ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୪ ନଭେମ୍ବର ୨୦୨୨
ବାପାଙ୍କର ହାତ ମୋ ଆଶରା ବାଡ଼ି
ଧରି ମୁଁ ଶିଖିଲି ଚାଲି,
ଧରିଥିଲେ ସେହି ହାତକୁ ଜାବୁଡି
ଭାବେ ମୁହିଁ ରାଜା ବୋଲି.
ସେ ହାତରେ ମୋତେ ଟେକି ଧରିଥିଲେ
ଲାଗେ ସ୍ୱର୍ଗ ନିକଟରେ,
ତୋଳିକି ଆଣିଵି ଜହ୍ନ ନିମିସକେ
ଖେଳିବି ତା’ର ସାଥିରେ.
ସେ ହାତ ଯେବେବି ଧୂଳି ଦିଏ ଝାଡ଼ି
ଲଗାଇ ସମସ୍ତ ଶକ୍ତି
ସେ ହାତର ଶକ୍ତି ଭରିଯାଏ ଦେହେ
ଉଠେ ଦର୍ପେ କର୍ମେ ମାତି.
ମୋ ଆଳସ୍ୟ ମୋର ତ୍ରୁଟି ଦେଖି ବାପା
ହାତେ କରନ୍ତି ଶାସନ
ଅଳସୁଆ ପଣ ଦୂର ହୁଏ ମୋର
ହୋଇ ଯାଏ ତ୍ରୁଟି ଶୂନ୍ୟ.
ତାଙ୍କ ହାତ ଜଗା ମହାବାହୁ ସମ
ଅଛି ମୋ ମସ୍ତକ ପରେ
ସେ ହାତର ସ୍ନେହ ଶାସନ ମୋ ଦେହ
ଅମୃତ ପରଶ ଭରେ.