳ ୬୧ ପ୍ରତିଶତରୁ ଅଧିକ ଲୋକ ଓ ସେମାନଙ୍କ ପରିବାରକୁ ଖୁସି କରିବେ କେବେ ?