ଶୈଳବାଳା ମହାପାତ୍ର, ପୁରୀ, ୫ ଅକ୍ଟୋବର ୨୦୨୨
ଏବେ ଏଇ ମୁହୁର୍ତ ରେ
ମତେ କିଛି ପଚାରନି
ପଚାରନି ହେ ମୋର ପାଖ ପଡୋଶୀ ମାନେ
ଏଇ ମୁହୁର୍ତ ରେ ମୁଁ ପ୍ରେମିକା ରୁ ପାଲଟିଛି
ପୃଥକ୍ ପୃଥିବୀ
ଧ୍ବସ୍ତ ଦମ୍ଭ ର ଦୟନୀୟ ଦସ୍ତାବିଜ
ଗୋଟେ ଜାରଜ ରାତି କୋଳରେ
କେବେ ଠୁଁ ଶୋଇ ପଡ଼ିଛି ମୋ ସାମର୍ଥ୍ୟ
କେବେ ଠୁଁ ଟୁକୁରା ଟୁକୁରା
ଭରସା ର ଭାବାର୍ଥ
କେବେଠୁ ଓହଳି ପଡ଼ିଛି ସ୍ଵପ୍ନ
ଭଙ୍ଗା ବେହେଲା ରୁ
ପଚାରନି ଏବେ ସେସବୁ
ସେସବୁ ଗୋଟେ ଗଳିତ ଭାଗ୍ୟର ଇତିହାସ
ଯାହା ପରଶି ଦେଉଛି ଏବେ
ବୁଝିନିଅ ତା’ କେବଳ ଗୋଟେ ଲମ୍ବା ଦରଜ ର
ଚିରୁଡାଏ କ୍ଷୟିତ ଅଂଶ
ପଚାରନି କେମିତି ଅନୁଭବୁଚି ଏବେ
ପ୍ରୀତିମୟ ପ୍ରାପ୍ତି ଟିକୁ ଧର୍ଷୁଚି ଯେବେ ମାୟାବୀ ଅନ୍ଧାର
ରକ୍ତରେ ଜୁଡୁବୁଡୁ ପ୍ରିୟତମ ସାଫଲ୍ଯ
ପଚାରନି କେମିତି ଲାଗୁଛି
ଏଇ ମୁହୁର୍ତ ରେ ମୁଁ
କାନ୍ଦ କାନ୍ଦ କେନ୍ଦେରା ର କାକୁସ୍ଥ କାକଳି
ଏଇ ମୁହୁର୍ତ ରେ ମୁଁ ପ୍ରେମିକା ରୁ ପାଲଟିଛି
ପୃଥକ୍ ପୃଥିବୀ !!