ରାମଚନ୍ଦ୍ର ଦାଶ, କଟକ, ୧୩ ଫେବୃଆରୀ ୨୦୨୩
ଗୋଟିଏ ଜାତିର ଭାଷା ସାହିତ୍ୟ ହେଉଛି ସେହି ଜାତିର ସମାଜ ଜୀବନର ଦର୍ପଣ । ଏଇ ଦର୍ପଣରେ ଗୋଟିଏ ଜାତି ରାତି ପାହିଲେ ତାର ମୁହଁ ଦେଖେ | ପରିତୃପ୍ତି ଲଭେ ଓ ଦିବସର କର୍ମ ସଂପାଦନ ପାଇଁ ବାହାରି ପଡ଼େ। ମନ ଓ ଆତ୍ମାର ସ୍ଵପ୍ନ ପାଇଁ ସଫଳତା ଲାଭକରେ ।
ଆମ ଭାଷା ସାହିତ୍ୟ, ବିଶ୍ଵ ଭାଷା ସାହିତ୍ୟର ପରମ୍ପରା ଭଳି ଅତି ପ୍ରାଚୀନ । ଏଥିରେ ଆମ ସମାଜ ଜାବନର ସ୍ବୀକାରୋକ୍ତି ଥାଏ । ଆହ୍ୱାନରେ ଆଏ ପ୍ରତି ମଣିଷକୁ ଭାଇଚାରାର ଆମନ୍ତ୍ରଣ । ବିଶ୍ୱ ପ୍ରେମ ଓ ସଦ୍ ଭାବର ବାର୍ତ୍ତା ଦେଇ ଏହା ଅନ୍ୟ ହୃଦୟ କୁ ସ୍ନେହରେ ବାନ୍ଧି ଦିଏ। ସାହିତ୍ୟରେ ଭାଷାର ଶବ୍ଦ ଗୁଡ଼ିକୁ ଫୁଲ କରି ଓ ଏଥିରେ ଗଜରା ମାଳଟିଏ ତିଆରି କରି ମାତୃଭୁମିର ଗଳାରେ ଲମ୍ବାଇ ଦେଇ ପାରିଲେ ଜଣେ ସାହିତ୍ୟିକ ନିଜକୁ ଧନ୍ୟ ମନେ କରେ । ଏମିତି ଏକ ସାତ୍ଵିକ ଆହ୍ୱାନକୁ ସାମ୍ନାରେ ରଖି ଜଣେ ସାହିତ୍ୟିକ ତାର ସାହିତ୍ୟ କ୍ରମ ଆରମ୍ଭ କରିଥାଏ । ସେଇ ଜାତି ଓ ସମାଜର ସାମଗ୍ରିକ ଜୀବନ ରଙ୍ଗ ଏଥରେ ପ୍ରତି ଫଳିତ ହୁଏ । ତତ୍ତ୍ୱ ସମ୍ବଳିତ ପ୍ରଭାବଶାଳୀ ସାହିତ୍ୟିକଟିଏ ସାରା ବିଶ୍ଵ ମନକୁ ରୂପ, ରସ ଓ ଗନ୍ଧରେ ମୁଗ୍ଧ କରିଦିଏ।
ଆମ ଭାଷା ସାହିତ୍ୟର ବିକାଶ ଓ ବିସ୍ତାର କିମ୍ବା ପ୍ରଚାର ଓ ପ୍ରସାର ପାଇଁ ଏକ ମାଧମ ନିଶ୍ଚୟ ଲୋଡ଼ା ହୋଇଥାଏ । ଏଥି ପାଇଁ ଆମ ମାଟିରେ ବହୁ ପୁରାତନ କାଳରୁ ବହୁ ନାନାବିଧ ଉପାୟ ଅବଲମ୍ବନ କରାଯାଇଥିଲା । ଲେଖିବା ପାଇଁ କାରକ ଓ କଲମ ନଥିଲା କିମ୍ବା ପ୍ରକାଶ ପାଇଁ ଛାପା ଖାନା ନଥିଲା ବେଳେ ଆମ ଭାଷାର ଭାଷ୍ୟକାର ମାନେ ତାଳ ପତ୍ରଜୁ ପୋଥି କରି ଲୁହାରେ ତିଆରି ଲେଖନୀ ମୁନରେ ଏହି ଭାଷାର ମହାଭାବକୁ ବ୍ୟକ୍ତ କରୁଥିଲେ ଓ ଭାଗବତ ଟୁଙ୍ଗି କିମ୍ବା ଅନେକ ସାମାଜିକ ଅନୁଷ୍ଠାନ ଦ୍ଵାରା ଆମ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର କରାଉଥିଲେ । ପରାଧିନତା କାଳରେ ମଧ୍ୟ ନାନା ବାଧା ଓ ବିରୋଧ ସତ୍ୱେ ତତ୍ କାଳିନ ଭାଷାବିତ୍ ମାନେ ସେହି ସାଧୁ ଉଦ୍ୟମ ଜାରିରଖିଥିଲେ । ଆମ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପତ୍ର ପତ୍ରିକା ମାନ ପ୍ରକାଶ କରୁଥୁଲେ । ତତ୍ କାଳିନ ପତ୍ର ପତ୍ରିକା ଗୁଡ଼ିକ ବେଶ ସମୃଦ୍ଧଶାଳୀ ଜନ ଜାଗରଣର ଭୂମିକା ଗ୍ରହଣ କରି ଆତ୍ମ ପ୍ରକାଶ କରିଥିଲା ।
ଆଜି ଆମେ ଓ ଆମ ଭାଷା ସାହିତ୍ୟ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ । ଏଥିରେ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନ ଆବେଗ ଓ ଆହ୍ୱାନ ରହିଛି । ବିଶ୍ଵ ସାହିତ୍ୟର ପ୍ରଗତି ସହିତ ପାଦ ବଢ଼େଇ ଆମ ଭାଷା ସାହିତ୍ୟ ସମ ତାଳରେ ଆଗେଇ ଚାଲିଛି । ବହୁ ରୁଚିପୂର୍ଣ୍ଣ ଢଙ୍ଗରେ ଆମ ସାହିତ୍ୟ ପ୍ରତି ଯେଉଁ ଅନୁରାଗ ଆତ୍ମ ପ୍ରକାଶ କରୁଛି, ସେଥିପାଇଁ ଆମ ଭାଷାର ପତ୍ର ପତ୍ରିକା ଗୁଡ଼ିକ ଗୁରୁ ଗୌରବ ଗ୍ରହଣ କରୁଛନ୍ତି । ଆତ୍ମା ଭାଷାର କଥା କୁହା ମାଧ୍ୟମ ହୋଇ ଉଡ଼ି ବୁଲୁଛନ୍ତି । ଏହା ଦ୍ଵାରା ପ୍ରତି ଦିନ ଆମ ସମାଜର ମୁହଁ ଏହି ଦର୍ପଣରେ ପରିଷ୍କାର ହୋଇ ଦିଶୁଛି ।
ମାତ୍ର ଦୁଃଖ ଏହି ଯେ ବହୁ ପତ୍ର ପତ୍ରିକା ଗୁଡ଼ିକ ନିଜକୁ ରକ୍ଷଣଶୀଳ ଢଙ୍ଗରେ ସାମନ୍ତବାଦୀ ଓ କୁଳିନ ସମ୍ପ୍ରଦାୟର ହୋଇ ରହିଯାଉଛନ୍ତି । ଯାହା ଫଳରେ ବହୁ ଜ୍ଞାନୀ, ଗୁଣି ଓ ମୂଲ୍ୟ ବୋଧର ସାହିତ୍ୟିକ ମାନେ ନିଜର ସାହିତ୍ୟ କର୍ମକୁ ଏଥିରେ ପ୍ରକାଶିତ କରିପାରୁନାହାଁନ୍ତି । କାରଣ ସେମାନେ ଦୁଃଖୀ ଓ ଅଭାଗୀ। ସେମାନଙ୍କ ହାତଚିକ୍କଣ କରିବା ପାଇଁ ତେଲ ନାହିଁ । ଅନେକ ସାହିତ୍ୟ ଅନୁଷ୍ଠାନ ଓ ପତ୍ର ପତ୍ରିକା ଗୁଡ଼ିକ ଏହି ଢଙ୍ଗରେ ଚାଲୁଥିବାରୁ ଆମ ସାହିତ୍ୟ ରୁଗଣ ହେବାକୁ ଲାଗିଛି । ଓଡ଼ିଶାର ସବୁ ଭାବକୁ ଆନ୍ତରିକତା ସହିତ ଗ୍ରହଣ କରି ଏକ ମହାଭାବର ଓଡ଼ିଆ ପତ୍ର ପତ୍ରିକା ପାଇଁ ମୁଁ ଆହ୍ୱାନ ଦେଉଅଛି । ତାହା ହେଲେ ଆମ ପତ୍ର ପତ୍ରିକା ସମୃଦ୍ଧ ହେବ ରୁଗଣ ନହୋଇ ସମକାଳିନ ସାମର୍ଥ୍ୟ ଲାଭ କରି ବିଶ୍ଵ ସାହିତ୍ୟ ପାଖରେ ନିଜର ନିର୍ଭୀକତା ଓ ତତ୍ୱ ଦର୍ଶିତା ପ୍ରମାଣିତ କରିପାରିବ।