ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ଡିସେମ୍ବର ୨୦୨୨
ଅଶୀଦଶକରେ ଓଡ଼ିଶାରେ ଶିଳ୍ପାୟନକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ସେତେବେଳର ଶାସକ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ତାଙ୍କ ସରକାରର ସ୍ଲୋଗାନ ଥିଲା “ହଜାରେ ଦିନରେ ହଜାରେ ଶିଳ୍ପ” । ଓଡ଼ିଶାରେ ଶିଳ୍ପାୟନକୁ ଆଗେଇନେବା ପାଇଁ ସବୁବେଳେ ସ୍ବପ୍ନ ଦେଖୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ଥିଲା ଏ ରାଜ୍ୟରେ ହେବ “୨ୟ ଇସ୍ପାତ କାରଖାନା” । ଯେଉଁଥିପାଇଁ ଇଂଲଣ୍ଡର ଶିଳ୍ପପତି ଲର୍ଡ ସ୍ୱରାଜ ପଲଙ୍କୁ ଓଡ଼ିଶା ଆଣି ବୁଲାଇବା ସହ ପୁଞ୍ଜିନିବେଶର ପ୍ରତିଶୃତି ଯୋଗାଡ଼ କରିଥିଲେ ବିଜୁବାବୁ । ତାପରେ ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରେ ଓଡ଼ିଶାର ଶିଳ୍ପାୟନକୁ ଗୁରୁତ୍ବଦେଇ ଏପର୍ଯ୍ୟନ୍ତ କ୍ଷମତାସୀନ ହୋଇ ରହିଛି ଓ ରାଜ୍ୟବାସୀଙ୍କୁ ମଧ୍ୟ ଅନେକ ସ୍ବପ୍ନ ଦେଖାଇ ଚାଲିଛି। ଆରମ୍ଭ ହୋଇଥିବା ଶିଳ୍ପାୟନ ପ୍ରକ୍ରିୟାକୁ ଆଉ ଦୁଇପାଦ ଆଗକୁ ନେବାକୁ ଯାଇ ରାଜ୍ୟ ସରକାର “ମେକ୍ ଇନ୍ ଓଡ଼ିଶାର” ୩ୟ ସଂସ୍କରଣର ଆୟୋଜନ କରିଛନ୍ତି।
ଏଥରର ସଂସ୍କରଣରେ ଓଡ଼ିଶାକୁ ଆସିବ ୬ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ବୋଲି ରାଜ୍ୟସରକାର ଆଶା କରିବା ସହ ରାଜ୍ୟବାସୀଙ୍କୁ ଶିଳ୍ପାୟନ ବାବଦରେ ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟର ଶିଳ୍ପମନ୍ତ୍ରୀ। ଏହି ସଂସ୍କରଣରେ ୧୦୦ ଅଧିକ ଶିଳ୍ପପତିଙ୍କ ମହାସମାଗମ ହେବା ସହିତ ୧୩୦ରୁ ଅଧିକ କମ୍ପାନୀ ଏହି ଶିଳ୍ପ ମହାକୁମ୍ଭରେ ଭାଗ ନେବେ।
“ମେକ୍ ଇନ୍ ଓଡ଼ିଶାର” ପ୍ରଥମ ସଂସ୍କରଣରେ ୨ ଲକ୍ଷ ୨୦ ହଜାର କୋଟି ଏବଂ ୨ୟ ସଂସ୍କରଣରେ ୪ ଲକ୍ଷ ୨ ହଜାର କୋଟି ନିବେଶ ପ୍ରସ୍ତାବ ଆସିଥିଲା । ରାଜ୍ୟର ଶିଳ୍ପମନ୍ତ୍ରୀଙ୍କ ତଥ୍ୟ କହୁଛି ୨୦୧୬ ରେ ଆସିଥିବା ନିବେଶ ପ୍ରସ୍ତାବ ମଧ୍ୟରୁ ୩୫ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି, ଅର୍ଥାତ ବାକି ୬୫ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ । ସେହିପରି ୨୦୧୮ ରେ ଆସିଥିବା ନିବେଶ ପ୍ରସ୍ତାବ ମଧ୍ୟରୁ ୪୨ ପ୍ରତିଶତ କାର୍ଯ୍ୟକାରୀ ହୋଇଛି, ଅର୍ଥାତ ୫୮ ପ୍ରତିଶତ ବାକି ରହିଛି। କରୋନା ମହାମାରୀ ସମୟରେ ମଧ୍ୟ ୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।
