ସସ୍ମିତା ପଣ୍ଡା, କଟିକଟା, କଟକ, ୧୪ ଜୁନ ୨୦୨୫
ଅନୁରାଧା ଗୋଟେ ସେଇ କବିତାର ନାଆଁ
ହୁଁ ଭରା ନିଦଟିଏ ବାହାନାର ଗାଁ
ଗୋପନରେ ସାରାରାତି
ଲୁହ ଯଦି ଶସ୍ତା ଏଠି
ବିଶ୍ବାସର ବଂଶୀଟିଏ ବାଜୁଥାଏ କିଆଁ।।
ଜୀଇଁବାର ମିଠାଶବ୍ଦ ମୁଠାଏ ଆୟୂଷ
ପାପୁଲିଏ ପାହାନ୍ତି ପହର
ତୁମହାତେ ନୀଳ ନକ୍ସା
ଭାରି ଚିହ୍ନା ଚିହ୍ନା ଲାଗେ ଚେନାଏ ଆକାଶ
ଇଏ କେଉଁ କୋଳାହଳ?
ମାଟି ପଣତରେ ଉଭା ସେଇ ରୂପେଲି ସକାଳ।।
ଅପେକ୍ଷାର ଶଙ୍ଖଶୁଭେ ମହକେ କସ୍ତୁରୀ
କାନଡେରି ଶୁଣିନିଅ
ହଳେ ପାଦର ମାଧୁରୀ
ଚିହିଁକି ଉଠିବ ସ୍ନାୟୁ ଯଥାର୍ଥରେ
ଚକମିବ ସ୍ପନ୍ଦନ
ଏସବୁ ତ ମୋ ପାଇଁ ବହୁ ଦୂରବର୍ତ୍ତୀ
ଅନୁରାଧା ତୁମପାଇଁ ପ୍ରାରବ୍ଧ ଈଶ୍ବରୀ।।