• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କବିତା କ’ଣ କାହିଁକି ଓ କାହାପାଇଁ ..

କବିତା କ’ଣ କାହିଁକି ଓ କାହାପାଇଁ ..
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୧୦ ଡିସେମ୍ବର ୨୦୨୨

କବିତା କ’ଣ ? ସେମିତି କ’ଣ କହିହେବ ! କବିତାର କୋୖଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାଇଁ। ସବୁ ସଂଜ୍ଞାର ସ୍ଵରୂପ ବତାଏ କବିତା। କୌଣସି ନିର୍ଦ୍ଦିଷ୍ଟତାରେ ବନ୍ଧା ନଥାଏ ତା’ର ସୀମା। ଅସୀମ ତା’ର ରୂପ। ଅସଂଖ୍ୟ ତା’ର ଛନ୍ଦ। ଅଗଣନ ସୁର ସମ୍ଭାର। ଅକଳନ ଅନୁଭବ!

କବିତା ଗୋଟେ ମୁକୁଳା ମୁକ୍ତ ଛନ୍ଦ ଆକାଶ ; ଯେଉଁଠି ଘଟଣାମାନେ ଅଦୃଶ୍ୟ ଛନ୍ଦ ହୋଇ ପହଁରୁଥାନ୍ତି ପ୍ରଥମରୁ ଶେଷ।
କବିତା ନିଶାର୍ଦ୍ଧର ଟୋପେ ନିରବ ଲୁହ।
କବିତା ପ୍ରାଣର ଅପରୂପ କୋହ।
କବିତା ଗୋଟେ ସ୍ନିଗ୍ଧ ଅନୁଭବ। ଗୋଟେ ଗଭୀର ବିଶ୍ୱାସ।
କବିତା ସମ୍ପର୍କ ଓ ଜୀବନକୁ ଦେଉଥାଏ ବଞ୍ଚିବାର ନିରୁତା ଆଶ୍ଵାସ !!!

କବିତା କାହିଁକି ? ମଣିଷ ସବୁବେଳେ ନିଜକୁ ନିଗାଡ଼ି ଦେବାକୁ ଚାହେଁ କେଉଁଠି ନା କେଉଁଠି । ନିଜ ଭିତରର ଆନ୍ଦୋଳନ,ଅଭୀପ୍ସା,ଅନ୍ତର୍ଦାହକୁ ଆଉଜେଇ ଦେବାକୁ ଚାହେଁ ଆଉ ଗୋଟେ ପ୍ରତ୍ଯୟରେ। ନିଜକୁ ଖୋଲି ଦେବାକୁ ଚାହେଁ। ନିଜର ସୁଖ ଦୁଃଖ ଶୋକ ସନ୍ତାପ ସବୁକୁ କାହାକୁ ଗୋଟେ ସମର୍ପି ଦେଇ ହାଲୁକା ହେଇଯିବାକୁ ଇଛାକରେ। ସେଇଥିପାଇଁ ଲୋଡ଼େ କବିତାର ଆଶ୍ରୟ ।କାରଣ କବିତା ଏମିତି ଏକ ବିଶ୍ଵସ୍ତ ପ୍ରତ୍ୟୟ ଯେ’ ମଣିଷର ସବୁ କଷ୍ଟକୁ କୋଳେଇ ନେଇ ତାକୁ ଭୋର୍ ଆକାଶର ନାଲିଆ ସୂର୍ଯ୍ୟକୁ ଦେଖାଇ ଦିଏ। ପକ୍ଷୀର କାକଳି ଶୁଣାଏ। ପବନରେ ଥିବା ପ୍ରୀତିର ପରଶକୁ ଚଖାଇ ଦିଏ !!

କବିତା ଭଙ୍ଗା ମନକୁ ଯୋଡ଼େ। ଜୀବନକୁ ସଜାଡେ । ସମ୍ପର୍କକୁ ସୁଧାରେ। ଜୀବନ ଓ ସମାଜ ପାଇଁ ପ୍ରେମ ଭଲପାଇବାର ଆବଶ୍ୟକତା ଯଥେଷ୍ଟ । କବିତା ପ୍ରେମର ଆଉ ଗୋଟେ ନାଁ। କବିତା ହିଁ ଭଲପାଇବାର ସବୁଜ ଶିଳ୍ପ ବିନ୍ଯାସ। ଗୋଟେ ସତ ଭଲପାଇବା ଭୁଲ୍ କୁ ଠିକ୍ ର ବାଟ ବତାଏ। ଗୋଟେ ପ୍ରକୃତ କବିତା ଜୀବନକୁ ଠିକ୍ ଭାବେ ବଞ୍ଚିବାର ଠିକଣା ଦିଏ। ହୃଦୟକୁ ନିର୍ମଳ କରେ। ମନକୁ ସରଳ କରେ । ପୃଥିବୀକୁ ଆପଣେଇବା ପାଇଁ ଛାତି ଭିତରେ ଭାବଟିଏ ଭରିଦିଏ ।

ୟା’ପରେ ଆଉ କହିବାକୁ ପଡ଼ିବକି କବିତା କାହିଁକି !?

