ବିଜୟ କୁମାର ପାଣି, କଟକ, ୩୦ ଅଗଷ୍ଟ ୨୦୨୩
ହିନ୍ଦୁଶାସ୍ତ୍ର ମତେ ସନାତନ ଧର୍ମେ
ରକ୍ଷାର ପ୍ରତୀକ ରାକ୍ଷୀ ।
ବାନ୍ଧିଥିଲେ ଥରେ ଦ୍ଵାପର ଯୁଗରେ
ପିନ୍ଧା ବସ୍ତ୍ର ତାଙ୍କ କାଟି ।।
ପାଣ୍ଡବଙ୍କ ରାଣୀ ଦ୍ରୁପଦ ଦୁଲଣି
ଶ୍ରୀକୃଷ୍ଣଙ୍କ କ୍ଷତ ଦେଖି ।
ବାନ୍ଧିଲେ ଜତନେ ରକ୍ତସ୍ରାବ ଠାରେ
ଆସ୍ୱସ୍ଥି ଲଭିଲି ସଖୀ ।।
ଭାବର ଠାକୁର ଭକତ ବତ୍ସଳ
ଦ୍ରବୀଭୂତ ହୋଇଗଲେ ।
କହିଲେ ପାଞ୍ଚାଳୀ ମାଗିନିଅ ବର
ଯାହା ଇଚ୍ଛା ତୋ ମନରେ ।।
ଦ୍ରୁପଦ ନନ୍ଦିନୀ କହିଲେ ହେ’ ସଖା
ଯୋଡ଼ ହସ୍ତ ବିନୟରେ ।
ସାହା ହୋଇଥିବ ଅନାଥ ଜନରେ
ଏତିକି ଅଳୀ ପୟରେ ।।
କୁରୁସଭା ତଳେ ବିପଦ ବେଳରେ
ଘଞ୍ଚାଳୁଛି ଦୁଃଶାସନ ।
ରକ୍ଷା କର ପ୍ରଭୁ ଆରତ ଭଞ୍ଜନ
ଆଉ କେ ରଖିବ ମାନ ।।
ଉଠିଲେ ତକ୍ଷଣ ପ୍ରଭୁ ନାରାୟଣ
ବ୍ୟସ୍ତ ହୁଅ ନାହିଁ ସଖୀ ।
ଭକ୍ତ ମୋର ପ୍ରାଣ ଭକ୍ତ ମୋ ଜୀବନ
ଆହେ ମୋର ନିରୀମାଖି ।।
କୋଟି ବସ୍ତ୍ର ହେଳେ ପ୍ରଭୁ ଖଞ୍ଜିଦେଲେ
ଝିଙ୍କି ଝିଙ୍କି ଦୁଃଶାସନ ।
ଥକିଗଲା ସିନା ଦେଖନ୍ତି ସକାଳେ
ହୋଇଗଲା ସଂଜ୍ଞାହୀନ।।
ବସ୍ତ୍ର ଚାଖଣ୍ଡକ ପାଇଁ ସିନା ପ୍ରଭୁ
କୋଟି ବସ୍ତ୍ର ହେଳେ ଦେଲେ ।
ରାକ୍ଷୀ ସୁତ୍ରେ ତାହା ରହିଯାଇ ଅଛି
ମାନନ୍ତି ହିନ୍ଦୁ ଶାସ୍ତ୍ରରେ ।।
ଶ୍ରୀ ମନ୍ଦିରେ ମଧ୍ୟ ଜଗା ବାଲିଆଙ୍କୁ
ସୁଭଦ୍ରା ବାନ୍ଧନ୍ତି ରାକ୍ଷୀ ।
ଭାଇ ଭଉଣୀଙ୍କ ନିବିଡ଼ ସମ୍ପର୍କ
ସେ ଯୁଗରୁ ଏବେ ଅଛି ।।
ସୁଖରେ ଦୁଃଖରେ ଭଗିନୀ ଆଗରେ
ଭାଇ ହୋଇଥାଏ ଠିଆ ।
ଯେତେ ବାଧା ପଛେ ଆସୁ ତା’ ଜୀବନେ
ଭାଇ ମୋର ଏକା ସାହା ।।
ଆଜିର ଦିନରେ ସଭ୍ୟ ସମାଜରେ
ମା’ ଭଉଣୀଙ୍କ ପାଇଁ ।
ଅସୁରକ୍ଷିତ ସେ ମଣନ୍ତି ନିଜକୁ
ସଚେତନ ହୁଅ ଭାଇ ।।
ନାରୀମାନେ ଏଠି ଅସୁରକ୍ଷିତ
ଶାସନର କଳ ଢିଲା ।
ଆତ୍ମହତ୍ୟା ନାରୀ କରୁଛି କାହିଁକି
ପ୍ରଶାସନ କାହିଁ ଗଲା ।।
ଗଣ ପ୍ରତିନିଧି ନିଜ ଲୋକ ଦ୍ଵାରା
ଚପାଇ ଦିଅନ୍ତି ତାହା ।
ଆଗକୁ କୁଆଡ଼େ ଭୋଟ ଆସୁଛି
ନେବେ ଖାଲି ବାହା ବାହା ।।
ରକ୍ଷା ବନ୍ଧନର ପବିତ୍ର ଦିନରେ
ଶପଥ ନେବା ରେ ଆସ ।
ନାରୀ ଜାତି ପ୍ରତି ସମ୍ମାନ ନ କଲେ
ଦେଶ ହୋଇଯିବ ଧ୍ଵଂସ ।।