ରଞ୍ଜନ କୁମାର ମହାନ୍ତି, ୦୭ ସେପ୍ଟେମ୍ବର ୨୦୨୨
ଜୀବନ ହାଣ୍ଡିରେ ଉତୁରେ ବୟସ
ଭାଗ୍ୟ ଫୁଟେ ରହି ରହି
କୁହୁଳି କୁହୁଳି ଜଳେ ମନ ଚୁଲି
ସ୍ୱାର୍ଥ ପେଜ ଯାଏ ବହି
ସମ୍ପର୍କ ରୋଷେଇ ଏହି
ସାଉଁଟା ସ୍ମୃତି ତ ଶୁଖିଲା ପତର
ସ୍ୱୀକୃତି ମିଳିବ କାହିଁ
ଅସ୍ଥିର ଅସ୍ତିତ୍ବ ବାଉଁଶର ଗଣ୍ଠି
ପୁଞ୍ଜିଭୂତ ପାପ ରାଶି
ଅଳ୍ପ ଅବଶୋଷ ଶତାବ୍ଦୀର ଶୋଷ
ପୁଣ୍ୟ ସବୁ ନିଏ ଶୋଷି
ହାନି ଲାଭ ଅଙ୍କ କଷି
କର୍ମ କର୍ତ୍ତବ୍ୟର ଟଣା ଓଟରାରେ
ମଣିଷ ତ ସାଜେ ଦୋଷୀ
ରୁଦ୍ଧଦ୍ୱାର ଭାଙ୍ଗି ସ୍ବସ୍ତି ସପ୍ତରଙ୍ଗୀ
କିରଣ ଗଲା କି ବୁଣି
ମୃତ୍ୟୁ ମହାତୀର୍ଥ ଦେବ ପରମାର୍ଥ
ଯେବେ କର୍ଣ୍ଣ ଦେଲା ଶୁଣି
ସମ୍ପର୍କ ସଉଦା କିଣି
ଛ ଖଣ୍ଡି ଗଣ୍ଠିଲି ସଜା ହେବ କାଲି
ସ୍ବପ୍ନ ସବୁ ଗଣି ଗଣି