ଶୈଳବାଳା ମହାପାତ୍ର, ପୁରୀ, ୩୧ ଜାନୁଆରୀ ୨୦୨୩
ତମେ ଜହ୍ନ ମାଗିଲ
କବିତା ବି
ଦେଖ, ଫାଶରେ ବନ୍ଧା ପଡ଼ିଛନ୍ତି
ନିବିଡ଼ ମୁହୂର୍ତ୍ତମାନେ
ଫିଟିଲେ ତ ବଢେଇବି ହାତ
ତୋଳିବି ତରା କି ଜହ୍ନ
କି ଛୁଇଁବି ତମ ଆକାଶ
ଜୀବନ ଠୁ ଆଣିଥିଲି
କିଛି ବିଶ୍ଵସ୍ତ ସମ୍ବାଦ
ସଜେଇବି ବୋଲି କବିତାର ସୁର
କବିତା କହିଲା:
ତମେ ଆଗ ଖୋଲି ହୋଇଯାଅ
ରଫୁକରା ସୁଖଙ୍କ ଦାଉରୁ
ତାପରେ ଡାକିବ ମତେ
ସଜେଇବ
ଦୁହେଁ ମିଶି ତୋଳିବା ଜହ୍ନ !!
।। ୨ ।।
ତିନି ମହଲା କୋଠା
କୋଠା ଉପରେ ଘରଟାଯାକର
ଆସବାବ
ଖଟ ପଲଙ୍କ ଚୌକି ଟେବୁଲ୍
ଟେବୁଲ୍ ଉପରେ ଗୋଟେ ନିଶୁଣୀ
ଆକାଶ ଉଚ୍ଚ
ଜହ୍ନକୁ ହାତ ଛୁଉଁ ନଛୁଉଁଣୁ
ଖସିପଡ଼େ ନିଶୁଣୀ
ଛିନ୍ ଛତର୍ ଯେତେଯାକ ସ୍ଵପ୍ନ
ଏତେ ସହଜ କ’ଣ ତୋଳିବା ଜହ୍ନ !?
।। ୩ ।।
ପାହା ପାହା ରାତି
କବିତା ଉଠେଇଲା ନିଦରୁ
କହିଲା: ଆସ, ଖୋଜିଯିବା ଜହ୍ନ
ବାଟ କଢ଼େଇ ନେଲା ସେ
ଠିଆ କରେଇଲା ଗୋଟେ ଗଛମୂଳେ
ଅଳ୍ପ ଅଳ୍ପ ଅନ୍ଧାର
ବୟସ୍କ ସ୍ତ୍ରୀ ଲୋକଟିଏ
ଓଳଉଥିଲା ଅଗଣା
କେହି ଜଣେ ଓଢ଼ଣା ଟାଣି ମାଜୁଥିଲା
ବାସି ବାସନ
ଫର୍ଚ୍ଚା ହେଲାବେଳକୁ
ପୁରୁଷଟିଏ ବାହାରିଲା
ମୁଣ୍ଡରେ ଗୋଟେ ବୋଝ
କହିଲା: “ନିଅ ମାଁ,
ଟଙ୍କା କୁ ତିନି ବିଡ଼ା ନିମଫୁଲ
ଚଇତରେ ନିମ ଦିହକୁ ହିତ
ତମ ହାତ ବଇନି ହବ
ନିଅ ନହେଲେ ଟଙ୍କା କୁ ଚାରିବିଡ଼ା”
କହିଲା ଓ ହସିଦେଲା
ଆଶ୍ଚର୍ଯ୍ୟ ମୁଁ
ଝଟକୁଥିଲା ଗୋଟେ ତୋଫା ଜହ୍ନ !!