ତାପସ୍ଵି ଜ୍ଞାନଦର୍ଶିନୀ, ଭୁବନେଶ୍ୱର, ୧୨ ମଇ ୨୦୨୪
ବୃଦ୍ଧାଶ୍ରମ ନିକଟରେ ଆସି ଲାଗିଲା ଗୋଟେ ଦାମିକିଆ ଗାଡ଼ି । କେହି ଜଣେ ବଡ ବଡିଆ ସେଇ ଗାଡିରୁ ଓହ୍ଲେଇ ଆସିଲେ । ରୂପ ଆଉ ରଙ୍ଗରେ ବେଶ୍ ବାରି ହେଉଥିଲା ଜଣେ ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତିତ୍ଵ । ହାତରେ ଥିଲା ବହୁତ ଗୁଡେ ମିଠା ପକେଟ୍, ଦାମୀ ପାଟ ଶାଢ଼ୀ, ଆଉ ବୁକେ (ଫୁଲ ତୋଡା)। କେହି ଜଣେ ଆରପଟୁ ଆସି ନମସ୍କାର ଟିଏ ହେଲା । ବାବୁ ଜଣକ ଖୁସିରେ ପ୍ରତିନମସ୍କାର ଜଣେଇ ଦି ଫାଳିଆ ହସଟେ ଦେଇ କାନ୍ଧରେ ହାତ ପକାଇ ପଚାରିଲେ – କିରେ ଆଶ୍ରମ କେମିତି ସବୁ ଚାଲିଛି? । ଆଉ ରାତିରେ ଫୋନ୍ ରେ କହିଥିବା କଥା କେତେ ଦୁରଗଲା । ହଁ ବାବୁ ଆପଣଙ୍କ ଆଶ୍ରିବାଦରୁ ସବୁ ଠିକ୍ ଠାକ୍ ଚାଲିଛି । ହଁ ହଁ ଆସନ୍ତୁ ଆସନ୍ତୁ ଭିତରକୁ । ଆପଣକଂ କାମ କେତେବେଳରୁ ସରିଛି। ବାବୁ ଜଣଙ୍କ ଘର ଭିତରକୁ ପଶୁ ପଶୁ ରୁମାଲ୍ ବାହାର କରି ପାଟିରେ ରଖି ଧୀରେ ଧୀରେ କହିଲେ “କି ଦୁର୍ଗନ୍ଧ । ମୁଁ ଭିତରକୁ ଗଲେ ମୋର ଫଙ୍ଗଲ ହେଇଯିବ। ଏସବୁର ମୋର ଭାରି ଆଲାର୍ଜି। ଯାଓ ଯାଇକି ବୋଉକୁ କୁହ ଆଉ ଏ ମିଠା ପକେଟ୍ ନେଇ ସମସ୍ତଙ୍କୁ ବାଣ୍ଟି ଦେବ। ମୁଁ ଆସିଛି ତାକୁ ନେଇଯିବାକୁ । ଆଉ ହଁ ମୁଁ ବାହାରେ ଅପେକ୍ଷା କରିଛି।”
ମାଆ ମନ କୁଣ୍ଢେମୋଟ ହେଉଥାଏ, ଏତେ ଦିନପରେ ଠାକୁର ତାହା କଷ୍ଟ ଦେଖିଛନ୍ତି । ନିଜ ପୁଅ ପାଖକୁ ଫେରେଇ ଦେଇଛନ୍ତି । ବାସ୍ ଏଥର ଆଉ ଶେଷ ସମୟ ପର୍ଯ୍ୟନ୍ତ ସେ ପୁଅ ସହ କଟାଇବ । ବେଶ୍ ଖୁସି ମନରେ ନିଜର ଲୁଗା ଖଣ୍ଡକ ସାଇତି ପୁଅ ଆଣିଥିବା ସମ୍ବଲପୁରି ପାଟ ଟାକୁ ପିନ୍ଧି ବାହାରି ପଡ଼େ। ବାହାରେ ଶୁଭିଲା ମା ଆପଣ ରେଡ୍ଡୀ ହେଲେଣି ତ। ବାବୁ ଆସି ଅପେକ୍ଷା କରିଛନ୍ତି ବାହାରେ । ମାଆ ବାହାରକୁ ଆସିଲେ । ଦେଖିଲେ ପୁଅ ଆଉ ବୋହୂ ସହ ନାତୁଣୀ ବି ଆସିଛି । ଦେଖା କରିବାକୁ ଆଉ ସାଙ୍ଗରେ ଫେରେଇ ନେବାକୁ । ଆଖିରେ ଖୁସିର ଲୁହ ବୋହିଯାଉଥାଏ । ପଣତ କାନିରେ ଲୁହକୁ ପୋଛି ପକାଉଥାଏ । ବାହାରୁ ବାହାରୁ ପୁଅ କହିଲା, “ମା କେତେ ଲେଟ୍ କରୁଛୁ। କେତେବେଲୁ ଆମେ ଆସି ଅପେକ୍ଷା କରିଛୁ। ” ହଉ ଆଂଗ୍ୟା ଜଲ୍ଦୀ ଜଲ୍ଦୀ ଗାଡ଼ିରେ ବସିପଡେ । ମାଆ ବସିବାକୁ ଗଲେ ଗାଡ଼ି ଭିତରେ । ବୋହୂ ଦେଖିଲା ପରେ ସତେ ଯେମିତି ନାକ ଟେକୁଥାଏ । କିନ୍ତୁ ଛୋଟ ନାତୁଣୀ ସଙ୍ଗେ ସଙ୍ଗେ ବାହାରି ପାଦ ଛୁଇଁ ପ୍ରଣାମ କରିଲା । ଜେଜେମା ତୁ କେମିତି ଅଛୁ ବୋଲି ପଚାରି ତା ମୁହଁରେ ହାତ ମାରିଦେଲା। ମାଆ ଆଉ କିଛି ଭାବିବା ଆଗରୁ ତା କାନିରେ ଲୁହ ପୋଛି ଦେଉଥାଏ । ଖୁସିର ମୁହୂର୍ତ୍ତ ଭିତରେ କୋଳେଇ ନିଏ ନାତୁଣୀକୁ । କିନ୍ତୁ ଗାଡ଼ି ଭିତରୁ କିଛି ଶବ୍ଦ ଆସି କାନରେ ବାଜୁଥାଏ , ଏ ବବ୍ଲି ତାଙ୍କୁ ଛୁନା । ଏପଟକୁ ଆସେ । କିଛି ସମୟ ନିରବତା ପରେ ଗାଡ଼ି ଚାଲିଲା କେଉଁ ଅଜଣା ପଥରେ …..
ଘଣ୍ଟାଏ ପରେ ଗାଡ଼ି ଆସି ଲାଗିଲା ଗୋଟେ ବଡ଼ ପାଞ୍ଚ ତାରକା ହୋଟେଲ୍ ନିକଟରେ । ମାଆ ସ୍ତ୍ରୀ ଆଉ ଝିଆକୁ ନେଇ ପୁଅ ପ୍ରବେଶ କଲେ । ସ୍ତ୍ରୀ ଙ୍କୁ କହିଲେ ମାଙ୍କୁ ଟିକେ ଠିକ୍ ଭାବରେ ସଜେଇ ଦିଅ ତ…ତାପରେ ଖାଇବା । ମୁଁ ଏପଟେ ଅର୍ଡର କରୁଛି । ସ୍ତ୍ରୀ ସ୍ଵାମୀଙ୍କ କଥା ମାନି ମୁଁହରେ ରୁମାଲ୍ ଦେଇ ମାଙ୍କୁ ନେଇଚାଲିଗଲେ । କିଛି ସମୟ ପରେ ମାଆ ଆଉ ସ୍ତ୍ରୀ ଆସି ପହଁଚିଗଲେ । ପୁଅ ନିଜର ମୋବାଇଲ ଫୋନ୍ ବାହାର କରି ମାଆଙ୍କ ଏକ ସୁନ୍ଦର ଫଟୋ ଉତ୍ତୋଳନ କଲେ । ଆଉ ରିଲସ୍ ଭିଡିଓ ବି କରିଲେ। ତା ସହ ଖାଇବା ବି କେତେ କଣ ଅର୍ଡର ହୋଇଛି । ସମସ୍ତେ ମାଆଙ୍କ ପାଖକୁ ଆସି କେତେଗୁଡ଼ିଏ ଫୋଟ ଉଠେଇଲେ । ଆଉ ସୋସିଆଲ ମିଡ଼ିଆ ରେ ସଙ୍ଗେ ସଙ୍ଗେ ପୋଷ୍ଟ କଲେ । ମୋ ମାଆ ପାଇଁ ଗୋଟେ ଦିନ। ଆଉ ମୋ ମାଆ ଦୁନିଆରେ ସବୁଠୁ ଭଲ ମା, I Love You, Maa…ଏପରି ଅନେକ । ମାଆ ପଚାରିଲା ବାପା ଆଜି କଣ କିଛି ଭଲ ଦିନ କି । ନାତୁଣୀ କହିଲା ଜେଜେମା ଆଜି ପରା ମଦରସ ଡେ । ପୁଣି ଜେଜେମା ପଚାରିଲା ଆଲୋ ମା ସେଇଟା ପୁଣି କଣ । ସେଇଟା ହେଉଛି ମାତୃ ଦିବସ ଉତ୍ତର ଆସିଲା ବୋହୂ ଠାରୁ ।
ଖାଇବା ପିଇବା ସବୁ ସରିଲା । ମାଆ ମନ ଭାରି ଖୁସି ଥାଏ । ଘରକୁ ଫେରିବାକୁ । ତେଣୁ ପୁଅକୁ ପଚାରିଲା ଵାପାରେ ଆମେ ଘରକୁ କେତେବେଳେ ଯିବା । ହଁ ହଁ ଯିବା ବୋଲି ପୁଅ ପ୍ରତି ଉତ୍ତର ଦେଉଥାଏ । ନାତୁଣୀ ଆସି ହାତରେ ଦୁଇଟା ଖାଇବା ମାଙ୍କୁ ଖୁଆଇଲା । ଆଉ କଣ ବା ଦରକାର ମା ସତେ ସ୍ୱର୍ଗପୁର ପହଁଚିଗଲେ । କେତେ ଓଷା ବ୍ରତ କରି ପୁଅକୁ ପାଇଥିଲି । କିଛି ଦିନ ଭୁଲ୍ ରାସ୍ତାରେ ଯାଇଥିଲା କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ଭାବି ଭାବି ବହୁତ୍ ଖୁସି ହେଉଥାନ୍ତି । ସବୁ ଗାଡ଼ିରେ ବସିଲେ । ପୁଣି ଗାଡ଼ି ଯାଇ ଲାଗିଲା ସେଇ ବୃଦ୍ଧା ଆଶ୍ରମ ନିକଟରେ । ସେପଟୁ କର୍ମଚାରୀ ଜଣେ ଆସି ଗାଡ଼ି କବାଟ ଖୋଲି କହୁଥାଏ ଆସନ୍ତୁ ମା ଆସନ୍ତୁ । ମାଆ କିଛି ବୁଝିପାରୁ ନଥାଏ । ପୁଅକୁ କହୁଥାଏ ବାପା ଆମେ ଘରକୁ ଯିବାପରା । ପୁଅ ନିରୁତ୍ତର । ମାଙ୍କୁ ନେଇ କର୍ମଚାରୀ ଜଣଙ୍କ ଚାଲିଲେ ଆଶ୍ରମ ଭିତରକୁ । ମାର ସ୍ବପ୍ନ ସତେ କିଛି ମୁହୂର୍ତ୍ତ ଭିତରେ କେଉଁଠି ମିଳେଇ ଯାଇଥିଲା । ଭାବୁଥିଲେ ଯଦି ପ୍ରତ୍ୟେକ ଦିନ ମାତୃ ଦିବସ ହୁଅନ୍ତା । ଆଉ ସବୁଦିନ ନିଜ ସନ୍ତାନ ପାଖେ ସ୍ନେହ ମମତା ଭଲପାଇବା ଅଜାଡି ପାରନ୍ତା । ସେହି ଭାବନା ଭିତରେ ଆଖିରୁ କେଇ ବୁନ୍ଦା ଗରମ ଲୁହ ଖସି ଆସୁଥିଲା । ବାସ୍ ଚାହିଁ ରହିଥିଲା ଯେଉଁ ଯାଏ ଗାଡ଼ି ଦୃଶ୍ୟମାନ ହେଉଥିଲା । ଭାବୁଥିଲା ଏଇ ଗୋଟିଏ ଦିନ ପାଳନଟା ସରକାର ସବୁଦିନ କରି ଦିଅନ୍ତନି। କେତେ ଖୁସି ପାଆନ୍ତି….