ଭକ୍ତ ଚରଣ ସାହୁ, ଯାଜପୁର,୪ ନଭେମ୍ବର ୨୦୨୨
ଆମରି ଗାଆଁର ‘ଧଡ଼ିଆ’
ବୁଢା ବୟସ ବେଶୀ ।
ଦେହଟି ତା’ ନଡ଼ ‘ବଡ଼ିଆ’
ପେଟ ଗଲାଣି ପଶି ।।
କଥା କହେ ଭାରି ‘ତେଢି଼ଆ’
କା’ରେ ନରଖି ଶ୍ରଦ୍ଧା ।
କାମ ନୁହେଁ ତା’ର ‘ବଢିଆ’
ଲୋକେ କୁହନ୍ତି ଗଧା ।।
ଧାନ ବିରି ଦେଇ ‘କାଢ଼ିଆ’
ଟଙ୍କା ପଇସା ସଞ୍ଚେ ।
ଭାରି କୁରୁପଣ ‘ମେଢି଼ଆ’
ବୁଢ଼ା ନଖାଇ ବଞ୍ଚେ ।।
ପଇସା ଲୋଭରେ ‘ନଡ଼ିଆ’
ବିକି ଦିଏସେ କଷି ।
ଜମି ସବୁ ରଖି ‘ପଡିଆ’
କହେ ମୁଁ ବଡ଼ ଚାଷୀ ।।
ବାଡ଼ିରେ ଖୋଳିଛି ‘ଗଡ଼ିଆ’
ନାହିଁ ମୁନ୍ଦିଏ ପାଣି ।
ହାତେ ଧରି କହେ “ପୁଡ଼ିଆ’
ମାଛ ଆଣିଲି ଛାଣି ।।
ବାଡ଼ିରେ କରିଛି ‘କୁଡ଼ିଆ’
ଚୋର ଜଗିବା ପାଇଁ ।
ପକାଇ ଶୋଉଛି ‘ଘୋଡ଼ିଆ’
କହେ ଗଦି ମୋ କାହିଁ ?
କଟାରୀ ରଖିଛି ‘ଦାଢୁଆ’
କେହି ନଯାନ୍ତି ପାଶେ ।
ସବୁରି କାମରେ ‘କାଢୁଆ’
କହେ ଡାକି ହରଷେ ।।
ଖାଏ ନାହିଁ କେବେ ‘ବିଡ଼ିଆ’
ପାନ ପଇସା ପାଇଁ ।
ବାହାରେ କହେସେ ‘କଢୁଆ’
ଗୁଣ୍ଡି ଖାଉଛି ମୁହିଁ ।।
ବୁଢ଼ୀକୁ ତା’ ଦିଏ ‘ବାଡ଼ିଆ’
ଦୋଷ ନଥାଇ କିଛି ।
ବୁଝିବସେ ସବୁ ‘ଅଡ଼ୁଆ’
କଥା କହିଲେ ବାଛି ।।
ତା’ ପରି ନାହିଁକେ ‘ମାଡୁଆ’
ବୁଢା, ଗାଆଁରେ ଆମ ।
ସଭିଏଁ କୁହନ୍ତି ‘ରାଢୁଆ’
କେବେ ନେବଟି ଯମ ।।