ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୪ ଜୁନ୍ ୨୦୨୪
ନାରୀଙ୍କର ପରି ଧରିତ୍ରୀ ଆମରି
ଥରେ ହୁଏ ରଜବତୀ ।
କିଛି କିଛି ଜନେ ଜାଣନ୍ତି ଏହାକୁ
ଆଉ କିଛି ନ ଜାଣନ୍ତି ।।
ଆମ ନୀତି ଶାସ୍ତ୍ରେ ପୂର୍ବ ପୁରୁଷେ
ବିହି ଥିଲେ ଏହି କଥା ।
ବରଷକେ ଥରେ ତିନି ଦିନ ପାଇଁ
ବସୁମତୀ ରଜ ବ୍ୟଥା ।।
ହିନ୍ଦୁ ଶାସ୍ତ୍ର ମତେ ପାଳନ୍ତି ଏହାକୁ
ମୋ ହିନ୍ଦୁ ଭଉଣୀ ଭାଇ ।
ଓଡ଼ିଶା ମାଟିର ଏହା ଗଣପର୍ବ
ବହୁ ପୁରାତନ ଏହି ।।
ଏ ପର୍ବର ନୀତି-ନିୟମ ଅନେକ
ଗଢ଼ିଛନ୍ତି ଗଲା ପିଢ଼ି ।
ବସୁଧାକୁ କଷ୍ଟ ନ ହେବ ଯେପରି
ଶୁଣ ପଣ୍ଡିତ ମଣ୍ଡଳୀ ।।
ତିନି ଦିନ ଯାଏଁ ଧରଣୀ ରାଣୀଙ୍କୁ
କରନ୍ତି ସକାଳେ ପୂଜା ।
କଟା କଟି ଆଉ ବଟା ବାଟି ସବୁ
ନିଷେଧ ବାଇଦ ବଜା ।।
ହଳ ଲଙ୍ଗଳରେ ଚାଷ ହୁଏ ନାହିଁ
ଏହି ରଜ ତିନିଦିନ ।
ଚାଷୀ ପୁଅମାନେ ହର୍ଷ ଉଲ୍ଲାସରେ
ଉତ୍ସବରେ ଯାଏ ଦିନ ।।
ବିନା ପାଦୁକାରେ ଚାଲିବାକୁ ହୁଏ
ଧରିତ୍ରୀର ବୁକୁପରେ ।
କୁମାରୀ କନ୍ୟାଙ୍କ ସାଜ୍ଜସଜ୍ଜା ଦେଖି
ହରଷିତ ପରିବାରେ ।।
ନୂତନ ସ୍ୱାଦର ରାନ୍ଧଣା ପ୍ରସ୍ତୁତ
ହୋଇଥାଏ ଘରେ ଘରେ ।
ମହକରେ ପଲ୍ଲୀ ଫାଟି ପଡୁଥାଏ
ଶାଗୁଆତି ମିଆଁ ମାରେ ।।
ଦୂରରୁ ଶୁଭୁଛି ରଜ ଦୋଳି ଗୀତ
ଗ୍ରାମ ଯୁବତୀଙ୍କ ମେଳି ।
କିଏ କେତେ ଭଳି ନବବସ୍ତ୍ର ପିନ୍ଧି
ହେଉଛନ୍ତି କୋଳା କୋଳି ।।
ଗାଁ ଠାକୁରାଣୀ ପାଖରେ ଚାଲିଛି
କବାଡି ବାଗୁଡ଼ି ଖେଳ ।
ବୀର ବାଦ୍ୟ ବାଜେ ପାଇକ ଟୋକାଏ
ଦେଖାଅନ୍ତି ବାହୁ ବଳ ।।
ସଞ୍ଜ ନଇଁଲାଣି ଶଙ୍ଖ ଘଣ୍ଟା ଧ୍ଵନି
ଦେବାଳୟ ମୁଖରିତ ।
ଅଜା ପାଇଁ ଆଇ ପାନ ଭାଙ୍ଗୁଅଛି
ହେବଲାଗି ମୁଖ ବାସ ।।
ଗାଁ ଚଉକିଆ ଗାଁ ଟା ଯାକରେ
