ସସ୍ମିତା ପଣ୍ଡା, କଟକ, ୭ ସେପ୍ଟେମ୍ବର ୨୦୨୪
ଲେଖିହୁଏ କଣ କିଛି
ତୁମ ଅପହଞ୍ଚ ଇଲାକାରୁ ଶବ୍ଦ ଆଣି
କହି ବି ହୁଏନି ଜମା
ଉଡ଼ାଣରେ ସୀମାରେଖା
ଦୈର୍ଘ୍ୟ ଆଉ ପ୍ରସ୍ଥ।
କେଉଁ ଉତ୍ତରଣ ହୋଇଯିବ
ଅନ୍ତିମ ଦୁଃଖର ପବିତ୍ର ପରବର୍ତ୍ତୀ
ଏ ଅଲୋଡ଼ା ଜୀବନ ରଙ୍ଗ ହରାଇବା ବେଳେ।।
ଗୋଟେ ସମୁଦ୍ର ପାଇଁ କଣ
ତିଆରି କରିହୁଏ
ସମ୍ଭାବିତ ପ୍ରଶ୍ନର ଉତ୍ତର
କବି ଜୀବନରେ ଏକ
ଅସମାହିତ ପ୍ରଶ୍ନ
ହଁ ତୁମେ କହିଥିଲ ବୋଲି
ଗୋଟେ ଅନୁରାଗିୟ କଳ୍ପବଟରେ
ଥରେ ବାନ୍ଧିଦେଲି କଳ୍ପନାର ଗୋଡ଼ି
ଅତୁଠରୁ ଦୁଲୁକି ଉଠିଛି ମୁଠାଏ ଆୟୂଷ
ପରଦେଶୀ ହୋଇଥିବା ମନକୁ
ପଣତରେ ଗଣ୍ଠି ଦେଇ
ସମ୍ଭାଳିବା ଛୋଟିଆ ବାକ୍ୟ ନୁହେଁ।।
ତୁମର ମନେ ଥିବ କି ନାଇଁ
ସମ୍ପୂର୍ଣ୍ଣ ଠିକଣା ମୋର
ତୁମ ଥିବାବେଳେ ଆଙ୍କିଛି
ପାଦେ ପାଦେ ଅଳତାରେ
ନିରବଚ୍ଛିନ୍ନ ଇସ୍ତାହାର।
ତୁମ ନିରୁଦିଷ୍ଟ ଯେତେ ରୁଷ୍ଟ ବି ହେଉ
ଆଙ୍କି ହୋଇନି ବିଜ୍ଞାପନ
ଖୋଲା କାଗଜ ଛାତିରେ।।
ମୌନାବତୀର ମାଟି ହୁଙ୍କାରୁ
ଜନ୍ମ ନେଇଛନ୍ତି
ବିଶ୍ବାସର ଆରାଧ୍ୟ ଈଶ୍ୱର
ତୁମେ ଯାହା ବି କୁହ
ମିଛ ଉପରେ ମିଛକୁ ଆଙ୍କି
ଆହୁରି ଗାଢ଼ କରିହୁଏ
ସତ ଉପରେ ସତକୁ
ଆଙ୍କି ତା ଭିତରେ ବଞ୍ଚିବା ଠାରୁ
ଜୀଇଁବାର କଳାକୁ ନିଭେଇବା
ଅବଶିଷ୍ଟ ଜୀବନକୁ
ଆରାଧନା କରିବା
କେତେ ଅସହଜ ସତରେ।।