• About
  • Contact
Monday, September 14, 2026
Monday, September 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗୋଟିପୁଅ ରୁ ଗୀତିନାଟ୍ୟ ସମ୍ରାଟ

ଗୋଟିପୁଅ ରୁ ଗୀତିନାଟ୍ୟ ସମ୍ରାଟ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୫

ଗୋଟିପୁଅ ନୃତ୍ୟ ଆମ ଓଡ଼ିଶାର ଏକ ପାରମ୍ପରିକ ପ୍ରାଚୀନ ଲୋକକଳା । ବିଶେଷତଃ ଏହା ପୁରୀ ଓ ଗଞ୍ଜାମ ଜିଲ୍ଲାର ଲୋକ ନୃତ୍ୟ ଭାବେ ପ୍ରାୟ ୧୬ଶ ଶତାବ୍ଦୀରୁ ଚଳି ଆସିଛି । ଶ୍ରୀ ଜୟଦେବଙ୍କ ଦ୍ଵାରା ପ୍ରଣୀତ “ଗୀତ ଗୋବିନ୍ଦ” ସଂସ୍କୃତ କାବ୍ୟରେ ଥିବା ଶ୍ରୀ ରାଧାକୃଷ୍ଣ ଓ ଗୋପୀ ମାନଙ୍କ ରାସ ଲୀଳା ଆଧାରରେ ସଖୀ ଚରିତ୍ରର ଭକ୍ତି ଭାବନାର ଦୃଶ୍ୟ ସବୁ ଏହି ଗୋଟିପୁଅ ନୃତ୍ୟରେ ପରିବେଷିତ ହୋଇ ଆସୁଛି । ପୁଅମାନେ ଝିଅ ମାନଂକ ଭଳି ବେଶ ପୋଷାକ ଓ ପରିପାଟୀରେ ସୁସଜ୍ଜିତ ହୋଇ ଏହି ଲୋକ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରଚଳିତ ମାହାରୀ ନୃତ୍ୟ ପରମ୍ପରାରେ ଏହି ଗୋଟିପୁଅ ନାଚର ପରିକଳ୍ପନା ବାସ୍ତବିକ୍ ଓଡ଼ିଆ ଲୋକ କଳା / ଲୋକ ସଂସ୍କୃତିକୁ ଏକ ମହାନ୍ ଅବଦାନ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ମୋଟ୍ ଉପରେ କହିବାକୁ ଗଲେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ମାହାରୀ ନୃତ୍ୟ ଅଥବା ଦେବଦାସୀ ପ୍ରଥାର ପ୍ରଚଳନ ବହୁ ପୁରାତନ ଏବଂ ଏହି ଶୈଳୀରେ ଶ୍ରୀ ରାଧାକୃଷ୍ଣଙ୍କ ଅଲୌକିକ ପ୍ରେମ ଜନମାନସ ରେ ଆଧ୍ୟାତ୍ମିକ ଉନ୍ମେଷ ପାଇଁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କଳାରୁ ଗୋଟିପୁଅ ନୃତ୍ୟ ଉଦ୍ଭବ ହୋଇଛି । କାଳ କ୍ରମେ ଏହା ଶ୍ରୀକ୍ଷେତ୍ର ପୁରୀ ତଥା ଲୋକ ସଂସ୍କୃତିର ଗନ୍ତାଘର ଗଞ୍ଜାମ ରୁ ବିଭିନ୍ନ ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି । ଆମ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ମଧ୍ୟ ଏହି ସୁପ୍ରାଚୀନ ଲୋକ ନୃତ୍ୟ ଦ୍ଵାରା ବହୁଭବରେ ପ୍ରଭାବିତ ଓ ବିକଶିତ ହୋଇଥିବା କୁହାଯାଏ ।

ତେବେ ଏହି ପାରମ୍ପରିକ ଗୋଟିପୁଅ ନୃତ୍ୟ ୧୬ଶ ଶତାବ୍ଦୀ ରୁ ଅଦ୍ୟାବଧି ଓଡ଼ିଶାର ଲୋକନୃତ୍ୟ ଭାବେ ପ୍ରଦର୍ଶିତହୋଇ ଓଡ଼ିଶା ତଥା ଦେଶ ବିଦେଶରେ ଦର୍ଶକଙ୍କୁ ଆନନ୍ଦ ପ୍ରଦାନ କରିବା ସହିତ ଆଧ୍ୟାତ୍ମିକ ଭାବନାରେ ନିମଜ୍ଜିତ କରାଇ ପାରୁଛି । ଏହି ପରିପ୍ରେକ୍ଷୀରେ ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ରଚନା, ପରିବେଷଣ ଏବଂ ତାହାର ପ୍ରଚାର ପ୍ରସାର ବେଶ୍ ପ୍ରଣିଧାନଯୋଗ୍ୟ ।

