ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୫ ମାର୍ଚ୍ଚ ୨୦୨୫
ହୃତ ଗୌରବ ଅତୀତକୁ ଯଦି
ମନ୍ଥନ କରେ ଆଜି।
ମନେ ପଡ଼ିଯାଏ କଳିଙ୍ଗ ମାଟିରେ
ବିଜୁବାବୁ କୀର୍ତ୍ତିରାଜି।।
ଏ ମାଟି, ଏ ଜାତି କରିଥିଲା ତାଙ୍କୁ
ହୃଦୟରୁ ଆନ୍ଦୋଳିତ।
ନିଶ୍ଵ ଅସହାୟ ଗରିବଙ୍କ ପାଇଁ
ସହି ଘାତ ପ୍ରତିଘାତ।।
ମନେ ପଡ଼ିଗଲା ସାଧବ ପୁଅଙ୍କ
ନୌବାଣିଜ୍ୟ ପୂର୍ବସ୍ମୃତି।
ଡକାଇ ଦେଖାଇ ନେହେରୁଙ୍କୁ ଥରେ
ବୁଝାଇଲେ ଗୋଟି ଗୋଟି।।
ବିଶ୍ଵ ବିଖ୍ୟାତ ଏ ପାରାଦୀପ ଆଜି
ବନ୍ଦର ନାମେ ଖ୍ୟାତି।
ଅର୍ଜନ କରିଛି ବିଜୁବାବୁ ପାଇଁ
ଏହା କେ ନ ଜାଣି ଅଛି।।
ଦୈତାରି ଠାରୁ ପାରାଦୀପ ଯାଏଁ
ଗଢିଲ ସଡ଼କ ପଥ।
ତେଣୁ ଏ ଜାତି ଝୁରେ ଆପଣଙ୍କୁ
କରେ ଶତ ପ୍ରଣିପାତ।।
ରାଷ୍ଟ୍ର ବିଭାଜନ ସେ ବେଳର କଥା
ଡେକାଟୋ ବିମାନ ନେଇ।
ଦଙ୍ଗା ସମୟରେ ବୋହି ଆଣିଥିଲେ
କରାଚି ଲାହୋର ଯାଇ।।
ହିନ୍ଦୁ ଭାଇ ମାନେ ଗଦ୍ ଗଦ୍ ହୋଇ
ବୁହାଇଲେ ଅଶ୍ରୁ ନୀର।
ଧନ୍ୟ ତୁମେ ଆମ କଳିଙ୍ଗର ପୁଅ
ଉତ୍କଳର ମହାବୀର।।
କାଳର ଗର୍ଭରେ ଲୀନ ହୋଇଗଲ
ଝୁରେ ଆଜି ଦେଶବାସୀ।
କିଏ ଆସି ଆଉ ସାହସ ଭରିବ
ଶତ୍ରୁକୁ ନାଲି ଆଖି।।
ନିର୍ଭୀକ ସାହସୀ ହୃଦୟରୁ ଦମ୍ଭ
ଆପଣଙ୍କ ପରି କେହି।
ଶୁଣୁଛନ୍ତି ସବୁ ଦେଖିଥିଲୁ ଆମେ
ବର୍ଣ୍ଣନା କରି ନୁହଁଇ।।
ବିଜୟାନନ୍ଦ ଓ ଶରତ କରଙ୍କ
ଯୋଡ଼ିଥିଲା ଅଦ୍ଭୁତ।
ସଭା ସମିତିକୁ ବିଜୁ ଯାଇଥିଲେ
ନିଶ୍ଚୟ ଥିବେ ଶରତ।।
ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲ
ଗରିବର ଅନ୍ନଦାତା।
କେତେ ଯେ ଯୋଜନା ଗଢିଲେ ଆପଣ
ଚର୍ଚ୍ଚାରେ ଆଜି ଜନତା।।
ଆପଣଙ୍କ ପୁଣ୍ୟ ଜନ୍ମ ତିଥିରେ
କରେ ଭକ୍ତି ପ୍ରଣିପାତ।
ରହିଛି ରହିବ ଆପଣଙ୍କ ଯଶ
ସଦା ହୋଇ ପ୍ରଜ୍ଜ୍ଵଳିତ।।