ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୮ ଜୁଲାଇ ୨୦୨୬
ଟାଣି ପାରିଲିନି
ନନ୍ଦିଘୋଷ ରଥ
କୁହରେ କାଳିଆ କାହିଁ,
କାହିଁକି ଡାକିଲୁ
ତୋ ଘୋଷଯାତକୁ
ବର୍ଷାରେ ଭିଜିଲି ମୁହିଁ।
ଆସିଥିଲି ଧାଇଁ
କେତେ ଆଶାନେଇ
ନିରାଶା କରିଲୁ କାହିଁ,
ସିଂହ ଦୁଆରରେ
ସଞ୍ଜ ବୁଡିଗଲା
ନନ୍ଦିଘୋଷ ଗଡି ନାହିଁ ।
ପହଣ୍ଡି ଦେଖିଲି
ଆନନ୍ଦ ନୋହିଲି
ଶ୍ରୀମୁଖ ଯାଇଛି ସୁଖି,
ମଥାରେ ଟାହିଆ
ସିଂହଦ୍ବାରେ ନାହିଁ
ମନ ମୋର ଭାରି ଦୁଃଖୀ ।
ଦେବୁ ଯେତେ ଦୁଃଖ
ଦିଏରେ କାଳିଆ
କାନିପାତି ନେବି ବାନ୍ଧି,
ବଡଦାଣ୍ଡେ ତୋର
ଶ୍ରୀମୁଖରେ ହସ
ନ ଦେଖିଲେ ଥିବୁ କାନ୍ଦି ।
ନ କର କପଟ
ନାଟୁଆ ଠାକୁର
କାଠର ରଥରେ ବସି,
ବିଶ୍ବ ବ୍ରହ୍ମାଣ୍ଡକୁ
ହସି ଚାହିଁଦିଅ
ସରବେ ହୁଅନ୍ତୁ ଖୁସି ।