ଊନବିଂଶ ଶତାବ୍ଦୀର ଶେଷ ଭାଗରେ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଅଖ୍ୟାତ ପଲ୍ଲୀ କୋଠପଦାର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ ପାଣି। ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦ ଦେବୀଙ୍କ ପୁତ୍ର ଶତୃଘ୍ନ ଶୈଶବରୁ ରୋଗଗ୍ରସ୍ତ ଥିବାରୁ ତାଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଠାକୁରଙ୍କ ବଡ଼ଛତା ତଳେ ବୈଷ୍ଣବ କରି ଦିଆଯାଇଥିଲା । ସେହି ଦିନଠାରୁ ବାଳକ ଶତୃଘ୍ନ ପରିଚିତ ହୋଇଥିଲେ ବୈଷ୍ଣବ ପାଣି ନାମରେ । ଗାଁ ମାଟିକୁ ଫେରିଆସି ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ। ମାତ୍ର ୪ର୍ଥ ଶ୍ରେଣୀ ପାଠ୍ୟ କ୍ରମ ସମାପ୍ତ କରି ୫ମ ବେଳକୁ ତାଙ୍କର ପୋଥିରେ ଡୋରି ବନ୍ଧା ହୋଇଗଲା । ଦାରିଦ୍ର୍ୟର ତାଡ଼ନାରେ ଜର୍ଜରିତ ବାଳକ ବୈଷ୍ଣବ କୋଠପଦା ସ୍ଥିତ ରଘୁନାଥ ଜୀଉ ମଠ ମହନ୍ତଙ୍କ ସେବାପୂଜା ରେ ସହାୟକ ଭାବେ କାର୍ଯ୍ୟ କରି ଉଦର ପୋଷଣ କରୁଥିଲେ । ମଠର ଗୋ ସେବା, ଫୁଲ ତୋଳା, ଆଦି ଦୈନନ୍ଦିନ କାର୍ଯ୍ୟରେ ନିୟୋଜିତ ବୈଷ୍ଣବଙ୍କ ପ୍ରତିଭା ମହନ୍ତ ରଘୁନାଥ ପୁରୀ ଗୋସ୍ବାମୀଙ୍କ ଦୃଷ୍ଟିରେ ପଡ଼ିଲା । ବିଚକ୍ଷଣ ବୁଦ୍ଧିମତ୍ତା, ମୂର୍ଚ୍ଛନା ମନ୍ଦିତ ସୁଲଳିତ କଣ୍ଠସ୍ଵର ତଥା ଗନ୍ଧର୍ବ କଳା ର ଅଙ୍ଗଭଙ୍ଗୀ ରେ ମହନ୍ତ ବିମୋହିତ ହୋଇ ଯାଉଥିଲେ । ମହନ୍ତ ମହାରାଜଙ୍କ ନିଜସ୍ଵ ପରିଚାଳିତ ଏକ ନାଟ୍ୟ ଦଳରେ ବୈଷ୍ଣବ ଙ୍କୁ ସୁଯୋଗ ଦେବାପାଇଁ ସ୍ଥିର କଲେ ।

ପ୍ରଥମେ ବାଳକ ବୈଷ୍ଣବ ଗୋଟି ପୁଅ ବେଶରେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହୋଇ ନିଜର ଅସାଧାରଣ ନୃତ୍ୟ କଳାରେ ଦର୍ଶକ ମାନଙ୍କୁ ମୁଗ୍ଧ ଚକିତ କରିଦେଲେ । କ୍ରମଶଃ ନୃତ୍ୟ, ସଂଗୀତ କଳା ପ୍ରତି ବୈଷ୍ଣବ ଆକର୍ଷିତ ହେଲେ । ଓଡ଼ିଶାର ତତ୍କାଳୀନ ପାରମ୍ପରିକ ଲୋକ ସଂସ୍କୃତି ମଧ୍ୟରେ ପାଲା ପରିବେଷଣ ଏକ ବହୁ ଚର୍ଚ୍ଚିତ ମାଧ୍ୟମ ଥିଲା । ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ସାମାଜିକ, ଆଧ୍ୟାତ୍ମିକ ଅନୁଶୀଳନ ମାଧ୍ୟମ ରେ ଜନ ଜୀବନକୁ ପ୍ରଭାବିତ କରି ପାରୁଥିବା ଏହି ପାଲା ଗାୟନ କୁ ଆପଣେଇ ଥିଲେ ଯୁବକ ବୈଷ୍ଣବ । ଏଥିରେ ସନ୍ତୁଷ୍ଟ ହୋଇ ପାରି ନଥିଲେ । କିନ୍ତୁ ସାମଗ୍ରିକ ଭାବେ ପୁରାଣର କଥାବସ୍ତୁ କୁ ନେଇ ସାଂପ୍ରତିକ ସମାଜ କୁ ମାର୍ଗଦର୍ଶନ କରିବାର ସ୍ପୃହା ତାଙ୍କ ମନରେ ଜାଗ୍ରତ ହେଇଥିଲା । ସମାଜ ଜୀବନକୁ ମାର୍ଜିତ ତଥା ସଂସ୍କାରିତ କରିବା ଥିଲା ତାଙ୍କର ଏକମାତ୍ର ଆଭିମୁଖ୍ୟ । ନୃତ୍ୟ, ସଙ୍ଗୀତ ଓ ଅଭିନୟ କୁ ପାଥେୟ କରି ସେ ଭଣିତା କରିବାକୁ ଲାଗିଲେ । ତଥାପି ମନ ମାନିଲା ନାହିଁ ।

