ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୭ ନଭେମ୍ବର ୨୦୨୫
୧୯୯୦ ମସିହାରେ ଯେତେବେଳେ ମୁଁ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟରେ ଯୋଗ ଦେଲି, ସେତେବେଳେ ମୋ ଅଫିସଟି ଗ୍ରୀନପାର୍କର ଏକ ଭଡ଼ାଘରେ ଚାଲୁଥିଲା। ହାଉଜ୍ ଖାସ୍ ରେ ଡକ୍ଟର ଜେପି ଦାସଙ୍କ ଘର ଥିଲା ଠିକ୍ ମୋ ଅଫିସ୍ ସାମ୍ନାରେ ଏବଂ ଅନେକ ସମୟରେ ପରାମର୍ଶ ପାଇଁ ମୁଁ ଯାଇ ତାଙ୍କୁ ଭେଟୁଥିଲି। ପଞ୍ଜାବୀ ଭାଷାର ଦୁଇଜଣ ଦିଗ୍ଗଜ ଲେଖକ ଅମ୍ରିତା ପ୍ରୀତମ୍ ଏବଂ କର୍ତ୍ତାର ସିଂହ ଦୁଗ୍ଗଲଙ୍କ ଘର ଥିଲା ମୋ ଅଫିସ୍ ର ଖୁବ ନିକଟରେ।
ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଯୋଗ ଦେବା ବେଳକୁ ଏହାର ଓଡ଼ିଆ ପରାମର୍ଶଦାତା କମିଟି ଦୀର୍ଘ ୧୩ ବର୍ଷ ଧରି ଗଠନ ହୋଇନଥିଲା। ମୋ ପୂର୍ବବର୍ତ୍ତୀ ପଦାଧିକାରୀ ଜଣେ ଭଦ୍ରଲୋକ ଥିଲେ, କିନ୍ତୁ ସାହିତ୍ୟ ବା ପ୍ରକାଶନ କ୍ଷେତ୍ରରେ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନଥିଲା। ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀର ସହଯୋଗ ନେଇ ମୁଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କଲି। ମୋ ସୌଭାଗ୍ୟକୁ ସେତେବେଳେ ଇନ୍ଦୁଭୂଷଣ କର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଥିଲେ। ଆମେ ଦୁହେଁ ମିଶି ଦିଲ୍ଲୀଠାରେ ଏକ ଜାତୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜନ କରିବା ପାଇଁ ଯୋଜନା କଲୁ। ଏହି ସମାରୋହକୁ ଏକ ଜାତୀୟ ସ୍ୱରୂପ ଦେବା ପାଇଁ ଅନ୍ୟ ଭାଷାର ପ୍ରତିଷ୍ଠିତ ସାହିତ୍ୟିକମାନଙ୍କୁ ଭେଟି ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରିବା ନିମନ୍ତେ ଇନ୍ଦୁବାବୁ ଓ ମୁଁ ଦିଲ୍ଲୀ ନଗର ସାରା ଘୂରିବୁଲିଲୁ। ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ଏହା ଥିଲା ସର୍ବପ୍ରଥମ ପ୍ରୟାସ।
ଆମେ ଇନ୍ଦିରା ଗୋସ୍ୱାମୀ, ଶିଶିର କୁମାର ଦାସ, କେଦାରନାଥ ସିଂହ ଏବଂ ଆହୁରି ଅନେକ ପ୍ରତିଷ୍ଠିତ ଲେଖକଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିଲୁ। ସର୍ବଶେଷରେ ଆମେ ଯାଇ ପହଞ୍ଚିଲୁ ଅମ୍ରିତା ପ୍ରୀତମଙ୍କ ଘରେ। ସନ୍ଧ୍ୟାବେଳ। ଜଣେ ଭଦ୍ରଲୋକ ବାହାରକୁ ଆସିଲେ। ମୋ ଅନୁମାନ ଅନୁସାରେ ସେ ଥିଲେ ଇମରୋଜ, ଯାହାଙ୍କ ସହ ଅମ୍ରିତା ପ୍ରୀତମ୍ ଅନେକ ବର୍ଷ ଧରି ଏକାଠି ରହୁଥିଲେ। ସେ ଆମକୁ ସ୍ୱାଗତ କଲେ ଏବଂ ଭିତରକୁ ଡାକିନେଲେ। କୋଠରୀ ଭିତରେ ଥିଲା ମୃଦୁ ଆଲୋକ। ଇନ୍ଦୁବାବୁ ପୂର୍ବରୁ ଅମ୍ରିତା ପ୍ରୀତମ୍ ଙ୍କୁ ଖବର ଦେଇଥିଲେ। ଆମେ ତାଙ୍କୁ ଭେଟିଲୁ। କି ଅପୂର୍ବ ସୁନ୍ଦରତା, କି କୋମଳ କଣ୍ଠସ୍ୱର! ଅମ୍ରିତା ଥିଲେ ଲେଖିକା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ବାନ୍ଧବୀ। ବହୁବାର ଓଡ଼ିଶା ଆସିଥିଲେ ମଧ୍ୟ। ସେ ଆମ ସାହିତ୍ୟ ସମାରୋହକୁ ଆସିବା ପାଇଁ ସ୍ୱୀକୃତି ଦେଲେ ଏବଂ ଆସିଥିଲେ ମଧ୍ୟ। ତାଙ୍କ ଘରେ କଫି ଓ ପକୋଡ଼ା ଖାଇ ବେଶ୍ ଖୁସି ମନରେ ସେଦିନ ଆମେ ଫେରିଥିଲୁ।
ଏନବିଟିର କୌଣସି ନା କୌଣସି କାମରେ ମୁଁ ପ୍ରାୟତଃ ଅମ୍ରିତା ପ୍ରୀତମଙ୍କ ଘରକୁ ବାରମ୍ବାର ଯାଇଛି। ଅନେକ ସମୟରେ ମୁଁ ଇମରୋଜଙ୍କୁ ଭେଟିଛି, ଯିଏ ସର୍ବଦା ନିଜକୁ ଲୋକଙ୍କ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ ଏବଂ ଚିତ୍ର କରିବାରେ ମଗ୍ନ ରହୁଥିଲେ। ଯେତେବେଳେ ବି କେହି ଯୁବ ଓଡ଼ିଆ ଲେଖକ ଦିଲ୍ଲୀରେ କୌଣସି ପ୍ରସିଦ୍ଧ ସାହିତ୍ୟିକଙ୍କୁ ଭେଟିବାରେ ସାହାଯ୍ୟ କରିବାକୁ ମୋତେ ଅନୁରୋଧ କରୁଥିଲେ, ମୁଁ ଉପରୋକ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ନିମନ୍ତେ ସେମାନଙ୍କୁ ପଠାଉଥିଲି।
ଅମ୍ରିତା ପ୍ରୀତମ୍ ଙ୍କ ଦେହାନ୍ତ ଖୁବ୍ ଶୀଘ୍ର ହୋଇଯାଇଥିଲା କହିଲେ ଭୁଲ୍ ହେବନାହିଁ। ସେ ଯେତେବେଳେ ୧୯୮୧ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ, ମୁଁ ସେତେବେଳେ ‘ଆଲୋକ’ ପତ୍ରିକାରେ ତାଙ୍କ ପାଇଁ ଏକ ଆଲେଖ୍ୟ ଲେଖିବା ସହିତ ତାଙ୍କର ଏକ କବିତାର ଅନୁବାଦ ମଧ୍ୟ କରିଥିଲି। ତାଙ୍କ ଜ୍ଞାନପୀଠ ପାଇବା ଘଟଣାକୁ ନେଇ ସେ ସମୟରେ ଖୁବ୍ ହୋହଲ୍ଲା ମଧ୍ୟ ହୋଇଥିଲା। ପରେ ମୁଁ ବୁଝିପାରିଥିଲି ଏହିଭଳି ବହୁ ପୁରସ୍କାର କେବଳ ସାହିତ୍ୟିକ ଉତ୍କର୍ଷ ଆଧାରରେ ନୁହେଁ, ଅନ୍ୟାନ୍ୟ ବିଭିନ୍ନ ଆଧାରରେ ଦିଆଯାଇଥାଏ। କିନ୍ତୁ ନିଃସନ୍ଦେହରେ ଅମ୍ରିତା ପ୍ରୀତମ୍ ଥିଲେ ଜଣେ ବହୁତ ଭଲ ସାହିତ୍ୟିକ।
କିଛିବର୍ଷ ପୂର୍ବେ, ଅମ୍ରିତା ପ୍ରୀତମଙ୍କ ଦେହାନ୍ତ ପରେ ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ନିରାକାର ଦାସ ସେହି ମହାନ୍ ଲେଖିକାଙ୍କ ସ୍ମୃତିରେ ଏକ ସଭା ଆୟୋଜନ କରିବାକୁ ବାହାରିଲେ ଏବଂ ସେଥିରେ ଇମରୋଜ ଯୋଗ ଦିଅନ୍ତୁ ବୋଲି ଚାହିଁଲେ। ଏଥିପାଇଁ ସେ ମୋତେ କହିଲେ। ମୁଁ ଇମରୋଜଙ୍କୁ ଏହି ଅନୁରୋଧ ନେଇ ଫୋନ୍ କଲି। କିନ୍ତୁ ବେଶ୍ ଶାନ୍ତ ଓ ଭଦ୍ରତା ସହକାରେ ଇମରୋଜ କହିଲେ – “ମାନସଜୀ, ଅମ୍ରିତା ଜୀବିତ ଥିବାବେଳେ ମୁଁ ତାଙ୍କ ସହ କୁଆଡ଼େ ଯାଉନଥିଲି, କାରଣ ମୁଁ ଚାହୁଁଥିଲି ତାଙ୍କ ବିଶିଷ୍ଟତାର ଶ୍ରେୟ ସେ ଏକୁଟିଆ ହିଁ ପାଆନ୍ତୁ। ଏବେ ତାଙ୍କ ମୃତ୍ୟୁ ପରେ ବି ମୁଁ ସେହି ଶପଥ ଅତୁଟ ରଖିଛି। ତାଙ୍କ ମହାନତାରୁ ମୁଁ ଭାଗ ନେବାକୁ ଚାହୁଁନାହିl”






