ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ଡିସେମ୍ବର ୨୦୨୩
ମଥା ଗୁଞ୍ଜିବାକୁ ସହରରେ
ଛାତଟେ ନଥିଲା ବୋଲି ସିନା,
ଫୁଟପାଥରେ ମଥା ଥୋଇ
ନିଘୋଡ଼ ନିଦରେ ସେ
ଶୋଇ ପଡ଼ିଥିଲା ।
ସେ କ’ଣ ଜାଣିଥିଲା !
ଅମାନିଆ ନିଶାଡ଼ିର ଗାଡ଼ି
ଦିଶାହୀନ ହୋଇ ଫୁଟପାଥ୍ ଉପରେ ଗଡ଼ିବ ?
ଶୋଇଥିବା ଲୋକଙ୍କ ଉପରେ
ପୁଣି ମାଡ଼ି ଚାଲିଯିବ ?
ଘରେ ଦି’ଓଳି ଖାଇବାକୁ
ଦାନା ନଥିଲା ବୋଲି ସିନା
କାମ ଖୋଜି ସେ ସହରକୁ
ଚାଲି ଆସିଥିଲା,
ଝିଅ ବାହାଘର ଆଉ
ପୁଅ ପାଠ ପଢ଼ା ପାଇଁ
ରୋଜଗାର କରିବ ବୋଲି
କେତେ ସୁନେଲି ସ୍ବପ୍ନରେ ସେ ଭିଜି ଯାଇଥିଲା ।
କିନ୍ତୁ ଚକ ତଳେ ମୁଣ୍ଡ ତା’ର ଚାପି ଯିବା ପରେ
ନିଶ୍ଚଳ ଶରୀରଟି ସେଠି ପଡ଼ି ରହିଥଲା,
ସମାଜର ସହାନଭୂତି ଆଉ ଶାସନ କଳର
ଦରଦୀପଣକୁ ସେ ଖିନଭିନ୍ ପରଖୁ ଥିଲା ।
ଖବର କାଗଜ ଆଉ ଟିଭିରେ ସିନା
ତା’ର ପୁଳା ପୁଳା ଫଟୋ ଛପା ହୋଇଗଲା,
ସେଥିରେ କଣ’ ତା’ର ବିଧବା ପତ୍ନୀ
ଓ ପିଲାମାନଙ୍କର ଗରଜ ମେଣ୍ଟିଲା ?
ତେବେ ଅପହଞ୍ଚ ସାହାଯ୍ୟ ସେହି
ତେଲ ଲୁଣ ସଂସାର ପାଇଁ ଏବେ ଦୁର୍ବିସହ ହେଲା ।