ଭକ୍ତ ଚରଣ ସାହୁ, ଯାଜପୁର, ୨୮ ଅଗଷ୍ଟ ୨୦୨୨
ଗାଆଁ ଆଉ ଗାଆଁ
ହୋଇ ରହି ନାହିଁ
ଗାଆଁ ପାଲଟୁଛି ସହର ।
ଆଗ ଭଳି ଆଉ
ପରିବେଶ ନାହିଁ
ସବୁ ପରିବେଶେ ଜହର ।।
ଗାଆଁ ଝଲସୁଛି
ବିଜୁଳି ଆଲୁଏ
ଜହ୍ନ ହଜିଯାଏ ସେଥିରେ ।
ଗାଆଁ ସବୁଜିମା
ମଉଳିଛି, ପଡି
ଆଧୁନିକ ଛାପ ସେଥିରେ ।।
ସଞ୍ଜ ଆସିଗଲେ
କିଆ ବୁଦା ମୂଳୁ
ବିଲୁଆ ‘ହୁକେ ହୋ..’ ଡାକୁନି ।
ପୋଖରୀ ତୁଠରେ
ନବବଧୁ ଆଉ
ଦେହରେ ହଳଦୀ ମାଖୁନି ।।
ଧାଡି ଧାଡି ଥିବା
ଚାଳ ଘର ସବୁ
ଗାଆଁରୁ ଉଭେଇ ଗଲାଣି ।
ମାଳ ମାଳ କୋଠା
କଂକ୍ରିଟ ରାସ୍ତା
ଭାରି ହରକତ କଲାଣି ।।
ବହୁ ପୂର୍ବୁ ଥିବା
ଭାଗବତ ଟୁଙ୍ଗି
ଦେଖାଯାଉ ନାହିଁ ଗାଆଁରେ ।
ଭାଗବତ ପାଠ
ଚୁଲିକୁ ଗଲାଣି
ଡୁବିଲାଣି ତା’ର ନାଆଁରେ ।।
କେଁ କେଁ ଡାକି
ଗାଆଁ ଦାଣ୍ଡେ ଆଉ
ଶଗଡ଼ ଗାଡ଼ିଟା ଯାଉନି ।
ବାପ ଘର ଛାଡି
ଶାଶୁଘର ଗଲେ
ଝିଅଟା କାନ୍ଦୁନି ବାହୁନି ।।
ଝରି ବରଷାରେ
ଝରି ପୋକ ଆଉ
ଗାତରୁ ଉଡିକି ଆସୁନି ।
ଖରାଦିନେ ସଞ୍ଜ
ଆସିଗଲେ ମଲ୍ଲି
ଫୁଲ ଆଗ ଭଳି ବାସୁନି ।।
ଦିନ ଥିଲା ରଜ
ପର୍ବ ଆସିଗଲେ
ଦୋଳି ଝୁଲୁଥିଲା କେତେରେ ।
ଦୋଳି ଆଉ ଜମା
ଦେଖୁନୁ କେଉଁଠି
ବୁଲି ଗଲେ ଗାଆଁ ଯେତେରେ ।।
ଗାଆଁ ଭାଇଚାରା
ସମ୍ପର୍କଟା ଆଉ
କେଉଁ ଅଞ୍ଚଳରେ ନାହିଁରେ ।
ସହର ପରିକା
ସବୁ ଲାଗିଲାଣି
ଦୁଃଖ ଲାଗେ ଏଥି ପାଇଁରେ ।।
ବିଜ୍ଞାନ ଯୁଗରେ
ଆଧୁନିକତାର
ଛାପ ପଡିଗଲା ଯେହେତୁ ।
କୁହାଯାଏ ଗାଆଁ
ରୂପଟା କୁଆଡେ
ବଦଳି ଯାଉଛି ସେହେତୁ ।।