ଭକ୍ତ ଚରଣ ସାହୁ, ଯାଜପୁର, ୨୯ ଜୁନ୍ ୨୦୨୪
ବର୍ଷାଗୋ ତୁମେ
ଆଦ୍ୟ ଆଷାଢ଼ର
ମଉସୁମୀ ରାଜକନ୍ୟା ।
ତୁମେ ଦେଇପାର
ଶୀତଳତା ପୁଣି
ତୁମେ ରଚିପାର ବନ୍ୟା ।।
ବର୍ଷାଗୋ ତୁମେ
ମାଟି ମାଆ ପାଇଁ
ଆଣିଦେଇ ଥାଅ ଗର୍ବ ।
ନିଦାଘ ଶେଷରେ
ଏହି ଧରାପରେ
ଆରମ୍ଭଇ ତୁମ ପର୍ବ ।।
ବର୍ଷାଗୋ ତୁମେ
ଆକାଶୁ ଝରିଲେ
ଶୁଷ୍କ ମାଟି ହସି ଉଠେ ।
ତୁମେ ଆସିଗଲେ
ଚଷା ପୁଅ ଓଠୁ
ହସର ଫଲ୍ଗୁ ଛୁଟେ ।।
ବର୍ଷାଗୋ ତୁମେ
ଧରା ଛୁଇଁଦେଲେ
କ୍ଷେତେ ସବୁଜିମା ଭରେ ।
ତୁମେ ଆସିଗଲେ
ଋତୁଟି ବଦଳେ
ଖରା ଚାଲିଯାଏ ଖରେ ।।
ବର୍ଷାଗୋ ତୁମେ
ବିରାଜିଲେ ଆସି
ଚଂଚଳେ ଚପଳା ଖେଳେ ।
କେଡ଼େ ରଡ଼ି ଛାଡ଼ି
ଘଡ଼ଘଡ଼ି ଆସି
ପହଞ୍ଚେଟି ଏଇ ବେଳେ ।।
ବର୍ଷାଗୋ ତୁମ
ଋତୁ ଆଗମନ
ମଉସୁମୀ ଏକା ଜାଣେ ।
ନଭ ନିଳିମାରେ
କଳା ବାଦଲଟା
ନିମିଷେ ଅନ୍ଧାର ଆଣେ ।।
ବର୍ଷାଗୋ ତୁମେ
ଆସିଲେ ପୃଥ୍ୱୀକୁ
ସାତରଙ୍ଗେ ଇନ୍ଦ୍ରଧନୁ ।
ପୂରୁବ ଆକାଶେ
ଶୋଭା ପାଇଥାଏ
ଲିଭେ ନାହିଁ ଆମ ମନୁ ।।
ବର୍ଷାଗୋ ତୁମେ
ଝରିଗଲା ପରେ
ଶ୍ୟାମଳିମା ହୁଏ କ୍ଷେତ ।
ତୁମେ ନ ଝରିଲେ
ମରୁଡ଼ି ପ୍ରବେଶି
ଭାରି ଦୁଃଖ ଦିଏ ସେତ ।।
ବର୍ଷାଗୋ ତୁମେ
ଆକାଶ ଛାଡ଼ିଲେ
ମେଦିନୀରେ ଭରେ ପାଣି ।
ତୁମେ ଦୁର୍ବଳିଲେ
ସକ୍ରିୟ ମୌସୁମୀ
ଶକ୍ତି ଦେଇ ଆଣେ ଟାଣି ।।
ବର୍ଷାଗୋ ତୁମେ
ଥିବାଯାଏ ଏଠି
ଶୀତ ଛୁଏଁ ନାହିଁ ଧରା ।
ତୁମେ ଗଲେ, ସିଏ
ଦଉଡି ଆସିବ
ଅଛି ଏହି ପରମ୍ପରା ।।