ସେହିପରି ୨୦୨୨ “ମେକ୍ ଇନ୍ ଓଡ଼ିଶା” ଆରମ୍ଭ ହେବା ପୂର୍ବରୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଅହମଦାବାଦ,କୋଏମ୍ବାଟୁର ଆଦି ସ୍ଥାନରେ ରୋଡ୍ ସୋ କରାଯାଇ ନିବେଶକ ମାନଙ୍କୁ ଆମନ୍ତ୍ରିତ କରାଯାଇଛି । ପୂର୍ବରୁ ମଧ୍ୟ ଇଟାଲୀ ଓ ମଧ୍ୟ ପ୍ରାଚ୍ୟ ଦେଶ ଗୁଡ଼ିକୁ ଯାଇ ନିଜେ ମୁଖ୍ୟମନ୍ତ୍ରୀ ନିବେଶକ ମାନଙ୍କୁ ଭେଟି ଆସିଛନ୍ତି। ଏଥିରୁ ଚଳିତ ବର୍ଷର “ମେକ୍ ଇନ୍ ଓଡ଼ିଶା” ଅଧିକ ପୁଞ୍ଜି ନିବେଶର ସମ୍ଭାବନା ସୃଷ୍ଟି କରିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ୱାସ ମଧ୍ୟ ରହିଛି ।
ଓଡ଼ିଶାରେ ଶିଳ୍ପାୟନ ଓ ବିକାଶକୁ ନେଇ ବର୍ତ୍ତମାନର ସରକାର ଦେଖିଥିବା ସ୍ୱପ୍ନର ତାଲିକା ବେଶ୍ ଲମ୍ବା । ଆଜି ବି ଓଡ଼ିଶାର ବିକାଶ ପାଇଁ ସ୍ବପ୍ନ ଦେଖୁଥିବା ଓ ସ୍ବପ୍ନ ଦେଖାଉଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ପୁଞ୍ଜି ନିବେଶ କ୍ଷେତ୍ରରେ ପ୍ରତିଶ୍ରୁତିର ପରିମାଣ ମଧ୍ୟ ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଓଡ଼ିଶାକୁ ଆଗରେ ରଖିଛି। ୨୦୨୦ର ଏକ ତଥ୍ୟ ଅନୁଯାୟୀ ଖଣି କ୍ଷେତ୍ରରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୭୮ ପ୍ରତିଶତ ହୋଇଥିବା ବେଳେ ନିଯୁକ୍ତି ହାର ୩ ପ୍ରତିଶତ ରହିଛି । ବୃହତ ଓ ମଧ୍ୟମ ଧରଣ ଶିଳ୍ପରେ ୧୧ ପ୍ରତିଶତ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ହୋଇଥିବା ବେଳେ ୨.୫ ପ୍ରତିଶତ ନିଯୁକ୍ତି ହାର ରହିଛି । ସେହିପରି କ୍ଷୁଦ୍ରଶିଳ୍ପରେ ୮ପ୍ରତିଶତ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ହୋଇଥିବା ବେଳେ ୧୮ ପ୍ରତିଶତ ନିଯୁକ୍ତି ହାର ରହିଛି ଓ ସବୁଠାରୁ କମ ୩ ପ୍ରତିଶତ କ୍ୟାପିଟାଲ ଇନଭେଷ୍ଟମେଣ୍ଟ କଟେଜ ଇଣ୍ଡଷ୍ଟ୍ରିରେ ହୋଇଥିବା ବେଳେ ନିଯୁକ୍ତି ହାର ରହିଛି ୮୧ ପ୍ରତିଶତ।
