ପ୍ରମୋଦ କୁମାର ଦାଶ, କଟକ, ୧୩ ଡିସେମ୍ବର ୨୦୨୨
କେକହେ ସୁନ୍ଦରୀ ତଟିନୀ ବିରୂପା
ଅଟନ୍ତି ସେ କାଳେ କୁତ୍ସିତା କୁରୂପା
ବୃକ୍ଷରାଜି ବିପଣୀମାଳା ମଣ୍ଡିତା
ପୂଣ୍ୟମୟୀ ମାତା ଉତ୍କଳେ ଶୋଭିତା । ୧|
ସ୍ନିଗ୍ଧ ସିଦ୍ଧ ଅନ୍ନ ସ୍ବଚ୍ଛ ଫେନ ଭ୍ରମ
ଉଚ୍ଛନ୍ନ କରଇ ମାନସ ଆନନ
ଅବଲୋକି ଦୂରୁ ତା’ମୁକୁର ଦେହ
ଅନୁଭବେ କବି ସତେ କି ବିଦେହ । ୨।
ସଂଖ୍ୟାହୀନ ସୂତ୍ରେ ହୋଇ ଛନ୍ଦା ଛନ୍ଦି
ନିଜଦେହେ ନିଜେ ହୋଇଥାନ୍ତି ବାନ୍ଧି
ମିନଜୀବି କୂଳ ଯେ ଦଣ୍ଡାୟମାନ
ସେ ଶୋଭାକୁ କରିପାରେ କେ ବର୍ଣନ । ୩ ।
ଷଡଜଷ୍ଟି ପାଶ କରେ ଟେକି ଦେଇ
ସ୍କନ୍ଧ ସିଂହାସନେ ଆପେ ମଣ୍ଡିଥାଇ
ସପ୍ତବର୍ଣ ମିଶ୍ର କୁସୁମ ନିକର
ପ୍ରାୟସେ ଶୋଭିତ ନୀର ବକ୍ଷତାର । ୪।
ମତ୍ସ୍ୟଧାରୀ ବୃନ୍ତ ପରାଏ ଶୋଭିତ
ଦୂର ତୃଣ ଭୂମି ପାଦପ ପ୍ରତୀତ
ଦୂରାଦୂରୁ ବ୍ୟସ୍ତ ଜନସମାଗମ
ନାବେ ଥାନ୍ତି କରି ନଦୀ ଅତିକ୍ରମ । ୫ ।
ଚନ୍ଦ୍ରପ୍ରଭା ପ୍ରଭୁ ବିଦାୟ ବେଳାରେ
ଚନ୍ଦ୍ରଚୂଡ ବର ଅଙ୍ଗ ମଣ୍ଡନରେ
ବିଶୋଭି କ୍ଷୋଭୁଛି ଭକ୍ଷଦ୍ବାର ସାରି
ନିରୀହ ମୀନରେ ନୟନ ବିସ୍ତାରି । ୬ ।
ମହୀଷ ଗୋଷ୍ଠୀର ନୀର ସନ୍ତରଣ
ଗୁପ୍ତ ଅପଘନ ପୃଷ୍ଟ ଦୃଶ୍ୟମାନ
ପୁଳା ପୁଳା କଳା ବାଇଁଶର ଦଳ
ମାଡିକି ଆସନ୍ତି, ହରେ ଜ୍ଞାନ ବଳ । ୭ ।
ପ୍ରକୃତିର ଏହି ଚିରନ୍ତନ ଲୀଳା
ସଂସାର ବକ୍ଷରେ ନିରନ୍ତର ଖେଳା
ଶ୍ବାନଶ୍ବାନୀ ଦୁହେଁ କୋଳାଗ୍ରତ ହୋନ୍ତି
ପରସ୍ପର ପ୍ରେମ ଭାଷା ଭାଷୁଥାନ୍ତି । ୮ |
ଦୂରେ ଜଳଉକା ମଣ୍ଡିତ ଆସନ
ଉଠିବ କି ନାହିଁ ସେ ଅବ ଚେତନ
ପାଦଦେଶେ ପାଦପରାଜି ବିରାଜି
ସର୍ବ ସୌଉନ୍ଦର୍ଯ୍ୟ ସତେ ପ୍ରତେ ଭାଜି । ୯ |
ପାରୁଶ ପରଶି ପୂତାଚଳ ଶୋହେ
ଗଜରାଜ ବତ ଜନମନ ମୋହେ
ବୈକୁଣ୍ଠା ଭିଳାଷୀ ଯୋଗୀ ଜନ ଯୋଗେ
ସତେ ପ୍ରତେ ହୁଏ ଜଳଉକା ନିଦେ | ୧୦ |
ତଟ ଦେଶେ ଯେହ୍ନେ ସେ ବିରାଜମାନ
ବାଣୀ ବର୍ଣ୍ଣନରେ ନାହିଁ ଭିନ୍ନା ଭିନ୍ନ
ଅତ୍ରିକ୍ରମେ ଯେଣୁ ଚିନ୍ତା ପାରାବାର
ଅଚଳ ହୁଅଇ କବି ହୃଦାଚଳ | ୧୧ |
ପ୍ରେମିକ ପ୍ରେମିକା ଯୁଗଳ ମୁରତୀ
ବାଣୀ ବାଣ ଟାଣେ ମିଳାବନ୍ତି ଯତି
ପରସ୍ପରେ ହୃଦ ଭାବ ବିନିମୟ
ହିରଣ୍ମୟ କରେ ହୋନ୍ତି ତନମୟ | ୧୨ |
ବିଛୁରନ୍ତି ରବି ରଶ୍ମି ଅସ୍ତାଚଳେ
ଲୋଷ୍ଟ୍ରଧରି କରେ ପକାବନ୍ତି ଜଳେ
ଲୋହିତ ତରଙ୍ଗେ ଉକୁଟିତ ଆଭା
ରସିକର ହୃଦେ ରସିକାର ଗଭା | ୧୩ |
ଉତରିଣ ନାବୁଁ ଜଳଯାତ୍ରା ଜନ
ସ୍ବସଦନକୁ କରନ୍ତି ଗମନ
ତଟିନୀ ଗରଭୁ ଉତ୍ ଥିତ ସରବେ
ଚର୍ତ୍ମ ପରେ ପାଦ ଥାପନ୍ତି ଗରବେ | ୧୪ |
ସରିତରେ ସ୍ନାନ ସାରି ଦେବଗଣ
ଚଳୁଛନ୍ତି ଅବା ସରଗ ଭୁବନ
ବାସେ ସୁପତିତ ଅସ୍ତଭାନୁ ଜ୍ୟୋତି
ରମଣୀମାଳାରେ ଶୋଭେ କାନ୍ତିପ୍ରୀତି । ୧୫ ।
ଅନନ୍ତର କୋଳ ଅନ୍ଧକାର ହୋନ୍ତେ
ସବୁଜଖଗ ପ୍ରବେଶି ଧାତୁ ସୂତ୍ରେ
ଦୃଶ୍ୟ ସଉନ୍ଦର୍ଯ୍ୟ ବର୍ଣ୍ଣନା ଅତୀତ
ତନ୍ମୟ ହୁଅଇ କବିପ୍ରାଣ ଚିତ୍ତ । ୧୬ ।