ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୫ ଅଗଷ୍ଟ ୨୦୨୫
ଏବେ ଭାରତ ବିଭାଜନ କଥା ବାରମ୍ବାର ଚର୍ଚ୍ଚାରେ ଆସୁଛି। କିଛି ଲୋକ ସେଥିପାଇଁ ଗାନ୍ଧୀଜୀଙ୍କୁ ଦୋଷ ଦେଉଛନ୍ତି। କିଛି ନେହେରୁଙ୍କୁ। କିଛି ଜିନ୍ନାଙ୍କୁ। କିଛି ସରକାରଙ୍କୁ। ସବୁରି ମୂଳରେ ଅଛି ଲୋଭ, ସମ୍ପତ୍ତିର ଲାଳସା। ରାମାୟଣ, ମହାଭାରତ ସମୟରୁ ଏ ଲାଳସା ରହିଆସିଛି। ତାହା ଶହେ ବର୍ଷ ଭିତରେ ଅନେକ ବଢ଼ିଯାଇଛି।
ସବୁ ବିଭାଜନର କାହାଣୀ ବହିମାନଙ୍କରେ ଲେଖାହୁଏ। ଭାରତରେ କେବଳ ନୁହେଁ, ବିଭାଜନକୁ ନେଇ କାହାଣୀ ୟୁରୋପ, ଆମେରିକା, ଆଫ୍ରିକା ଓ ଏସିଆର ବିଭିନ୍ନ ଦେଶର ଲେଖାଯାଇଛି।
ମୁଁ ବି ଏମିତି ଗୋଟେ ବିଭାଜନର କାହାଣୀ କଲେଜ ବେଳେ ପଢ଼ିଥିଲି I ବହିର ନାଁ ଥିଲା ଫ୍ରିଡ଼ମ୍ ଆଟ୍ ମିଡ୍ନାଇଟ୍। ଲେଖକ ଥିଲେ ଦୁଇ ବନ୍ଧୁ – ଡୋମିନିକ୍ ଲାପିଏରେ ଓ ଲାରି କଲିନ୍ସ। ୟୁରୋପୀୟ ଲେଖକମାନଙ୍କ ବର୍ଣ୍ଣନାଶୈଳୀ ଆମଠୁ ଅଲଗା। ଆମେ କଳ୍ପନାରେ ଥାଉ, ସେମାନେ ତଥ୍ୟରେ। ୧୯୮୨ ମସିହାରେ ମୋର ଡ଼ୋମିନିକ୍ ଲାପିଏରଙ୍କ ସହ ଦେଖାହେଲା । ତା ବି ପୁରୀରେ, ଥିଲା ସମ୍ପୂର୍ଣ୍ଣ ଆକସ୍ମିକ।
କକେଇ ସରକାରୀ ଚାକିରି ଖାଲି କରୁ ନଥିଲେ, ଚାକିରି ସହ ସାହିତ୍ୟ, ସଂସ୍କୃତି ପ୍ରେମ ବି ଏକାଠି ଚଳଉଥିଲେ। ନୂଆ କାମ କରୁଥିବା ଲୋକଙ୍କୁ ବି ଉତ୍ସାହ ଦେଉଥିଲେ। ସୁଦର୍ଶନ ସାହୁ କୁମୁଟୀ ସାହିରୁ ଆସି କମଳା ମ୍ୟାଟର୍ନିଟି ସାମ୍ନାରେ ଜାଗାଟିଏ କିଣି ନୂଆ ମୂର୍ତ୍ତି କାରଖାନାଟେ ସେଠି କରୁଥାନ୍ତି। ଜିଲ୍ଲା ଶିଳ୍ପ କେନ୍ଦ୍ରର ମ୍ୟାନେଜର ଭାବେ କକେଇ ତାଙ୍କୁ ଯଥେଷ୍ଟ ଉତ୍ସାହ ଦେଉଥିଲେ। କାରଖାନା ସହ ସୁଦର୍ଶନ ସାହୁ ବୁଦ୍ଧ ମନ୍ଦିରଟିଏ ତୋଳୁଥାନ୍ତି। ଶୁଣାଯାଏ, ତାଙ୍କ ଝିଅର ଜଣେ ଜାପାନୀ ପ୍ରେମିକ ଥିଲା, ସିଏ ବୁଦ୍ଧ ମନ୍ଦିର ତିଆରି ପାଇଁ ସୁଦର୍ଶନ ସାହୁକୁ ଯଥେଷ୍ଟ ଅର୍ଥ ଦେଇଥିଲା। ଡୋମିନିକ୍ ଲାପିଏରେ ଥିଲେ ଏକ ଟ୍ରାଭେଲ୍ କମ୍ପାନୀର ଏସିଆ ମୁଖ୍ୟ। ଟ୍ରାଭେଲ୍ ଏବଂ ଟୁରିଜିମ୍ ଗୋଟେ ବ୍ୟବସାୟ ଭାବେ ଅଶୀ ଦଶକରେ ଶୃଙ୍ଖଳିତ ଭାବେ ପୁରୀରେ ଆରମ୍ଭ ହେଲା। ସେ ତାହାର ଅନେକ ଆଗରୁ ପ୍ରତିବର୍ଷ ପୁରୀ ବୁଲିବାକୁ ଆସୁଥିଲେ ଓ ବି.ଏନ୍.ଆର୍. ହୋଟେଲରେ ରହୁଥିଲେ।
କକେଇ ସେକଥା ଜାଣିଲେ। ସୁଦର୍ଶନ ସାହୁଙ୍କ ବୁଦ୍ଧ ମନ୍ଦିରରେ ପ୍ରଥମ ଥର ପାଇଁ ସାଂସ୍କୃତିକ ସଭାଟିଏ ହେଲା। ଡୋମିନିକ ଲାପିଏରେ ଓ ତାଙ୍କ ବହିକୁ ନେଇ। ମତେ ପୁରୀରେ ସଂସ୍କୃତିପ୍ରେମୀ ଲୋକମାନଙ୍କୁ ଡାକିବା ଦାୟିତ୍ୱ ଦେଲେ। ମୁଁ ପୁରୀର ସେତେବେଳର ହାତଗଣତି ଲେଖକ, କବି, ସଂସ୍କୃତିପ୍ରେମୀକୁ ଡାକିଲି। ସେ ସ ଥିଲା ଜଣେ ବିଶିଷ୍ଟ ଆନ୍ତର୍ଜାତିକ ଲେଖକଙ୍କ ସହ ପୁରୀରେ ପ୍ରଥମ ସାକ୍ଷାତକାର। ତା ଆଗରୁ ଥରେ ପୁରୀ କ୍ଲବରେ ଜଣେ ଇଂଲଣ୍ଡର କବି ଆନ୍ଥେନ ଥ୍ବାୟଇଟ ଆସି କବିତା ପଢ଼ିଥିଲେ।
ଡୋମିନିକ୍ ଲାପିଏରେ ତାଙ୍କ ବହି ସମ୍ପର୍କରେ କହୁଥାନ୍ତି। କଥା ଛଳରେ ସେ କହିଲେ, ବହିଟିର ପା॰ଡୁଲିପି ସଂଶୋଧନ ସେ ଚଉଦବାର କରିଥିଲେ, ତଥାପି ନେହେରୁ ଓ ତାଙ୍କ ସମୟ ବିଷୟରେ ସେଥିରେ ତଥ୍ୟ ଥିବାରୁ ଥରେ ଦେଖିନେବା ପାଇଁ ସେ ପା॰ଡୁଲିପିଟି ଇନ୍ଦିରାଗାନ୍ଧୀକୁ ଦେଲେ। ଇନ୍ଦିରା ତାହାର ଚାରୋଟି ସ୍ଥାନରେ ତଥ୍ୟ ସଂଶୋଧନ କଲେ। ପନ୍ଦର ଥର ସମ୍ପାଦନା ପରେ ବହିଟି ବାହାରିଲା। ତାହାହିଁ ଥିଲା ଭାରତ ବିଭାଜନ ସମ୍ପର୍କରେ ପ୍ରଥମ ପ୍ରାମାଣିକ ପୁସ୍ତକ। ମାତ୍ର, ତାହା ଇତିହାସ ନୁହେଁ ବୋଲି ଲାପିଏରେ କହିଲେ।
>ବହିଟିର ଓଡ଼ିଆ ଅନୁବାଦ ସେ ଯାଏଁ ହୋଇନଥାଏ। ମତେ ସେ ଓଡ଼ିଆ ଅନୁବାଦ କରିବାକୁ ଅନୁମତି ଦେଲେ। ହେଲେ, ମୁଁ ସେ କାମ କରିପାରିଲି ନାହିଁ।