ହଁ ,ଆଉ ଗୋଟେ କଥା। “ପ୍ରକୃତ କବିତା” ବୋଲି କହିଲି। ଏଇଥିପାଇଁ ଯେ କବିତା କେବଳ ଶବ୍ଦର ଖେଳ ନୁହେଁ। ନିଶବ୍ଦ ନଥିଟିଏ ମଧ୍ୟ। ଭାଷାର ଯାଦୁ ନୁହେଁ। ଭାବର ମଧୁ ମଧ୍ୟ। କବିତା ଗଭୀର ଅନୁଭବର ଆବେଗ ଆପ୍ଲୁତ ଏକ ସ୍ପର୍ଶ ଯାହା ପ୍ରାଣକୁ ଛୁଇଁ ଯାଏ ନିରବରେ। ଜୀବନର ନିରାଜନା କରେ ନିଶବ୍ଦରେ !!

କବିତା କାହାପାଇଁ ? ସମସ୍ତଙ୍କ ପାଇଁ ! ହଁ , ଏମିତି ନୁହଁ ଯେ ସମସ୍ତେ ତାକୁ ଗ୍ରହଣ କରିବେ । ନବା ଲୋକ ନିଶ୍ଚୟ ନେବେ । ନ ନବା ଲୋକ ଥରେ ବି ଚାହିଁବେନି । କିନ୍ତୁ ଲେଖାଯିବ ତ ସମସ୍ତଙ୍କ ପାଇଁ ନା ! ଅର୍ଥାତ୍ ସମସ୍ତଙ୍କ ଭାଷାରେ ଲେଖାଯିବ । ମାନେ ସରଳ ସାବଲୀଳ ଭାଷାରେ । ଭାବ ଗମ୍ଭୀର ହେଉ ପଛେ । ଭାବକୁ ଗ୍ରହଣ କରିବା ଲୋକେ ନିଶ୍ଚୟ ଗ୍ରହଣ କରିବେ । ଥରେ କବି ରମାକାନ୍ତ ରଥ ଙ୍କ ସମ୍ବାଦ ଦୈନିକୀରେ ପ୍ରକାଶ ପାଇଥିବା “ଗଣିତ” କବିତାଟି ପଢ଼ିଥିଲି। ତିନି ଚାରି ଥର ଆଖି ପକାଇବା ଭିତରେ କବିତାଟିର କିଛି ଅଂଶ ମୋର ମନେ ରହିଯାଇଥିଲା ।ତ ଥରେ ସହକର୍ମୀମାନଙ୍କ ସହ ଚା’ ଖାଇବା ବେଳେ ମୁଁ ଏହି କବିତାର ମନରେ ଥିବା ଅଂଶ ଟି ଆବୃତ୍ତି କରିଥିଲି । ଏକା ସ୍ଵରରେ ତିନି ଚାରି ଜଣ ବାନ୍ଧବୀ କହି ଉଠିଲେ : “ବଢ଼ିଆ ହୋଇଛି। କାହାର ଲେଖା ? ତମର କି ?” ଏଇ ବାନ୍ଧବୀମାନେ କବିତା ପଢ଼ନ୍ତି ନାହିଁ । ସେମାନେ କବିତାର ଅନ୍ତର୍ଭାବକୁ ବୁଝନ୍ତୁ ବା ନବୁଝନ୍ତୁ କବିତା ର ଆବେଗ ସେମାନଙ୍କୁ ଛୁଇଁ ପାରିଲା। ମୋର କହିବା କଥା କବିତା ସମସ୍ତଙ୍କୁ ଛୁଇଁଲା ଭଳି ଲେଖାହେବା ଉଚିତ୍।ଅନ୍ଯ ପକ୍ଷରେ ପ୍ରକୃତ କବିତା ସମସ୍ତଙ୍କୁ ଛୁଇଁ ହିଁ ଯିବ !

ମଝିରେ ଏମିତି ଗୋଟେ ସମୟ ଥିଲା ; ଯେତେବେଳେ କି କବିତା ନାଁ ରେ ବୁଦ୍ଧିର ଖେଳ ହିଁ ଚାଲିଥିଲା। ଓଡ଼ିଶାର କିଛି କବି ବ୍ୟକ୍ତିତ୍ଵ ଏଥିସହିତ ସମ୍ପୂର୍ଣ୍ଣ ଭାବେ ଥିଲେ। ଦେଖାଯାଉଛି ସେଇମାନେ ହିଁ କବିତା ଆଖିର ସରଳ ସୈ।ନ୍ଦର୍ଯ୍ଯକୁ ବେଶି ଭାବେ ଘେନା କରୁଛନ୍ତି ।

ସରଳତା ସବୁ ସମୟରେ ସବୁରି ମନ କିଣି ନେଇଥାଏ !

କବିତା ଲେଖିବା ବେଳେ କେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆଖି ଆଗରେ ରଖି ଲେଖା ଯାଏନା। ତା’ହେଲେ ତାହା ପ୍ରଚାର ପତ୍ର ହେବ । କବିତା ହେବ ନାହିଁ।

ଶେଷରେ କହିବି – କବିତା କେବଳ କବିତା !

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.