ଶୈଳବାଳା ମହାପାତ୍ର, ପୁରୀ, ୨୯ ନଭେମ୍ବର ୨୦୨୨
କବିତା ଲେଖୁନି କାହିଁକି ବୋଲି
କହିଲ ଯେ
କେବେ ଲେଖୁଥିଲି କି ?
ମୁଁ ତ କେବଳ ଆକାଶକୁ ଅନେଇଥାଏ
ଖଂଡେ ଚଲା ବାଦଲ୍ ଭାସିଯାଏ
ଏ – ମୁଂଡରୁ ସେମୁଂଡ
ମତେ ଦେଖି ହସିଦିଏ
ଜାଣେନା ତା ପ୍ରେମରେ ନା ତାଚ୍ଛଲ୍ୟରେ
ମୁଁ ଏତକ ବି ଜାଣେନା
ଯେଉଁ ମେଘ ଖଂଡ ମତେ ଭିଜେଇଦିଏ
ନିରବରେ
ସେ ଜାଣେ ନା ନାଇଁ
ମୁଁ ହୁତ୍ହୁତ୍ ହେଉଥାଏ
ବୋଲି
ଘୋର ଡିସେମ୍ବରରେ!
ଆଉ ତମେ ପଚାରୁଚ କବିତା ଲେଖୁନି
ବୋଲି
କେବେ ଲେଖୁଥିଲି ଯେ ! ?
ମୁଁ ତ କେବଳ ଭାବିହୁଏ
ବିଚି ଅପାର ଲୁହ ଟଳଟଳ ଆଖିକୁ
ଏଇ ଝରି ପଡ଼ିବ ଝରି ପଡ଼ିବ ବୋଲି
ଯିଏ ଝରିଗଲା ଲିଭେଇବାକୁ
ତା ନିଜର ଅକାଳ ନିଆଁ
ରାତି ଅଧରେ ମୁଁ ଅଂଡାଳୁଥାଏ
ତା ଚିରା କାନି
ମୋ ଆଖି ପୋଛିବାକୁ
କେବେ ଲେଖୁଥିଲି କବିତା ଯେ
ଏବେ କହୁଚ ଲେଖିବାକୁ!?
ମତେ ତ ଖାଲି ଦିଶିଯାଏ
ଏପ୍ରିଲ୍ର ପିଚ୍ ପିଚ୍ ଖରାରେ
ଓଦା ନାଲି ଗାମୁଛାଟେ ମୁଂଡରେ ଥୋଇ
ବସ୍ଷ୍ଟାଣ୍ଡ ମୁହଁରେ ଠିଆ ହୋଇଥିବା
ଲୋକଟିଏ
ବାପାଂକ ଭଳି ଦିଶେ ତା ବିମର୍ଷ କପାଳ
ସେ ଲୋକ ଜାଣିଲା କି ନାଇଁ କେଜାଣି
ତା ବିଷର୍ଣ୍ଣତାକୁ ମୁଁ ବିଞ୍ଚଣା କରିଥାଏ ବୋଲି
ତମେ କହୁଚ କବିତା ଲେଖିବା କଥା
କେବେ ଲେଖୁଥିଲି କି?