ଜୟଶ୍ରୀ ଦାସ, ବାଲେଶ୍ଵର, ୨୧ ଜାନୁଆରୀ ୨୦୨୩
ବାସି ହେଲା ଆସି ରଜନୀଗଂଧାର ବାସ
ମନ କରିଥିଲି କରିବି ଶରତ ରାସ
କିଏ ଜାଣିଥିଲା ଏଡ଼େ ଦଗାଦିଆ ବୋଲି
ରାତି ଉଜାଗରେ ରଜନୀ ହୋଇଲା ଶେଷ ।୦।
ମିଛରେ ମିଛରେ ମନ ବିକିଦେଲି ତାଂକୁ
କିଏ ଜାଣିଥିଲା ପକ୍କା ମିଛୁଆଟେ ବୋଲି
ମରୂଦ୍ୟାନ ବୋଲି ଯାହା ମୁଁ ଦେଖିଲି
ଧୁ ଧୁ ଗୋଟେ ମାୟା ମରୀଚିକା ଖାଲି
ବିରହ ନିଆଁରେ ଜଳି ଜଳି ଶେଷେ
ହୋଇଯିବି ପୂରା ନାଶ ।୧।
ମୋ ଭିତରେ ଯେଉଁ କଦଂବ ଗଛରୁ
କେତେ ଫୁଲ ଫୁଟି ଝରେ
ପାଗଳିନୀ ସାଜେଁ ଯେବେ ସେ ଡାକଇ
ବଇଁଶୀର ସୁରେ ସୁରେ
କେତେ ଝଡ଼ ଝଂଜା ଆସେ ଏ ଦେହକୁ
ବହୁଥାଏ ଅଣଚାଶ ।୨।