ସସ୍ମିତା ପଣ୍ଡା, କଟକ, ୨୬ ମାର୍ଚ୍ଚ ୨୦୨୩
ତୁ ସର୍ବନାମ ମମତ୍ବ ବୋଧରେ
ଚତୁର୍ଭୁଜା
ତୋ କୋମଳ ସ୍ପର୍ଶରେ
ଏ ଧରା ସଞ୍ଜିବନୀ ସୁର ଆଙ୍କେ
ପଞ୍ଚମ ଚରଣେ ତୁ ଆଜି
ସ୍କନ୍ଧମାତା ।
ମଧୁଚୈତ୍ର ସୁହାସିନୀ
ମଙ୍ଗଳମୟୀ
ତୁ ଥରେ ଆପଣେଇ ନେ
ମୋ ଭିତର ବିକଳପଣକୁ
ସଂସାରର କ୍ଷଣଭଙ୍ଗୁର ସମୟକୁ
ଲୋଟାଇ ଦେଇ
ତୋ ପାଦତଳେ
ନିଃଶ୍ବାସଟିଏ ପାଇଯାଉ ବିଶ୍ୱାସ
ମୁକୁଳା ରଖିଛି ଦୁଆର ।
ଖୁବ୍ ଅଣନିଃଶ୍ବାସୀ ମୁଁ
ଆଜି ତୋ ବିନା
ନିଜର ଅସ୍ତିତ୍ବ ହରାଇ
ତୋ ଆଲିଙ୍ଗନ ପାଇଁ
ମୁଁ କେତେ ଦୂର୍ବଳତା ସାଉଁଟିବି ଆଉ ।।
ତୋ ବିଶୁଦ୍ଧ ଚକ୍ରରେ
ମୋ ଅଶୁଦ୍ଧ ଆତ୍ମାର ପରିଚୟ କେଉଁଠି ଯେ ……..
ମୁଁ ଅଭ୍ୟାସ କରୁଛି
ତୋ ପଣତ ଛାଇତଳେ
ତମାମ ଜୀବନ ଢ଼ାଳି
ନିଶ୍ଚିତ ରୁ ନିଶ୍ଚିତ ହେବାକୁ ।
ତୋ ଆଉ ମୋ ଭିତର
ବନ୍ଧନ ସମୁଦ୍ର ହୋଇ ଲଙ୍ଘି ଯାଉ
ମୁଦିହେଉ ଆଖିପତା ମୋର
ଝରିପଡ଼ୁଥାଉ ମୋ
ମୋ ଭିତର ଅଜ୍ଞାନତା
ଏକିଭୁତ ହେବାକୁ
ତୋ ପାଖରେ ମୁଁ
ନବ ଚେତନାର ପଦ୍ମ ଆଙ୍କିଛି
ତୁ ମୋତେ ଭଲପାଉ ବୋଲି
ମୁଁ ତ ଏଯାଏଁ ଦେହ ଧରିଛି
ଆଉ କିଛି କହିବିନି ତୋତେ ।।