ସ୍ଵାଭିମାନୀ ବୈଷ୍ଣବ ପାଣିଙ୍କ ଅନ୍ତର୍ଚେତନା ଜାଗି ଉଠିଲା । ମାହାଙ୍ଗା ର ମହିମାମୟ ଠାକୁର ଶ୍ରୀ ବିନୋଦ ବିହାରୀ ଜୀଉ ବିଗ୍ରହଙ୍କ ପଦ ତଳେ ଅଧିଆ ପଡ଼ିଲେ । ଠାକୁରଙ୍କ କୃପା ଲଭ କରି ପ୍ରଥମ ଗୀତିନାଟ୍ୟ “ମେଘନାଦ ବଧ” ରଚନା କଲେ । ପୌରାଣିକ ଆଖ୍ୟାନ ସହିତ ସେଥିରେ ଥିଲା ନୃତ୍ୟ, ସଙ୍ଗୀତ, ଅଭିନୟ, ଆଉ ସାମାଜିକ ସଂସ୍କାର ପାଇଁ ସନ୍ଦେଶ । ପ୍ରଦର୍ଶିତ ହୋଇ ପାଣି ମହାଶୟ ଙ୍କୁ ପ୍ରଚୁର ପ୍ରଶଂସା ଓ ପ୍ରେରଣା ମିଳିଲା । ସେଇଦିନ ଠାରୁ ବୈଷ୍ଣବ ପାଣି ଆଉ ପଛକୁ ଫେରି ନାହାନ୍ତି । ରଚନା କରିଛନ୍ତି ଅନେକ ଭଜନ, ଜଣାଣ, ଚଉତିଶା, ଗୀତିନାଟ୍ୟ, ସୁଆଙ୍ଗ, ଫାର୍ସ, ବଚନିକା ଏବଂ ସମ୍ଭ୍ରାନ୍ତ ଗଦ୍ୟ ସାହିତ୍ୟ ମଧ୍ୟ ।

ଶତ ଶତ ଗୀତିନାଟ୍ୟ ରଚନା କରି ଏକ ନାଟ୍ୟ ଦଳ ଗଢି ନିଜେ ନିର୍ଦ୍ଦେଶନା ଦେଇ, ସ୍ୱର ସଂଯୋଜକ ସାଜି, ପୁଣି ଗାୟକ, ବାଦକ, ପରିଚାଳକ ହୋଇ ଓ ସର୍ବୋପରି ତହିଁରେ ନିଜର ସ୍ଵତନ୍ତ୍ର ଅଭିନୟ ପ୍ରଦର୍ଶନ କରି ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ ହୋଇଗଲେ । କେବଳ ଓଡ଼ିଶା କାହିଁକି, ରାଜ୍ୟ ବାହାରେ କଲିକତା, ବମ୍ବେ, ମାଡ୍ରାସ, ଟାଟା ନଗର ପ୍ରଭୃତି ଅଞ୍ଚଳରେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ସେ ବହୁ ରାଜ ପରିବାର, ଜମିଦାର ଏପରିକି ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଭଳି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଙ୍କ ଦୃଷ୍ଟି ଭାଜନ ହେବା ସଙ୍ଗେ ସଙ୍ଗେ ଅଗଣିତ ଜନ ମାନସରେ ଗଣକବି ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ ।

ଗୀତିନାଟ୍ୟ ଜଗତର ସମ୍ରାଟ ଭାବରେ ବୈଷ୍ଣବ ପାଣି ଚିର ସ୍ମରଣୀୟ ହୋଇ ରହିଛନ୍ତି ଆଉ ରହିବେ ମଧ୍ୟ । ଗୋଟିପୁଅ ରୁ ଗୀତିନାଟ୍ୟ ସମ୍ରାଟ ହୋଇ ପାରିଥିବା ଏହି ଅନନ୍ୟ ବରପୁତ୍ର ବୈଷ୍ଣବ ପାଣି ଙ୍କ ୧୪୪ ତମ ଜୟନ୍ତୀ ଅବକାଶ ରେ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ସିଏପା ବୁଦ୍ଧିଦାତା
Literature

ସିଏପା ବୁଦ୍ଧିଦାତା

by ଭକ୍ତ ଚରଣ ସାହୁ
September 14, 2026

ଭକ୍ତ ଚରଣ ସାହୁ, ଯାଜପୁର, ୧୪ ସେପ୍ଟେମ୍ବର ୨୦୨୬ ରାତି ପାହିକି ସକାଳ ହେଲେ ସରଗ ଛାଡି ଯିଏ । ମରତେ ଆସି ପାଇବେ ପୂଜା ଜାଣିଛ...

Read more
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.