ଶୈଳବାଳା ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୩
ବରଷାରେ ପ୍ରୀତି କଲି କଳା ମେଘ ସାଥିରେ
ସେଇ ମେଘ ଚୋରି କଲା ନିଦ ମୋର ରାତିରେ
ପୁରାତନ ରଚନାରୁ ଗାଇଛନ୍ତି ଶ୍ରୀମତୀ ଅନିମା କର ! ଉଦଘୋଷିକାଙ୍କ ଏଇ ଘୋଷଣା ପରେ ମୁଁ ଆଉ ରେଡ଼ିଓ ପାଖ ଛାଡ଼େନି। ଶୁଣେ । ଶୁଣେ ସେ ଅପୂର୍ବ ସ୍ଵର ଲହରୀକୁ।ସେ କଣ୍ଠ ଓ ସୁର ଏଭଳି ଛାପ ପକେଇଥିଲା ମୋ ପ୍ରଥମ ତାରୁଣ୍ଯରେ ଯେ ତାକୁ ନେଇ କବିତାଟିଏ ଲେଖିଥିଲି ।” କଳାମେଘ ନୁହେଁ, ବରଷାରେ ପ୍ରୀତି କଲି ତୁମରି ସାଥିରେ —-“
ଅନିମା ମାଡାମ୍ ଙ୍କ ସେ ଗୀତ ମୁଁ ଏବେ ବି ଗୁଣୁଗୁଣାଏ । କେବଳ ଏତିକି ନୁହେଁ । ତାଙ୍କର ଅଧିକାଂଶ ଗୀତ ମୋର ପ୍ରିୟ ଥିଲା। ଆକାଶବାଣୀରେ ସେଇ ସମୟର ଶିଳ୍ପୀମାନଙ୍କର ଗୀତ ଆଉ ବାଜୁଛି କି ନାହିଁ କେଜାଣି !
ଅନିମା ମାଡାମ୍ ଙ୍କର ସିଧାସଳଖ ଛାତ୍ରୀ ମୁଁ ନଥିଲି । କିନ୍ତୁ ମୋର କେତେଜଣ ପରିଚିତାଙ୍କୁ ସେ ପଢ଼ାଇଛନ୍ତି। ସେ ନୀଳିମା ମାଡାମ୍ ଙ୍କ ଭଉଣୀଥିଲେ ବୋଲି ମୁଁ ପରେ ଜାଣିଲି । ମୋ ପାଇଁ ତାଙ୍କ ସ୍ଵର ହିଁ ଥିଲା ପ୍ରଥମ ପରିଚୟ ।
ସ୍ଵର ଯେମିତି, ସେମିତି ସରଳ ଓ ମିଠା ମୁହଁର ଚେହେରା । ସୁନ୍ଦର ବ୍ୟକ୍ତିତ୍ଵ । ମାତ୍ର ଥରେ ଦି’ଥର ଦେଖିଛି ।
ସରିଯିବା ଜୀବନର ଏକ ବିରାଟ ସତ। ସରିଗଲେ ବି ଅନିମା ମାଡାମ୍ ସ୍ମରଣୀୟ। ତାଙ୍କ ଅନୁପମ ସ୍ଵର ମାଧୁର୍ଯ୍ୟ ତାଙ୍କୁ ଅମର କରି ରଖିବ ହୃଦୟ ହୃଦୟରେ !!