ଶୈଳବାଳା ମହାପାତ୍ର, ପୁରୀ, ୯ ଡିସେମ୍ବର ୨୦୨୨
ଏବେ ଗାଁ କଥା ଭାରି ମନେପଡ଼େ।
ମନେ ପଡ଼ିଲେଇ ଦିଶିଯାଏ
ପୁରୁଣା ପଥର ପାହାଚ
ଗୋଟେ ଅଧାଭଙ୍ଗା ପିଣ୍ଡା
ମାଟି କାନ୍ଥର ଗୋଟେ ଦର ଆଉଜା ଘର
ଜେଜ କହୁଥିଲେ ସେ ଘର
ତାଙ୍କ ଜେଜେ ଅମଳର
ଜେଜେ ମରିବା ହେଲାଣି ତିରିଶି ବର୍ଷ
ହିସାବ ଲଗେଇଲେ ସେଘର ହବ ବୋଧେ
ଦୁଇଶ’ ବର୍ଷର !
ଏତେଦିନ କେମିତି ଥାଏ ଘରଟେ !
ନଇଁପଡ଼ୁଥାଏ ଓରା
ଲଟକିଥାନ୍ତି ଶେଣୀ ସବୁ
ଓହଳା ଚାଳକୁ
ଆଉଜା କାନ୍ଥ
ତଥାପି ଥାଏ ଘର
ମାଟିଲିପା ଚଟାଣ ଦେବାଲ
କଉଡ଼ିପୋତା ଷଠିଘର
ଧାନଶୀସା ଝୋଟି
ଲକ୍ଷ୍ମୀପାଦ
ପୋଲାଙ୍ଗ ତେଲର ମିଞ୍ଜି ମିଞ୍ଜି ଦୀପ
ଆଲୁଅରେ ଯୋଡାଯୋଡି
ଜୀବନର ଛନ୍ଦ !
ପାଦଦେଲେ ସେ ଘରେ
ମହମହ ବାସେ ବିଚିଅପା ସାରୁ କଖାରୁ ଘାଣ୍ଟ
ସୋରିଷ ବଟାକୁ ଦି’ଫଡ଼ା ଓଉର ସୁଆଦ
“ଖାଉନୁ ଆଉଟିକେ
ସହରରେ କୋଉଠୁ ପାଉଚୁ ଯେ
ଏ ଦରବ”!
ବିଚିଅପା ଆଲୁରୀ
ଜାଣି ପାରେନି –
ସହରରେ ମିଳେ ସବୁ ଦରବ
ମିଳେନି ତା’ର ନିରୀହପଣ
ମିଳେନି କଜିଆ ପରେ ପରେ
ସାନମାଆର କୋଳାକୋଳି ଭାବ !
ପୁରୁଣା ଘର!
କେତେବେଳେ ଭୁଶୁଡ଼ି ପଡ଼ିବ ବୋଲି
ଭାଇ ଭାଙ୍ଗିଦେଲା ସେ ଘର
ଠିଆକଲା ନୂଆ କୋଠା
ନିଅ ଖୋଳା ଇଟାଗଢା ଛାତପକାର
ଦୁମ୍ ଦାମ୍ ଦୁର୍ ଭୁଷରେ
ମିଳେଇ ସାରିଥିଲା
ଦୁଇଶ’ ବର୍ଷର ଗୋଟେ
ଘରର ସ୍ଵର !!