ଗତ ୨୨ ବର୍ଷ ମଧ୍ୟରେ ଶିଳ୍ପାୟନର ସ୍ବପ୍ନ ଦେଖୁଥିବା ଓଡ଼ିଶାର ସ୍ଥିତିକୁ ଯଦି ଦେଖାଯାଏ, ତେବେ ଦେଶର ପ୍ରଥମ ୧୦ଟି ଶିଳ୍ପ ସମୃଦ୍ଧ ରାଜ୍ୟ ତାଲିକାରେ ଓଡ଼ିଶା ନାହିଁ । ଶିଳ୍ପ ସ୍ଥାପନ ଓ ନିଯୁକ୍ତି ହାରକୁ ତୁଳନା କରି ତିଆରି ହୋଇଥିବା ରାଜ୍ୟର ତାଲିକାରେ ଓଡ଼ିଶାର ସ୍ଥାନ ହେଉଛି ୧୮ତମ । ଗତ ଦୁଇଟି “ମେକ୍ ଇନ୍ ଓଡ଼ିଶା” ସଂସ୍କରଣରେ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଥିଲା ପାଖାପାଖି ୪୦କୋଟିରୁ ଅଧିକ ଟଙ୍କା । ଏଥରର ଆୟୋଜନ ପାଇଁ ପାଖାପାଖି ୭୦ କୋଟି ଟଙ୍କାରୁ ଅଧିକ ବ୍ୟୟର ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦୁଇଟି ସଂସ୍କରଣରେ ୬ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ପାଇଥିବା ବେଳେ ୫,୬୭୪କୋଟି ଟଙ୍କା ବିନିଯୋଗ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। ସେହିପରି ଗତ ଦୁଇଟି ସଂସ୍କରଣରେ ୭.୩୧ଲକ୍ଷ ନିଯୁକ୍ତି ସୁଯୋଗ ଥିବା କଥା କୁହାଯାଇଥିବା ବେଳେ ମାତ୍ର ୫,୮୦୦ ନିଯୁକ୍ତି ସୁଯୋଗ ତିଆରି ହୋଇ ପାରିଛି । ପରିଶେଷରେ “ମେକ୍ ଇନ୍ ଓଡ଼ିଶା” ଏକ ଦୂର ଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହୋଇଥିବାବେଳେ ଏହାର ସଫଳତାର ହାର କେତେ? ପୁଞ୍ଜି ନିବେଶକାରୀ ଯୋଗାଡ଼ କ୍ଷେତ୍ରରେ କେତେ ସଫଳ ହୋଇଛନ୍ତି ଆମ ରାଜ୍ୟ ସରକାର? କେତେ ସଂଖ୍ୟକ ବେକାର ଯୁବକ, ଯୁବତୀଙ୍କୁ ଶିଳ୍ପ କ୍ଷେତ୍ରରେ ମିଳିଛି ନିଯୁକ୍ତି? ସ୍ୱଚ୍ଛତା ରକ୍ଷା ରାଜ୍ୟସରକାରଙ୍କ ୫ଟି ବିଚାର ବର୍ଗର ଶୀର୍ଷ ସ୍ଥାନରେ ଥିବାବେଳେ ସରକାରୀ ତଥ୍ୟରେ “ମେକ୍ ଇନ୍ ଓଡ଼ିଶାର” ସଫଳତା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ କାହିଁକି? ଷ୍ଟାର୍ଟଅପ୍ ଓ ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଓଡ଼ିଶାର ସ୍ଥାନ କେଉଁଠି? ସର୍ବୋପରି ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ସ୍ଥାନ ଦେଖିବା ପରେ କେହି କେବେ ଭାବିବ କି ଏ ରାଜ୍ୟର ଶିଳ୍ପାୟନକୁ ନେଇ ଦେଖୁଥିବା ଓ ଦେଖାଯାଉଥିବା ସ୍ବପ୍ନ ଗୁଡ଼ିକ ପୂରଣ ହୋଇପାରିବ… ?