ଶୈଳବାଳା ମହାପାତ୍ର, ପୁରୀ, ୨୬ ସେପ୍ଟେମ୍ବର ୨୦୨୩
ବୋଉ ବିଛଣାରେ ପଡ଼ିଛି
ପଡ଼ିଛି ବୋଲି ତ
ଗୁରୁଣ୍ଡୁଛି ଗୋଟେ ଗେଲବସର ପଣ
ଘର ସାରା
ଉଙ୍କି ମାରୁଛି ଗୋଟେ ପିଲାଦିନ
ବିଛଣାରେ ବୋଉ —
ଆମ ଘର ଦର୍ପିତ ଈଶ୍ଵରୀ
ଗୋଡ଼ ହାତ ଶୀର୍ଣ
ଥରଥର ଓଠ
କହିପାରୁନି —
“ଆରେ, ବୁଢୁ ଫୁନ୍ ନଗା ଚରଣକୁ
ଆଗକୁ କାର୍ତ୍ତିକ
ଆଣିବ ଅଧ ଅଖେ ପଦୁଅଁ କେଶରୀ !”
ବୋଉ ପଡ଼ିବା ଦିନଠୁ
ଘର ବି ଚୁପ୍ ଚାପ୍
ଚାହିଁଛି କେବଳ
ସତେ ଅବା ଦାର୍ଶନିକଟିଏ
ଚିନ୍ତାରେ ଆକୁଳ !
ବିଛଣାରେ ବୋଉ !
ବାରଣ୍ଡାରୁ କେହି ଜଣେ ଡାକୁଛି —
“ଏ, ବୋଉ !
ଇଏ କ’ଣ ?
ଅପା ପାଇଁ ମେଞ୍ଚେ ସନ୍ତୁଳା
ମୋ ପାଇଁ ଖାଲି ଆଳୁ ଚକଟା !?
ମୁଁ ଖାଇବିନି
ଚାଲିଲି ସ୍କୁଲ !”
ସ୍କୁଲ ଯିବା ପିଲାଙ୍କର ଏବେ
ନିଜ ନିଜର ସଂସାର
ବିଛଣାରେ ବୋଉ
ବାରଣ୍ଡା ଶୂନ୍ —-
ଡାକ ଶୂନ —-
କୋଳାହଳ ଶୂନ୍ —-
ଶୂନରେ ପହଁରୁଛି ଟୋପାଏ ପବନ ବୋଲି
ସାରା ଘର ଗୁରୁଣ୍ଡୁଛି ଗେଲବସର ପଣ
ଉଙ୍କି ମାରୁଛି ଗୋଟେ ପିଲାଦିନ !!