କହି କହି ଯାଉଅଛି ।
ଆଜି ରଙ୍ଗମଞ୍ଚେ ଅଭିନୟ ହେବ
ପ୍ରସ୍ତୁତି ସବୁ ସରିଛି ।।
ପାଣିପାଗ କଥା ରେଡ଼ିଓରୁ ବାର୍ତ୍ତା
ମୌସୁମୀ ଆସିଯିବ ।
ଏସନ ବରଷା ଆଗୁଆ ହୋଇଲେ
ଚାଷକାମ ଭଲ ହେବ ।।
ଅନିମା କର ଓ ଚିତ୍ତ ଜେନାଙ୍କର
ଦ୍ଵେତ ସଙ୍ଗୀତକୁ ଶୁଣି ।
ସାହି ଝିଅ ମାନେ ଟୁପୁରୁଟାପର
ମନ ନିଏ ତାଙ୍କ କିଣି ।।
ରଜ ପୋଡ ପିଠା ବହୁ ପୁରାତନ
ଶ୍ରୀ ମନ୍ଦିରେ ହୁଏ ଲାଗି ।
ଶ୍ରୀ ଜଗନ୍ନାଥଙ୍କୁ ପରଷିବା ପାଇଁ
ମାତା ରହିଛନ୍ତି ଜଗି ।।
ବହୁ ପୁରାତନ ରଜ ପର୍ବ ଏହା
ଗ୍ରାମୀଣ ଲୋକଙ୍କ ପାଇଁ ।
କୃଷି କର୍ମ ପାଇଁ ପ୍ରେରଣାର ଉତ୍ସ
ଶୁଣ ମୋ ଭଉଣୀ ଭାଇ ।।
ଉତ୍କଳୀୟ ଦେଶେ ସ୍ଵତନ୍ତ୍ର ଆମର
ରଜ ପରି ମହାପର୍ବ ।
ଯୁବାଠାରୁ ବୁଢ଼ା ଦୋଳିରେ ଝୁଲନ୍ତି
ତାଙ୍କ ପାଇଁ ବଡ ଗର୍ବ ।।
ଧୀରେ ଧୀରେ ସବୁ ପାଶୋରି ଯାଆନ୍ତି
ଆଜିକା ପିଢ଼ି ଆମରି ।
ହଲୋ ହାଏ କରି ଉତ୍ସବ ପାଳନ୍ତି
ସମୟ ସ୍ରୋତରେ ବାରି ।।
ରଜ ଆମ ପର୍ବ ଉତ୍କଳର ଗର୍ବ
ପୁରୁବ ପୁରୁଷ ଆମ ।
ଗଙ୍ଗା ଠାରୁ ଗୋଦାବରୀ ଜୟ କରି
ଘୁରିଥିଲେ ଚାରି ଧାମ ।।
ଶ୍ରୀ କ୍ଷେତ୍ରରେ ଆସି ପ୍ରାୟଶ୍ଚିତ କଲେ
ନିର୍ମମତା ଯୁଦ୍ଧ କରି ।
ଖସିଗଲା ହାତୁ ରକ୍ତ ପିପାସୁ
ତରବାର ଦେଖିକରି ।
ରକ୍ତ ରଞ୍ଜିତ ବସୁଧାକୁ ଦେଖି
ଥରିଗଲା ତାଙ୍କ ଛାତି ।
ଧରିତ୍ରୀ ମାତାଙ୍କୁ କଷ୍ଟ ନ ଦେବାକୁ
ପ୍ରତିକାର ରଜବତୀ ।।
ତିନି ଦିନ ଯାଏ ପୂଜା ଅର୍ଚ୍ଚନାରେ
ମାତାଙ୍କୁ କରିଲେ ଶାନ୍ତି ।
ବସୁମତୀ ସ୍ନାନ ହଳଦୀ ପାଣିରେ
ଜନମାନି କରିଥାନ୍ତି ।।
ଉତ୍କଳୀୟ କ୍ଷେତ୍ରେ ଏହି କୀର୍ତ୍ତିରାଜି
ରହିଗଲା ସେହି କାଳୁ ।
ବରଷକେ ଥରେ ଆସେ ଏହି ପର୍ବ
ରଜ ନାମେ ଆମେ ପାଳୁ ।।