ଭକ୍ତ ଚରଣ ସାହୁ, ଯାଜପୁର, ୦୩ ସେପ୍ଟେମ୍ବର ୨୦୨୨
ଏତେ ବଡ ଏଇ ବିଶ୍ୱ ଗଢ଼ିଦେଲା କିଏ
କେଉଁ କାରିଗର କେଉଁ ତୁଳୀ ଧରି ହାତେ ।
ପ୍ରାକୃତିକ ଶୋଭା ବିମୋହିତ କରିଦିଏ
ସେଇ କାରିଗର ଚରଣରେ ମଥା ପାତେ ।।
ସଞ୍ଜ ଆସିଲେ ଆକାଶରେ ତାରା କୋଟି
କେଡେ ଶୋଭା ପାଏ ଉପରକୁ ଦେଲେ ଚାହିଁ ।
ଆକାଶରେ କଳା ବାଦଲ ଆସିଲେ ଘୋଟି
ପୃଥୀ ଶାନ୍ତ ହୁଏ ବରଷା ଟୋପାଏ ପାଇଁ ।।
ଠାଏ ଠାଏ ଠିଆ ଗିରି ପର୍ବତ ମାଳା
ଭାରି ଭଲ ଲାଗେ ଦେଖିଦେଲେ ତାକୁ ଦୂରୁ ।
ସତେକି ସେସବୁ ପ୍ରକୃତିର ମୁଖଶାଳା
ମଳୟ ପବନ ବାସ୍ନା ଆସେ ଭୁରୁ ଭୁରୁ ।।
ପୂରୁବ ଆକାଶେ ସାତ ରଙ୍ଗେ ଇନ୍ଦ୍ରଧନୁ
ଦେଖିଦେଲେ ସତେ ବିଭୋର ନ ହୁଏ କିଏ ।
ଯେତେ ଦେଖିଲେବି ଲିଭେ ନାହିଁ ଆମ ମନୁ
ଭାବେ ବସି କିଏ ଗଢିଲା ବିନ୍ଧାଣି ଟିଏ ।।
ପାହାଡ଼ ଦେହରୁ ଆସିଲା କେଉଁଠୁ ପାଣି
ସେହି ପାଣି ସବୁ ଝରଣା ହୋଇକି ବହେ ।
କୁଳୁକୁଳୁ ସୂରେ ଦେଖାଇ ଅପୂର୍ବ ଠାଣି
ପ୍ରକୃତି ମାତାର ମହନୀୟ କଥା କହେ ।।
ପ୍ରତି ସକାଳରୁ ଅନ୍ଧାରକୁ ଦେଇ ଠେଲି
ପୂରୁବ ଦିଗରୁ ସୂରୁଜ ଆସନ୍ତି ଉଇଁ ।
ସାଥେ ଆଣିଥିବା ଆଲୁଅକୁ ଦେଇ ମେଲି
ଜଗତଜନଙ୍କ ହୃଦୟକୁ ଯା’ନ୍ତି ଛୁଇଁ ।।
ଆଖି ପାଏ ନାହିଁ ସାଗରକୁ ଦେଲେ ଦେଖି
କେଡେ ଗରଜନେ ବେଳାଭୂମେ ପିଟେ ମଥା ।
ଗଭୀରତା ତା’ର ମାପିକେ ରଖିନି ଲେଖି
ଭାବୁଛି ସତରେ ଆମ ପାଇଁ କେଡେ କଥା ।।
ଧୂସର ମାଟିକୁ ଖୋଳି ଖୋଳି ଚଷା ପୁଅ
ସେ ମାଟି କୋଳରୁ ଫସଲାଏ ଫୁଲ ଫଳ ।
ମାଟି ପରି ଆଉ ସହନଶୀଳ କେ କୁହ
ପ୍ରକୃତି ମାତାର ସବୁଠାରୁ ସିଏ ବଳ ।।
ପକ୍ଷୀ କାକାଳୀର କଳରବ ସୂରେ କିଏ
ଏମିତି କେ ଅଛି ହଜି ଯାଇନାହିଁ ଥରେ ।
ଆକାଶର ଉଡା ପକ୍ଷୀ ଦଳ ଦୃଶ୍ୟ ଯିଏ
ଦେଖିଦେଇଛି ତା ମନଟି ଆନନ୍ଦ ଭରେ ।।
ଅଙ୍କା ବଙ୍କା ହୋଇ କାହିଁ କେତେ ଦୂରୁ ନଈ
ଆସି ଧାଇଁ ଯାଏ ଦେଖାଇ ତାହାର ଠାଣି ।
ସଞ୍ଜ ସକାଳର ଶୋଭା ତା’ ପାରୁନି କହି
ଏକଥାକୁ ଆମେ ସଭିଏଁ ଅଛୁରେ ଜାଣି ।।
ପ୍ରକୃତି ରାଣୀକୁ ସୌନ୍ଦର୍ଯ୍ୟ ଭରା କରି
ଗଢ଼ିଦେଲା ବିହି କେତେଯେ ଆନନ୍ଦ ଭରେ ।
ତାଙ୍କ ପାଇଁ ହୃଦୁ ଆସୁଛି ମମତା ଝରି
ମାନବ ଜାତିର ପାଖେ ଯିଏ କରେ କରେ ।।