ଭକ୍ତ ଚରଣ ସାହୁ, ଯାଜପୁର, ୭ ଅକ୍ଟୋବର ୨୦୨୩
ଏବେ ଖୁବ
ମନେ ପଡୁଛି
ପିଲାଦିନେ ବିତାଇଥିବା
ଗାଆଁର ଦୃଶ୍ୟ..
କେତେ ମିଠା ଥିଲା
ସେଦିନର ଗାଆଁ ସତରେ….
ଗାଁ ରଜ ଦୋଳି
ଗାଁ ଭୋଜିଭାତ
ଗାଁ ଓଷାବ୍ରତ
ଏବେ ଯେମିତି
ସାତ ସପନ ପାଲଟିଛି..
ଏବେ ଏସବୁ ଥାଇ ମଧ୍ୟ
ନଥିଲା ପରି ଲାଗୁଛି….
ଗାଁ ଭାଇଚାରା
ଭଗାରୀ ବନିଛି..
ଟିକେ କଥାରେ
ଉଠୁଛି ଠେଙ୍ଗାବାଡି..
ଖଣ୍ଡା ଭୁଜାଲି
ଆଉ ବନ୍ଧୁକ ବି….
ଏବେକାର ଗାଆଁରେ
ମଳିନ ପଡିଛି
ପୂର୍ବ ସ୍ନେହ ଶ୍ରଦ୍ଧା..
ହିଂସା, ଈର୍ଷା ଆଉ
ଅହଂମିକାରେ
ସମସ୍ତେ ଅଂଶୀଦାରୀ….
ଗାଁ ଗହିରର
କିଆ ବୁଦା ଏବେ ଉଭାନ..
ସଞ୍ଜ ହେଲେ
ଆଉ ଶୁଭୁନି
ହୁକେ.. ହୋ.. ଡାକ….
କେଂ କେଂ ଶବ୍ଦରେ
ଶଗଡ଼ ଗାଡ଼ି
ଯାଉଥିବାର
ଚିତ୍ରଏବେ ଅସ୍ପଷ୍ଟ….
ଗାଆଁ ଝିଅଟିଏ
ବାହା ହୋଇ
ବିଦା ହେବା ବେଳେ
ଛାତିଥରା
କନ୍ଦଣାର ସ୍ୱର
ଏବେ ଆଉ ଶୁଭୁନି..
ଚାଳ ଛପର ଘର
ଆଉ ଦିଶୁନି କେଉଁଠି
ସଞ୍ଜ ଆସିଲେ
ଆକାଶ ଛୁଉଁନି ଧୂଆଁ….
ସବୁଠି କୋଠାର ରାଜ
ରାସ୍ତା ଘାଟ କଂକ୍ରିଟ ମୟ….
ଏମିତି କ’ଣ
ଥିଲାଯେ,
ସେଦିନର ଗାଁ..
ଯେଉଁ ଗାଆଁରେ
ଆମେ ଲଭୁଥିଲୁ ଚିରଶାନ୍ତି
ଆଉ ତା’ ସ୍ପର୍ଶରେ
ପାଉଥିଲୁ ଅପାର ଆନନ୍ଦ….
ଏବେ ଆମେ
ଅତ୍ୟାଧୁନିକତାର
ଛୁଆଁ ପାଇ
କାଳେ ଶୀର୍ଷରେ ପହଁଚିଛୁ..
ହେଲେ
ନୈତିକତା କ୍ଷେତ୍ରରେ
ଆମେ କେଉଁଠି ଯେ….?
ବିଜ୍ଞାନର ଉଗ୍ରତା ନଥାଇ
ବରଂ ଭଲ ଥିଲା
ସେଦିନର ଗାଁ
ତା’ର ମାଟି ପାଣି ପବନ
ଛାଇ ଆଉ ଆଲୁଅ….
ଭଲ ଥିଲେ
ସେଦିନର ଅଶିକ୍ଷିତ
ମଳିମୁଣ୍ଡିଆ ଗାଁ ଲୋକେ….
ଡିବିରି ଆଉ
ଲଣ୍ଠନର ଆଲୁଅରେ
ଝଲସୁଥିବା
ମୋ ପିଲାଦିନର ଗାଁରେ
ସ୍ୱପ୍ନ ଥିଲା,ଜୀବନ ଥିଲା
ଜୀଇବାର ଇଚ୍ଛା ବି ଥିଲା….
ହେଲେ, ଏବେର ଗାଁରେ
ଉପଭୋଗ୍ୟର
ସବୁକିଛି ଥାଇବି
ଜୀବନ ଖୁବ ଦୁର୍ବିସହ
ଆଉ ଖୁବ ଅସହାୟ….
ମୁଁ ଜାଣେ
ପିଲାଦିନେ ବିତାଇଥିବା
ଗାଁ ଆଉ
କେବେ ଫେରି ଆସିବନି..
ହେଲେ, ଜୀଇଥିବା ଯାଏ
ଏମିତି ଝଲସୁ ଉଠୁଥିବ
ସେଦିନର ଗାଁର ଦୃଶ୍ୟ
ମୋ ମାନସ ପଟରେ
ଅହର୍ନିଶି….